‘ବାଉଁଶ ଅଗରେ ଧାନ…’

ପାନ ହେଉଛି ଓଡ଼ିଆର ପ୍ରାଣ। ପ୍ରାଚୀନ ଓଡ଼ିଶାରୁ ପାନର ସୃଷ୍ଟି ଆଉ ଏହା ଆମ ସଂସ୍କୃତି ସହ ନିବିଡ଼ ହୋଇ ରହିଛି- କାହିଁ କେଉଁକାଳରୁ। ଏମିତି କି ଓଡ଼ିଶାର ଦେବତା ଜଗନ୍ନାଥଙ୍କର ମଧ୍ୟ ବିଡ଼ିଆ ପାନ ଖଣ୍ଡେ ନ ହେଲେ ନ ଚଳେ। ପାନ କାହାର ପ୍ରିୟ ନୁହେଁ ଯେ! ନ ଖାଇଲା ଲୋକଙ୍କୁ ସାଦା ଖିଲିପାନ ଖଣ୍ଡେ ଦେଲେ ସେ ଖୁସିରେ ଖାଇଦେବ । ଆଉ ରଜ କଥା ପୂରା ଅଲଗା । ପୁଣି ରଜପାନର ସ୍ବାଦ ଖୁବ୍‌ ରୁଚିକର। ପ୍ରେମ, ପ୍ରୀତି ଓ ପ୍ରଣୟର ପ୍ରତୀକ ଏଇ ପାନ। କବିସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ରଚନାରେ ଏମିତି ବି ବର୍ଣ୍ଣନା ରହିଛି -‘ସେ ଯେବେ କରିବେ ମାନ, ଭାଙ୍ଗି ଭୁଞ୍ଜାଇବି ପାନ, ଗଣ୍ଡେ ଦେଇଣ ଚୁମ୍ବନ, ହରଷ ମୁଁ କରାଇବି, ମଲ୍ଲୀମାଳ ଶ୍ୟାମକୁ ଦେବି ମନ ତୋଷିବି।’
ପାନ ଖାଉଥିବା ଝିଅଙ୍କ ଓଷ୍ଠାଧାରର ସୌନ୍ଦର୍ଯ୍ୟ ଅବର୍ଣ୍ଣନୀୟ। ପାନ ଦିଆନିଆରେ ସମ୍ପର୍କ ବଢ଼େ, ପ୍ରେମରେ ପୂର୍ଣ୍ଣତା ଆଣେ ପାନ। ନୂଆ ବୋହୂଟିଏ ଘରକୁ ଆସିଲେ ତା’ର ଶାଶୁ, ସାଇପଡ଼ିଶା ପ୍ରଥମେ ପାନଭଙ୍ଗାର ପରୀକ୍ଷା ନେଉଥିଲେ। ଗୁରୁଜନମାନଙ୍କୁ ନିଜ ହାତଭଙ୍ଗା ପାନ ପରଷିଦେଇ ବୋହୂଟି ମଥାନୁଆଁଇ ପ୍ରଣାମ କରୁଥିଲା। ତେଣୁ ପାନ ଓଡ଼ିଶା ସଂସ୍କୃତିର ଛତ୍ରେ ଛତ୍ରେ ରହିଛି । ରଜପର୍ବରେ ସହୀ ସଙ୍ଗାତ, ମକର, ବଉଳଙ୍କ ସହିତ ପାନଭଙ୍ଗା ଓ ପରସ୍ପର ଆଦାନପ୍ରଦାନ ଓଡ଼ିଆ ଘରର ଚଳଣିରେ ଗ୍ରାମୀଣ ଜୀବନର ଧାରାକୁ ଏବେ ଉଜ୍ଜୀବିତ କରି ରଖିଛି। ପାନ ଖାଇ ରଜଦୋଳିରେ ବସି ଝିଅମାନେ ରଜପାନର ଗୀତ ବୋଲିବା ପରିବେଶକୁ ଖୁବ୍‌ ଆମୋଦିତ କରିଥାଏ।
‘ବାଉଁଶ ଅଗରେ ଧାନ
ମୁଁ ଦେବି ପଇସା ଖାଇବୁ ପାନ
ମୋ ବଉଳ ମିତଲୋ
ଏବେ ଚାଲିଯିବା ବୃନ୍ଦାବନ।
ଉଇଁ ଆସେ ନୂଆ ଜହ୍ନ
ଚାଲ ଯିବା ମିଶି ଗୁଆଖାଦାନ
ମୋ କାଇଁଚମାଳାଲୋ
ଆମେ ସେଇଠି ଖାଇବା ପାନ।’
ପାନ ଖଣ୍ଡକରେ କିଣି ହୋଇଯାଏ ମନ। ମୁଖର ସୌନ୍ଦର୍ଯ୍ୟ ଓ ବାସ ବୃଦ୍ଧି କରିଥାଏ ବୋଲି ପାନର ଅନ୍ୟ ନାମ ମୁଖବାସ। ପୁଣି ରଜ ଖେଳ ଭିତରକୁ ବି ପାନ ପଶିଆସିଛି। ବୟସ୍କ ଓ ମହିଳାଙ୍କ ତାସ୍‌ଖେଳରେ କଳାପାନ ଓ ନାଲିପାନର ଆଡ୍ଡା ଖୁବ୍‌ ଜମେ। ଏବେ ଘରେ ଘରେ ରଜପାନ। ଆଉ ରାଜଧାନୀର ଲୋକଙ୍କୁ ରଜପାନ ଦେବାକୁ ଶହ ଶହ ପାନ ଦୋକାନୀ ପସରା ମେଲାଇ ବସିଛନ୍ତି। ସେମାନେ ଖାସ୍‌ ରଜପାନ ତିଆରି କରୁଛନ୍ତି। ପାନରେ ଗୁଆ, ଚୂନ, ଖଇର ସହ ଅନ୍ୟାନ୍ୟ ବ୍ୟବହୃତ ମସଲା ସବୁର ଖୁବ୍‌ ଔଷଧୀୟ ଗୁଣ ରହିଛି । ଚରକ ସଂହିତାରେ ପାନରେ ଗୁଆ, କର୍ପୂର, ଜାଇଫଳ, ଲବଙ୍ଗ, କଙ୍କୋଳ ଓ ଗୁଜୁରାତି ଦିଆଯାଇଥିବା ପାନ କଥା କୁହାଯାଇଛି। ଏ ସବୁ ମସଲା ପାନର ସ୍ବାଦ, ସୁଗୁଣ ଓ ସୁବାସ ନେଇ ଆସିଥାଏ। ପାନର ମୁଖ୍ୟ ଉପାଦାନଗୁଡ଼ିକ ହେଲା- ପାନ, ଚୂନ, ଗୁଆ, ଖଇର, ଲବଙ୍ଗ, ଗୁଜୁରାତି, ଅଳେଇଚ, ଜାଇତ୍ରୀ, ଜାଇଫଳ, ଖୁରୁଡ଼ି ନଡ଼ିଆ, ବାଦାମ, କର୍ପୂର, କବାବ୍‌ଚିନି, କେଶର, ଡାଲ୍‌ଚିନି, କସ୍ତୁରୀ, ସୁନା ତବକ, ରୁପା ତବକ, ଶୁଣ୍ଠି, ଅଦା, ଚନ୍ଦନ, ମାତୁଲୁଙ୍ଗ, ପିପରମେଣ୍ଟ, ଲବଳୀ, ନଖି ଓ ମୁରାମାଂସ । ଏ ସବୁ ପାନ ମସଲା ଦେଇ ଖୁବ୍‌ କୌଶଳରେ ମୋଡ଼ାଯାଏ ପାନ, ଆଉ ଏଥିରେ ଲବଙ୍ଗ ଗୁନ୍ଥି ବଢ଼େଇ ଦିଆଯାଏ ଆତ୍ମୀୟସ୍ବଜନଙ୍କୁ। ଏମିତି ଲୋକ ଅଛନ୍ତି, ଯେଉଁମାନେ ପାନଖଣ୍ଡେ ନ ହେଲେ କାମ କରିପାରନ୍ତିନି। ତେବେ କଡ଼ାପାନ ନିଶ୍ଚୟ ସ୍ବାସ୍ଥ୍ୟପକ୍ଷେ ଖୁବ୍‌ କ୍ଷତିକାରକ। ପାନ ଖର୍ଚ୍ଚ ଅନେକ ସମୟରେ ଅଣ୍ଟାରୁ ପଇସା ସାରିଦିଏ। ତଥାପି ପାନର ମହତ୍ତ୍ୱ ଖୁବ୍‌ ବେଶି, ଯେତେବେଳେ ଏହା ମନରେ ସଂପ୍ରୀତି ଓ ପ୍ରେମଭାବ ଆଣି ଆବେଗକୁ ଉଦ୍‌ବେଳିତ କରେ। ପାନ ଏବେ ଦଶଟଙ୍କାରୁ ଆରମ୍ଭକରି ଦେଢ଼ଶହ ଟଙ୍କା ପର୍ଯ୍ୟନ୍ତ ମିଳୁଛି ସବୁଆଡ଼େ । ନିଆଳି, କାକଟପୁର ଅଞ୍ଚଳରୁ ଏଠାକୁ ଆସୁଛି ପାନ, ପୁଣି ପାନମସଲା ଆସୁଛି ଦିଲ୍ଲୀ ଓ କଲିକତାରୁ । ବନାରସ ଓ ରାଞ୍ଚତ୍ର ପାନ ବି ଏଠାକୁ ଆସୁଛି ବିକ୍ରି ପାଇଁ। ଜାଫ୍ରାନ ଓ ଗୁଲକନ୍ଦର ଚାହିଦା ଓଡ଼ିଶା ବଜାରରେ ଖୁବ୍‌। ରାଜଧାନୀରେ ପାନ ଦୋକାନ କରି ହଜାର ହଜାର ଲୋକ ପେଟପାଟଣା ଦେଖୁଥିବାବେଳେ- ଏବେ ସେମାନଙ୍କ ରଜବଜାର ବେଶ୍‌ ଜମିଛି। ଦୋକାନୀମାନେ ଢେର୍‌ ମିଠା ମସଲା ଭର୍ତ୍ତିକରି ରଖିଛନ୍ତି। ଘରେ ଘରେ ବୟସ୍କ ଲୋକ ପାନ ଭାଙ୍ଗି ଅତିଥି ଚର୍ଚ୍ଚା କରୁଛନ୍ତି । ଝିଅଙ୍କର ଏବେ ପାନଖିଆର ବେଳ।

  • ଡ. ଅରୁନ୍ଧତୀ ଦେବୀ
    ନିର୍ଦ୍ଦେଶିକା-ସମ୍ପାଦିକା, ଆନ୍ତର୍ଜାତିକ ଅଶୋଭନୀୟତା ନିରୋଧ ଆନ୍ଦୋଳନ, କଟକ, ମୋ: ୯୯୩୭୧୭୨୮୧୦

Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଅନ୍ଧକାର ଗର୍ଭଗୃହକୁ

ନିର୍ବାଚନ ସରିଲା। ଶାସକ ଦଳର ‘ନାରୀ ବନ୍ଦନ’ ସଭା ସମାବେଶ ସରିଗଲା। ବିରୋଧୀ ଦଳର ମା’ମାନଙ୍କୁ ନେଇ ହେଉଥିବା ପ୍ରତିବାଦରେ ବି ଭଟ୍ଟା ପଡ଼ିଗଲା। ଫଳ? ଯେଉଁ…

ବହ୍ବାରମ୍ଭେ ଲଘୁକ୍ରିୟା

ସଂସ୍କୃତରେ ଗୋଟିଏ ଶ୍ଳୋକ ଅଛି ”ଅଜା ଯୁଦ୍ଧେ ଋଷି ଶ୍ରାଦ୍ଧେ ପ୍ରଭାତେ ମେଘ ଡମ୍ବରୁ, ଦାମ୍ପତ୍ୟ କଳହଶ୍ଚୈ ବହ୍ବାରମ୍ଭେ ଲଘୁକ୍ରିୟା’ ଏହାର ଅର୍ଥ ଦୁଇଟି ଛେଳି ଗୋଳଯୁଦ୍ଧ…

ନ୍ୟାୟ ଦେବାରେ ବିଳମ୍ବ

ଉତ୍ତରାଖଣ୍ଡ ସରକାର ହୁଇସିଲ୍‌ବ୍ଲୋୟର ତଥା ବନ ଅଧିକାରୀ ସଞ୍ଜୀବ ଚତୁର୍ବେଦୀଙ୍କୁ ଲୋକପାଳକୁ ଡେପୁଟେଶନ ପାଇଁ ମଞ୍ଜୁରୀଦେବା ଉଲ୍ଲେଖନୀୟ। କିନ୍ତୁ ଏହାଠୁ ବଡ଼ କଥା ହେଉଛି ଏହି ହୁଇସିଲ୍‌ବ୍ଲୋୟରଙ୍କ…

ଏଇ ଭାରତରେ

ମଧ୍ୟପ୍ରଦେଶ ଛତରପୁର ଜିଲାର ପାନ୍ନା ଜାତୀୟ ଉଦ୍ୟାନ ବାଘ ପାଇଁ ବେଶ୍‌ ଜଣାଶୁଣା ଥିଲା। ହେଲେ ୨୦୦୯ରେ ତାହା ବାଘ ଶୂନ୍ୟ ହୋଇଯାଇଥିବା ସରକାର ଘୋଷଣା କରିଥିଲେ,…

ପରମାଣୁ ଶାନ୍ତିଯାତ୍ରା

୧୯୪୫ ଜୁଲାଇ ୧୬ ତାରିଖର ଏକ ବର୍ଷାଭିଜା ସକାଳ, କେତେଜଣ ବୈଜ୍ଞାନିକ ଓ ସୈନିକ ମେକ୍ସିକୋର ଜୋର୍ନଡା ଡେଲ ମରୁଭୂମିରେ ଏକତ୍ରିତ ହୋଇଥାନ୍ତି। ସାଙ୍କେତିକ ଭାଷାରେ ‘ଗାଜେଟ’…

ଜୈବିକ ଖାଦ୍ୟର ପୃଥିବୀ

ଆଜିକାଲି ଲୋକଙ୍କ ଭିତରେ ଖାଦ୍ୟ ସଚେତନତା ବଢ଼ୁଛି। ରଙ୍ଗିନ, ଆଖିକୁ ଖୁସି ଦେଲାପରି ଖାଦ୍ୟ ସବୁ ଗ୍ରହଣ କରିବା ବଦଳରେ ଜୈବିକ ଖାଦ୍ୟ ପ୍ରତି ଲୋକମାନଙ୍କ ଆଗ୍ରହ…

ବିଶ୍ୱରେ ଅରାଜକତା

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ପ୍ରଶାସନ ଏବଂ ଇରାନ ମଧ୍ୟରେ ଅବ୍ୟବସ୍ଥିତ କୂଟନୀତି ଜାରି ରହିଛି। ଏଥିରୁ ବିଶ୍ୱ ବ୍ୟାପାରକୁ ବୁଝିବା ଅସମ୍ଭବ ବୋଲି ଅନେକେ ମନେକରୁଛନ୍ତି।…

ନଦୀ ପ୍ରଦୂଷଣ

ନନଦୀ ମନୁଷ୍ୟ ସଭ୍ୟତାର ଜନ୍ମଦାତ୍ରୀ ହୋଇ ସମଗ୍ର ଜୀବଜଗତକୁ ଲାଳନପାଳନ କରିଥିବାରୁ ଭାରତରେ ନଦୀକୁ ମା’ର ଆଖ୍ୟା ଦିଆଯାଇ ଦେବୀ ରୂପରେ ପୂଜା କରାଯାଏ। କିନ୍ତୁ ବିଡ଼ମ୍ବନାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri