ସୁଖୀ ଜୀବନର ସୂତ୍ର

ଡ.ଛାୟାକାନ୍ତ ଷଡ଼ଙ୍ଗୀ

 

 

ପ୍ରତ୍ୟେକ ମଣିଷ ଚାହେଁ ତା’ ଜୀବନ ସୁଖରେ କଟୁ। ଜୀବନରେ କେବେ ଦୁଃଖ ନ ଆସୁ। ମାତ୍ର ମଣିଷ ଯାହା ଚାହେଁ, ତାହା ସର୍ବଦା ଘଟେ ନାହିଁ। ଧନାଢ଼୍ୟ ବ୍ୟକ୍ତି ତା’ର ସମସ୍ତ ଆବଶ୍ୟକତା ପୂରଣ କରିପାରେ। ବିଳାସବ୍ୟସନରେ ସମୟ ଅତିବାହିତ କରେ। ମାତ୍ର ସମୟ ସବୁବେଳେ ସମାନ ରହେ ନାହିଁ। ଏମିତି ଦିନ ଆସେ ନିକଟରେ ସୁସ୍ବାଦୁ ଖାଦ୍ୟ ଥାଇ ମଧ୍ୟ ବିଭିନ୍ନ ରୋଗ ପ୍ରପୀଡ଼ିତ ହୋଇ ସେ ସବୁକୁ ସ୍ପର୍ଶ କରିପାରେ ନାହିଁ। ଲକ୍ଷାଧିକ ଟଙ୍କାର ପଲଙ୍କରେ ଶୁଏ, ମାତ୍ର ନିଦ୍ରା ଆସେ ନାହିଁ। ଅପରପକ୍ଷରେ ଅନେକ ଗରିବ ଲୋକ ଅଛନ୍ତି, ଯେଉଁମାନେ ସ୍ବଳ୍ପ ଉପାର୍ଜନ କରନ୍ତି, ତା’ସତ୍ତ୍ୱେ ସେମାନେ ଖୁସିରେ ଥାନ୍ତି। ଭୂଇଁ ଉପରେ ଶୋଇଲେ ମଧ୍ୟ ବିନିଦ୍ରତାର ଶିକାର ହୁଅନ୍ତି ନାହିଁ। ସେମାନେ ସମାଜକୁ ଦିଅନ୍ତି ସୁଖୀ ଜୀବନର ସୂତ୍ର।
ଏହି ପ୍ରସଙ୍ଗରେ ମନେପଡ଼େ ବିଶିଷ୍ଟ ଲେଖିକା ସୁଧା ମୂର୍ତ୍ତିଙ୍କ ଏକ ଅଭିଜ୍ଞତା। ଥରେ ସେ ତାମିଲନାଡ଼ୁର ଥଞ୍ଜାଭୁର ଜିଲାରେ ଭ୍ରମଣ କରୁଥାନ୍ତି। ହଠାତ୍‌ ପ୍ରବଳ ବର୍ଷା ହେଲା। ରାସ୍ତାଘାଟ ଜଳମଗ୍ନ ହୋଇଗଲା। ସେ ନିଜ କାର୍‌କୁ ଅଟକାଇ ଆଶ୍ରୟ ପାଇଁ ନିକଟସ୍ଥ ଏକ ଗାଁକୁ ପଶିଲେ। ଚାରିଆଡ଼େ ଅନ୍ଧାର। ଆଖିକୁ କିଛି ଦେଖାଯାଉ ନ ଥାଏ। ଅନତି ଦୂରରେ ଥାଏ ଏକ ମନ୍ଦିର। ସୁଧା ଝାପ୍‌ସା ଆଲୁଅରେ ସେହି ମନ୍ଦିର ଭିତରେ ପଶିଲେ। ସେତେବେଳେ ସେ ସମ୍ପୂର୍ଣ୍ଣ ଭିଜି ଯାଇଥାନ୍ତି। ସେହି ମନ୍ଦିର ଭିତରୁ ବାହାରିଲେ ଜଣେ ଅଶୀବର୍ଷ ବୟସ୍କ ବୃଦ୍ଧ ଓ ପ୍ରାୟ ସମବୟସ୍କା ଜଣେ ବୃଦ୍ଧା। ସେହି ମହିଳା ଜଣକ ସୁଧାଙ୍କ ଅବସ୍ଥା ଦେଖି ସଙ୍ଗେ ସଙ୍ଗେ ଦେହ ପୋଛିବା ପାଇଁ ତାଙ୍କୁ ଗାମୁଛାଟିଏ ଦେଲେ। ସୁଧା ମୁହଁ ପୋଛିଲେ ଓ ଜାଣିବାକୁ ପାଇଲେ ଯେ ବୃଦ୍ଧ ଜଣକ ଥିଲେ ଦୃଷ୍ଟିବାଧିତ। ସେ ଲକ୍ଷ୍ୟ କଲେ ସେମାନେ ଥିଲେ ଅତ୍ୟନ୍ତ ଦରିଦ୍ର। ତେଲ ଲ୍ୟାମ୍ପଟି ଜଳୁଥାଏ। ସେ ସେହି ବୃଦ୍ଧଙ୍କୁ ମଙ୍ଗଳ ଆରତି କରିବାକୁ କହିଲେ ଓ ତାହା ସରନ୍ତେ ଏକଶତ ଟଙ୍କା ମୂଲ୍ୟର ଏକ ନୋଟ୍‌ ବଢ଼ାଇଦେଲେ। ମାତ୍ର ବୃଦ୍ଧ ଜଣକ କହିଲେ, ”ମାଆ! ଏଥିପାଇଁ ଆମେ ମାତ୍ର ଦଶଟଙ୍କା ଗ୍ରହଣ କରୁ। ଆପଣ ଏହି ଶହେ ଟଙ୍କିଆ ନୋଟ୍‌ଟି ଫେରେଇ ନିଅନ୍ତୁ। ଟଙ୍କା ବଡ଼ କଥା ନୁହେଁ, ଭକ୍ତି ବଡ଼ କଥା।“ ବୃଦ୍ଧାଜଣକ ମଧ୍ୟ ବୃଦ୍ଧଙ୍କ କଥାକୁ ସମର୍ଥନ କଲେ। ବିସ୍ମିତ ହେଲେ ସୁଧା। ଦାରିଦ୍ର୍ୟ ସତ୍ତ୍ୱେ ସେମାନେ ତାଙ୍କର ଅକୁଣ୍ଠ ଦାନକୁ ଗ୍ରହଣ କଲେ ନାହିଁ। ଶେଷରେ ସୁଧା କହିଲେ, ”ମୁଁ ଆପଣଙ୍କ ନିକଟକୁ କିଛି ଟଙ୍କା ପଠାଇବି। ତାକୁ ଆପଣ ଗୋଟିଏ ବ୍ୟାଙ୍କ ବା ପୋଷ୍ଟ ଅଫିସରେ ଜମା କରିଦେବେ। ସେଥିରୁ ଯେଉଁ ସୁଧ ମିଳିବ ତାହା ଆପଣଙ୍କ ମାସିକ ଆବଶ୍ୟକତା ପୂରଣ କରିବ। ଶାରୀରିକ ଅସୁସ୍ଥତା ସମୟରେ ଆପଣ ମୂଳଧନକୁ ମଧ୍ୟ ବ୍ୟବହାର କରିପାରିବେ।“ ବୃଦ୍ଧ ଜଣକ ହସିଲେ ଓ କହିଲେ, ”ବାର୍ଦ୍ଧକ୍ୟ କାଳରେ ମୋର ଅର୍ଥ ଆବଶ୍ୟକ ହେବ କାହିଁକି ? ଆମର ଦୈନନ୍ଦିନ ଖାଦ୍ୟପେୟର ବ୍ୟବସ୍ଥା ଆମ ଗ୍ରାମବାସୀ କରିଦିଅନ୍ତି ଓ ସ୍ଥାନୀୟ ଡାକ୍ତର ଆମକୁ ଆବଶ୍ୟକ ସମୟରେ ଔଷଧ ଦିଅନ୍ତି। ଆମର ଆଉ ଅଧିକ କିଛି ଆବଶ୍ୟକ ନାହିଁ। ପୁଣି ଭଗବାନ ଶିବଙ୍କ ଅନ୍ୟ ନାମ ବୈଦ୍ୟନାଥ। ସେ ହେଉଛନ୍ତି ମହାବୈଦ୍ୟ। ସେ ଆମକୁ ନିଶ୍ଚୟ ସୁସ୍ଥ ରଖିବେ। ଏଣୁ ଆମର ଅଧିକ ଅର୍ଥ ଦରକାର ନାହିଁ। ଆମ ସ୍ବଳ୍ପ ଧନରେ ଆମେ ସନ୍ତୁଷ୍ଟ। ଦୟାକରି ଆମକୁ ଆଉ ଅଧିକ ଅର୍ଥ ଦିଅନ୍ତୁ ନାହିଁ।“ ବିଜୁଳି ଆସିଲା। ମନ୍ଦିର ପରିସର ଆଲୋକିତ ହେଲା। ସୁଧା ସେମାନଙ୍କ ମୁହଁରେ ତୃପ୍ତି ଓ ପ୍ରଶାନ୍ତିର ଭାବ ଦେଖି ବିସ୍ମିତ ହେଲେ। ସେ ବୁଝିଲେ ସନ୍ତୋଷ ହିଁ ସୁଖୀ ଜୀବନର ମୂଳସୂତ୍ର।
ଆମେରିକୀୟ କବି ଜନ୍‌ ହେଙ୍କ କବିତା ‘ଦି ଏନ୍‌ଚେଣ୍ଟଡ୍‌଼ ଶାର୍ଟ’ ମଧ୍ୟ ସେ ସମ୍ପର୍କରେ ଆଲୋକପାତ କରେ। ଥିଲେ ଜଣେ ରାଜା। ସେ ଠିକ୍‌ ଭାବରେ ଖାଇବା ପିଇବା କରୁଥିଲେ ମଧ୍ୟ ଅନୁଭବ କରୁଥିଲେ ଯେ ସେ ଦୁଃଖୀ। ତାଙ୍କ ଜୀବନରେ ସୁଖ ନାହିଁ। ଏଣୁ ତାଙ୍କର ଏହି ମାନସିକ ଅସୁସ୍ଥତାର ଉପଚାର କରିବା ପାଇଁ ରାଜ୍ୟର ଦକ୍ଷ ବୈଦ୍ୟମାନେ ଆସିଲେ ଓ ତାଙ୍କର ସ୍ବାସ୍ଥ୍ୟ ପରୀକ୍ଷା କଲେ। ଔଷଧ ଦେଲେ। ମାତ୍ର ରାଜା ସୁସ୍ଥ ଅନୁଭବ କଲେ ନାହିଁ। ଯେଉଁ ବୈଦ୍ୟମାନେ ରାଜାଙ୍କୁ ସୁସ୍ଥ କରିପାରିଲେ ନାହିଁ, ସେମାନଙ୍କ ମୁଣ୍ଡକାଟ ହେଲା। ଶେଷରେ ଆସିଲେ ରାଜ୍ୟର ଦୁଇଜଣ ପ୍ରଖ୍ୟାତ ବୈଦ୍ୟ। ସେମାନେ ରାଜାଙ୍କ ସ୍ବାସ୍ଥ୍ୟ ପରୀକ୍ଷା କଲା ପରେ କୌଣସି ରୋଗର ସୂଚନା ପାଇପାରିଲେ ନାହିଁ। ଦୁଇଜଣଙ୍କ ମଧ୍ୟରୁ ବୟସ୍କ ବୈଦ୍ୟଟି କହିଲେ ”ମହାରାଜ! ଆପଣ ସୁସ୍ଥ ଅଛନ୍ତି। ଆପଣଙ୍କୁ କୌଣସି ରୋଗ ଆକ୍ରମଣ କରିନାହିଁ।“ ରାଜା ରାଗିଯାଇ ତାଙ୍କୁ ଫାଶୀ ଆଦେଶ ଦେଲେ। ଅନ୍ୟ ବୈଦ୍ୟ ଜଣକ କହିଲେ, ଯଦି ରାଜା ଜଣେ ସୁଖୀ ମଣିଷର ଶାର୍ଟ ଗୋଟିଏ ରାତି ପାଇଁ ପିନ୍ଧିବେ ସେ ଆରୋଗ୍ୟ ଲାଭ କରିବେ। ରାଜ କର୍ମଚାରୀମାନେ ଖୋଜିଲେ ଜଣେ ସୁଖୀ ମଣିଷ। ସେମାନେ ଦେଖିଲେ ଅନେକ ଧନୀଲୋକ ଅଛନ୍ତି। ମାତ୍ର ସେମାନେ ନିଜକୁ ଗରିବ ଭାବୁଛନ୍ତି ଓ ଆହୁରି ଧନ ଚାହୁଁଛନ୍ତି। ଅପରପକ୍ଷରେ କିଛି ଗରିବ ଲୋକ ଅଛନ୍ତି ଯେଉଁମାନେ ଧନୀ ହୋଇଥିବାର ଅଭିନୟ କରୁଛନ୍ତି। ଶେଷରେ ସେମାନେ ଦେଖିଲେ ଜଣେ ଭିକାରି ଗଛ ତଳେ ବସି ଆନନ୍ଦରେ ହୁଇସିଲ୍‌ ବଜାଇ ଗୀତ ଗାଉଛି ଓ ମନଖୋଲି ହସୁଛି। ରାଜକର୍ମଚାରୀ ତାକୁ ପଚାରିଲେ, ‘ବାବୁ! ତୁମେ ତ ଭାରି ଖୁସି ଜଣାପଡ଼ୁଛ?’ ସେ ଉତ୍ତର ଦେଲା, ‘ହଁ ନିଶ୍ଚୟ ମୁଁ ଖୁସି। ଦୁଃଖ ଅନୁଭବ କରିବା ପାଇଁ ମୋର ସମୟ ନାହିଁ।’ ରାଜ କର୍ମଚାରୀ ଭାବିଲେ ସେମାନେ ଖୋଜୁଥିବା ସୁଖୀ ମଣିଷକୁ ପାଇଗଲେ ଓ ତାକୁ କହିଲେ, ”ବାବୁ ! ଆମେ ତୁମକୁ ଏକଶତ ଡୁକେଟ୍‌ (ସ୍ବର୍ଣ୍ଣମୁଦ୍ରା) ଦେବୁ, ତୁମେ ଗୋଟିଏ ରାତି ପାଇଁ ତୁମ ଶାର୍ଟଟି ଦିଅ।“ ଭିକାରି ଜଣକ ଏହାଶୁଣି ଖୁବ୍‌ ଜୋରରେ ହସିଲା ଓ କହିଲା, ‘ପିନ୍ଧିବା ପାଇଁ ମୋର ଶାର୍ଟଟିଏ ବି ନାହିଁ।’ ଏହାରି ଭିତରେ ଅନ୍ୟ ଗୁପ୍ତଚରମାନେ ମଧ୍ୟ ସୁଖୀ ମଣିଷ ଖୋଜିବାରେ ଅସଫଳ ହୋଇ ଫେରୁଥାନ୍ତି ଓ ରାଜାଙ୍କୁ ଜଣାଉଥାନ୍ତି କିପରି ରାଜ୍ୟରେ ଅସଂଖ୍ୟ ପ୍ରଜା ରୋଗ, ଦାରିଦ୍ର୍ୟ ଓ ବିବିଧ ସମସ୍ୟା ଜର୍ଜରିତ ହୋଇ ଦୁଃଖରେ କାଳାତିପାତ କରୁଛନ୍ତି। ମାତ୍ର ଜଣେ ଭିକାରି ନିଜର ଶାର୍ଟଟିଏ ନ ଥାଇ ମଧ୍ୟ ଖୁସିରେ ଅଛି। ରାଜା ବୁଝିଲେ ସୁଖ ବାହ୍ୟ ଜଗତରେ ନ ଥାଏ, ମନରେ ଥାଏ। ଜଣେ ଅପର୍ଯ୍ୟାପ୍ତ ଧନର ଅଧିକାରୀ ହୋଇ ବି ଦୁଃଖୀ ହୋଇପାରେ। ଅପରପକ୍ଷରେ ଜଣେ ଗରିବ ହୋଇ ବି ସୁଖୀ ଅନୁଭବ କରିପାରେ। ଅଳ୍ପ ଧନ ଉପାର୍ଜନ କଲେ ମଧ୍ୟ ଯଦି ଜଣେ ସେଥିରେ ସନ୍ତୁଷ୍ଟ ରହେ ସେ ହିଁ ସୁଖୀ। ଧନ ନୁହେଁ, ମନ ସହ ସୁଖର ସମ୍ପର୍କ ଅଛି। ସନ୍ତୋଷ ହେଉଛି ସୁଖର ମୂଳାଧାର। ସେହିଦିନଠାରୁ ରାଜା ଜନସେବାରେ ମନ ଦେଲେ ଓ ପ୍ରଜାମାନଙ୍କ ଶୁଭେଚ୍ଛା ଲାଭ କଲେ। ତାଙ୍କ ମନରୁ ସମସ୍ତ ଦୁଃଖ ଅନ୍ତର୍ହିତ ହେଲା।
ମହାଭାରତରେ ପାଣ୍ଡବମାନଙ୍କ ବନବାସ କାଳରେ ଯକ୍ଷ ଯୁଧିଷ୍ଠିରଙ୍କୁ ପ୍ରଶ୍ନ କରିଥିଲା। ‘କିଂ ସୁଖାନାଂ ତଥୋତ୍ତମ’, ଅର୍ଥାତ୍‌ ସୁଖମାନଙ୍କ ମଧ୍ୟରେ ଉତ୍ତମ ସୁଖ କ’ଣ? ଯୁଧିଷ୍ଠିର ଉତ୍ତର ଦେଇଥିଲେ, ‘ସୁଖାନାଂ ତୁଷ୍ଟିରୁତ୍ତମା’, ଅର୍ଥାତ୍‌ ସୁଖ ମଧ୍ୟରେ ସନ୍ତୋଷ ଉତ୍କୃଷ୍ଟ ସୁଖ ଅଟେ। ଯକ୍ଷ ପୁଣି ପଚାରିଲା, ‘କିଂ ନୁହିତ୍ୱା ସୁଖୀ ଭବେତ’ ଅର୍ଥାତ୍‌ କାହାକୁ ଛାଡ଼ିଲେ ମଣିଷ ସୁଖୀ ହୁଏ? ଯୁଧିଷ୍ଠିରଙ୍କ ଉତ୍ତର ଥିଲା ‘ଲୋଭଂ ହିତ୍ୱା ସୁଖୀ ଭବେତ’ ଅର୍ଥାତ୍‌ ଲୋଭ ବର୍ଜନ କଲେ ମଣିଷ ସୁଖୀ ହୁଏ। ଏହାର କାରଣ ମଣିଷ ଲୋଭାସକ୍ତ ହୋଇ ଇପ୍‌ସିତ ବସ୍ତୁ ପାଇବାରେ ଅସଫଳ ହେଲେ କଷ୍ଟ ଭୋଗେ ଓ ଶାନ୍ତି ହରାଏ। ଏଣୁ ଭଗବଦ୍‌ ଗୀତାରେ କୁହାଯାଇଛି ‘ଅଶାନ୍ତସ୍ୟ କୁତଃ ସୁଖମ୍‌’, ଏଣୁ ଆମେ ଅଳ୍ପ ଧନ ଅର୍ଜନ କଲେ ମଧ୍ୟ ଯଦି ସେଥିରେ ସନ୍ତୁଷ୍ଟ ତା’ହେଲେ ଆମେ ସୁଖୀ। ଏଣୁ ମନୁସଂହିତାରେ କୁହାଯାଇଛି ‘ସନ୍ତୋଷ ମୂଲଂ ହି ସୁଖମ୍‌’।
ମୋ:୯୪୩୭୩୨୯୨୬୩


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଝାଡ଼ଖଣ୍ଡର ଚିତ୍ରଶିଳ୍ପୀ ପ୍ରକାଶ ଶାହ ମେଟାଲ, ପ୍ଲାଷ୍ଟିକ ଏବଂ ଶିଳ୍ପଜାତ ବର୍ଜ୍ୟକୁ ଆକର୍ଷଣୀୟ ପବ୍ଲିକ ଆର୍ଟରେ ପରିଣତ କରୁଛନ୍ତି। ସେ ସାହିବଗଞ୍ଜରେ ଓ୍ବେଷ୍ଟ ଟୁ ଓ୍ବଣ୍ଡର ପାର୍କ…

ରକ୍ତତୀର୍ଥ ଇରମ

ସାରା ଦେଶରେ ସ୍ବାଧୀନତା ପାଇଁ ଯେଉଁ ଆନ୍ଦୋଳନ ଆରମ୍ଭ ହେଲା ସେଥିରେ ଅନେକ ହଜାର କ୍ରାନ୍ତିକାରୀ ଯୋଗଦେଇ କାରାବରଣ କରିଥିଲେ। ଓଡ଼ିଶାରେ ଏହି ଆନ୍ଦୋଳନର ନେତୃତ୍ୱ ନେଇଥିଲେ…

ରାଷ୍ଟ୍ର ନିର୍ମାଣ ପ୍ରତି ସମର୍ପିତ ଜଣେ ମହାପୁରୁଷ

ଖୁବ୍‌ ସୁନ୍ଦର ଉକ୍ତିଟିଏ ଅଛି, ”ବୃକ୍ଷ କବହୁଁ ନହିଁ ଫଲ ଭଖୈ, ନଦୀ ନ ସଂଚୈ ନୀର୍‌। ପରମାରଥ କେ କାରନେ, ସାଧୁନ ଧରା ଶରୀର।“ ଏହାର…

ଘୃଣିତ ଜ୍ଞାନେଶ

ଦୁର୍ନୀତି କଥା ଉଠିଲେ ସାଧାରଣରେ ଆର୍ଥିକ ଦିଗକୁ ବୁଝାଯାଏ। କିନ୍ତୁ ତାହାର ପରିଭାଷା ଅତ୍ୟନ୍ତ ବ୍ୟାପକ। କ୍ଷମତା ବିସ୍ତାର ଲାଗି କିଛି ଲୋକଙ୍କୁ ଦବାଇ ଦେଇ ପ୍ରଭୁତ୍ୱ…

କ୍ଷମତାର ଦୁରୁପଯୋଗ

ଦୁର୍ନୀତି ଓ ଲାଞ୍ଚ, ଏହି ଦୁଇଟି ଶବ୍ଦକୁ ପରସ୍ପର ବଦଳରେ ବ୍ୟବହାର କରାଯାଇପାରେ। କିନ୍ତୁ ପ୍ରକୃତରେ ଲାଞ୍ଚ ଶବ୍ଦ ୧୬ଶ ଶତାବ୍ଦୀରେ ଉତ୍ପତ୍ତି ହୋଇଥିଲା। ଏହାର ଅର୍ଥ…

ମହଙ୍ଗା ମାଡ଼

ମହଙ୍ଗା ଭାର ନିମ୍ନ ଆୟକାରୀ ଓ ଗରିବ ପରିବାର ଅଧିକ ଅନୁଭବ କରନ୍ତି। ଦରଦାମର ସାମାନ୍ୟ ବୃଦ୍ଧି ସେମାନଙ୍କ ପାଇଁ ବଡ଼ ଆଘାତ ହୋଇଥାଏ। ଦିନ ମଜୁରିଆ…

କୁକି-ମେଇତି ହିଂସାର ଦିଗ

ଇମ୍ଫାଲ ଉପତ୍ୟକାରେ ଶାନ୍ତି ପାଇଁ ଉଦ୍ୟମ ସତ୍ତ୍ୱେ ଅଶାନ୍ତିର ନିଆଁ ଜଳିଉଠୁଛି ସମୟାନ୍ତରରେ। ବର୍ତ୍ତମାନର ଏନ୍‌ଡିଏ ସମର୍ଥିତ ଭାଜପା ସରକାର ପୂର୍ବ କଂଗ୍ରେସ ସରକାରଙ୍କ ସମୟର ନିଶା…

ଅଧିକାରୀଙ୍କ ପାଇଁ ଏଆଇ

ଭାରତର ପ୍ରଶାସନିକ ବ୍ୟବସ୍ଥାରେ ପରବର୍ତ୍ତୀ ବଡ଼ ପରିବର୍ତ୍ତନ ହୁଏତ ଅନ୍ୟ କୌଣସି କ୍ୟାଡର୍‌ ସଂସ୍କାର କିମ୍ବା ନୂଆ ନିୟମାବଳୀ ମାଧ୍ୟମରେ ଆସି ନ ପାରେ। ବରଂ ଏହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?