ଛେଣ୍ଡିପଦା,୨୮।୧୧(ଅଜିତ୍ ଧଳ): ଗୋଟିଏ ପରିବାର ଉପରେ ଦୁଇ ଦିନରେ ଦୁଇ ଦୁଃଖଦ ଘଟଣା। ପ୍ରଥମେ ବାପାଙ୍କ ମୃତ୍ୟୁ, ଆଉ ତାଙ୍କ ମୃତ୍ୟୁର ୨୪ ଘଣ୍ଟା ନପୂରୁଣୁ ପୁଅର ମୃତ୍ୟୁ। ଏଭଳି ଏକ ହୃଦୟବିଦାରକ ଘଟଣା ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ବାଗଡ଼ିଆ ଥାନା ଅନ୍ତର୍ଗତ ବରନାଳୀ ଗାଁରେ ଘଟିଛି। ବାପାଙ୍କ ଶବସତ୍କାର ପରେ ଗାଁ ପୋଖରୀରେ ଗାଧୋଇବାକୁ ଯାଇଥିବା ୧୫ ବର୍ଷୀୟ ନାବାଳକ ପୁଅ ପାଣିରେ ବୁଡ଼ି ପ୍ରାଣ ହରାଇଛି। ଏହି ଦୁଃଖଦ ଘଟଣା ସମଗ୍ର ଗାଁରେ ଶୋକର ଛାୟା ଖେଳାଇ ଦେଇଛି।
ସୂଚନା ଅନୁଯାୟୀ, ବରନାଳୀ ଗାଁରେ ନାବାଳକଙ୍କ ବାପାଙ୍କର ମୃତ୍ୟୁ ହୋଇଥିଲା। ଏହାପରେ ପରିବାର ଲୋକେ ତାଙ୍କ ଶବସତ୍କାର କରିଥିଲେ। ଶବସତ୍କାର ପରେ ନାବାଳକ ଜଣକ ଗାଁ ପୋଖରୀକୁ ଗାଧୋଇବାକୁ ଯାଇଥିଲା। ତେବେ ଗାଧୋଇବା ସମୟରେ ଅସାବଧାନତାବଶତଃ ସେ ଗଭୀର ପାଣିରେ ବୁଡ଼ି ଯାଇଥିଲା।
ଘଟଣା ସମ୍ପର୍କରେ ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି ପୋଖରୀରୁ ନାବାଳକକୁ ଉଦ୍ଧାର କରିଥିଲା। ତୁରନ୍ତ ତାକୁ ନିକଟସ୍ଥ ଡାକ୍ତରଖାନାକୁ ନିଆଯାଇଥିଲେ ମଧ୍ୟ ଡାକ୍ତର ସେଠାରେ ତାକୁ ମୃତ ଘୋଷଣା କରିଥିଲେ।
ବାପାଙ୍କ ମୃତ୍ୟୁର ଦୁଃଖରୁ ପରିବାର ଲୋକେ ମୁକୁଳି ନଥିବା ବେଳେ ଏତେ କମ୍ ସମୟ ମଧ୍ୟରେ ପୁଅକୁ ହରାଇବା ଘଟଣା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି। ଏହି ଦୁଇଟି ମୃତ୍ୟୁ ଗାଁରେ ଗଭୀର ଶୋକର ବାତାବରଣ ସୃଷ୍ଟି କରିଛି।

