ସ୍ବ-ଅଧ୍ୟୟନ: ଏକ ଆଲୋଚନା

ସଂଯୁକ୍ତା ଦାଶ

ବର୍ତ୍ତମାନ କୋଭିଡ୍‌ ୧୯ ଯୋଗୁ ରାଜ୍ୟ ସରକାରଙ୍କ ଦ୍ୱାରା ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟର ସମସ୍ତ ପରୀକ୍ଷାକୁ ବନ୍ଦ କରିଦିଆଯାଇଛି ଓ ବିକଳ୍ପ ବ୍ୟବସ୍ଥା ଦ୍ୱାରା ପିଲାଙ୍କୁ ଉତ୍ତୀର୍ଣ୍ଣ କରିବାକୁ ବ୍ୟବସ୍ଥା କରାଯାଇଛି। ଚଳିତ ଶିକ୍ଷାବର୍ଷ କେବେଠାରୁ ଆରମ୍ଭ ହେବ ତାହା ଏବେ ମଧ୍ୟ ଅନିଶ୍ଚିତ ଅବସ୍ଥାରେ ଅଛି। ଏହି ପରିପ୍ରେକ୍ଷୀରେ ଉଚ୍ଚଶିକ୍ଷା ବିଭାଗ ତରଫରୁ ଜୁନ୍‌ ୧୯ ତାରିଖରେ ଏକ ନୂତନ ଶିକ୍ଷାନୀତି ଆଗତ କରାଯାଇଛି। ସ୍ନାତକ ଓ ସ୍ନାତକୋତ୍ତର ଶ୍ରେଣୀ ସିଲାବସ୍‌ର ଏକ ଚତୁର୍ଥାଂଶ ଛାତ୍ରୀଛାତ୍ରଙ୍କ ସ୍ବଅଧ୍ୟୟନ ପାଇଁ ରହିବ। ପିଲାମାନେ ବିଭିନ୍ନ ପୁସ୍ତକ, ଇଣ୍ଟରନେଟ୍‌, ବିଭିନ୍ନ ଇ-ଶିକ୍ଷା ଉତ୍ସ ଉତ୍ୟାଦିର ସାହାଯ୍ୟ ନେଇ ନିଜେ ନିଜେ ଅଧ୍ୟୟନ କରିବେ ଏବଂ ଶିକ୍ଷକ ଚାରି/ପାଞ୍ଚଟି କ୍ଲାସ୍‌ ନେଇ ଯଦି କିଛି ସନ୍ଦେହ ରହିଯାଇଥାଏ ତାହା ଦୂର କରିବେ। ସ୍ବଅଧ୍ୟୟନ ପାଇଁ ପ୍ରତ୍ୟେକ ପେପରର ଦ୍ୱିତୀୟ ୟୁନିଟ୍‌ ଚିହ୍ନଟ କରାଯାଇଛି ଓ ମଧ୍ୟବର୍ତ୍ତିକାଳୀନ ସେମିଷ୍ଟର ପରୀକ୍ଷା ମୁଖ୍ୟତଃ ସେହି ୟୁନିଟ୍‌ ଉପରେ ପର୍ଯ୍ୟବସିତ ରହିବ।
ପ୍ରସ୍ତାବ ନିଶ୍ଚିତ ଭାବରେ ସ୍ବାଗତଯୋଗ୍ୟ। ପାଶ୍ଚାତ୍ୟ ରାଷ୍ଟ୍ର ବା ଭାରତର କିଛି ଉନ୍ନତ ଶିକ୍ଷାନୁଷ୍ଠାନରେ ଏଭଳି ପାଠ୍ୟ ଖସଡ଼ା ପ୍ରସ୍ତୁତ କରାଯାଏ। ରାଜ୍ୟ ଉଚ୍ଚଶିକ୍ଷା ବିଭାଗର ଏହି ‘ମିଶ୍ରିତ ଶିକ୍ଷା’ ପ୍ରସ୍ତାବ ନିଶ୍ଚିତ ଭାବରେ ଏକ ପ୍ରଗତିଶୀଳ ମାନସିକତାକୁ ଦର୍ଶାଉଛି। ଏହାକୁ ‘ଶିକ୍ଷକଙ୍କ ତତ୍ତ୍ୱାବଧାନରେ ସ୍ବଅଧ୍ୟୟନ’ କୁହାଯାଇପାରେ। ଏହା ନିଶ୍ଚିତ ଭାବରେ ଉପାଦେୟ। ଛାତ୍ରୀଛାତ୍ରଙ୍କର ପଠନ ପ୍ରତି ଆଗ୍ରହ, ଦକ୍ଷତା ଓ ଜାଣିବାର ଇଚ୍ଛା ବୃଦ୍ଧିପାଇବ। କିନ୍ତୁ ପ୍ରଶ୍ନଉଠେ ଯେ ଶିକ୍ଷାନୀତିରେ ପରିବର୍ତ୍ତନ ପାଇଁ ଏହା ଉପଯୁକ୍ତ ସମୟ କି? ଛାତ୍ରୀଛାତ୍ର, ଶିକ୍ଷକ, ଅଭିଭାବକ ଓ ଶିକ୍ଷାନୁଷ୍ଠାନର ଭିତ୍ତିଭୂମି ଏଥିପାଇଁ ପ୍ରସ୍ତୁତ କି? ସ୍ବଅଧ୍ୟୟନ ପାଇଁ ଠିକ୍‌ ସିଲାବସ୍‌ ପ୍ରସ୍ତୁତ କରାଯାଇଛି କି? ନଚେତ୍‌ ଲକ୍ଷ୍ୟ ସାଧନ କଷ୍ଟକର ହୋଇପାରେ।
ଓଡ଼ିଶାର କେତୋଟି ହାତଗଣତି ମହାବିଦ୍ୟାଳୟକୁ ଛାଡ଼ିଦେଲେ ପ୍ରାୟ ସବୁ କଲେଜରେ ଭିତ୍ତିଭୂମିର ଅଭାବ ରହିଛି। ସ୍ବଅଧ୍ୟୟନ ଶିକ୍ଷାନୀତି ପ୍ରୟୋଗରେ ଏହା ଏକ ବଡ଼ ପ୍ରତିବନ୍ଧକ। ଦ୍ୱିତୀୟତଃ ପ୍ରତ୍ୟେକ ପେପରର ଦ୍ୱିତୀୟ ୟୁନିଟ୍‌କୁ ସ୍ବଅଧ୍ୟୟନ ପାଇଁ ରଖିବା ପଛରେ କୌଣସି ଯୁକ୍ତିଯୁକ୍ତତା ନାହିଁ। ସ୍ନାତକ ଶ୍ରେଣୀ ପାଇଁ ସାରା ରାଜ୍ୟର ସରକାରୀ ଶିକ୍ଷାନୁଷ୍ଠାନଗୁଡ଼ିକରେ ସମାନ ସିଲାବସ୍‌ ୨୦୧୯ ମସିହାରୁ ଲାଗୁ କରାଯାଇଛି। ସେତେବେଳେ ସ୍ବଅଧ୍ୟୟନ ପାଇଁ ଏକ ଚତୁର୍ଥାଂଶ ସିଲାବସ୍‌ ଚିହ୍ନଟ କରାଯାଇ ନ ଥିଲା। ପ୍ରତ୍ୟେକ ପେପରର ୟୁନିଟ୍‌ଗୁଡ଼ିକ ପ୍ରାୟତଃ ପରସ୍ପର ସହିତ ସଂଯୁକ୍ତ। ଶ୍ରେଣୀଗୃହରେ ପ୍ରଥମ ୟୁନିଟ୍‌ ପଢ଼ାଇ ଶିକ୍ଷକ ପିଲାଙ୍କୁ କହିବେ ତୁମେମାନେ ୟୁନିଟ୍‌-୨କୁ ସ୍ବଅଧ୍ୟୟନ କର। ମୁଁ ଏବେ ୟୁନିଟ୍‌-୩ ଆରମ୍ଭ କରୁଛି। ବାସ୍ତବରେ ଛାତ୍ରୀଛାତ୍ର ୟୁନିଟ୍‌-୩ର ପାଠ ବୁଝିଲାବେଳେ ଅସୁବିଧାର ସମ୍ମୁଖୀନ ହେବେ ଓ ଚାପଗ୍ରସ୍ତ ରହିବେ।
ତୃତୀୟରେ ସେହି ନିର୍ଦ୍ଦିଷ୍ଟ ଦ୍ୱିତୀୟ ୟୁନିଟ୍‌ରୁ ମଧ୍ୟବର୍ତ୍ତିକାଳୀନ ସେମିଷ୍ଟର ପରୀକ୍ଷା ୨୦ ମାର୍କର କାହିଁକି କରାଯିବ ଏହା ପ୍ରଶ୍ନବାଚୀ ସୃଷ୍ଟି କରେ। ମଧ୍ୟବର୍ତ୍ତିକାଳୀନ ସେମିଷ୍ଟର ପରୀକ୍ଷା ସେହି ବିଷୟ ପଢ଼ାଉଥିବା ଶ୍ରେଣୀଶିକ୍ଷକଙ୍କ ଉପରେ ଛାଡ଼ିଦେଲେ ଭଲ। ଜାତୀୟ ଶିକ୍ଷାନୀତି ସବୁବେଳେ ଶିକ୍ଷାର ବିକେନ୍ଦ୍ରୀକରଣ ପାଇଁ ଗୁରୁତ୍ୱ ଦିଏ।
୨୦୧୯ରେ ଆଡ୍‌ମିଶନ୍‌ କରିଥିବା ପିଲାଙ୍କ ପାଇଁ ସେ ସମୟରେ ପ୍ରଚଳିତ ଥିବା ସିଲାବସ୍‌, ପରୀକ୍ଷା ପଦ୍ଧତିରେ ହଠାତ୍‌ ପରିବର୍ତ୍ତନ ଆଣିବା ମଧ୍ୟ ଉଚିତ ମନେହୁଏ ନାହିଁ। ଉଚ୍ଚଶିକ୍ଷା ବିଭାଗ ଯଦି ଉଚିତ ମନେକରୁଛନ୍ତି ତେବେ ନୂତନ ଶିକ୍ଷାନୀତିକୁ ଚଳିତ ବା ଆସନ୍ତା ବର୍ଷଠାରୁ ଲାଗୁ କରାଇପାରନ୍ତା।
କୋଭିଡ୍‌ ମହାମାରୀ ନିଶ୍ଚିତ ଭାବରେ ଛାତ୍ରୀଛାତ୍ର ଓ ଅଭିଭାବକମାନଙ୍କୁ ମାନସିକ ଦୁଶ୍ଚିନ୍ତା ମଧ୍ୟକୁ ଠେଲି ଦେଇଛି। ଏହି ସମୟରେ ଶିକ୍ଷାନୀତିରେ ପରିବର୍ତ୍ତନ ଛାତ୍ରୀଛାତ୍ରଙ୍କୁ ପ୍ରଥମଥର ପାଇଁ ଏକ ଚତୁର୍ଥାଂଶ ସିଲାବସ୍‌ ନିଜେନିଜେ ପଢ଼ିବା ପ୍ରସ୍ତାବ ହୁଏତ ତାଙ୍କୁ ଅଧିକ ଚାପଗ୍ରସ୍ତ କରିପାରେ। ସ୍ବଅଧ୍ୟୟନ ପ୍ରସ୍ତାବକୁ ପ୍ରୟୋଗ କରିବା ପୂର୍ବରୁ ଯଦି ନିମ୍ନଲିଖିତ ବିଷୟଗୁଡ଼ିକ ଉପରେ ଧ୍ୟାନ ଦିଆଯା’ନ୍ତା ତା’ହେଲେ ନୂତନ ଶିକ୍ଷାନୀତି ଅଧିକ ଫଳପ୍ରଦ ହେବ।
୧. ସମସ୍ତ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରେ ଆବଶ୍ୟକ ଭିତ୍ତିଭୂମି ଯଥା- କମ୍ପ୍ୟୁଟର, ବିଦ୍ୟୁତ୍‌, ତୀବ୍ର ଗତିଯୁକ୍ତ ଇଣ୍ଟରନେଟ୍‌, ଲାଇବ୍ରେରୀ ଓ ଇ-ଷ୍ଟଡିସେଣ୍ଟର ଇତ୍ୟାଦିର ଯୋଗାଣକୁ ନିଶ୍ଚିତ କରାଯାଉ। ୨. ଏକ ଚତୁର୍ଥାଂଶ ସିଲାବସ୍‌ ସ୍ବଅଧ୍ୟୟନ ପାଇଁ ରହିବ। ଏହାକୁ ଦୃଷ୍ଟିରେ ରଖି ନୂତନ ସିଲାବସ୍‌ର ପରିକଳ୍ପନା କରାଯାଉ। ଉଦାହରଣ ସ୍ବରୂପ ଯଦି ଗୋଟିଏ ୟୁନିଟ୍‌ରେ ଚାରିଟି ବିଷୟ ଅଛି, ତେବେ ତିନୋଟି ଶ୍ରେଣୀଗୃହରେ ପଢ଼ାଯାଉ ଓ ଚତୁର୍ଥ ବିଷୟଟି ସ୍ବଅଧ୍ୟୟନ ପାଇଁ ରଖାଯାଉ। ୩. ଶିକ୍ଷକ, ଅଭିଭାବକ, ଛାତ୍ରୀଛାତ୍ରଙ୍କୁ ନେଇ ପର୍ଯ୍ୟାପ୍ତ ଆଲୋଚନା ହେଉ। ଛାତ୍ରୀଛାତ୍ରଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯାଉ। ଆଡ୍‌ମିଶନ୍‌ ପୂର୍ବରୁ ଜଣେ ଛାତ୍ର ଜାଣିବା ଆବଶ୍ୟକ ଯେ ତାଙ୍କୁ ଏକ ଚତୁର୍ଥାଂଶ ସିଲାବସ୍‌ ସ୍ବଅଧ୍ୟୟନ କରିବାକୁ ଅଛି। ୪. ଯେଉଁ ଛାତ୍ରୀଛାତ୍ର ସ୍ନାତକ ଶ୍ରେଣୀରେ ଓଡ଼ିଆ ମାଧ୍ୟମରେ ପରୀକ୍ଷା ଦେଉଛନ୍ତି ତାଙ୍କ ପାଇଁ ଯଥେଷ୍ଟ ଇ ଶିକ୍ଷା ଉତ୍ସ, ପିପିଟି, ବହି, ଇ-ଷ୍ଟଡିମ୍ୟାଟେରିଆଲ୍‌ ପ୍ରସ୍ତୁତ କରାଯାଉ। ୫. ସେଲ୍‌ଫ ଫାଇନାନ୍‌ସିଂରେ ବୈଷୟିକ କୋର୍ସ କରୁଥିବା ଛାତ୍ରୀଛାତ୍ରଙ୍କ ପାଇଁ ଏହି ନୂତନ ଶିକ୍ଷାନୀତି ଲାଗୁ ହେବ କି ନା ତାହା ସ୍ଥିର କରାଯାଉ।
ଏହି ପ୍ରସ୍ତାବିତ ଶିକ୍ଷା ସଂସ୍କାରରେ ନିଶ୍ଚିତ ଭାବରେ କୋଟି କୋଟି ଅର୍ଥବ୍ୟୟ ହେବ। ଯଦି ସମସ୍ତ ପ୍ରସ୍ତୁତି ସହିତ ଆସନ୍ତା ବର୍ଷରୁ ଏହାକୁ ପ୍ରୟୋଗ କରାଯାଆନ୍ତା ତା’ହେଲେ ଏହା ଅଧିକ ଫଳପ୍ରଦ ହୁଅନ୍ତା।

ବିଦ୍ୟାଧରପୁର, କଟକ, sanjuktadas@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମଧ୍ୟପ୍ରଦେଶ ଷ୍ଟେଟ ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସର ଆଇପିଏସ୍‌ ଅଧିକାରୀ ବୀରେନ୍ଦ୍ର ମିଶ୍ରା ବେଡ଼ିଆ ସମ୍ପ୍ରଦାୟର ପିଲାଙ୍କୁ କୁତ୍ସିତ ପ୍ରଥାରୁ ମୁକୁଳାଇ ସମାଜର ମୁଖ୍ୟ ଧାରାରେ ସାମିଲ କରୁଛନ୍ତି।…

କାହାନ୍ତି ସେ ସାଆନ୍ତାଣୀ

‘ସାଆନ୍ତାଣୀ’ ଏପରି ଏକ ଶବ୍ଦ ଯାହାର ଉଚ୍ଚାରଣରେ କର୍ତ୍ତା ଓ ଗ୍ରହୀତା ଉଭୟେ ଆପ୍ୟାୟିତ ହୁଅନ୍ତି। ଏହି ଶବ୍ଦଟିର ପୂର୍ବରୁ ‘ମାଆ’ ଯୋଡା ହୋଇଗଲେ ତାହା ଅଧିକ…

ବିକାଶ ଦୌଡ଼ରେ ଭାରତ ଓ ଚାଇନା

ବେଳେ ବେଳେ ମନରେ ପ୍ରଶ୍ନ ଆସେ, ବିଜ୍ଞାନ ଓ କାରିଗରି କ୍ଷେତ୍ରରେ ଚାଇନା କିପରି ଏତେ ତୀବ୍ର ବିକାଶ କରିପାରୁଛି। ନିକଟରେ ସମ୍ପନ୍ନ ହୋଇଥିବା ବିଶ୍ୱ ହ୍ୟୁମାନଏଡ୍‌…

ଏଆଇ ପ୍ରତି ସତର୍କତା

ଇରାନ ଓ ଆମେରିକା ମଧ୍ୟରେ ଯୁଦ୍ଧ ଲାଗି ରହିଛି। ଇତିମଧ୍ୟରେ ୟେମେନ୍‌ର ଇରାନ ସମର୍ଥିତ ହାଉତି ବିଦ୍ରୋହୀମାନେ ଲୋହିତ ସାଗରର ଦକ୍ଷିଣ ପ୍ରବେଶ ପଥରେ ଥିବା ‘ମାୟୁନ୍‌’…

ଅଦ୍ଭୁତ ସ୍ଥିତି

ହ୍ୱାଟ୍ସଆପ୍‌ରେ ଏସ୍‌ଆଇଆର୍‌ ନୋଟିସ ଆସିଥିଲା, ‘ଶୁଣାଣିରେ ଉପସ୍ଥିତ ରହିବା ବାଧ୍ୟତାମୂଳକ। ଦୟାକରି ଏହାକୁ ଜରୁରୀ ମନେକରନ୍ତୁ ଏବଂ କୌଣସି ପରିସ୍ଥିତିରେ ଅନୁପସ୍ଥିତ ନ ରହିବା ପାଇଁ ବ୍ୟବସ୍ଥା…

ଆପଣଙ୍କ ବୟସ କେତେ

ରାତିର ଗଭୀର ଅନ୍ଧକାର। ଗୋଟିଏ ଷ୍ଟ୍ରିଟ୍‌ଲାଇଟ୍‌ ତଳେ ଜଣେ ବୃଦ୍ଧ ବ୍ୟାକୁଳ ହୋଇ କିଛି ଖୋଜୁଥିଲେ। ସେହି ବାଟ ଦେଇ ଯାଉଥିବା ଜଣେ ଯୁବକ ତାଙ୍କୁ ଦେଖି…

ଆମେ କେମିତି ପୃଥିବୀକୁ ଦେଖୁଛୁ

ଏକଦା ମଣିଷ ଜାଣୁ ନ ଥିଲା ପୃଥିବୀ କେତେ ବଡ଼। ସେ ଜାଣୁଥିଲା କେବଳ ନିଜ ଗାଁ, ନଦୀ, ପାହାଡ଼, ଜଙ୍ଗଲ ଓ ଚାଷଭୂଇଁ । ତା’ପରେ…

ଅଦେଖା ଚାପ

ଦିଲ୍ଲୀର ପୂର୍ବତନ ମୁଖ୍ୟ ଶାସନ ସଚିବ ରାକେଶ ମେହେଟ୍ଟାଙ୍କ ମୃତ୍ୟୁ ଅତ୍ୟନ୍ତ ଦୁଃଖଦାୟକ। କିନ୍ତୁ ଜଣେ ପ୍ରତିଷ୍ଠିତ ପୂର୍ବତନ ସରକାରୀ ଅଧିକାରୀ ଏଭଳି ଏକ ଚରମ ପଦକ୍ଷେପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?