ଶିକ୍ଷା ବ୍ୟବସ୍ଥାରେ ‘ବାଇଚଢ଼େଇ ସାର୍ଟିଫିକେଟ’

ବାଇଚଢ଼େଇ ମୋ ପିଲାଦିନର ଅତି ପ୍ରିୟ ପକ୍ଷୀ ଥିଲା। ଆଉ ଏହି ବାଇଚଢ଼େଇ ଗୀତଥିଲା ମୋ ଆଈର ଅତି ପ୍ରିୟଗୀତ। ମୁଁ ଯେତେବେଳେ ବି ମାମୁଘରକୁ ଯାଏ, ମୋ ଆଈ ମୋତେ ଏଇ ଗୀତଗାଇ ଖୁଆଇ ଦିଏ ଓ ଶୁଆଇ ଦିଏ। ମୋର ଆଜି ବି ସେଇ ସବୁକଥା ଝାପ୍ସା ମନେଅଛି। ବାଇଚଢ଼େଇ ଓ ସେଇ ବାଇଚଢ଼େଇ ଗୀତ ଜୀବନର ଅଲିଭାସ୍ମୃତି ବହିର ଏକ ପ୍ରିୟପୃଷ୍ଠା। ଆପଣମାନେ ବାଇଚଢ଼େଇକୁ ଦେଖିଛନ୍ତି କି? ଏବେ ତ ସେ ଆଉ ଦେଖା ବି ଯାଉନାହିଁ। ଉଚ୍ଚ ଅଟ୍ଟାଳିକା, ଧୂଆଁଳିଆ ପରିବେଶ, ଘେଁ-ଘାଁ, ପେଁ-ପାଁ ଶବ୍ଦରେ ନିଜ ଡେଣାଝାଡ଼ି ନ ପାରି, ଶ୍ୱାସରୁଦ୍ଧ ହୋଇ, ବସିବାକୁ କି ବସାବାନ୍ଧିବାକୁ ଜାଗାଟିଏ ନ ପାଇ ବୋଧହୁଏ ସିଏ ଆମକୁ ଓ ଆମ ସହରକୁ ଛାଡ଼ିପଳାଇଛି। ବାଇଚଢ଼େଇ ବାୟାବସା ଆପଣ ଦେଖିଛନ୍ତି? ଏହି ବାୟାବସାକୁ ନେଇ ଏକ ସାମାଜିକ ପ୍ରଥା ଅଛି, ଯାହାକୁ ବିଶ୍ୱାସ କରିବା ବା ଅବିଶ୍ୱାସ କରିବା ଆପଣଙ୍କ ଉପରେ। ହେଲେ ସେଇ ଛୋଟ ବାଇଚଢ଼େଇ ଓ ତା’ର ବାୟାବସା ଆମ ଶିକ୍ଷାଦାନ ଓ ଶିକ୍ଷା ବ୍ୟବସ୍ଥାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରନ୍ତି, ଯାହା ଉପରେ ଏହି ଆଲେଖ୍ୟଟି ଆଧାରିତ।
ପିଲାଦିନେ ଖରାଛୁଟିରେ ମୁଁ ମୋ ମାମୁଘରକୁ ଯାଇଥାଏ। ଖରାଦିନ ରାତିରେ ଦିନେ ବହୁତ ଜୋରରେ ଝଡ଼ ଆସିଲା। ତା’ପରଦିନ, ବାଡ଼ିରେ ଥିବା ଆମ୍ବଗଛମୂଳକୁ ମୁଁ ଧାଇଁଲି, ମିଠାମିଠା ଆମ୍ବ ଗୋଟେଇବାକୁ। ଆମ୍ବ ଗୋଟାଉ ଗୋଟାଉ, ଗୋଟେ ବାଇଚଢ଼େଇବସା ତଳେ ପଡ଼ିଥିବାର ଦେଖିଲି। ଗୋଟେଇ ଥିବା ଆମ୍ବତକ ତଳେ ରଖିଦେଇ, ସେଇ ବାୟାବସାକୁ ଧରି ଆଈପାଖକୁ ଦୌଡ଼ିଲି। ‘ଦେଖ ଦେଖ ଆଈ ମୁଁ କ’ଣ ପାଇଛି।’ ଆଈ ମୋ ହାତରେ ଥିବା ବାଇଚଢ଼େଇ ବସାକୁ ଦେଖି ଖୁସିହେବା ବଦଳରେ, ତାକୁ ମୋ ହାତରୁ ଛଡ଼େଇ ନେଇଗଲା ଓ କହିଲା,”ଛୋଟପିଲାମାନେ ଏଇବସାକୁ ଧରିଲେ ପାଳିଜ୍ୱର ହେବ। ତୁ ଆଉ କେବେ ବି ୟାକୁ ଛୁଇଁବୁନି।“ ମୁଁ ଧରିଛି ତୁ ଦେଖ। ସେତେବେଳେ କିଛି ନ ବୁଝି ମୁଁ ବଡ଼ ହଁଟିଏ ମାରି ଆଈକଥା ମାନିଗଲି, ଆଉ ପଚାରିଲି, ”ଏଇଟା କ’ଣ କାଲିରାତି ଝଡ଼ରେ ଗଛରୁ ଖସିପଡ଼ିଛି?“ ମୋ ଆଈ କହିଲା, ନା! ଏଇ ବସାଟି ବାଇଚଢ଼େଇ ନିଜେ ଫିଙ୍ଗିଦେଇଛି। ବାଇଚଢ଼େଇ ବସା ବନାଉଥିବା ବେଳେ ଯଦି କିଛି ଭୁଲ୍‌ ହୋଇଯାଏ, ତେବେ ସିଏ ସେଇ ବସାକୁ ଫିଙ୍ଗି, ନୂଆବସା ତିଆରି କରେ। ଖୁବ୍‌ ପରିଶ୍ରମ କରି ନିଜ ଛୋଟ ଥଣ୍ଟରେ ଘାସ, ପତ୍ର ଚିରି ବସା ତିଆରି କରେ। ପରିଶ୍ରମ କରିବାକୁ ତାକୁ ଭୟ ଲାଗେନାହିଁ। ହେଲେ ଭୁଲ୍‌ ତିଆରି କରିଥିବା ଘରେ ରହିବାକୁ ତାକୁ ଭଲଲାଗେ ନାହିଁ। ଯେତେଥର ଭୁଲ୍‌ କରିବ, ସେତେଥର ସଜାଡ଼ିବ। ଆଉ ଏମିତି ଏକ ବସା ତିଆରି କରିବ, ଯାହା ଭିତରେ ସେ ତା’ ପିଲାଛୁଆଙ୍କୁ ନେଇ ଝଡ଼ବତାସରେ ବି ସୁରକ୍ଷିତ ରହିପାରିବ। ଛୋଟପକ୍ଷୀଟିଏ ହେଲେ କ’ଣ ହେବ, ତା’ର କାର୍ଯ୍ୟ ପ୍ରତି ଧୈର୍ଯ୍ୟ, ସ୍ଥିରତା, ପ୍ରତିବଦ୍ଧତା ଯୋଗୁ ସେ ନିଜ ପାଇଁ ଏକ ନିର୍ଭୁଲ୍‌ ବସା ତିଆରି କରିବାର କ୍ଷମତା ଓ ଦକ୍ଷତା ରଖେ। ଏହା କହି, ମୋ ଆଈ ସେଇ ବାଇଚଢ଼େଇ ବସାକୁ ବ୍ୟବହାର ହେଉ ନ ଥିବା ଏକ କୂଅକୁ ଫିଙ୍ଗିଦେଲା।
ଛୋଟପିଲାମାନେ ବାଇଚଢ଼େଇବସା ଧରିଲେ ତାଙ୍କୁ ପାଳିଜ୍ୱର ହୁଏ, ମୋ ଆଈର ଏହିି କଥା ସମ୍ପୂର୍ଣ୍ଣ ମିଥ୍ୟା ହୋଇପାରେ, ହେଲେ ବାଇଚଢ଼େଇ ଓ ତା’ର ବସା ନିର୍ମାଣ କରିବାର ସାହସ, ଶକ୍ତି, ପ୍ରତିବଦ୍ଧତା ଓ ଧୈଯ୍ୟ ସମ୍ପୂର୍ଣ୍ଣ ସତ୍ୟ। ହେଲେ ବାଇଚଢ଼େଇକୁ ଏତେ କଥା କିଏ ଶିଖେଇଲା? ସେ ତ ଆଉ ପାଠପଢ଼ିନି କି ଇଞ୍ଜିନିୟରିଂ କଲେଜ ଯାଇନାହିଁ, କି ପ୍ରତିଯୋଗିତାମୂଳକ ପରୀକ୍ଷା ତ ଦେଇନାହିଁ। ତେବେ ଜୀବନର ଏହି ପରୀକ୍ଷାରେ ସେ ପାସ୍‌ ହେଲା କିପରି? କେଉଁ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଛୋଟ ବାଇଚଢ଼େଇ ଏତେ ଯୋଗ୍ୟତା ହାସଲ କରିପାରିଲା? ଆମ ପିଲାମାନେ ତ କାହିଁ ଏତେ ପାଠପଢ଼ି, ଏତେ ପରୀକ୍ଷା ଦେଇ, ଜୀବନସାଙ୍ଗରେ ସଂଘର୍ଷ କରୁଛନ୍ତି ଓ ତା’ପରେ ଅଧିକାଂଶ ସମୟରେ ଫେଲ୍‌ ହୋଇଯାଉଛନ୍ତି! ଜୀବନରେ ଛୋଟବଡ଼ ଅସୁବିଧା ଆସିଲେ, ତାକୁ ସାହସ ଓ ଧୈର୍ଯ୍ୟ ସହ ସମ୍ମୁଖୀନ ନ କରି ଜୀବନରୁ ହାର୍‌ ମାନିଯାଉଛନ୍ତି! ବାଇଚଢ଼େଇ ଭଳି, ପଡିକି ଉଠିବା ବଦଳରେ ସଂସାରରୁ ଚାଲିଯିବାଟା ସହଜ ମଣୁଛନ୍ତି। ରାତା-ରାତି ସଫଳ ଓ ଧନୀହେବା ପଛରେ ଆମ ପିଲାମାନେ ନିଜର କର୍ମ କରିବା ଭୁଲି ଯାଉଛନ୍ତି, କାର୍ଯ୍ୟରେ ଧୈର୍ଯ୍ୟ ଓ ପ୍ରତିବଦ୍ଧତା ହରାଉଛନ୍ତି। ଭଲ ପାଠପଢ଼ୁଥିବା, ପରୀକ୍ଷାରେ ଭଲ ନମ୍ବର ପାଉଥିବା, ଚାକିରିରେ ଭଲ ଦରମା ରୋଜଗାର କରୁଥିବା, ସମାଜରେ ମାନ ସମ୍ମାନ ସାଉଁଟୁଥିବା ମଣିଷ ବି ନିଜକୁ ଅସଫଳ ମନେକରି ଆତ୍ମହତ୍ୟା କରିଦେଉଛି। ହେଲେ ଏମିତି କାହିଁକି? କାରଣ ମଣିଷ ବାଇଚଢ଼େଇ ଭଳି ନୁହେଁ। ନିଜ ଭୁଲ୍‌ ସୁଧାରି କାମକରିବା ବା କାର୍ଯ୍ୟ ପ୍ରତି ଧୈର୍ଯ୍ୟ ଓ ପ୍ରତିବଦ୍ଧତା ଲାଗି ଆଜିକାଲି ପିଲାମାନଙ୍କ ପାଖରେ ସମୟ ନାହିଁ। ସେଥିଲାଗି ଆମ ଦେଶରେ ପାଠୁଆ ବେକାରିଙ୍କ ସଂଖ୍ୟା ଅଧିକ। ଭଲ ପାଠ ପଢୁଛନ୍ତି, ପରୀକ୍ଷାରେ ଭଲ ନମ୍ବର ରଖୁଛନ୍ତି, ହେଲେ ଜୀବନ ସଂଘର୍ଷରେ ଉତ୍ତୀର୍ଣ୍ଣ ହୋଇପାରୁ ନାହାନ୍ତି। ନିଜ ଭୁଲ୍‌କୁ ସ୍ବୀକାର କରି ତାକୁ ସୁଧାରିବା ଆମ ପିଲାମାନଙ୍କର ସମ୍ମାନ ବିରୁଦ୍ଧରେ। ହାତକୁ ନେଇଥିବା କାମକୁ ସୁଚାରୁରୂପେ ସମ୍ପାଦନ କରିବାର ଧୈର୍ଯ୍ୟ ଓ କୌଶଳ ଆମ ପିଲାମାନଙ୍କ ପାଖରେ କମିକମି ଚାଲିଛି। ଆଜିକାଲି ଭଲ କାମକରିବା ଆମ ପିଲାଙ୍କର ଲକ୍ଷ୍ୟ ନୁହଁ। ଲକ୍ଷ୍ୟହେଲା କେମିତି ଯାଇତାଇ କରି କାମ ସାରିଦେବା, ସୁଯୋଗ ପାଇଲେ ଟିକିଏ ଠକିଦେବା ଓ ଶୀଘ୍ର ଶୀଘ୍ର ସଫଳତାର ଶିଡ଼ି କେମିତି ଚଢ଼ିଯିବା। ସେଥିଲାଗି ବୋଧେ କେଉଁଠି ନବନିର୍ମିତ ବନ୍ଧ ଭୁଶୁଡ଼ିଲାଣି ତ କେଉଁଠି ଅପରେସନରେ ଗଜ୍‌କନା ପେଟ ଭିତରେ ରହିଗଲାଣି। କେଉଁଠି ମଣିଷ, ମଣିଷ ହୋଇ ରହିବାକୁ ଲାଞ୍ଚ ନେଲାଣି ତ କେତେବେଳେ କିଏ ମଣିଷଠାରୁ ମଣିଷପଣିଆ ଓ ମାନବିକତା ଆଶାରେ ଲାଞ୍ଚ ଦେଲାଣି। କର୍ମକ୍ଷେତ୍ରରେ ହେଉ ବା ଜୀବନ ସଂଘର୍ଷରେ ହେଉ, ଧୈର୍ଯ୍ୟ ଲାଗି ଆଉ ସମୟ ନାହିଁ। ହେଲେ ଆମେ ଭୁଲିଯାଉଛନ୍ତି ଯେ କାର୍ଯ୍ୟସିଦ୍ଧି ଲାଗି ଲୋଡ଼ା ପରିଶ୍ରମ, ଦୃଢ଼ତା, ଧୈର୍ଯ୍ୟ, ବିଶ୍ୱାସ ଓ ପ୍ରତିବଦ୍ଧତା।
ଛୋଟ ବାଇଚଢ଼େଇଟିର ଧୈର୍ଯ୍ୟ, କର୍ମ ପ୍ରତିବଦ୍ଧତା, ସ୍ଥିରତା, ଭୁଲ୍‌ ସୁଧାରିବାର କ୍ଷମତା, ବିଶାଳ ମାନବଜାତିଠାରୁ ଖୁବ ଊର୍ଦ୍ଧ୍ୱରେ। ହେଲେ ମଣିଷକୁ ଏଇ ‘ବାଇଚଢ଼େଇ ପ୍ରମାଣପତ୍ର’ ମିଳିବ କିପରି? କେଉଁ ପରୀକ୍ଷା ଆମକୁ ବାଇଚଢ଼େଇ ଭଳି ଯୋଗ୍ୟ ବିବେଚିତ କରିପାରିବ? ଆମ ଶିକ୍ଷା ବ୍ୟବସ୍ଥାରେ ଥିବା ପରୀକ୍ଷାଶୈଳୀ ବା ପରୀକ୍ଷା ପଦ୍ଧତି କ’ଣ ମଣିଷ ଭିତରେ ଥିବା ବାଇଚଢ଼େଇ ଗୁଣର ମୂଲ୍ୟାୟନ କରିପାରୁଛି? ଆମେ ମଣିଷମାନେ ପାଠପଢ଼ି, ଯେଉଁ ପରୀକ୍ଷା ସବୁ ଦେଉଛନ୍ତି, ସେଇ ପରୀକ୍ଷା କେବଳ ମେଶିନ ହେବାର ପ୍ରମାଣପତ୍ର ହିଁ ଦେଇପାରୁଛି। ମେଶିନ ହେବାର ପ୍ରମାଣପତ୍ର ତ ସହଜରେ ମିଳିଯିବ, କିନ୍ତୁ ମଣିଷ ହୋଇ ଜୀବନରେ ଉତ୍ତୀର୍ଣ୍ଣ ହେବା ଲାଗି ଦରକାର ‘ବାଇଚଢ଼େଇ ପ୍ରମାଣପତ୍ର’, ଯାହା ବୋଧହୁଏ ଆମ ଶିକ୍ଷାଦାନ, ଶିକ୍ଷା ବ୍ୟବସ୍ଥା ଓ ପରୀକ୍ଷା ପଦ୍ଧତିର ପରିସର ବାହାରେ। ପଢୁଥିବା ପାଠ ବା ଦେଉଥିବା ପରୀକ୍ଷା ଆମକୁ ଚାକିରିଟିଏ କରି ପଇସା ରୋଜଗାର କରିବାର ପନ୍ଥା ଯୋଗାଇ ଦେଇପାରେ, କିନ୍ତୁ ବାଇଚଢ଼େଇଟିଏ ହୋଇ ଧୈର୍ଯ୍ୟ ଓ ପ୍ରତିବଦ୍ଧତାର ଜ୍ଞାନ ବା ଜ୍ଞାନର ହିସାବ ଆମ ପାଠ ଓ ଦେଉଥିବା ପରୀକ୍ଷା ବାହାରେ ରହିଗଲା ଭଳି ମନେହେଉଛି।

  • ଡ. ଅନ୍ତର୍ଜିତା ନାୟକ
    ମୋ: ୬୩୭୦୯୦୫୯୪୭

Enter your email to get our daily news in your inbox.

All Right Reserved By Dharitri.Com

ଆସ, ଗଢ଼ିବା ବିଦ୍ୟାଳୟ

କିଛି ଦିନ ତଳେ ଜଣେ ବନ୍ଧୁ କଥା ପ୍ରସଙ୍ଗରେ କହିଲେ, ସନ୍ତାନସନ୍ତତିଙ୍କ ପାଠପଢ଼ାକୁ ନେଇ ପରୀକ୍ଷା ନିରୀକ୍ଷା କରିହେବ ନାହିଁ। ସ୍ବାଧୀନତା ପରେ ପାଖାପାଖି ପଚାଶ ବର୍ଷ…

ଆକାଶର ତାରା

ବାପଛେଉଣ୍ଡ ପିଲାଟି ଯେତେବେଳେ ମା’କୁ ବାପା କାହାନ୍ତି ବୋଲି ପଚାରେ, ମା’ତାକୁ ଅନେକ କଥା କହି ବୁଝାଇଦିଅନ୍ତି। ଆଜି ଆସିବେ, କାଲି ଆସିବେ, ଅମୁକ ଜାଗାକୁ ଯାଇଛନ୍ତି…

ସୁଶ୍ରୁତଙ୍କ ଶଲ୍ୟଚିକିତ୍ସା

ଭାରତର ପ୍ରାୟ ପ୍ରତ୍ୟେକ ପାରିବାରିକ ସମାବେଶରେ କେହି ନା କେହି ଦାବି କରନ୍ତି ଯେ ପ୍ରାଚୀନ ଭାରତୀୟଙ୍କ ପାଖରେ ପ୍ଲାଷ୍ଟିକ୍‌ ସର୍ଜରି, ଟେଷ୍ଟଟ୍ୟୁବ୍‌ ବେବି ଏବଂ ବିମାନ…

ସନ୍ତାନ ବତ୍ସଳତା

ଅମୃତ କାଳରେ ଅସହାୟତାର ଦୌଡ଼ ଜୀବନର ଦୌଡ଼ରେ ସମସ୍ତଙ୍କ ପାଖରେ ସମାନ ସୁଯୋଗ ନ ଥାଏ। କାହା ପାଖରେ ଦାମୀ ଜୋତା ଥାଏ, କାହା ପାଖରେ ଆଧୁନିକ…

ସଭ୍ୟତାର ନୀରବ ନିର୍ମାତା

କେବେ କ୍ଳାନ୍ତ, କେବେ ନିରାଶ, କେବେ ବିଷାଦ ପୁଣି କେବେ ହତାଶ- ଏସବୁ ଭିତରେ ବି ଯିଏ ହସିହସି ପ୍ରତିଦିନ ପିଲାଙ୍କ ଆଗରେ ଛିଡ଼ା ହୋଇପାରନ୍ତି, ସେ…

ଆଇନର ସଂଶୋଧନ ଓ ଆଧୁନିକୀକରଣ

ରାଷ୍ଟ୍ରର ମୂଳ ଆଧାର ହେଉଛି ତାହାର ଆଇନ ବ୍ୟବସ୍ଥା। ଆଇନ କେବଳ ଏକ ଶାସନ ପ୍ରଣାଳୀ ନୁହେଁ, ବରଂ ଏହା ମାନବ ସମାଜକୁ ଶୃଙ୍ଖଳିତ କରିବା, ନ୍ୟାୟ…

ସ୍ବାର୍ଥ ଯୋଗୁ ଦ୍ୱନ୍ଦ୍ୱ

ଅପରେଶନ ସିନ୍ଦୂର ବେଳେ ନିଜେ ହସ୍ତକ୍ଷେପ କରିବାରୁ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ବନ୍ଦ ହୋଇଥିଲା ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ବାରମ୍ବାର କହିଆସୁଛନ୍ତି।…

ଏଇ ଭାରତରେ

ଘର ନାହିଁ, ସ୍କୁଲ ଚାଲିଛି ଖୋଲା ଆକାଶ ତଳେ। ଏଠି ଦେୟ ଦେବାକୁ ପଡ଼ୁନାହିଁ କି ସିଲାବସ୍‌ ମଧ୍ୟ ନାହିଁ। ଯଦି ଏପରି କୌଣସି ସ୍କୁଲ୍‌ ସରକାରୀସ୍ତରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?