ନୂଆଦିଲ୍ଲୀ, ୫।୧୧: ବୁଧବାର ଖେଳାଯାଇଥିବା ପ୍ରଥମ ଦିନିକିଆରେ ନ୍ୟୁଜିଲାଣ୍ଡକୁ ୫ ଉଇକେଟ୍ରେ ପରାସ୍ତ କରିଛି ଭାରତ। ଏହି ବିଜୟ ପରେ ଟିମର ବୋଲିଂ ଓ ଫିଲ୍ଡିଂକୁ ନେଇ ଖୁବ ପ୍ରଶଂସା କରିଛନ୍ତି ଅଧିନାୟକ ଶୁଭମନ ଗିଲ। ବିଶେଷ କରି ଡାରିଲ ମିଚେଲଙ୍କୁ ରୋହିତ ଶର୍ମା ରନଆଉଟ କରିଥିବା ଶୈଳୀକୁ ସେ ମ୍ୟାଚ୍ର ଟର୍ଣ୍ଣିଂ ପଏଣ୍ଟ ବୋଲି କହିଛନ୍ତି।
ମ୍ୟାଚର ୨୨ତମ ଓଭରରେ ଗ୍ଲେନ ଫିଲିପ୍ସ ଅକ୍ଷର ପଟେଲଙ୍କ ବଲ୍କୁ ଲେଗ ସାଇଡରେ ଖେଳି ଗୋଟିଏ ରନ ନେବାକୁ ଉଦ୍ୟମ କରିଥିଲେ। ଏହି ସମୟରେ ଡାରିଲ ମିଚେଲ ଓ ଗ୍ଲେନ ଫିଲିପ୍ସଙ୍କ ମଧ୍ୟରେ ସାମାନ୍ୟ ଭୁଲ ବୁଝାମଣା ହୋଇଥିଲା। ଏହାର ଫାଇଦା ଉଠାଇଥିଲେ ରୋହିତ ଶର୍ମା। ସେ ଉଇକେଟ୍ରେ କେଏଲ ରାହୁଲଙ୍କ ଆଡ଼କୁ ଅଣ୍ଡରଆର୍ମ ଥ୍ରୋ କରିଥିଲେ ଏବଂ ରାହୁଲ ତୁରନ୍ତ ବେଲ୍ସ ଖସାଇ ଦେଇଥିଲେ। ସେତେବେଳକୁ ମିଚେଲ କ୍ରିଜ ବାହାରେ ଥିଲେ। ଫଳରେ ନ୍ୟୁଜିଲାଣ୍ଡ ପଞ୍ଚମ ଉଇକେଟ୍ ହରାଇଥିଲା।
ମ୍ୟାଚ ପରେ ଶୁଭମନ ଗିଲ କହିଥିଲେ, ଆମର ବୋଲିଂ ବହୁତ ଭଲ ଥିଲା ଏବଂ ଫିଲ୍ଡିଂ ମଧ୍ୟ ଚମତ୍କାର ରହିଥିଲା। ମୋ ମତରେ ରୋହିତ ଭାଇଙ୍କ ସେହି ରନଆଉଟ ମ୍ୟାଚର ଗତି ବଦଳାଇ ଦେଇଥିଲା। ମିଚେଲ ଓ ଫିଲିପ୍ସଙ୍କ ଭାଗୀଦାରି ବାସ୍ତବରେ ବିପଜ୍ଜନକ ଥିଲା। ଭାରତରେ ମଧ୍ୟ ଏହି ଦୁଇ ଖେଳାଳି ଭଲ ବ୍ୟାଟିଂ କରିଥିଲେ। ମୋଟାମୋଟି ଭାବେ ଆମ ଦଳର ପ୍ରଦର୍ଶନ ବହୁତ ଭଲ ଥିଲା। ପ୍ଲେୟାର ଅଫ ଦ ମ୍ୟାଚ ଅଂଶୁଲ କାମ୍ବୋଜଙ୍କୁ ମଧ୍ୟ ଗିଲ ଖୁବ ପ୍ରଶଂସା କରିଥିଲେ। ସେ କହିଥିଲେ, ଅଂଶୁଲ ଏଭଳି ଜଣେ ବୋଲର, ଯିଏ ଏହି ପିଚ ପାଇଁ ସମ୍ପୂର୍ଣ୍ଣ ଉପଯୁକ୍ତ। ସେ ସବୁବେଳେ ଦ୍ରୁତ ବୋଲିଂ କରନ୍ତି, ବଲକୁ ସିମ କରାଇବାକୁ ଚେଷ୍ଟା କରନ୍ତି ଏବଂ ପୁରୁଣା ବଲରେ ମଧ୍ୟ ଭଲ ବୋଲିଂ କରନ୍ତି।
ଗିଲ ଆହୁରି କହିଥିଲେ, ଆମକୁ ଲାଗିଥିଲା ଯେତେବେଳେ ପିଚରେ ବୋଲରଙ୍କୁ ବିଶେଷ ସହାୟତା ମିଳିବ ନାହିଁ, ସେତେବେଳେ ଅଂଶୁଲ ନିଜ ବୋଲିଂରେ ଅତିରିକ୍ତ ବାଉନ୍ସ ସୃଷ୍ଟି କରିପାରିବେ। ତାଙ୍କ ଗତି ଏବଂ ଆଜି ରାତିରେ ଉଭୟ ବୋଲର ଯେଉଁଭଳି ବୋଲିଂ କରିଥିଲେ, ତାହା ପ୍ରକୃତରେ ଚମତ୍କାର ଥିଲା।
ବାରମ୍ବାର ବର୍ଷା ଯୋଗୁ ବାଧାପ୍ରାପ୍ତ ଏହି ମ୍ୟାଚ୍ରେ ବିରାଟ କୋହଲି ଚମତ୍କାର ୭୪ ରନର ଇନିଂସ ଖେଳି ଭାରତକୁ ବିଜୟୀ କରାଇଥିଲେ। ଦିନିକିଆ କ୍ରିକେଟରେ ଏହା କୋହଲିଙ୍କ ୮୦ତମ ଅର୍ଦ୍ଧଶତକ ଥିଲା। ତାଙ୍କ ୩୮ତମ ଜନ୍ମଦିନର ଠିକ ଗୋଟିଏ ଦିନ ପୂର୍ବରୁ ସେ ଏହି ସଫଳତା ହାସଲ କରିଥିଲେ।
ବର୍ଷା ଯୋଗୁ ଡକୱର୍ଥ-ଲୁଇସ ନିୟମ ଅନୁସାରେ ଭାରତର ଲକ୍ଷ୍ୟ ୩୨ ଓଭରରେ ୧୪୩ ରନ ଧାର୍ଯ୍ୟ କରାଯାଇଥିଲା। କୋହଲି ଓ ଶୁଭମନ ଗିଲ ଦ୍ୱିତୀୟ ଉଇକେଟ୍ ପାଇଁ ୧୧୩ ରନର ଭାଗୀଦାରି କରି ଭାରତକୁ ବିଜୟର ନିକଟତର କରାଇଥିଲେ। ମଝିରେ କିଛି ସମୟ ପାଇଁ ଭାରତର ବ୍ୟାଟିଂ ଲାଇନଅପ ଚାପରେ ପଡ଼ିଥିଲେ ମଧ୍ୟ ଶେଷରେ ୨୨.୪ ଓଭରରେ ୫ ଉଇକେଟ୍ରେ ହରାଇ ୧୪୩ ରନ କରି ବିଜୟ ହାସଲ କରିଥିଲା। ଏହା ପୂର୍ବରୁ ଅର୍ଶଦୀପ ସିଂହ, ଗୁରନୂର ବରାର ଓ ଅଂଶୁଲ କାମ୍ବୋଜଙ୍କ ଦ୍ରୁତ ବୋଲିଂ ତ୍ରିମୂର୍ତ୍ତି ନ୍ୟୁଜିଲାଣ୍ଡକୁ ୪୦.୨ ଓଭରରେ ମାତ୍ର ୧୮୫ ରନରେ ଅଲଆଉଟ କରିଦେଇଥିଲେ।
ଅର୍ଶଦୀପ ୭୦ ରନ ଦେଇ ୪ଟି, ଗୁରନୂର ୪୪ ରନ ଦେଇ ୩ଟି ଏବଂ ଅଂଶୁଲ ୨୨ ରନ ଦେଇ ୨ଟି ଉଇକେଟ୍ରେ ନେଇଥିଲେ। ମେଘୁଆ ପାଗର ପୂରା ଫାଇଦା ଉଠାଇ ଭାରତୀୟ ବୋଲରମାନେ ନ୍ୟୁଜିଲାଣ୍ଡ ବ୍ୟାଟରଙ୍କୁ ଲଗାତାର ଚାପରେ ରଖିଥିଲେ। ଓପନର ଟିମ ସିଫର୍ଟ ୩୮ ରନ କରି କିଛିଟା ଲଢ଼େଇ କରିଥିବା ବେଳେ ଗ୍ଲେନ ଫିଲିପ୍ସ ୩୦ ରନ କରିଥିଲେ। ଶେଷ ଆଡ଼କୁ ବ୍ଲେୟାର ଟିକନର ମାତ୍ର ୨୩ଟି ବଲରେ ୪ଟି ଛକା ସହ ଧୂଆଁଧାର ୩୪ ରନ କରିଥିଲେ। ତଥାପି ନ୍ୟୁଜିଲାଣ୍ଡ ଦଳ ୨୦୦ ରନର ସଂଖ୍ୟା ମଧ୍ୟ ଛୁଇଁପାରି ନଥିଲା।

