ବିଜ୍ଞାନ, ପ୍ରଜ୍ଞାନ ଓ ଆଧ୍ୟାତ୍ମିକ ଜ୍ଞାନ

ଡ. ମନୋରଞ୍ଜନ ପ୍ରଧାନ

ଖୁବ୍‌ କମ୍‌ ଦିନ ତଳେ ଜଣେ ବିଶିଷ୍ଟ ଓଡ଼ିଆ ବୈଜ୍ଞାନିକଙ୍କ ସହ ଏକ ଆଭାସି ଆଲୋଚନା ଚକ୍ରରେ ଯୋଗଦେବାର ସୁଯୋଗ ପାଇଥିଲି। ବୈଜ୍ଞାନିକ ଜଣକ ଦୀର୍ଘ ପଚାଶ ବର୍ଷ ହେଲା ଯୁକ୍ତରାଷ୍ଟ୍ର ଆମେରିକାରେ ରହି ବିଜ୍ଞାନ କ୍ଷେତ୍ରରେ ବହୁ ଉଲ୍ଲେଖନୀୟ ଗବେଷଣା କରି ଅନେକ ଜିନିଷ ମାନବ କଲ୍ୟାଣ ପାଇଁ ଭେଟି ଦେଇଛନ୍ତି। ସେଦିନ ଆଲୋଚନାର ଶୀର୍ଷକ ଥିଲା ଆଜିର ବୈଶ୍ବିକ ପରିପ୍ରେକ୍ଷୀରେ ଶିକ୍ଷାର ଆବଶ୍ୟକତା। ସେ ଭାରତ ଓ ପାଶ୍ଚାତ୍ୟର ଅନେକ ଦେଶରେ ପ୍ରଚଳିତ ବିଭିନ୍ନ ଶିକ୍ଷା ବ୍ୟବସ୍ଥା ସମ୍ପର୍କରେ ବ୍ୟାପକ ଭାବରେ ତୁଳନାତ୍ମକ ତଥ୍ୟ ଉପସ୍ଥାପନ କଲେ। ଶେଷରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଆରମ୍ଭ ହେଲା। ଜଣେ ପ୍ରଫେସର ପଚାରିଲେ ଭାରତୀୟ ଶିକ୍ଷା ଓ ବିଦେଶର ଶିକ୍ଷା ବ୍ୟବସ୍ଥା ଭିତରେ ବିଶେଷ ଫରକ କ’ଣ? ବୈଜ୍ଞାନିକ ଜଣକ ନିଜ ଅନୁଭୂତି, ଗବେଷଣା ଓ ଦୀର୍ଘ ବର୍ଷର ବିଭିନ୍ନ ସ୍ଥାନ ଭ୍ରମଣର ଏକ ବିସ୍ତୃତ ତଥ୍ୟ ଉପସ୍ଥାପନ କରିବାକୁ ଯାଇ ଯାହା କହିଲେ ତାହା ସଂକ୍ଷେପରେ ବର୍ଣ୍ଣନା କରୁଛି, ଯାହା ଆମ ପାଇଁ ଉପଯୋଗୀ।
ସେ କହିଲେ ଆମ ଶିକ୍ଷା ବ୍ୟବସ୍ଥା ମୂଲ୍ୟବୋଧଭିତ୍ତିକ, ମାନବିକତା ଆଧାରିତ ଓ ଆଧ୍ୟାତ୍ମିକ ଚେତନା କୈନ୍ଦ୍ରିକ ହୋଇଥାଏ। କିନ୍ତୁ ବିଦେଶର ଶିକ୍ଷା ବ୍ୟବସ୍ଥା ମୁଖ୍ୟତଃ ଭୌତିକ ବିକାଶର ପୃଷ୍ଠଭୂମି ଉପରେ ପର୍ଯ୍ୟବସିତ। ସେଠାରେ ପ୍ରତିଯୋଗିତା, ଶିଳ୍ପ ତଥା ଔଦ୍ୟୋଗିକ ବିକାଶ ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଥାଏ। ସେମାନେ ବଡ଼ ବଡ଼ ଡିଗ୍ରୀଧାରୀଙ୍କ ଅପେକ୍ଷା ପ୍ରାମାଣିକ ତଥା ପ୍ରାୟୋଗିକ ବା ବାସ୍ତବ ଜ୍ଞାନ କୌଶଳରେ ପାରଙ୍ଗମ ବ୍ୟକ୍ତି ଓ ବ୍ୟକ୍ତିତ୍ୱକୁ ଗୁରୁତ୍ୱ ଦିଅନ୍ତି। ସେମାନଙ୍କ ଆଗରେ ଶିକ୍ଷାଗତ ଯୋଗ୍ୟତା ଅପେକ୍ଷା ବ୍ୟକ୍ତିର ମୌଳିକ ଚିନ୍ତନ ଓ ପ୍ରୟୋଗାତ୍ମକ ଦକ୍ଷତା ଗୁରୁତ୍ୱପୂର୍ଣ୍ଣ। କିନ୍ତୁ ଆମ ଦେଶରେ ଶିକ୍ଷକମାନେ ପୁସ୍ତକ ଲିଖିତ ବିଷୟବସ୍ତୁକୁ ବେଶି ଗୁରୁତ୍ୱ ଦିଅନ୍ତି। ସେ କହିଥିଲେ ଯେ, ବିଦେଶରେ ଶିକ୍ଷକମାନେ ପ୍ରଥମେ ଗବେଷକ, ତା’ପରେ ଶିକ୍ଷକ। ସେମାନେ ପିଲାଙ୍କ ଉପରେ ତଥ୍ୟ ବୋଝ ଲଦି ନ ଦେଇ, ବିଦ୍ୟାର୍ଥୀର ଦକ୍ଷତା ଓ ସାମର୍ଥ୍ୟ ଅନୁଯାୟୀ ଗବେଷଣାଗତ ସନ୍ଦର୍ଭ ଉପସ୍ଥାପନା କରନ୍ତି। ଫଳରେ ଛାତ୍ରୀଛାତ୍ରମାନେ ତଥ୍ୟର ପରୀକ୍ଷାର୍ଥୀ ନ ହୋଇ ଜୀବନ ତଥା ସମାଜ ଉପଯୋଗୀ କିଛି ଆବିଷ୍କାର ବା ଉଦ୍ଭାବନ ପଛରେ ଲାଗିପଡ଼ନ୍ତି। ସେମାନଙ୍କ ମଧ୍ୟରୁ ସିଂହଭାଗ ଛାତ୍ରୀଛାତ୍ରୀ ଚାକିରି ପଛରେ ନ ଗୋଡ଼ାଇ ନିଜେ କିଛି କରିବାର ମାନସିକତା ବିକାଶ କରନ୍ତି। ତେଣୁ ସେମାନେ ଚାକିରିଆ ହୋଇ ଭୃତ୍ୟ ଜୀବନ ପରିବର୍ତ୍ତେ ଉଦ୍‌ଯୋଗୀ ଓ ଉଦ୍ୟୋଗୀ ହେବା ପାଇଁ ଉଚିତ ମନେକରନ୍ତି। ସେଥିପାଇଁ ସେ ଦେଶଗୁଡ଼ିକ ନୂତନ ଗବେଷଣା କ୍ଷେତ୍ରରେ ଆଗୁଆ ଓ ଆର୍ଥିକ ସ୍ଥିତିରୁ ସଫଳ ଓ ସବଳ। କିନ୍ତୁ ଶାଶ୍ବତ ଚିନ୍ତନ ଓ ମାନବବାଦୀ ଚିନ୍ତା ଏବଂ ଚେତନାରେ ଆମେ ଶୀର୍ଷରେ। ସେମାନେ ନିଜେ କିଛି କରିବା ପାଇଁ ଅନ୍ୟର ସ୍ବାର୍ଥ କଥାକୁ ବିଶେଷ ଗୁରୁତ୍ୱ ନ ଦେଇ ଏକ ପ୍ରତିଯୋଗିତାମୂଳକ ପ୍ରବଣତାରେ ବହୁକିଛି କରିବାକୁ ଅଗ୍ରସର ହୋଇଥାନ୍ତି। କିନ୍ତୁ ଆମେ ଛୋଟିଆ କାମଟିଏ କଲାବେଳେ ମଧ୍ୟ ସମସ୍ତଙ୍କ ହିତ କଥା ଚିନ୍ତା କରିଥାଉ। ଆମେ ‘ସକଳ ଘଟେ ନାରାୟଣ ଓ ଶିବ ଜ୍ଞାନେ ଜୀବ ସେବା’ ଆଦର୍ଶର ଅନୁପ୍ରାଣିତ ଓ ଅନୁପାଳକ। ପ୍ରତିଯୋଗିତା ନାମରେ ଅନ୍ୟର କ୍ଷତି କରି ନିଜେ ବଡ ଲୋକ ହେବାର ମାନସିକତା ଆମ ଚିନ୍ତା, ଚେତନା ଓ ସଂସ୍କୃତିର ପରିପନ୍ଥୀ। ତେବେ ଆମକୁ ଆମର ଆଧ୍ୟାତ୍ମିକ ବିଚାର, ପ୍ରାଚୀନ ଦର୍ଶନ ସହ ପାଶ୍ଚାତ୍ୟ ବିଜ୍ଞାନର ସହାୟତା ନେବା ଆଜିର ସମୟରେ ଅପରିହାର୍ଯ୍ୟ ମନେହୁଏ।
ଆମ ଦେଶରେ ବାସ୍ତବ ଶିକ୍ଷାର ସମସ୍ତ ବୈଶିଷ୍ଟ୍ୟ ଉପଲବ୍ଧ ଥିବା ବେଳେ ଆଉ ଗୋଟିଏ ବୈଶିଷ୍ଟ୍ୟକୁ ତୁରନ୍ତ ଯୋଡିବାକୁ ସେ ନିବେଦନ କରିଥିଲେ। ତାଙ୍କ ମତରେ ପ୍ରକୃତ ଶିକ୍ଷା ଚାରୋଟି ଦିଗ ଉପରେ ପର୍ଯ୍ୟବସିତ। ଯଥା- ଜ୍ଞାନ, ବିଜ୍ଞାନ, ପ୍ରଜ୍ଞାନ ଓ ଆଧ୍ୟାତ୍ମିକ ଜ୍ଞାନ। ଆମ ପାଖରେ ଜ୍ଞାନ, ପ୍ରଜ୍ଞାନ ଓ ଆଧ୍ୟାତ୍ମିକ ଜ୍ଞାନର ଅଭାବ ନାହିଁ। କେବଳ ଅଭାବ ରହିଛି ବିଜ୍ଞାନର। ଏହାର ଅର୍ଥ ନୁହେଁ ଯେ ଆମେ ବିଜ୍ଞାନ କ୍ଷେତ୍ରରେ କିଛି କରିନାହୁଁ। ପ୍ରାଚୀନ ଋଷି ମୁନିମାନଙ୍କର ବିଜ୍ଞାନର ବିଭିନ୍ନ ଦିଗରେ ବିଶ୍ୱବାସୀଙ୍କୁ ଯଥେଷ୍ଟ ଅବଦାନ ରହିଛି। ଆୟୁର୍ବେଦ ଚିକିତ୍ସା ଉତ୍କୃଷ୍ଟ ଚିକିତ୍ସାର ଜ୍ୱଳନ୍ତ ପ୍ରମାଣ। ଏ ଦେଶ ବିଶ୍ବକୁ ଶୂନ(୦) ଭେଟିଦେଇଛି। ଚରକ, ଶୁଶ୍ରୁତ, ଆର୍ଯ୍ୟଭଟ୍ଟ, ବରାହମିହିର, ଭାସ୍କରାଚାର୍ଯ୍ୟ, ବ୍ରହ୍ମଗୁପ୍ତ, ପତଞ୍ଜଳି, ପାଣିନୀ, ନାଗାର୍ଜୁନ, ଗୌତମ, ପିଙ୍ଗଳ, ଶଙ୍କରଦେବ, ମୈତ୍ରେୟୀ, ଗାର୍ଗୀ ଭଳି ବିଜ୍ଞାନୀମାନଙ୍କ ଅବଦାନ ବିଜ୍ଞାନ ଓ ମାନବ ସେବାରେ ଉଲ୍ଲେଖନୀୟ। ଅର୍ଥଶାସ୍ତ୍ର, ସମାଜ ଶାସ୍ତ୍ର, ଦର୍ଶନ କ୍ଷେତ୍ରରେ ଆମ ଦେଶର ଯୋଗଦାନକୁ ବିଶ୍ବ ପ୍ରଶଂସା କରୁଛି। ଭଗବତ ଗୀତା ଭଳି ଅମୂଲ୍ୟ ଗ୍ରନ୍ଥ ଯାହା ସବୁ ସମସ୍ୟା ସମାଧାନର ପ୍ରତିଶ୍ରୁତି ଦିଏ ତାହା ବିଶ୍ୱବାସୀଙ୍କୁ ଭାରତର ବରଦାନ। ବେଦ, ଉପନିଷଦ୍‌, ଅଷ୍ଟାଦଶ ପୁରାଣ ଆଦି ଶାସ୍ତ୍ର ବିଶ୍ବ କଲ୍ୟାଣ ପାଇଁ ସଞ୍ଜୀବନୀ। କିନ୍ତୁ କିଛି ବର୍ଷ ହେଲା ଆମେ ନିଜ ଅସ୍ମିତାକୁ ଭୁଲିଯାଇ ଶିକ୍ଷାକୁ ଚାକିରି ଓ ରୋଜଗାରର ଏକ ମାଧ୍ୟମ କରିଦେଇଛୁ।
ପୁରୁଣା ଦିନକୁ ଫେରି ଦେଖନ୍ତୁ। ଗୁରୁକୁଳରେ ତଥ୍ୟରଟି ଗୁରୁମାନେ ଶିକ୍ଷା ଦେଉ ନ ଥିଲେ। ସେମାନେ ସେହି ଶିକ୍ଷା ଓ ଦୀକ୍ଷା ଦେଉଥିଲେ ଯେଉଁ କ୍ଷେତ୍ରରେ ତାଙ୍କର ବାସ୍ତବ ଜ୍ଞାନ ଓ ଅନୁଭବ ଥିଲା। ସେମାନେ ଦକ୍ଷତା ଓ ସାମର୍ଥ୍ୟ ଆଧାରରେ ଶିଷ୍ୟମାନଙ୍କୁ ଗଢୁଥିଲେ। ସେମାନଙ୍କ ଶିକ୍ଷା ଓ ଉପଦେଶ ବିଜ୍ଞାନସମ୍ମତ, ସମାଜ ଉପଯୋଗୀ ଓ ମନସ୍ତାତ୍ତ୍ୱିକ ଥିଲା। ଆଜି ଆମେ କେଉଁଠି ନା କେଉଁଠି ତଥ୍ୟ ଜ୍ଞାନ ବା କିଛି ବିଷୟବସ୍ତୁ ଘଷିମାଝି ମନେରଖି ନିଜକୁ ମହାଜ୍ଞାନୀ ବୋଲେଇବାରେ ବ୍ୟସ୍ତ। ଏଭଳି ମାନସିକତା ଓ ଶିକ୍ଷାଦାନ ବ୍ୟବସ୍ଥାର ପରିବର୍ତ୍ତନ ଦରକାର।
ନୂତନ ଶିକ୍ଷାନୀତି ୨୦୨୦ ଯେଉଁ ପୁରୋଦୃଷ୍ଟି ଓ ଲକ୍ଷ୍ୟ ରଖିଛି ତା’ ଅନୁସାରେ କାମ କଲେ ଆମେ ଅଧିକ ଲାଭ ପାଇପାରିବା। ସେଥିପାଇଁ ଆମକୁ ସବୁ କ୍ଷେତ୍ରରେ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାଯୁକ୍ତ ଶିକ୍ଷା ବ୍ୟବସ୍ଥା ଆପଣେଇବା ସହ ଗବେଷଣା ଉପରେ ବିଶେଷ ଗୁରୁତ୍ୱ ଦେବାକୁ ହେବ। ତୁଳନାତ୍ମକ ଭାବରେ ଆମ ଦେଶର ଶିଶୁମାନେ ବୁଦ୍ଧିଆ ଓ ପରିଶ୍ରମୀ। ସେମାନଙ୍କୁ ଜ୍ଞାନ, ବିଜ୍ଞାନ, ପ୍ରଜ୍ଞାନ ଓ ଆଧ୍ୟାତ୍ମିକ ଜ୍ଞାନ ସମ୍ବଳିତ ଶିକ୍ଷା ଦେଇପାରିଲେ, ଆମ ଦେଶ ସବୁ କ୍ଷେତ୍ରରେ ଆଗୁଆ ହୋଇପାରିବ। ଜ୍ଞାନ ପିଲାଙ୍କୁ ଚିନ୍ତାଶୀଳ, ବିଚାରବନ୍ତ କରିବ। ବିଜ୍ଞାନ ପିଲାଙ୍କୁ ପ୍ରାମାଣିକ, ବାସ୍ତବଧର୍ମୀ ଓ ତାର୍କିକ କରିପାରିବ। ଫଳରେ ସେମାନେ କାହାର କାନକୁହା କଥାକୁ ହଠାତ ବିଶ୍ବାସ କରି ଆବେଗର ବଶବର୍ତ୍ତୀ ହେବେ ନାହିଁ। ସବୁ ପରିସ୍ଥିତିରେ ଜ୍ଞାନର ଦୃଷ୍ଟି ଓ ବିଜ୍ଞାନର ଯନ୍ତ୍ରାଂଶରେ ପରଖିପାରି ସତ୍ୟାସତ୍ୟ ଜାଣିପାରିବ। ସେମାନଙ୍କୁ କେହି ଅନ୍ଧ ଭକ୍ତ କରିପାରିବେ ନାହିଁ। ହଁ , ଜ୍ଞାନ ଓ ବିଜ୍ଞାନ ସହ ଆମ ଭବିଷ୍ୟତ ତଥା ଛାତ୍ରୀଛାତ୍ରମାନଙ୍କୁ ପ୍ରଜ୍ଞାନ ଓ ଆଧ୍ୟାତ୍ମିକ ଜ୍ଞାନ ସମ୍ପର୍କରେ ବିଶେଷ ଶିକ୍ଷାଦାନ ଦିଆଯିବା ଉଚିିତ। ପ୍ରଜ୍ଞାନ କହିଲେ ଜ୍ଞାନ, ବିଜ୍ଞାନ ସହ ସଂସ୍କୃତି ସମ୍ବନ୍ଧରେ ଅବଗତ କରେଇବା। ଏହା ନ ହେଲେ ମଣିଷ ପ୍ରତିଯୋଗିତାର ଅନ୍ଧଗଳିରେ ଫସିଯିବ। ବିଦେଶୀମାନଙ୍କଠାରୁ ଆଗକୁ ଯାଇ ଆମକୁ ବିଶ୍ବ ନେତୃତ୍ୱ ନେବାକୁ ହେଲେ ଆଧୁନିକ ଜ୍ଞାନ ଓ ବିଜ୍ଞାନ ସହ ଆମ ସାଂସ୍କୃତିକ ପୃଷ୍ଠଭୂମି ଓ ଆଧ୍ୟାତ୍ମିକ ଚେତନାକୁ ଶିକ୍ଷା ବ୍ୟବସ୍ଥାରେ ଉପଯୋଗ କରି ଛାତ୍ରୀଛାତ୍ରମାନଙ୍କୁ ପ୍ରକୃତ ଶିକ୍ଷା ପ୍ରଦାନ ପାଇଁ ନୀଳ ନକ୍ସା ତିଆରି କରିବାକୁ ହେବ। ଆଲୋଚନାଟି କେତେ ବାସ୍ତବଧର୍ମୀ ଓ ସମୟୋପଯୋଗୀ ଥିଲା। ଆମେ ସମସ୍ତେ ଯଦି ଏ କ୍ଷେତ୍ରରେ କିଛି କରିବା ପାଇଁ ମନୋନିବେଶ କରନ୍ତେ ଜଗତ ମଙ୍ଗଳ ପାଇଁ ଏକ ବିଶେଷ ଯୋଗଦାନ ହୋଇପାରନ୍ତା।
ଅଧ୍ୟାପକ, ସରକାରୀ ମହିଳା ମହାବିଦ୍ୟାଳୟ, ଜୟପୁର, କୋରାପୁଟ


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଚେନ୍ନାଇ ପେରୁଙ୍ଗୁଡ଼ିର ସିରାଜ ଖାନ୍‌ ଜଣେ ଶିକ୍ଷୟିତ୍ରୀ। ସେ ତାଙ୍କ କର୍ମମୟ ଜୀବନରୁ ସମୟ ବଞ୍ଚାଇ ମହିଳାମାନଙ୍କୁ ସ୍ବାବଲମ୍ବୀ କରିବାରେ ଲାଗିଛନ୍ତି। ଏହା କୌଣସି ସରକାରୀ ସହଯୋଗରେ…

ଆଧ୍ୟାତ୍ମିକ ପଥେ

ଏବେ ଚାରିଆଡେ ଆଲୋଚନା ହେଉଛି ଯେ, ଆମ ଯୁବଶକ୍ତି ଭୁଲ ଦିଗର ପଥଯାତ୍ରୀ ହେଉଛନ୍ତି, ସ୍ବାଧୀନତା ନଁାରେ ସ୍ବେଚ୍ଛାଚାରିତା ଏବଂ ଅତ୍ୟାଧୁନିକତାକୁ ଆପଣେଇ ନେଉଛନ୍ତି। ଏହି ପରିପ୍ରେକ୍ଷିରେ…

ବ୍ୟକ୍ତିଗତ ସ୍ବାଧୀନତା ଓ ପୋଲିସ କ୍ଷମତା

ଗୋଟିଏ ଗଣତାନ୍ତ୍ରିକ ଏବଂ ଆଇନ ଅନୁଶାସିତ ରାଷ୍ଟ୍ରରେ ପୋଲିସ ବ୍ୟବସ୍ଥା ହେଉଛି ସମାଜର ସୁରକ୍ଷା ଓ ଶୃଙ୍ଖଳାର ମେରୁଦଣ୍ଡ। ଅପରାଧମୁକ୍ତ ସମାଜ ଗଠନ ଏବଂ ସାଧାରଣ ନାଗରିକଙ୍କ…

ୟୁପିରେ ଅଦଳବଦଳ

ନିକଟରେ ଉତ୍ତର ପ୍ରଦେଶ(ୟୁପି)ରେ ବାବୁ ଅଦଳବଦଳ କରାଯାଇଛି। ଯୋଗୀ ଆଦିତ୍ୟନାଥ ସରକାର ରାଜ୍ୟରେ ୨୦୨୪ ବ୍ୟାଚ୍‌ର ୧୮ ଜଣ ଯୁବ ଆଇଏଏସ୍‌ ଅଧିକାରୀଙ୍କୁ ଆସିଷ୍ଟାଣ୍ଟ ମାଜିଷ୍ଟ୍ରେଟରୁ ଜଏଣ୍ଟ…

ଏଇ ଭାରତରେ

ଟ୍ରେନ୍‌ରେ ଏକ ଭ୍ରାମ୍ୟମାଣ ହସ୍ପିଟାଲ ବିଭିନ୍ନ ଷ୍ଟେଶନକୁ ଯାଇ ରୋଗୀଙ୍କ ଚିକିତ୍ସା କରୁଛି। ଏହା ମହାରାଷ୍ଟ୍ରର ଭୁଶାଓ୍ବାଲ ରେଲଓ୍ବେ ଡିଭିଜନର ଚେଷ୍ଟା ଯୋଗୁ ସମ୍ଭବ ହୋଇଛି। ଜାନୁଆରୀ…

ଆଚରଣ-ଉଚ୍ଚାରଣରେ ପ୍ରଭେଦ

ମାନବ ସଭ୍ୟତା ଓ ସଂସ୍କୃତିର ମୂଳଦୁଆ ହେଉଛି ନୈତିକତା, ସହନଶୀଳତା ଏବଂ ସଦ୍‌ଭାବନା। ଏକ ସୁସ୍ଥ ସମାଜ ଗଠନ ପାଇଁ ମଣିଷର କଥା ଓ କାର୍ଯ୍ୟ ମଧ୍ୟରେ…

ଦୋଷ କୁମ୍ଭାରର ନା ମାଟିର

ହଁ ହଁ ସମୁଦୀ। ଇଏ ମୋ ପୁଅ। ଏକୋଇର ବଳା ବିଶିକେଶନ। ଜନମରୁ ଗେହ୍ଲା। ଅଧିକ ସ୍ନେହ ଦେଇ ବଢ଼େଇଛି। ଦିନେ ବି ମୋ ଗାଉଁଲି ଗାଁକୁ…

ଜନସାଂଖ୍ୟିକ ପରିବର୍ତ୍ତନ ଓ ଅର୍ଥନୀତି

ହ୍ରାସ ପାଉଥିବା ଜନ୍ମହାର ଏବଂ ବୃଦ୍ଧି ପାଉଥିବା ଆୟୁଷ ଜନସାଂଖି୍ୟକ ପରିବର୍ତ୍ତନକୁ ସୂଚିତ କରିଛି। ବିଶ୍ୱସ୍ତରରେ ଗତ ଶତାବ୍ଦୀର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନଗୁଡ଼ିକ ମଧ୍ୟରୁ ଏହା ଅନ୍ୟତମ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri