ବିଜ୍ଞାନ ଓ ଈଶ୍ୱର

ଉପେନ୍ଦ୍ର ବିଶ୍ୱାଳ

 

ଆଲେଖ୍ୟଟିକୁ ଆରମ୍ଭ କରିବା, ବିଶ୍ୱକବିଙ୍କ ବିଶ୍ୱାସ ଏବଂ ତତ୍‌ସଂକ୍ରାନ୍ତ ଗୋଟେ ଘଟଣାରୁ। ଏକଦା ରବୀନ୍ଦ୍ରନାଥ ଟାଗୋରଙ୍କ ମୁଣ୍ଡବିନ୍ଧାର କାରଣ ଥିଲେ ପାଖ ଇଲାକାରେ ରହୁଥିବା ଜଣେ ନାସ୍ତିକ। ବିଶ୍ୱକବିଙ୍କର ଭଗବାନଙ୍କ ପ୍ରତି ଭକ୍ତିଭାବ ଏବଂ ତଜ୍ଜନିତ ଈଶ୍ୱରଙ୍କ ପ୍ରତି ତାଙ୍କର ସମର୍ପିତ କବିତା, ଅତ୍ୟନ୍ତ ଅସହ୍ୟବୋଧ ହେଉଥିଲା ସେହି ଭଦ୍ରବ୍ୟକ୍ତିଙ୍କୁ। ଏପରି କି, ଶ୍ରୀ ଠାକୁରଙ୍କୁ ଅନେକ ସମୟରେ କଟାକ୍ଷ କରିବାକୁ ବି ପଛାଉ ନ ଥିଲେ ସେ। ପରିହାସ କରି ପଚାରନ୍ତି – ”ଈଶ୍ୱରଙ୍କୁ ତୁମେ କେବେ ଦେଖିଛ? ଯଦି କେବେ ଦେଖିନାହଁ, ତେବେ ତାଙ୍କର ପ୍ରଶସ୍ତି ଗାନ/ରଚନା କରିଚାଲିଛ କେମିତି? ଏହା କ’ଣ ପ୍ରବଞ୍ଚନା ନୁହଁ କି?“ ଏଭଳି ବ୍ୟକ୍ତିମାନଙ୍କ ସହିତ କିଛି ଯୁକ୍ତି ନ କରି ନିରୁତ୍ତର ରହିବାକୁ ଉଚିତ ମଣୁଥିଲେ ଶ୍ରୀ ଠାକୁର। ବିଶ୍ୱଗୁରୁଙ୍କ ନୋବେଲ ପୁରସ୍କାରପ୍ରାପ୍ତିରେ ସାରା ଦେଶ ଆତ୍ମହରା ହୋଇ ଉଠୁଥିଲା ବେଳେ ସେ କିନ୍ତୁ ତାଚ୍ଛଲ୍ୟ କରିବାକୁ ପଛାଉ ନ ଥିଲେ- ଯାହା ହେଉ, ମିଛ ସତ୍ତାକୁ ତୁଛାଟାରେ ପ୍ରଶଂସା କରି ଏତେ ବଡ଼ ପୁରସ୍କାର ଟିଏ ବି ହାତେଇ ନେଲ? ଏହିପରି ଭାବରେ, ସାମାନ୍ୟ ଜ୍ଞାନ ବଳରେ ନିଜକୁ ଜଣେ ଜଣେ ଜ୍ଞାନୀ ବା ବିଜ୍ଞାନୀ ବୋଲି ବିଚାରୁଥିବା ଆମେ ମୂଢମତିମାନେ କେମିତି ବା ବିଶ୍ୱାସ କରନ୍ତେ ଭଗବାନଙ୍କ ଅଦୃଶ୍ୟ ସତ୍ତାକୁ। ଭୌତିକ ବିକାଶରେ ବିଭୋର ବ୍ୟକ୍ତି, ବିଜ୍ଞାନର ସାମାନ୍ୟ ବରଦାନକୁ ଦେଖି ଭୁଲିଯାଏ ଭଗବାନଙ୍କୁ। କିନ୍ତୁ ଏତାଦୃଶ ଭୌତିକ ବିକାଶର ଯେଉଁମାନେ ଅସଲ ବିନ୍ଧାଣୀ, ସେହି ବିଶ୍ୱକର୍ମାଙ୍କର ଈଶ୍ୱର ବିଶ୍ୱାସ ଦେଖିଲେ, ଅଜ୍ଞତା ଆଚ୍ଛନ୍ନ ଏହି ମଣିଷମାନଙ୍କ ପ୍ରତି ଦୟାଭାବ ଜାତ ହୁଏ। ଆସନ୍ତୁ ଜାଣିବା ଏମିତି କେତେକ ବରେଣ୍ୟ ବୈଜ୍ଞାନିକଙ୍କୁ, ଯେଉଁମାନଙ୍କ ଚିନ୍ତା ଓ ଚେତନା, ବିଶ୍ୱାସ ଓ ଭାବନା, କର୍ମ – ଧର୍ମରେ ସର୍ବବ୍ୟାପୀ, ସର୍ବଶକ୍ତିମାନ ସେହି ଅଦୃଶ୍ୟ ସତ୍ତାଙ୍କର ଉପସ୍ଥିତିକୁ କେବଳ ଅନୁଭବ କରି ନ ଥିଲେ ବରଂ ମୁକ୍ତକଣ୍ଠରେ ଘୋଷଣା ବି କରି ଯାଇଛନ୍ତି।
ବିବର୍ତ୍ତନବାଦର ଜନକ, ବିଶିଷ୍ଟ ବୈଜ୍ଞାନିକ ଚାଲର୍‌ସ ଦାରୁଇନଙ୍କ ମତରେ ”ଈଶ୍ୱରଙ୍କ ଅସ୍ତିତ୍ୱକୁ ମୁଁ କେବେ ଅବଜ୍ଞା କରିନାହିଁ। ମୋ ବିଚାରରେ ବିବର୍ତ୍ତନ ଧାରା ପଛରେ ଭଗବାନଙ୍କ ଇଚ୍ଛା ନିହିତ। ଈଶ୍ୱରଙ୍କ ଅସ୍ତିତ୍ୱ ସମ୍ବନ୍ଧେ ଦୃଢ଼ ଯୁକ୍ତି ହେଉଛି – ଅପରିମିତ, ମହିମାନ୍ବିତ, ବିଶାଳକାୟ ଏହି ବ୍ରହ୍ମାଣ୍ଡ; ଯାହାକୁ କଳନା କରିବା, ଆମ ପରି ସାମାନ୍ୟ ମଣିଷ ପକ୍ଷେ ଅସମ୍ଭବ।“ ପ୍ରସଙ୍ଗକ୍ରମେ ଏଠାରେ ଉଲ୍ଲେଖ କରିବା ଉଚିତ ହେବ ଯେ ଦାରୁଇନଙ୍କ ବିବର୍ତ୍ତନବାଦ ତ ଭାରତୀୟ ଦର୍ଶନ ଆଧାରିତ ବିବର୍ତ୍ତନ ଧାରାକୁ ହିଁ ଇଙ୍ଗିତ କରିଥାଏ। ତାଙ୍କ ମତରେ ମଣିଷର କ୍ରମ ବିକାଶର ଧାରା ଜଳରୁ ହିଁ ଆରମ୍ଭ। ସର୍ବ ପ୍ରଥମେ ଜଳଚର ଜୀବ, ତା’ପରେ ଉଭୟଚର ଓ ସ୍ଥଳଚର ଜୀବ ଏବଂ ପରେ ପରେ କ୍ରମବିକାଶ ହୋଇ ପୂର୍ଣ୍ଣାଙ୍ଗ ମଣିଷରେ ପରିଣତ ହୋଇଛି। ଆମ ଦର୍ଶନର ଦଶାବତାର ମଧ୍ୟ ସେହିଭଳି ବର୍ଣ୍ଣନା କରେ, ଆମର କ୍ରମ ପରିବର୍ତ୍ତନର ଧାରାକୁ। ପ୍ରଥମେ ମତ୍ସ୍ୟ ଅବତାର (ଜଳଚର), ୨ୟରେ କଚ୍ଛପ (ଉଭୟଚର), ୩ୟରେ ବରାହ(ସ୍ଥଳଚର), ୪ର୍ଥ ରେ ନୃସିଂହ (ପଶୁ ଓ ମଣିଷ ମିଶ୍ରିତ ଅବୟବ), ୫ମରେ ବାମନ(ସାମାନ୍ୟ ଅବୟବଧାରୀ ମାନବ), ୬ଷ୍ଠରେ ପର୍ଶୁରାମ (ହିଂସ୍ର ମାନବ), ୭ମରେ ଶ୍ରୀରାମ (ପୂର୍ଣ୍ଣ ମର୍ଯ୍ୟାଦାର ଚେତନଶୀଳ ମାନବ), ୮ମରେ ଶ୍ରୀକୃଷ୍ଣ (କଳି ବା କଳୁଷ ଆକ୍ରାନ୍ତ ଦୁନିଆରେ ସତ୍ୟ ଓ ଧର୍ମର ପ୍ରତିଷ୍ଠା ପାଇଁ ସଂଘର୍ଷରତ ମଣିଷ), ୯ମରେ ବୁଦ୍ଧ (ସମ୍ପୂର୍ଣ୍ଣ ଦୁନିଆକୁ କଳି କବ୍‌ଜା ନ କରୁ, ଏହି ଲକ୍ଷରେ ସତ୍ୟ, ଧର୍ମ ଓ ଶାନ୍ତିର ବାର୍ତ୍ତା ବାହକ) ଏବଂ ଶେଷରେ କଳ୍‌କୀ ଅବତାର (ସମ୍ପୂର୍ଣ୍ଣ ଭାବେ କଳିର କବ୍‌ଜାରେ ଥିବା ଦୁନିଆର ଶେଷ ନିର୍ଯାସର ପ୍ରତୀକ)।
ଭେଷଜ ବିଜ୍ଞାନ ଓ ଶରୀର ତତ୍ତ୍ୱର ଗବେଷକ, ନୋବେଲ ପୁରସ୍କାରପ୍ରାପ୍ତ ୱେର୍ଣ୍ଣର ଆର୍ବରଙ୍କ ମତରେ ”ଯଦିଓ ମୁଁ ଜଣେ ଜୀବ ବିଜ୍ଞାନୀ, ତଥାପି ମୁଁ ଜାଣିପାରୁ ନାହିଁ ‘ଜୀବନ’ କିପରି ସୃଷ୍ଟି ହେଲା। ନିଃସନ୍ଦେହରେ ମୁଁ ମୋର ଏହି ଅଜ୍ଞତାକୁ ସ୍ବୀକାର କରି ନେଉଛି। ଜଣେ କେହି ସ୍ରଷ୍ଟା ଏହା ପଛରେ ଥିବାର ପ୍ରତୀୟମାନ ହୁଏ।“ ବିଶିଷ୍ଟ ବିଜ୍ଞାନୀ ନିଲସ ବୋରଙ୍କ ମତରେ ”ପଦାର୍ଥ ବିଜ୍ଞାନ ଓ ରସାୟନ ବିଜ୍ଞାନରେ ‘ଚେତନା’ ତତ୍ତ୍ୱର କୌଣସି ସନ୍ଧାନ ମିଳେ ନାହିଁ। ତଥାପି ଆମେ ଜାଣୁ ଯେ, ‘ଚେତନା’ ବୋଲି କିଛି ଗୋଟିଏ ଅଛି, ଯାହା କି ଆମେ ନିଜ ଭିତରେ ଧାରଣ କରିଥାଉ। ଏଣୁ ଚେତନା ମଧ୍ୟ ନିଶ୍ଚିତ ଭାବେ ପ୍ରକୃତିର ଏକ ଅଙ୍ଗ ହୋଇଥିବ। ଏ ସମ୍ବନ୍ଧେ ଗଭୀର ଅନୁଶୀଳନ ଲୋଡ଼ା। ନୋବେଲ ପୁରସ୍କାରପ୍ରାପ୍ତ ପଦାର୍ଥ ବିଜ୍ଞାନୀ ଚାର୍ଲସ ଟୋନ୍ସଙ୍କ କହିବା ଅନୁଯାୟୀ ”କେତେକ ବୈଜ୍ଞାନିକ କହନ୍ତି – ‘ମୁଁ ଈଶ୍ୱର ବା ଧର୍ମରେ ବିଶ୍ୱାସ ସ୍ଥାପନ କରିପାରିବି ନାହିଁ।’ ଯେବେ ତୁମେ ତାଙ୍କୁ ପ୍ରଶ୍ନ କର – ‘ଆପଣ ଭାବୁଛନ୍ତି କି ଆପଣଙ୍କର ସ୍ବାଧୀନ ଇଚ୍ଛାଶକ୍ତି ଅଛି, ଯେଉଁ ଦିଗକୁ ଇଚ୍ଛା କରିବେ ସେ ଦିଗରେ ବିକାଶ କରିପାରିବେ?’ ସେମାନେ କିନ୍ତୁ ଏଥିରେ ସ୍ପଷ୍ଟ ଉତ୍ତର ଦେଇପାରନ୍ତି ନାହିଁ। ମୁଁ କିନ୍ତୁ ମୋ ଚାରିପାଶେ ଜଣେ କେହି ସୃଷ୍ଟିକର୍ତ୍ତାଙ୍କ ଉପସ୍ଥିତି ଓ ହସ୍ତକ୍ଷେପକୁ ଅନୁଭବ କରେ।“ ବିଶ୍ୱ ବିଖ୍ୟାତ ବୈଜ୍ଞାନିକ ସାର୍‌ ଆଇଜାକ ନିଉଟନଙ୍କ ଭାଷାରେ ”ଏପରି ଏକ ସୁନ୍ଦର ସୃଷ୍ଟି ପଛରେ ଜଣେ ସର୍ବଶ୍ରେଷ୍ଠ ବିଜ୍ଞ ଓ ସର୍ବଶକ୍ତିମାନ ସତ୍ତା (ପରମାତ୍ମା)ଙ୍କର ହାତ ନିଶ୍ଚିତ ଅଛି। ଉପରୁ ଖସୁଥିବା ଉଲ୍‌କାର ଗତିକୁ ବରଂ ମାପିପାରିବି କିନ୍ତୁ ମଣିଷର ପାଗଳପଣକୁ (ନାସ୍ତିକତା ସମ୍ବନ୍ଧେ) କଦାପି ନୁହଁ।“ ଆମ ସମୟର ବିଶିଷ୍ଟ ବୈଜ୍ଞାନିକ ଭାରତ ରତ୍ନ ଅବଦୁଲ କଲାମଙ୍କ ସ୍ବୀକାରୋକ୍ତି ହେଉଛି ‘ଏଠି, ସେଠି, ସବୁଠି ଅଛନ୍ତି ଈଶ୍ୱର।’ ବିଶିଷ୍ଟ ବୈଜ୍ଞାନିକ ଥମାସ ଆଲଫା ଏଡିସନଙ୍କ ଅନୁଯାୟୀ ”ଦୁନିଆର ପ୍ରତିଟି ସ୍ରଷ୍ଟା ବା ବିନ୍ଧାଣୀଙ୍କ ପ୍ରତି ମୋର ଯଥେଷ୍ଟ ସମ୍ମାନବୋଧ ରହିଛି। ବିଶେଷକରି ଦୁନିଆର ଶ୍ରେଷ୍ଠ ସ୍ରଷ୍ଟା ଈଶ୍ୱରଙ୍କ ପ୍ରତି ତ ମୁଁ ଗଭୀର କୃତଜ୍ଞ।“ ନୋବେଲ ପୁରସ୍କାରପ୍ରାପ୍ତ ବିଶିଷ୍ଟ ବିଜ୍ଞାନୀ ମାର୍କୋନି ତ କହୁଥିଲେ ”ମୁଁ ପ୍ରଚଣ୍ଡ ଈଶ୍ୱର ବିଶ୍ୱାସୀ ବୋଲି ଗର୍ବର ସହିତ ନିଜକୁ ଘୋଷଣା କରେ। କେବଳ ଜଣେ କ୍ୟାଥୋଲିକ ଭାବେ ନୁହେଁ, ଜଣେ ବୈଜ୍ଞାନିକ ହିସାବରେ ମଧ୍ୟ ପ୍ରାର୍ଥନାର ଶକ୍ତି ଉପରେ ମୁଁ ବିଶ୍ୱାସ ରଖେ।“ ନୋବେଲ ପୁରସ୍କାରପ୍ରାପ୍ତ, ଅପାରମାଣିକ ତତ୍ତ୍ୱର ଜନକ, ମ୍ୟାକ୍ସ ପ୍ଲାଙ୍କ ମତ ହେଉଛି – ”ବ୍ରହ୍ମାଣ୍ଡର ଶୃଙ୍ଖଳା ଓ ଭଗବାନଙ୍କ ସହିତ ଜଡିତ ହେବାକୁ, ଆମକୁ କୌଣସି ପ୍ରକାର କେହି ପ୍ରତିରୋଧ କରେନି। ବରଂ ଆମ ଜ୍ଞାନର ବେଗବଳ ତାହା ଚାହିଁଥାଏ। ଈଶ୍ୱର ବିଶ୍ୱାସୀଙ୍କ ପାଇଁ ଡାକ ମାତ୍ରେ ହିଁ ସେ ଆସି ପହଞ୍ଚି ଯାଉଥିଲା ବେଳେ, ଆମପରି ବୈଜ୍ଞାନିକମାନଙ୍କ ପ୍ରାର୍ଥନା/ ଗବେଷଣା ଶେଷରେ ସେ ଆସି ପହଞ୍ଚନ୍ତି।“
ବିଶିଷ୍ଟ ରକେଟ ବିଜ୍ଞାନୀ ତଥା ମହାକାଶ ସ୍ଥପତି ବ୍ରାଉନ କହିଥିଲେ – ”ସବୁକିଛିର ଉପରେ ଭଗବାନଙ୍କ ଗରିମା ଅଛି, ଯିଏ ଏହି ବିଶ୍ୱ ବ୍ରହ୍ମାଣ୍ଡକୁ ଖୁବ୍‌ ସୁନ୍ଦର ଭାବେ ସଂରଚନା କରିଛନ୍ତି; ଯାହାକୁ ଜାଣିବାକୁ ବା କିଛି ଆବିଷ୍କାର କରିବାକୁ ବିଜ୍ଞାନ ଅହରହ ଉଦ୍ୟମ ଜାରି ରଖିଛି। ବିଶିଷ୍ଟ ଗଣିତଜ୍ଞ ତଥା ବୈଜ୍ଞାନିକ କାର୍ଲ ଫେଡରିଚ ଗସଙ୍କ କହିବା ଅନୁଯାୟୀ -”ଜୀବନର ପ୍ରତିଟି ଛନ୍ଦରେ ଯାହାଙ୍କ ଉଜ୍ଜ୍ୱଳ ଉପସ୍ଥିତି ଅନୁବାଦ କରୁଥିଲୁ, ଜୀବନର ଶେଷ ଘଣ୍ଟା ବାଜିଲେ, ସେହି ଲୀଳାମୟଙ୍କ ଦିବ୍ୟ ଦର୍ଶନରେ ଆମେ ବିଭୋର ହୋଇ ଉଠିବୁ।“ ପ୍ରଖ୍ୟାତ ରସାୟନ ବିଜ୍ଞାନୀ ଜୁଲିୟାସ ଲେବିଗଙ୍କ ମତରେ -”ପ୍ରକୃତି ହେଉଛି ବିରାଟ ପୁସ୍ତକଟିଏ। ଅପରିସୀମ ଜ୍ଞାନର ଗନ୍ତାଘର ଥିବା ପ୍ରକୃତିରୁ ଆମେ ପ୍ରଗାଢ଼ ଉଦ୍ୟୋଗ ବଳରେ ଯେବେ ସାମାନ୍ୟ କିଛି ଭେଦ ବା ରହସ୍ୟ ଜାଣିବାରେ ସକ୍ଷମ ହେଉ, ସେତେବେଳେ ସୃଷ୍ଟିକର୍ତ୍ତାଙ୍କ ମହାନତା ଓ କୁଶଳତା ସମ୍ବନ୍ଧେ ବୁଝାପଡେ ।
ମାର୍କୋନିଙ୍କ ପୂର୍ବରୁ ରେଡିଓ ତରଙ୍ଗର ଉଦ୍ଭାବକ, ଭାରତର ଯଶସ୍ବୀ ବୈଜ୍ଞାନିକ,ଆଧ୍ୟାତ୍ମିକବାଦୀ ଜଗଦୀଶ ଚନ୍ଦ୍ର ବୋଷଙ୍କୁ ବିଶ୍ୱକବି ରବୀନ୍ଦ୍ର ନାଥ ଟାଗୋର ‘ତପସ୍ବୀ’ ବୋଲି ସମ୍ବୋଧିତ କରୁଥିଲେ। ସେମିତି ବି ଶରୀର ତତ୍ତ୍ୱ ଉପରେ ନୋବେଲ ପୁରସ୍କାର ପାଇଥିବା ଭେଷଜ ବିଜ୍ଞାନୀ ଚାଲର୍‌ସ ରବର୍ଟ ରିଚେଟ ତ ପ୍ରଚଣ୍ଡ ଆଧ୍ୟାତ୍ମିକବାଦୀ ଥିଲେ, ଯିଏ କି ଅଧ୍ୟାତ୍ମ ବିଦ୍ୟାକୁ ମଧ୍ୟ ବିଜ୍ଞାନ ଭାବେ ସ୍ବୀକୃତି ଦେବାକୁ ଦାବି କରୁଥିଲେ। ଆମର କଣାଦ, ଆର୍ଯ୍ୟଭଟ୍ଟ, ଚରକ, ଶୁଶ୍ରୂତ, ମହର୍ଷି ରମଣ, ବରାହ ମିହିର ପ୍ରମୁଖ ଆଧ୍ୟାତ୍ମିକତାର ଶିଖର ଛୁଇଁଥିବା ଭାରତର ଋଷିମାନେ ତ ଜଣେ ଜଣେ ସଫଳ ବିଜ୍ଞାନୀ ଥିଲେ।
ଅତଏବ, ଆମେ ସର୍ବଦା ସୃଷ୍ଟିର କଲ୍ୟାଣ ପାଇଁ ତାଙ୍କୁ ପ୍ରାର୍ଥନା କରିବା ଉଚିତ। କାରଣ, ଈଶ୍ୱରଙ୍କୁ ସ୍ବୀକାର ଓ ତାଙ୍କ ଆଶୀର୍ବାଦ ବିନା ବିଜ୍ଞାନ ବି ବାଟବଣା ହେବା କିଛି ବିଚିତ୍ର ନୁହେଁ। ଏଇ ଯେମିତି, ସାମାନ୍ୟ ଭୂତାଣୁଟିଏ ବର୍ଷାଧିକ କାଳ ଆମ ବୁଦ୍ଧିବଣା କରି ଆମକୁ କନ୍ଦେଇ ଦେଲା। ସେଥିରୁ ବର୍ତ୍ତିବାକୁ ବିଜ୍ଞାନ ବି ବାଟ ପାଇଲା ନାହିଁ।
ଗୋଡିଶୂଳ, ସଜନାଗଡ଼, ବାଲେଶ୍ବର
ମୋ- ୯୪୩୭୪୩୬୦୭୩
unbiswsl05@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଯୋଗ ବିୟୋଗର କାହାଣୀ

ସାମାଜିକ ସଂରଚନାରେ ମଧ୍ୟବିତ୍ତ ଶ୍ରେଣୀ ଏପରି ଏକ ଅଦୃଶ୍ୟ ସେତୁ, ଯିଏ ଗରିବର ଅଭାବ ଏବଂ ଧନୀର ବୈଭବ ମଝିରେ ନିଜକୁ ସନ୍ତୁଳିତ ରଖିବାକୁ ଆପ୍ରାଣ ଚେଷ୍ଟା…

କେବଳ ରାଜନୈତିକ ବିଜୟ ନୁହେଁ, ବିକାଶର ଉଦ୍‌ଘୋଷ

ସଦ୍ୟ ୪ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରୀରେ ସମାପ୍ତ ହୋଇଥିବା ନିର୍ବାଚନ ଏବଂ ସୋମବାର ପ୍ରକାଶିତ ହୋଇଥିବା ଏହାର ଫଳାଫଳ ଭାରତୀୟ ଗଣତାନ୍ତ୍ରିକ ଇତିହାସରେ…

ନେତା ମତଦାତା

ପୂର୍ବରୁ ଥିଲା ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ନାମ ଓ ମୁହଁ ଜଣା ନ ପଡ଼ିଲେ ବିଧାନସଭା ନିର୍ବାଚନ ଲଢ଼ିବା କଷ୍ଟକର। ଏଥିସହିିତ ସବୁବେଳେ କୁହାଯାଉଥିଲା ‘ବିକଳ୍ପ କିଏ’। ଇଂଲିଶ୍‌ରେ…

ଏଇ ଭାରତରେ

ଜଳବାୟୁ ପରିବର୍ତ୍ତନ ସଙ୍କଟ ଗମ୍ଭୀର ହେବାରେ ଲାଗିଛି। ପ୍ରାକୃତିକ ବିପର୍ଯ୍ୟୟର ତୀବ୍ରତା ବୃଦ୍ଧି ପାଉଥିବାବେଳେ କୃଷି ଓ ଜୀବନ ଜୀବିକା ପ୍ରଭାବିତ ହେଉଛି। ଏହାକୁ ନେଇ ଜାତୀୟ…

ଶେଷ ଧାଡ଼ିର ସ୍ବର

ଜଣେ ସରଳ, ଆଦିବାସୀ ମଣିଷର ବ୍ୟାଙ୍କକୁ ‘ଗୁହାରି’ ସାରା ବିଶ୍ୱକୁ ଚକିତ କଲା। ନିଜ ମୃତ ଭଉଣୀର ଖାତାରେ ଥିବା ଟଙ୍କା ଉଠାଣ ପାଇଁ କେତେଥର ବ୍ୟାଙ୍କକୁ…

ପରା ଓ ଅପରା ବିଦ୍ୟା

ବିଦ୍ୟା ୟା ବିମୁକ୍ତୟେ’ ଏମନ୍ତ ଆପ୍ତ ବାକ୍ୟ ସହିତ ସମସ୍ତେ ଊଣା ଅଧିକେ ଅବଗତ। ବିଷ୍ଣୁ ପୁରାଣରେ ଉଲ୍ଲିଖିତ ଏହି କଥାଟି ଏକ ଅବିସମ୍ବାଦିତ ସତ୍ୟ ଭାବରେ…

୩ ବର୍ଷ ପରେ ମଣିପୁର

ମଣିପୁରରେ ୨୦୨୩ ମେ’ ୩ରେ ଘଟିଥିବା ଜାତିଆଣ ହିଂସାକୁ ଏବେ ୩ ବର୍ଷ ପୂରିଛି। ଏହି ସମୟ ମଧ୍ୟରେ ନିର୍ବାଚିତ ମୁଖ୍ୟମନ୍ତ୍ରୀ ଏନ୍‌. ବୀରେନ୍‌ ସିଂ ପଦବୀରୁ…

ଏଇ ଭାରତରେ

ନଡ଼ିଆକତାକୁ ସାମଗ୍ରୀ ତିଆରି କରିବାରେ ଯେତିକି ବ୍ୟବହାର କରାଯାଉଛି ତାହାଠାରୁ ଅଧିକ ବର୍ଜ୍ୟ ଆକାରରେ ପିଙ୍ଗି ଦିଆଯାଉଛି। ତେବେ ଏହି କତା ବର୍ଜ୍ୟକୁ କେରଳର ଅର୍ଦ୍ରା ନାୟର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri