ଦେବଗଡ଼, ୫।୧୧(ଶଶାଙ୍କ ଶେଖର ଝାଙ୍କର):ଫେସବୁକ୍ ବନ୍ଧୁତା, ପରେ ପ୍ରେମ ସମ୍ପର୍କ ଏବଂ ବିବାହର ପ୍ରତିଶ୍ରୁତି ଦେଇ ଜଣେ ଦିବ୍ୟାଙ୍ଗ ଯୁବତୀଙ୍କୁ ଶାରୀରିକ ସମ୍ପର୍କ ପାଇଁ ପ୍ରଲୋଭିତ କରିବା ଓ ପରବର୍ତ୍ତୀ ସମୟରେ ପ୍ରତାରଣା କରିବା ଅଭିଯୋଗରେ ଜଣେ ଯୁବକଙ୍କୁ ଗିରଫ କରିଛି ଦେବଗଡ଼ ଥାନା ପୋଲିସ। ଗିରଫ ଅଭିଯୁକ୍ତ ହେଲେ ଅନୁଗୋଳ ଜିଲା ସମଲ ଥାନା ଅନ୍ତର୍ଗତ ଗଣିବସା ଗ୍ରାମର ସନାତନ ନାଏକ। ତାଙ୍କୁ କୋର୍ଟ ଚାଲାଣ କରାଯିବା ପରେ ଜାମିନ ଆବେଦନ ଖାରଜ ହେବାରୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।
ପୋଲିସ ସୂତ୍ରରୁ ପ୍ରକାଶ ଯେ, ବାରକୋଟ ଥାନା ଅଞ୍ଚଳର ଜଣେ ୨୦ ବର୍ଷୀୟା ଦିବ୍ୟାଙ୍ଗ ଯୁବତୀ ଦେବଗଡ଼ ସହରରେ ଏକ ଭଡ଼ାଘରେ ରହି ପାଠ ପଢ଼ୁଥିଲେ। ଏହି ସମୟରେ ଅଭିଯୁକ୍ତ ସନାତନ ଫେସବୁକ ଜରିଆରେ ତାଙ୍କ ସହ ବନ୍ଧୁତା ସ୍ଥାପନ କରିଥିଲେ। ପରେ ମୋବାଇଲ ନମ୍ବର ନେଇ ଉଭୟଙ୍କ ମଧ୍ୟରେ ନିୟମିତ କଥାବାର୍ତ୍ତା ହେଉଥିଲା।
ଅଭିଯୋଗ ଅନୁଯାୟୀ, ୨୦୨୫ ସେପ୍ଟେମ୍ବରରେ ସନାତନ ଯୁବତୀଙ୍କ ଭଡ଼ାଘରକୁ ଆସି ସାକ୍ଷାତ କରିଥିଲେ। ପରବର୍ତ୍ତୀ ମାସ ଅର୍ଥାତ୍ ଅକ୍ଟୋବରରେ ପୁଣି ଆସି ତାଙ୍କୁ ବିବାହ କରିବାର ପ୍ରତିଶ୍ରୁତି ଦେଇଥିଲେ। ଏହାପରେ ୨୦୨୬ ଜୁନ ମାସ ମଧ୍ୟରେ ଯୁବତୀଙ୍କ ଭଡ଼ାଘରକୁ ଆସି ଏକାଧିକବାର ତାଙ୍କ ସହ ଶାରୀରିକ ସମ୍ପର୍କ ସ୍ଥାପନ କରିଥିବା ଯୁବତୀ ଅଭିଯୋଗ କରିଛନ୍ତି। ଯୁବତୀଙ୍କ ଅନିଚ୍ଛା ସତ୍ତ୍ୱେ ଅଭିଯୁକ୍ତ ତାଙ୍କ କଥା ଶୁଣୁ ନ ଥିବା ମଧ୍ୟ ଅଭିଯୋଗରେ ଉଲ୍ଲେଖ ରହିଛି।
ଏହାପରେ ଯୁବତୀ ଜଣକ ସନାତନଙ୍କ ସହ ଯୋଗାଯୋଗ କରିବାକୁ ବାରମ୍ବାର ଫୋନ କରିଥିଲେ ମଧ୍ୟ ତାଙ୍କ ମୋବାଇଲ ସୁଇଚ ଅଫ ରହୁଥିବାରୁ ସମ୍ପର୍କ ହୋଇପାରି ନ ଥିଲା। ଶେଷରେ ଗତ ସେପ୍ଟେମ୍ବର ମାସରେ ସନାତନ ଫୋନ କରି ଯୁବତୀଙ୍କୁ ବିବାହ କରିବେ ନାହିଁ ବୋଲି ସ୍ପଷ୍ଟ ମନା କରିଦେଇଥିଲେ। ଏଥିସହ ଘଟଣା ସମ୍ପର୍କରେ କାହାକୁ ଜଣାଇଲେ ଜୀବନରୁ ମାରିଦେବାକୁ ଧମକ ଦେଇଥିବା ଯୁବତୀ ଅଭିଯୋଗ କରିଛନ୍ତି।
ଏନେଇ ଯୁବତୀ ଗତ ସେପ୍ଟେମ୍ବର ୧୧ ତାରିଖରେ ଦେବଗଡ଼ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୋଲିସ ଅଭିଯୋଗ ଆଧାରରେ ସନାତନଙ୍କ ବିରୋଧରେ ବିଭିନ୍ନ ଦଫାରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ପରେ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଅଦାଲତରେ ଜାମିନ ନାମଞ୍ଜୁର ହେବାରୁ ଅଭିଯୁକ୍ତଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି।
Dharitri – Odisha’s No.1 Odia Daily

