ସ୍ବ-ଅଧ୍ୟୟନ: ଏକ ଆଲୋଚନା

ସଂଯୁକ୍ତା ଦାଶ

ବର୍ତ୍ତମାନ କୋଭିଡ୍‌ ୧୯ ଯୋଗୁ ରାଜ୍ୟ ସରକାରଙ୍କ ଦ୍ୱାରା ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟର ସମସ୍ତ ପରୀକ୍ଷାକୁ ବନ୍ଦ କରିଦିଆଯାଇଛି ଓ ବିକଳ୍ପ ବ୍ୟବସ୍ଥା ଦ୍ୱାରା ପିଲାଙ୍କୁ ଉତ୍ତୀର୍ଣ୍ଣ କରିବାକୁ ବ୍ୟବସ୍ଥା କରାଯାଇଛି। ଚଳିତ ଶିକ୍ଷାବର୍ଷ କେବେଠାରୁ ଆରମ୍ଭ ହେବ ତାହା ଏବେ ମଧ୍ୟ ଅନିଶ୍ଚିତ ଅବସ୍ଥାରେ ଅଛି। ଏହି ପରିପ୍ରେକ୍ଷୀରେ ଉଚ୍ଚଶିକ୍ଷା ବିଭାଗ ତରଫରୁ ଜୁନ୍‌ ୧୯ ତାରିଖରେ ଏକ ନୂତନ ଶିକ୍ଷାନୀତି ଆଗତ କରାଯାଇଛି। ସ୍ନାତକ ଓ ସ୍ନାତକୋତ୍ତର ଶ୍ରେଣୀ ସିଲାବସ୍‌ର ଏକ ଚତୁର୍ଥାଂଶ ଛାତ୍ରୀଛାତ୍ରଙ୍କ ସ୍ବଅଧ୍ୟୟନ ପାଇଁ ରହିବ। ପିଲାମାନେ ବିଭିନ୍ନ ପୁସ୍ତକ, ଇଣ୍ଟରନେଟ୍‌, ବିଭିନ୍ନ ଇ-ଶିକ୍ଷା ଉତ୍ସ ଉତ୍ୟାଦିର ସାହାଯ୍ୟ ନେଇ ନିଜେ ନିଜେ ଅଧ୍ୟୟନ କରିବେ ଏବଂ ଶିକ୍ଷକ ଚାରି/ପାଞ୍ଚଟି କ୍ଲାସ୍‌ ନେଇ ଯଦି କିଛି ସନ୍ଦେହ ରହିଯାଇଥାଏ ତାହା ଦୂର କରିବେ। ସ୍ବଅଧ୍ୟୟନ ପାଇଁ ପ୍ରତ୍ୟେକ ପେପରର ଦ୍ୱିତୀୟ ୟୁନିଟ୍‌ ଚିହ୍ନଟ କରାଯାଇଛି ଓ ମଧ୍ୟବର୍ତ୍ତିକାଳୀନ ସେମିଷ୍ଟର ପରୀକ୍ଷା ମୁଖ୍ୟତଃ ସେହି ୟୁନିଟ୍‌ ଉପରେ ପର୍ଯ୍ୟବସିତ ରହିବ।
ପ୍ରସ୍ତାବ ନିଶ୍ଚିତ ଭାବରେ ସ୍ବାଗତଯୋଗ୍ୟ। ପାଶ୍ଚାତ୍ୟ ରାଷ୍ଟ୍ର ବା ଭାରତର କିଛି ଉନ୍ନତ ଶିକ୍ଷାନୁଷ୍ଠାନରେ ଏଭଳି ପାଠ୍ୟ ଖସଡ଼ା ପ୍ରସ୍ତୁତ କରାଯାଏ। ରାଜ୍ୟ ଉଚ୍ଚଶିକ୍ଷା ବିଭାଗର ଏହି ‘ମିଶ୍ରିତ ଶିକ୍ଷା’ ପ୍ରସ୍ତାବ ନିଶ୍ଚିତ ଭାବରେ ଏକ ପ୍ରଗତିଶୀଳ ମାନସିକତାକୁ ଦର୍ଶାଉଛି। ଏହାକୁ ‘ଶିକ୍ଷକଙ୍କ ତତ୍ତ୍ୱାବଧାନରେ ସ୍ବଅଧ୍ୟୟନ’ କୁହାଯାଇପାରେ। ଏହା ନିଶ୍ଚିତ ଭାବରେ ଉପାଦେୟ। ଛାତ୍ରୀଛାତ୍ରଙ୍କର ପଠନ ପ୍ରତି ଆଗ୍ରହ, ଦକ୍ଷତା ଓ ଜାଣିବାର ଇଚ୍ଛା ବୃଦ୍ଧିପାଇବ। କିନ୍ତୁ ପ୍ରଶ୍ନଉଠେ ଯେ ଶିକ୍ଷାନୀତିରେ ପରିବର୍ତ୍ତନ ପାଇଁ ଏହା ଉପଯୁକ୍ତ ସମୟ କି? ଛାତ୍ରୀଛାତ୍ର, ଶିକ୍ଷକ, ଅଭିଭାବକ ଓ ଶିକ୍ଷାନୁଷ୍ଠାନର ଭିତ୍ତିଭୂମି ଏଥିପାଇଁ ପ୍ରସ୍ତୁତ କି? ସ୍ବଅଧ୍ୟୟନ ପାଇଁ ଠିକ୍‌ ସିଲାବସ୍‌ ପ୍ରସ୍ତୁତ କରାଯାଇଛି କି? ନଚେତ୍‌ ଲକ୍ଷ୍ୟ ସାଧନ କଷ୍ଟକର ହୋଇପାରେ।
ଓଡ଼ିଶାର କେତୋଟି ହାତଗଣତି ମହାବିଦ୍ୟାଳୟକୁ ଛାଡ଼ିଦେଲେ ପ୍ରାୟ ସବୁ କଲେଜରେ ଭିତ୍ତିଭୂମିର ଅଭାବ ରହିଛି। ସ୍ବଅଧ୍ୟୟନ ଶିକ୍ଷାନୀତି ପ୍ରୟୋଗରେ ଏହା ଏକ ବଡ଼ ପ୍ରତିବନ୍ଧକ। ଦ୍ୱିତୀୟତଃ ପ୍ରତ୍ୟେକ ପେପରର ଦ୍ୱିତୀୟ ୟୁନିଟ୍‌କୁ ସ୍ବଅଧ୍ୟୟନ ପାଇଁ ରଖିବା ପଛରେ କୌଣସି ଯୁକ୍ତିଯୁକ୍ତତା ନାହିଁ। ସ୍ନାତକ ଶ୍ରେଣୀ ପାଇଁ ସାରା ରାଜ୍ୟର ସରକାରୀ ଶିକ୍ଷାନୁଷ୍ଠାନଗୁଡ଼ିକରେ ସମାନ ସିଲାବସ୍‌ ୨୦୧୯ ମସିହାରୁ ଲାଗୁ କରାଯାଇଛି। ସେତେବେଳେ ସ୍ବଅଧ୍ୟୟନ ପାଇଁ ଏକ ଚତୁର୍ଥାଂଶ ସିଲାବସ୍‌ ଚିହ୍ନଟ କରାଯାଇ ନ ଥିଲା। ପ୍ରତ୍ୟେକ ପେପରର ୟୁନିଟ୍‌ଗୁଡ଼ିକ ପ୍ରାୟତଃ ପରସ୍ପର ସହିତ ସଂଯୁକ୍ତ। ଶ୍ରେଣୀଗୃହରେ ପ୍ରଥମ ୟୁନିଟ୍‌ ପଢ଼ାଇ ଶିକ୍ଷକ ପିଲାଙ୍କୁ କହିବେ ତୁମେମାନେ ୟୁନିଟ୍‌-୨କୁ ସ୍ବଅଧ୍ୟୟନ କର। ମୁଁ ଏବେ ୟୁନିଟ୍‌-୩ ଆରମ୍ଭ କରୁଛି। ବାସ୍ତବରେ ଛାତ୍ରୀଛାତ୍ର ୟୁନିଟ୍‌-୩ର ପାଠ ବୁଝିଲାବେଳେ ଅସୁବିଧାର ସମ୍ମୁଖୀନ ହେବେ ଓ ଚାପଗ୍ରସ୍ତ ରହିବେ।
ତୃତୀୟରେ ସେହି ନିର୍ଦ୍ଦିଷ୍ଟ ଦ୍ୱିତୀୟ ୟୁନିଟ୍‌ରୁ ମଧ୍ୟବର୍ତ୍ତିକାଳୀନ ସେମିଷ୍ଟର ପରୀକ୍ଷା ୨୦ ମାର୍କର କାହିଁକି କରାଯିବ ଏହା ପ୍ରଶ୍ନବାଚୀ ସୃଷ୍ଟି କରେ। ମଧ୍ୟବର୍ତ୍ତିକାଳୀନ ସେମିଷ୍ଟର ପରୀକ୍ଷା ସେହି ବିଷୟ ପଢ଼ାଉଥିବା ଶ୍ରେଣୀଶିକ୍ଷକଙ୍କ ଉପରେ ଛାଡ଼ିଦେଲେ ଭଲ। ଜାତୀୟ ଶିକ୍ଷାନୀତି ସବୁବେଳେ ଶିକ୍ଷାର ବିକେନ୍ଦ୍ରୀକରଣ ପାଇଁ ଗୁରୁତ୍ୱ ଦିଏ।
୨୦୧୯ରେ ଆଡ୍‌ମିଶନ୍‌ କରିଥିବା ପିଲାଙ୍କ ପାଇଁ ସେ ସମୟରେ ପ୍ରଚଳିତ ଥିବା ସିଲାବସ୍‌, ପରୀକ୍ଷା ପଦ୍ଧତିରେ ହଠାତ୍‌ ପରିବର୍ତ୍ତନ ଆଣିବା ମଧ୍ୟ ଉଚିତ ମନେହୁଏ ନାହିଁ। ଉଚ୍ଚଶିକ୍ଷା ବିଭାଗ ଯଦି ଉଚିତ ମନେକରୁଛନ୍ତି ତେବେ ନୂତନ ଶିକ୍ଷାନୀତିକୁ ଚଳିତ ବା ଆସନ୍ତା ବର୍ଷଠାରୁ ଲାଗୁ କରାଇପାରନ୍ତା।
କୋଭିଡ୍‌ ମହାମାରୀ ନିଶ୍ଚିତ ଭାବରେ ଛାତ୍ରୀଛାତ୍ର ଓ ଅଭିଭାବକମାନଙ୍କୁ ମାନସିକ ଦୁଶ୍ଚିନ୍ତା ମଧ୍ୟକୁ ଠେଲି ଦେଇଛି। ଏହି ସମୟରେ ଶିକ୍ଷାନୀତିରେ ପରିବର୍ତ୍ତନ ଛାତ୍ରୀଛାତ୍ରଙ୍କୁ ପ୍ରଥମଥର ପାଇଁ ଏକ ଚତୁର୍ଥାଂଶ ସିଲାବସ୍‌ ନିଜେନିଜେ ପଢ଼ିବା ପ୍ରସ୍ତାବ ହୁଏତ ତାଙ୍କୁ ଅଧିକ ଚାପଗ୍ରସ୍ତ କରିପାରେ। ସ୍ବଅଧ୍ୟୟନ ପ୍ରସ୍ତାବକୁ ପ୍ରୟୋଗ କରିବା ପୂର୍ବରୁ ଯଦି ନିମ୍ନଲିଖିତ ବିଷୟଗୁଡ଼ିକ ଉପରେ ଧ୍ୟାନ ଦିଆଯା’ନ୍ତା ତା’ହେଲେ ନୂତନ ଶିକ୍ଷାନୀତି ଅଧିକ ଫଳପ୍ରଦ ହେବ।
୧. ସମସ୍ତ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରେ ଆବଶ୍ୟକ ଭିତ୍ତିଭୂମି ଯଥା- କମ୍ପ୍ୟୁଟର, ବିଦ୍ୟୁତ୍‌, ତୀବ୍ର ଗତିଯୁକ୍ତ ଇଣ୍ଟରନେଟ୍‌, ଲାଇବ୍ରେରୀ ଓ ଇ-ଷ୍ଟଡିସେଣ୍ଟର ଇତ୍ୟାଦିର ଯୋଗାଣକୁ ନିଶ୍ଚିତ କରାଯାଉ। ୨. ଏକ ଚତୁର୍ଥାଂଶ ସିଲାବସ୍‌ ସ୍ବଅଧ୍ୟୟନ ପାଇଁ ରହିବ। ଏହାକୁ ଦୃଷ୍ଟିରେ ରଖି ନୂତନ ସିଲାବସ୍‌ର ପରିକଳ୍ପନା କରାଯାଉ। ଉଦାହରଣ ସ୍ବରୂପ ଯଦି ଗୋଟିଏ ୟୁନିଟ୍‌ରେ ଚାରିଟି ବିଷୟ ଅଛି, ତେବେ ତିନୋଟି ଶ୍ରେଣୀଗୃହରେ ପଢ଼ାଯାଉ ଓ ଚତୁର୍ଥ ବିଷୟଟି ସ୍ବଅଧ୍ୟୟନ ପାଇଁ ରଖାଯାଉ। ୩. ଶିକ୍ଷକ, ଅଭିଭାବକ, ଛାତ୍ରୀଛାତ୍ରଙ୍କୁ ନେଇ ପର୍ଯ୍ୟାପ୍ତ ଆଲୋଚନା ହେଉ। ଛାତ୍ରୀଛାତ୍ରଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯାଉ। ଆଡ୍‌ମିଶନ୍‌ ପୂର୍ବରୁ ଜଣେ ଛାତ୍ର ଜାଣିବା ଆବଶ୍ୟକ ଯେ ତାଙ୍କୁ ଏକ ଚତୁର୍ଥାଂଶ ସିଲାବସ୍‌ ସ୍ବଅଧ୍ୟୟନ କରିବାକୁ ଅଛି। ୪. ଯେଉଁ ଛାତ୍ରୀଛାତ୍ର ସ୍ନାତକ ଶ୍ରେଣୀରେ ଓଡ଼ିଆ ମାଧ୍ୟମରେ ପରୀକ୍ଷା ଦେଉଛନ୍ତି ତାଙ୍କ ପାଇଁ ଯଥେଷ୍ଟ ଇ ଶିକ୍ଷା ଉତ୍ସ, ପିପିଟି, ବହି, ଇ-ଷ୍ଟଡିମ୍ୟାଟେରିଆଲ୍‌ ପ୍ରସ୍ତୁତ କରାଯାଉ। ୫. ସେଲ୍‌ଫ ଫାଇନାନ୍‌ସିଂରେ ବୈଷୟିକ କୋର୍ସ କରୁଥିବା ଛାତ୍ରୀଛାତ୍ରଙ୍କ ପାଇଁ ଏହି ନୂତନ ଶିକ୍ଷାନୀତି ଲାଗୁ ହେବ କି ନା ତାହା ସ୍ଥିର କରାଯାଉ।
ଏହି ପ୍ରସ୍ତାବିତ ଶିକ୍ଷା ସଂସ୍କାରରେ ନିଶ୍ଚିତ ଭାବରେ କୋଟି କୋଟି ଅର୍ଥବ୍ୟୟ ହେବ। ଯଦି ସମସ୍ତ ପ୍ରସ୍ତୁତି ସହିତ ଆସନ୍ତା ବର୍ଷରୁ ଏହାକୁ ପ୍ରୟୋଗ କରାଯାଆନ୍ତା ତା’ହେଲେ ଏହା ଅଧିକ ଫଳପ୍ରଦ ହୁଅନ୍ତା।

ବିଦ୍ୟାଧରପୁର, କଟକ, sanjuktadas@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

ଦୁବାଇ ବନ୍ୟା ଓ ଜଳବାୟୁ

ଭୟଙ୍କର ମରୁଝଡ଼ ଓ ବନ୍ୟାର ପ୍ଲାବନରେ ସୌନ୍ଦର୍ଯ୍ୟମୟୀ ଦୁବାଇ ସହର ଏପ୍ରିଲ୧୬ରେ ନିମିଷକ ମଧ୍ୟରେ ଅନୁଭବ କଲା ଧ୍ବଂସର ତାଣ୍ଡବ। ନଭଶ୍ଚୁମ୍ବୀ ଅଟ୍ଟାଳିକା ଏବଂ ବିଳାସପୂର୍ଣ୍ଣ...

ଏକ ଦିବ୍ୟ ପ୍ରତିଶ୍ରୁତିର ସ୍ମାରକୀ

ଦିବ୍ୟଜନନୀ ଶ୍ରୀମା ୨୯ ମାର୍ଚ୍ଚ, ୧୯୧୪ରେ ତପୋଭୂମି ପଣ୍ଡିଚେରୀରେ ପ୍ରଥମେ ପଦାର୍ପଣ କରି ସେହିଦିନ ଅପରାହ୍ନ ପ୍ରାୟ ୩.୩୦ ମିନିଟ୍‌ ସମୟରେ ତାଙ୍କର ଆରାଧ୍ୟ ତଥା...

ଖୋଜିଲେ ଖୋଜିବେ

ଭାରତରେ ମାନବ ଅଧିକାର ଓ ନାଗରିକ ସ୍ବାଧୀନତା ଉପରେ ୟୁରୋପୀୟ ଦେଶ, କେତେକ ଅନ୍ତଃରାଷ୍ଟ୍ରୀୟ ସୂଚକାଙ୍କ ତଥା ଆମେରିକା ତୀକ୍ଷ୍‌ଣ ନଜର ରଖିଛନ୍ତି। ନିକଟରେ ୟୁନାଇଟେଡ୍‌...

ଏଇ ଭାରତରେ

ପୋଲିସ ଚାକିରିର ବ୍ୟବସ୍ଥା ଭିତରୁ ସମୟ ବାହାର କରି ଦିଲ୍ଲୀର କନ୍‌ଷ୍ଟେବଲ ଥାନ୍‌ ସିଂ ଗରିବ ପିଲାମାନଙ୍କୁ ମାଗଣାରେ ପଢାଉଛନ୍ତି। ପ୍ରଥମେ ସେ ଏଭଳି ୫...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri