କେନ୍ଦୁଝର,୨୧।୧୧(ନରେଶ ପଟ୍ଟନାୟକ): ଭାରସାମ୍ୟ ହରାଇ ବ୍ରିଜ ତଳକୁ ଖସିପଡ଼ିଲା ସ୍କୁଲ ଭ୍ୟାନ। ପ୍ରାୟ ୧୫ ଫୁଟ ତଳକୁ ଖସିଥିବା ଭ୍ୟାନ୍ର ଡ୍ରାଇଭର ସାମାନ୍ୟ ଆହତ ହୋଇଛନ୍ତି। ତେବେ ଦୁର୍ଘଟଣା ସମୟରେ ଗାଡ଼ିରେ କୌଣସି ଛାତ୍ରୀଛାତ୍ର ନ ଥିବାରୁ ଏକ ବଡ଼ ଅଘଟଣ ଟଳିଯାଇଛି। କେନ୍ଦୁଝର-ପାଟଣା ରାସ୍ତାର ବାଁପାର ଗ୍ରାମ ନିକଟ ଅରଡେଇ ନଦୀ ବ୍ରିଜ୍ରେ ଏହି ଦୁର୍ଘଟଣା ଘଟିଛି।
ସୂଚନା ଅନୁଯାୟୀ, କେନ୍ଦୁଝର ଡିମ୍ବୋସ୍ଥିତ ସିଟିଜି ସ୍କୁଲ ଏହି ଭ୍ୟାନ୍ ପିଲାଙ୍କୁ ଆଣିବା ପାଇଁ ସହର ଅଭିମୁଖେ ଆସୁଥିଲା। ଏହି ସମୟରେ ଟାଉନ ଥାନା ଅନ୍ତର୍ଗତ ବାଁପାର ନିକଟରେ ଡ୍ରାଇଭର ଗାଡ଼ିର ଭାରସାମ୍ୟ ହରାଇଥିଲେ। ଫଳରେ ଭ୍ୟାନ୍ଟି ବ୍ରିଜ ତଳକୁ ପ୍ରାୟ ୧୫ ଫୁଟ ଖସିପଡ଼ିଥିଲା।
ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ଦ୍ରୁତଗତି ଓ ବେପରୁଆ ଗାଡ଼ି ଚାଳନା ଯୋଗୁ ଏହି ଦୁର୍ଘଟଣା ଘଟିଛି। ତେବେ ଦୁର୍ଘଟଣାର ପ୍ରକୃତ କାରଣ ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି ପୋଲିସ କହିଛି। ଏନେଇ ଟାଉନ ଥାନା ଅଧିକାରୀ ଶ୍ରୀକାନ୍ତ ସାହୁ କହିଛନ୍ତି ଯେ, ଦୁର୍ଘଟଣା ସମୟରେ ଭ୍ୟାନ୍ରେ କୌଣସି ଛାତ୍ରୀଛାତ୍ର ନଥିଲେ। ଡ୍ରାଇଭର ସାମାନ୍ୟ ଆହତ ହୋଇଥିବାବେଳେ ଏକ ବଡ଼ ଅଘଟଣରୁ ରକ୍ଷା ମିଳିଛି।
Dharitri – Odisha’s No.1 Odia Daily

