ସଂରକ୍ଷଣ ଓ ସଂରକ୍ଷିତ ବର୍ଗ

ଅନିଲ କୁମାର ମଲ୍ଲିକ

ସଂରକ୍ଷଣ ଦେଶକୁ ବର୍ବାଦ କରିଦେଉଛି। ସଂରକ୍ଷଣ ବ୍ୟବସ୍ଥା ଯୋଗ୍ୟତାଧାରୀ ଛାତ୍ରୀଛାତ୍ରଙ୍କ ପ୍ରତି ଅନ୍ୟାୟ କରୁଛି। ସଂରକ୍ଷଣ ଦ୍ବାରା ଅଯୋଗ୍ୟ ବ୍ୟକ୍ତିମାନେ ସରକାରୀ ପଦପଦବୀ ମାଡ଼ି ବସୁଛନ୍ତି – ଏପରି ଅନେକ ସମ୍ବିଧାନବିରୋଧୀ ମନ୍ତବ୍ୟ ଆମ ଦେଶରେ ନିତିଦିନ ସାମ୍ନାକୁ ଆସେ। ସର୍ବଦା ଏକ ଗୁଜବ ସମାଜରେ ପ୍ରଚାରିତ ହୁଏ କେବଳ ଅନୁସୂଚିତଜାତି ଓ ଜନଜାତି ବର୍ଗ ସଂରକ୍ଷଣ ପାଉଛନ୍ତି। ଏହି ବର୍ଗଙ୍କ ବିରୋଧରେ ସଂରକ୍ଷଣକୁ ନେଇ ଅନେକ ପ୍ରକାର କଟାକ୍ଷ ଓ ସମାଲୋଚନା କରାଯାଏ। କିନ୍ତୁ ସେହି କଟାକ୍ଷ ଓ ସମାଲୋଚନା କରୁଥିବା ବ୍ୟକ୍ତିବିଶେଷମାନେ ଭୁଲିଯା’ନ୍ତି ଯେ ଆଜିର ଦିନରେ ପ୍ରତ୍ୟେକ ବର୍ଗ ସଂରକ୍ଷଣ ବ୍ୟବସ୍ଥାର ସୁବିଧା ପ୍ରାପ୍ତ କରନ୍ତି। ସଂରକ୍ଷଣ କେବଳ ଭାରତରେ ନୁହେଁ, ଆମେରିକା, ଚାଇନା ,ରୁଷିଆ, ଜାପାନ, ଆଫ୍ରିକା, ବ୍ରାଜିଲ, ଅଷ୍ଟ୍ରେଲିଆ, କାନାଡା ଭଳି ରାଷ୍ଟ୍ରରେ ପ୍ରଦାନ କରାଯାଉଛି।
ଦେଶର ୮୫% ଲୋକ(ଅନୁସୂଚିତଜାତି, ଜନଜାତି ଓ ପଛୁଆବର୍ଗ)କଳଙ୍କିତ ଜାତିପ୍ରଥାର ଶିକାର ହେଉଛନ୍ତି ଏବଂ ଦେଶର ୨୫% ଲୋକ(ଅନୁସୂଚିତଜାତି ଓ ଜନଜାତି)ଅସ୍ପୃଶ୍ୟତାର ଶିକାର ହେଉଛନ୍ତି। ଦେଶର ଏହି ସାମାଜିକ ଓ ଶୈକ୍ଷିକ ଦୃଷ୍ଟିକୋଣରୁ ଅନଗ୍ରସର ଓ ପଛୁଆବର୍ଗଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ ସହ ସମତା ଓ ଏକତାଭିତ୍ତିକ ସମାଜ ଗଠନ କରିବା ପାଇଁ ସମସ୍ତ କ୍ଷେତ୍ରରେ ସମାନ ଅଧିକାର ଲାଗି ସଂଖ୍ୟାନୁପାତିକ ପ୍ରତିନିଧିତ୍ୱର ସୃଷ୍ଟି। ସେହି ସଂଖ୍ୟାନୁପାତିକ ପ୍ରତିନିଧିତ୍ୱକୁ ସଂରକ୍ଷଣ କୁହାଯାଉଛି। ବ୍ରିଟିଶ ଶାସନକାଳରେ ଭାରତରେ ଏହି ବଞ୍ଚିତବର୍ଗଙ୍କୁ ଶିକ୍ଷାର ଅଧିକାର ଦେବାପାଇଁ ଶିକ୍ଷା ଆନ୍ଦୋଳନର ଜନକ ମହାତ୍ମା ଜ୍ୟୋତିବା ଫୁଲେ ଇଂଲଣ୍ଡରୁ ୧୮୮୨ରେ ଆସିଥିବା ହଣ୍ଟର କମିଶନଙ୍କୁ ପ୍ରଥମେ ଶିକ୍ଷାକ୍ଷେତ୍ରରେ ପ୍ରତିନିଧିତ୍ୱ ବା ସଂରକ୍ଷଣ ଦାବି କରିଥିଲେ। ଛତ୍ରପତି ଶିବାଜୀ ମହାରାଜଙ୍କ ବଂଶଜ ତଥା କୋହ୍ଲାପୁରର ରାଜା ଶାହୁଜୀ ମହାରାଜ ପ୍ରଥମେ ତାଙ୍କ ରାଜ୍ୟରେ ପଛୁଆବର୍ଗଙ୍କୁ ୫୦% ସଂରକ୍ଷଣ ୧୯୦୨ରେ ପ୍ରଦାନକରି ଭାରତରେ ଏକ ନୂତନ ଇତିହାସ ସୃଷ୍ଟି କଲେ। କାରଣ ସେ ଲକ୍ଷ୍ୟକରିଥିଲେ ତାଙ୍କ ରାଜଦରବାର ସହ ରାଜ୍ୟରେ ସମସ୍ତ କର୍ମଚାରୀ କେବଳ ସବର୍ଣ୍ଣବର୍ଗର ଥିଲେ। ୧୯୧୮ରେ ଭାରତକୁ ଆସିଥିବା ସାଉଥ୍‌ବରୋ କମିଶନଙ୍କୁ ବାବାସାହେବ ଡ. ଭୀମରାଓ ଆମ୍ବେଡକର ଭେଟି ଅସ୍ପୃଶ୍ୟବର୍ଗଙ୍କ ପାଇଁ ସ୍ବତନ୍ତ୍ର ନିର୍ବାଚନ କ୍ଷେତ୍ର, ରାଜନୀତି କ୍ଷେତ୍ରରେ ପ୍ରତିନିଧିତ୍ୱ ପାଇଁ ଦାବିପତ୍ର ପ୍ରଦାନ କରିଥିଲେ। ସ୍ବତନ୍ତ୍ର ନିର୍ବାଚନ କ୍ଷେତ୍ର ଦାବି କରିବାକୁ ନେଇ ସବର୍ଣ୍ଣ ଗୋଷ୍ଠୀମାନେ ହିନ୍ଦୁସମାଜକୁ ଆମ୍ବେଡକର ଭାଗକରୁଥିବା ମିଥ୍ୟାଭିଯୋଗ ଆଣି ବିରୋଧ ଆରମ୍ଭ କରିଦେଲେ; ଯାହା ପାଇଁ ସାଉଥ୍‌ବରୋ କମିଶନ ଏହି ବର୍ଗଙ୍କୁ ଅଧିକାର ପ୍ରଦାନ କରିପାରି ନ ଥିଲେ। ୧୯୨୮ରେ ଭାରତକୁ ଆସିଥିବା ସାଇମନ କମିଶନଙ୍କୁ ଡ. ଆମ୍ବେଡକର ପୁଣେଠାରେ ଭେଟି ଅସ୍ପୃଶ୍ୟ ସମାଜ ଓ ପଛୁଆବର୍ଗଙ୍କ ଅଧିକାର ପାଇଁ ଦାବି ଉପସ୍ଥାପନ କରିଥିଲେ। କିନ୍ତୁ ଯେଉଁମାନେ ଏହି ବର୍ଗଙ୍କ ଅଧିକାର ବିରୋଧୀ ଥିଲେ ସେମାନେ ଆମ୍ବେଡକରଙ୍କୁ ଦେଶଦ୍ରୋହୀ କହିବାକୁ ପଛାଇ ନ ଥିଲେ। ସାଇମନ କମିଶନଙ୍କୁ ଅତ୍ୟନ୍ତ ବିରୋଧ ହେବା ଦ୍ବାରା ପୁନର୍ବାର ଏହି ବର୍ଗଙ୍କୁ ଅଧିକାର ମିଳିପାରି ନ ଥିଲା।
ଏହାପରେ ଲଣ୍ଡନରେ ବ୍ରିଟିଶ ସରକାର ଦ୍ବାରା ଗୋଲଟେବୁଲ ବୈଠକ କରାଗଲା। କଂଗ୍ରେସର ନେତୃତ୍ୱ ନେଉଥିବା ଗାନ୍ଧିଜୀ ଏହି ବୈଠକକୁ ପ୍ରତ୍ୟାଖ୍ୟାନ କରିଥିଲେ। ଏ ବୈଠକରେ ଅସ୍ପୃଶ୍ୟ ଓ ପଛୁଆବର୍ଗଙ୍କର ପ୍ରତିନିଧି ଭାବରେ ଡ. ଆମ୍ବେଡକର ଯୋଗଦେଇ ୪ଟି ଦାବି ଉପସ୍ଥାପନ କରିଥିଲେ। ୧. ମତଦାନର ଅଧିକାର, ୨. ସ୍ବତନ୍ତ୍ର ନିର୍ବାଚନ କ୍ଷେତ୍ର, ୩. ଦୁଇଟି ଭୋଟ ଦେବାର ଅଧିକାର, ୪. ସଂଖ୍ୟାନୁପାତିକ ପ୍ରତିନିଧିତ୍ୱ। ଏହି ୪ଟି ଦାବି ଉପସ୍ଥାପନ ସହ ଯୁକ୍ତିଯୁକ୍ତ ତର୍କପରେ ବ୍ରିଟିଶ ପ୍ରଧାନମନ୍ତ୍ରୀ ରାମସେ ମ୍ୟାକଡୋନାଲ୍ଡ ଏସବୁକୁ ଗ୍ରହଣ କରିନେଇଥିଲେ। ଦ୍ବିତୀୟ ଗୋଲଟେବୁଲ ବୈଠକରେ ଗାନ୍ଧିଜୀ ଉପସ୍ଥିତ ରହି ଆମ୍ବେଡକରଙ୍କ ୪ଟି ଦାବିକୁ ବିରୋଧ କରିଥିଲେ। ସେ ଅସ୍ପୃଶ୍ୟସମାଜକୁ ସ୍ବତନ୍ତ୍ର ନିର୍ବାଚନ କ୍ଷେତ୍ର ଦେବା ସପକ୍ଷରେ ନ ଥିଲେ। କିନ୍ତୁ ସ୍ବତନ୍ତ୍ର ନିର୍ବାଚନ କ୍ଷେତ୍ର Indian Council Act ୧୯୦୫ରେ ମୁସଲିମମାନଙ୍କ ପାଇଁ ପ୍ରଥମେ ପାରିତ ହୋଇଥିଲା ଏବଂ Govt.of India Act ୧୯୧୯ ଆଧାରରେ ଶିଖ୍‌, ଖ୍ରୀଷ୍ଟିଆନ, ଆଙ୍ଗ୍ଲୋଇଣ୍ଡିଆନମାନଙ୍କୁ ପ୍ରଦାନ କରାଯାଇଥିଲା। ଗାନ୍ଧିଜୀ ଅସ୍ପୃଶ୍ୟମାନଙ୍କୁ ହିନ୍ଦୁସମାଜର ଅଭିନ୍ନ ଅଂଶ ବୋଲି ଦାବି କରୁଥିଲେ। କିନ୍ତୁ ସେହି ବର୍ଗଙ୍କ ଅଧିକାରକୁ କାହିଁକି ବିରୋଧ କରୁଥିଲେ, ତାହା ବଡ଼ ପ୍ରଶ୍ନବାଚୀ? ଆମ୍ବେଡକରଙ୍କ ଦାବିଗୁଡ଼ିକୁ ତୀବ୍ର ବିରୋଧକରି ଗାନ୍ଧିଜୀ ୧୬ ସେପ୍ଟେମ୍ବର ୧୯୩୨ଠାରୁ ୟେରୱାଡା ଜେଲରେ ଆମରଣ ଅନଶନ ଆରମ୍ଭ କରିଦେଲେ। ତାଙ୍କ ଜୀବନରକ୍ଷା ପାଇଁ କଂଗ୍ରେସ ନେତୃଗଣ ଡ. ଆମ୍ବେଡକରଙ୍କୁ ଦାବିଗୁଡ଼ିିକ ପ୍ରତ୍ୟାହାର କରିନେବାକୁ ନିବେଦନ କଲେ। ୮ ଦିନର ଅନଶନ ପରେ ଗାନ୍ଧିଜୀ ଓ ଆମ୍ବେଡକରଙ୍କ ମଧ୍ୟରେ ଏକ ଚୁକ୍ତି ୨୪ସେପ୍ଟେମ୍ବର ୧୯୩୨ରେ ହେଲା। ଏହାକୁ ‘ପୁନା ଚୁକ୍ତି’ କୁହାଗଲା। ବହୁସଂଘର୍ଷ କରି ଅସ୍ପୃଶ୍ୟସମାଜ ଓ ପଛୁଆବର୍ଗଙ୍କ ପାଇଁ ଆଣିଥିବା ଅଧିକାରଗୁଡ଼ିକ ମଧ୍ୟରୁ ସ୍ବତନ୍ତ୍ର ନିର୍ବାଚନକ୍ଷେତ୍ର ଓ ଦୁଇଟି ଭୋଟ ଦେବାର ଅଧିକାର ହଟାଇ ଦିଆଗଲା। କେବଳ ଭୋଟଦେବାର ଅଧିକାର ରହିଲା ଏବଂ ସଂଖ୍ୟାନୁପାତିକ ପ୍ରତିନିଧିତ୍ୱକୁ ସଂରକ୍ଷଣ ଭାବରେ ନାମିତ କରାଗଲା। ସମ୍ବିଧାନର ଧାରା ୧୫(୪)ରେ ସାମାଜିକ ଓ ଶୈକ୍ଷିକ ଦୃଷ୍ଟିକୋଣରୁ ଅନଗ୍ରସର ଓ ପଛୁଆବର୍ଗଙ୍କୁ ବା ଅନୁସୂଚିତଜାତି ଓ ଜନଜାତିବର୍ଗଙ୍କ ପାଇଁ ସ୍ବତନ୍ତ୍ର ପ୍ରାବଧାନ ପାଇଁ ବ୍ୟବସ୍ଥା କରାଗଲା। ଧାରା ୧୬(୪)ଆଧାରରେ ସଂଖ୍ୟାନୁପାତିକ ପ୍ରତିନିଧିତ୍ୱ ପ୍ରାବଧାନ କରାଗଲା। ଧାରା ୩୪୦ ଆଧାରରେ ପଛୁଆବର୍ଗଙ୍କ ସ୍ଥିତି ନିରୀକ୍ଷଣ ସହ ସ୍ବତନ୍ତ୍ରବ୍ୟବସ୍ଥା କରିବା ପାଇଁ କମିଶନ ବସାଇବାର ବ୍ୟବସ୍ଥା କରାଗଲା।
ସମାଜରେ ସର୍ବଦା ମିଥ୍ୟାକଥା ପ୍ରସାରିତ ହେଉଛି, ଚାକିରି ଓ ଶିକ୍ଷାକ୍ଷେତ୍ରରେ ଥିବା ସଂରକ୍ଷଣ ୧୦ବର୍ଷ ପାଇଁ ସମ୍ବିଧାନରେ ପ୍ରଦାନ କରାଯାଇଥିଲା। ଧାରା ୩୩୪ଆଧାରରେ ଅନୁସୂଚିତଜାତି ଓ ଜନଜାତିଙ୍କ ପାଇଁ ବିଧାନସଭା ଓ ପାର୍ଲାମେଣ୍ଟ ଆସନରେ ରାଜନୈତିକ ସଂରକ୍ଷଣ ଓ ଆଙ୍ଗ୍ଲୋଇଣ୍ଡିଆନଙ୍କ ପାଇଁ ପ୍ରତିନିଧିତ୍ୱର ବ୍ୟବସ୍ଥା ସମ୍ବିଧାନ ପ୍ରଣୟନର ୧୦ବର୍ଷ ପର୍ଯ୍ୟନ୍ତ ଥିଲା। ୧୯୬୦ରେ ଏହି ସଂରକ୍ଷଣର ଅନ୍ତ ଘଟିଥା’ନ୍ତା କିନ୍ତୁ ସମ୍ବିଧାନର ୮ମ ସଂଶୋଧନରେ କଂଗ୍ରେସ ସରକାର ଦ୍ବାରା ଏହାକୁ ୧୯୭୦ ପର୍ଯ୍ୟନ୍ତ ବଢାଇ ଦିଆଗଲା। ପୁନର୍ବାର ଏହାର ଅବଧିକୁ ୧୯୮୦ରୁ ୨୦୨୦ ପର୍ଯ୍ୟନ୍ତ ଅନେକ ସମ୍ବିଧାନ ସଂଶୋଧନରେ ବଢ଼ାଇ ଦିଆଗଲା ଏବଂ ଭାଜପା ସରକାର ଦ୍ବାରା ଚଳିତଥର ୧୦୪ତମ ସମ୍ବିଧାନ ସଂଶୋଧନରେ ୨୦୩୦ ପର୍ଯ୍ୟନ୍ତ ଏହାର ଅବଧିକୁ ବୃଦ୍ଧି କରାଯାଇଛି। ରାଜନୈତିକ ସଂରକ୍ଷଣ ଦ୍ବାରା ଅନୁସୂଚିତବର୍ଗଙ୍କର କୌଣସି ଉନ୍ନତି ପରିଲକ୍ଷିତ ହେଉନାହିଁ। ସଂରକ୍ଷିତ ଆସନରୁ ବିଧାୟକ, ସାଂସଦ ବନୁଥିବା ରାଜନେତାମାନେ ଅନୁସୂଚିତବର୍ଗଙ୍କ ଉନ୍ନତି ପରିବର୍ତ୍ତେ ନିଜ ରାଜନୈତିକ ଦଳର ସୁପ୍ରିମୋମାନଙ୍କ ଇସାରାରେ ପରିଚାଳିତ ହେଉଛନ୍ତି। କେବଳ ଏହି ବର୍ଗଙ୍କ ଭୋଟ ହାତେଇବା ପାଇଁ ଏହି ରାଜନୈତିକ ସଂରକ୍ଷଣର ଅବଧିସମାପ୍ତି ପରେ ବି କଂଗ୍ରେସ ଭାଜପା ଏହାକୁ ବୃଦ୍ଧି କରିଚାଲିଛନ୍ତି। ୧୦ବର୍ଷ ପାଇଁ ଥିବା ରାଜନୈତିକ ସଂରକ୍ଷଣର ଅବଧିକୁ ବାରମ୍ବାର ବୃଦ୍ଧି କରାଉଥିବା କଂଗ୍ରେସ ଓ ଭାଜପାକୁ ସମାଲୋଚନା ପରିବର୍ତ୍ତେ ଚାକିରି ଓ ଶିକ୍ଷାକ୍ଷେତ୍ରରେ ୧୦ବର୍ଷ ପାଇଁ ସଂରକ୍ଷଣ ଥିବା କହି ଅପପ୍ରଚାର କରିବା କେତେଦୂର ସମୀଚୀନ?
ସଂରକ୍ଷଣ କେବଳ ଅନୁସୂଚିତବର୍ଗଙ୍କ ପାଇଁ ଉଦ୍ଦିଷ୍ଟ ନୁହେଁ ବା ସଂରକ୍ଷଣ ବ୍ୟବସ୍ଥା ଗରିବୀ ଉନ୍ମୁଳନ ଯୋଜନା ନୁହେଁ ବା ସମାଜରେ ଗରିବୀ ଆଧାରରେ ଛୁଆଁଅଛୁଆଁ ଭେଦଭାବ ଓ ଅତ୍ୟାଚାର ହୁଏନାହିଁ। କିନ୍ତୁ ଦେଶର ୧୨୪ତମ ସମ୍ବିଧାନ ସଂଶୋଧନ କରି ସବର୍ଣ୍ଣମାନଙ୍କୁ ଆର୍ଥିକ ଆଧାରରେ ୧୦% ଶିକ୍ଷା ଓ ଚାକିରି କ୍ଷେତ୍ରରେ ସଂରକ୍ଷଣ ଦିଆଗଲା। ପଛୁଆବର୍ଗଙ୍କ ପାଇଁ ମଧ୍ୟ ସଂରକ୍ଷଣ ୨୭% ରହିଛି।
ଦେଶରେ ଅସ୍ପୃଶ୍ୟତା ବିଲକୁଲ ନାହିଁ, ଜାତିପ୍ରଥା ବିଲୋପ ହୋଇଥିବା କଥା ମଧ୍ୟ ବହୁଳ ଚର୍ଚ୍ଚା ହୁଏ। ଆଉଟଲୁକ୍‌ ମାଗାଜିନର ୨୬ ଅକ୍ଟୋବର ୨୦୧୭ର ରିପୋର୍ଟ ଆଧାରରେ ଉତ୍ତରପ୍ରଦେଶରେ ଜଣେ ଅନୁସୂଚିତ ଜାତିର ଗର୍ଭବତୀ ମହିଳା ନଳକୂପରୁ ପାଣି ଆଣିବାକୁ ଯାଇଥିବା ସମୟରେ ଠାକୁର ପରିବାରର ବାଲ୍‌ଟି ଛୁଇଁ ଦେବାରୁ ତାଙ୍କୁ ପିଟିପିଟି ମାରିଦିଆଯାଇଥିଲା। ଟାଇମ୍ସ ଅଫ ଇଣ୍ଡିଆର ୨୦୧୬ରେ ପ୍ରକାଶିତ ଏକ ସର୍ଭେ ରିପୋର୍ଟ ଆଧାରରେ ମଧ୍ୟପ୍ରଦେଶର ୯୦% ଅନୁସୂଚିତବର୍ଗର ଛାତ୍ରୀଛାତ୍ରମାନେ ସ୍କୁଲରୁ ପାଣି ପିଇ ପାରୁନାହାନ୍ତି। ଏହା କ’ଣ ଅସ୍ପୃଶ୍ୟତା ନୁହେଁ? ଏବେ ବି ଏହି ଘୃଣ୍ୟ ହୀନ ଅସ୍ପୃଶ୍ୟତା ଓ ଜାତିବାଦ ବଞ୍ଚିରହିଛି; ଯାହାଫଳରେ ଅନୁସୂଚିତବର୍ଗ ଜାତିଭିତ୍ତିକ ହିଂସା ଓ ଅସ୍ପୃଶ୍ୟତାର ଶିକାର ହେଉଛନ୍ତି। ଜାତିପ୍ରଥା ଓ ଅସ୍ପୃଶ୍ୟତା ବିରୋଧରେ ସ୍ବର ଉତ୍ତୋଳନ ନ କରି ବର୍ତ୍ତମାନ ସବୁବର୍ଗ ସଂରକ୍ଷିତବର୍ଗ ହେବାସତ୍ତ୍ବେ ମଧ୍ୟ କେବଳ ଅନୁସୂଚିତଜାତି ଓ ଜନଜାତିବର୍ଗଙ୍କୁ ସଂରକ୍ଷିତବର୍ଗ କହି କଟାକ୍ଷକରିବା ଓ ସମାଲୋଚନା କରିବା କେତେଦୂର ସମୀଚୀନ?
ଗରିବୀ ଆଧାରରେ ସଂରକ୍ଷଣ ଦାବି କରିଆସୁଥିବା ସବର୍ଣ୍ଣବର୍ଗ ଗରିବୀ ଆଧାରରେ ଚାକିରି ଓ ଶିକ୍ଷାକ୍ଷେତ୍ରରେ ସଂରକ୍ଷଣ ପାଇଲେ। କିନ୍ତୁ ଗରିବୀ ଆଧାରରେ ସେମାନଙ୍କୁ ରାଜନୀତି କ୍ଷେତ୍ରରେ ସଂରକ୍ଷଣ କାହିଁକି ଦିଆଗଲା ନାହିଁ? ଯଦି ଅନୁସୂଚିତବର୍ଗର ରାଜନୈତିକ ସଂରକ୍ଷଣର ଅବଧି ସମାପ୍ତି ପରେ ସମ୍ବିଧାନ ସଂଶୋଧନ କରି ସେହି ସରକାର ଅବଧି ବୃଦ୍ଧି କରାଇପାରୁଛନ୍ତି, ତେବେ ଗରିବ ସବର୍ଣ୍ଣମାନଙ୍କୁ ରାଜନୀତି କ୍ଷେତ୍ରରେ ସଂରକ୍ଷଣରୁ କାହିଁକି ବଞ୍ଚିତ କରି ରଖିଛନ୍ତି ସରକାର। ଦେଶରେ ମାତ୍ର ୧% ସରକାରୀ ଚାକିରିର ସୁବିଧା ରହିଛି। ସେହି ୧% ମଧ୍ୟରୁ ପ୍ରତ୍ୟେକବର୍ଗଙ୍କୁ ସଂରକ୍ଷଣର ସୁବିଧା ପ୍ରଦାନ କରାଯାଉଛି। କିନ୍ତୁ ଦେଶର ବେସରକାରୀ ସଂସ୍ଥାରେ ଥିବା ୯୯% ଚାକିରି କ୍ଷେତ୍ରରେ ସଂରକ୍ଷଣ ବ୍ୟବସ୍ଥା ପାଇଁ ଅନୁସୂଚିତବର୍ଗଙ୍କ ସହ ସବର୍ଣ୍ଣସମାଜ ସ୍ବର ମିଳାଇ ଲଢ଼େଇ କରିବାକୁ ଆଗେଇ ଆସିବେ କି?
ଦେଶର ସମ୍ବିଧାନକୁ ଶତପ୍ରତିଶତ ଲାଗୁ କରାଗଲେ, ଦେଶର କୌଣସି ବର୍ଗର ଆର୍ଥିକ ଦୁରବସ୍ଥା ରହିବ ନାହିଁ। ବିଶ୍ବର ସର୍ବଶ୍ରେଷ୍ଠ ସମ୍ବିଧାନକୁ ଶତପ୍ରତିଶତ ଲାଗୁକରିବା ପାଇଁ ସମସ୍ତେ ଏକ ସ୍ବରରେ ସ୍ବର ଉତ୍ତୋଳନ କରନ୍ତୁ, ତେବେ ଦେଶ ସୁନାର ଭାରତ ହୋଇଯିବ। ଏକତା ଓ ସମତାଭିତ୍ତିକ ସମାଜ ଗଠନ ହୋଇପାରିବ ଏବଂ କୌଣସିବର୍ଗଙ୍କୁ ସଂରକ୍ଷଣ ବିରୋଧରେ ବା ସମର୍ଥନରେ ସ୍ବର ଉତ୍ତୋଳନ କରିବାକୁ ପଡ଼ିବ ନାହିଁ।
ନାଉଗାଁ, ଜଗତ୍‌ସିଂହପୁର
ମୋ-୯୪୩୮୦୯୯୧୪୭


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମହାରାଷ୍ଟ୍ରର ହରିଶ୍ଚନ୍ଦ୍ର ସୁଦେ ଦିବ୍ୟାଙ୍ଗମାନଙ୍କୁ ଆତ୍ମନିର୍ଭରଶୀଳ କରାଇ ସେମାନଙ୍କ ପାଇଁ ଦେବଦୂତ ସାଜିଛନ୍ତି। ହରିଶ୍ଚନ୍ଦ୍ର ପିଲାଦିନେ ଗୋଟିଏ ଆଖି ହରାଇବା ପରେ ବହୁ ପ୍ରତିକୂଳ ପରିସ୍ଥିତିକୁ...

ସ୍ତମ୍ଭର ମହତ୍ତ୍ୱ

ଉପେନ୍ଦ୍ର ବିଶ୍ୱାଳ   ଶ୍ରୀଅରବିନ୍ଦଙ୍କ ଭାଷାରେ-‘ସାହିତ୍ୟ ହେଉଛି ଜୀବନ୍ତ ମନେହେଉଥିବା ଶବ୍ଦଚିତ୍ର।’ ପ୍ରଖ୍ୟାତ ବ୍ରିଟିଶ୍‌ ଲେଖିକା ଶେଲି କୁହନ୍ତି, ‘ସାହିତ୍ୟ ହେଉଛି ସତ୍ୟର ପ୍ରତିଫଳନ ।’...

ବୁଝ ନ ବୁଝ…

ରାକେଶ ପଣ୍ଡା   ସାଧାରଣତଃ ଯଦି ଜଣେ ବ୍ୟକ୍ତି ନୀତି ଓ ନିୟମ ବାହାରେ କାର୍ଯ୍ୟ କରନ୍ତି, ତେବେ ସମାଜରେ ବିଶୃଙ୍ଖଳା ଏବଂ ଅରାଜକତା ସୃଷ୍ଟି...

ଆଧୁନିକ ଯୁଗର ଧାର୍ମିକ ନେତା

ପାଶ୍ଚାତ୍ୟ ନେତୃତ୍ୱର ଢାଞ୍ଚାଗୁଡ଼ିକ ହେଉଛି ସାମରିକ ଶକ୍ତି କୈନ୍ଦ୍ରିକ। ଏଗୁଡ଼ିକ ମୁଖ୍ୟତଃ ନିର୍ଦ୍ଦେଶ ଏବଂ ନିୟନ୍ତ୍ରଣଭିତ୍ତିକ। ପାଶ୍ଚାତ୍ୟ ନେତୃତ୍ୱ କାର୍ଯ୍ୟ ଉପରେ ଗୁରୁତ୍ୱ ଦିଏ ଓ...

ଏଇ ଭାରତରେ

ସମୟ କ୍ରମେ ମଣିଷର ଖାଦ୍ୟ ରୁଚି ବଦଳୁଛି। ସେଫ୍‌ମାନେ ନୂଆ ପ୍ରକାରର ତଥା ସ୍ବାଦର ଖାଦ୍ୟ ସାମ୍ନାକୁ ଆଣୁଛନ୍ତି। ସେଥି ମଧ୍ୟରୁ ଏବେ ମୋମୋ ବେଶ୍‌...

ଦିବ୍ୟାଙ୍ଗ ଓ ନିଯୁକ୍ତି

ମିନତି ପ୍ରଧାନ ଗତ କେଇ ଦଶନ୍ଧି ତଳେ ଦିବ୍ୟାଙ୍ଗଙ୍କୁ କେବଳ ଛୋଟମୋଟ ବ୍ୟବସାୟ କରିବାକୁ ସୁଯୋଗ ମିଳୁଥିଲା। ମାତ୍ର ଅନ୍ତଃରାଷ୍ଟ୍ରୀୟ ଓ ରାଷ୍ଟ୍ରୀୟ ସଂସ୍ଥା, ଏନ୍‌ଜିଓ...

ଉତ୍ତର ପିଢ଼ିର ବ୍ୟାଘ୍ରାରୋହଣ

ଛାୟାକାନ୍ତ ଷଡ଼ଙ୍ଗୀ ଗୋଦାବରୀଶ ମହାପାତ୍ରଙ୍କ କ୍ଷୁଦ୍ରଗଳ୍ପ ‘ଏବେ ବି ବଞ୍ଚତ୍ଛି’ର ଦୁର୍ଭିକ୍ଷ ପ୍ରପୀଡ଼ିତ ନାୟକ ବେଣୁଧର ସରକାରୀ ସାହାଯ୍ୟ କେନ୍ଦ୍ରକୁ ଚାଉଳ ଆଣିବା ପାଇଁ ଯାଇଛି...

ସଙ୍କଟରେ ନ୍ୟାୟାଳୟ

ନ୍ୟାୟପାଳିକା ଗଣତାନ୍ତ୍ରିକ ବ୍ୟବସ୍ଥାର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ଏହା ନାଗରିକଙ୍କ ସ୍ବାର୍ଥରକ୍ଷା ନିଶ୍ଚିତ କରେ। ଭାରତର ନ୍ୟାୟିକ ବ୍ୟବସ୍ଥା ସୁବ୍ୟସ୍ଥିତ ଓ ଏହାର ଶୀର୍ଷରେ ରହିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri