ଇସଲାମବାଦ,୧୫ା୧୦: ପାକିସ୍ତାନର ପେଶାୱରରେ ଏକ ସ୍କୁଲ୍ର ଛାତ ଭୁଶୁଡ଼ି ପଡ଼ିବାରୁ ଏକ ବଡ଼ ଅଘଟଣ ଘଟିଛି । ଏହି ଦୁର୍ଘଟଣାରେ ୨୦ ଜଣ ଛାତ୍ରୀଛାତ୍ରଙ୍କ ସହ ଜଣେ ଶିକ୍ଷୟିତ୍ରୀଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଛି। ଏହାସହ ୨୧ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି । ଘଟଣା ପରେ ହସ୍ପିଟାଲ୍ରେ ଜରୁରୀକାଳୀନ ସେବା ଘୋଷଣା କରାଯାଇଛି।
ରିପୋର୍ଟ ଅନୁଯାୟୀ, ପେଶାୱରର ‘ଅଲ୍ ଖୈର ସ୍କୁଲ୍’ର ଛାତ ଭୁଶୁଡ଼ି ପଡ଼ିବାରୁ ଅନେକ ଛାତ୍ରୀଛାତ୍ର ଭଙ୍ଗା ଅଂଶ ତଳେ ଚାପି ହୋଇଯାଇଥିଲେ। ମୃତ ଛାତ୍ରୀଛାତ୍ରଙ୍କ ବୟସ ୭ରୁ ୧୨ ବର୍ଷ ମଧ୍ୟରେ ଥିବା ଜଣାପଡ଼ିଛି । ସେମାନଙ୍କ ମଧ୍ୟରେ ୧୮ ଜଣ ବାଳକ ଓ ୨ ଜଣ ବାଳିକା ଅଛନ୍ତି। ଘଟଣା ସମୟରେ ପିଲାମାନେ ଶ୍ରେଣୀଗୃହରେ ଥିଲେ। ଦୁର୍ଘଟଣା ପରେ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଭଙ୍ଗା ଛାତ ଓ ମାଟି ତଳୁ ପିଲାମାନଙ୍କୁ ଉଦ୍ଧାର କରିବା ପାଇଁ ଅଭିଯାନ ଚଳାଇଥିଲେ। ଆହତମାନଙ୍କୁ ଲେଡି ରିଡିଂ ହସ୍ପିଟାଲ୍କୁ ନିଆଯାଇଛି।
ଘଟଣାସ୍ଥଳରେ ପହଞ୍ଚିଥିବା ଜଣେ ଅଭିଭାବକ ଗଣମାଧ୍ୟମକୁ କହିଛନ୍ତି ଯେ ତାଙ୍କର ୬ ଜଣ ପିଲା ଏହି ସ୍କୁଲ୍ରେ ପଢ଼ୁଛନ୍ତି । ସକାଳ ପ୍ରାୟ ୮ଟା ୫୦ରେ ତାଙ୍କ ପାଖକୁ ଫୋନ୍ ଆସିଥିଲା। ଏହାପରେ ସେ ପ୍ରାୟ ୧୦ ମିନିଟ୍ ମଧ୍ୟରେ ସ୍କୁଲ୍ରେ ପହଞ୍ଚିଥିଲେ। ଭୁଶୁଡ଼ି ପଡ଼ିଥିବା କୋଠାକୁ ଦେଖି ସେ ତାଙ୍କ ପୁଅର ମୃତ୍ୟୁ ହୋଇଥିବା ଭାବି ଭୟଭୀତ ହୋଇପଡ଼ିଥିଲେ । ତେବେ ସୌଭାଗ୍ୟବଶତଃ ତାଙ୍କ ପୁଅ ପାଣି ପିଇବା ପାଇଁ ଶ୍ରେଣୀଗୃହରୁ ବାହାରକୁ ଯାଇଥିବାରୁ ବଞ୍ଚିଯାଇଥିଲା। ସେ ଆଠ ବର୍ଷରୁ କମ୍ ବୟସର ତିନି ଜଣ ଝିଅଙ୍କୁ ମଧ୍ୟ ଉଦ୍ଧାର କରିଥିବା କହିଛନ୍ତି।
ଏହି ଘଟଣାକୁ ନେଇ ରାଜ୍ୟପାଳ ଫୈସଲ କରିମ କୁଣ୍ଡି ଏହି ଦୁଃଖଦ ଘଟଣାରେ ଶୋକ ପ୍ରକାଶ କରିଛନ୍ତି । ସେ ଘଟଣା ସମ୍ପର୍କରେ ବିସ୍ତୃତ ରିପୋର୍ଟ ମାଗିବା ସହ ଛାତ ଭୁଶୁଡ଼ିବାର କାରଣ ଖୋଜିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ନିରୀହ ପିଲାମାନଙ୍କ ଜୀବନହାନି ଏକ ଅତ୍ୟନ୍ତ ଦୁଃଖଦ ଘଟଣା ବୋଲି ସେ କହିଛନ୍ତି। ଆହତ ପିଲାମାନଙ୍କୁ ଉନ୍ନତ ଚିକିତ୍ସା ଯୋଗାଇଦେବାକୁ ମଧ୍ୟ ସେ ସମ୍ପୃକ୍ତ ଅଧିକାରୀଙ୍କୁ କହିଛନ୍ତି।
ପାକିସ୍ତାନରେ ନିମ୍ନମାନର ନିର୍ମାଣ ସାମଗ୍ରୀ ଓ ସୁରକ୍ଷା ନିୟମର ଅଭାବ ଯୋଗୁଁ କୋଠା ଓ କାନ୍ଥ ଭୁଶୁଡ଼ିବା ଘଟଣା ଘଟୁଥିବା ରିପୋର୍ଟରେ ଉଲ୍ଲେଖ ରହିଛି। ଏହା ପୂର୍ବରୁ ଜୁଲାଇ ମାସରେ ଉମରକୋଟ ନିକଟରେ ଏକ ସରକାରୀ ପ୍ରାଥମିକ ସ୍କୁଲ୍ର ବାହାର କାନ୍ଥ ଭୁଶୁଡ଼ି ପଡ଼ିବାରୁ ୩ରୁ ୧୩ ବର୍ଷ ବୟସର ତିନି ଜଣ ଝିଅଙ୍କ ମୃତ୍ୟୁ ହୋଇଥିଲା।

