ପ୍ରକୃତ ପ୍ରାଣୀ କଲ୍ୟାଣ

ମାନେକା ଗାନ୍ଧୀ

ସବୁଠାରୁ ବାଜେ ଜିନିଷ ମଧ୍ୟରୁ ଗୋଟିଏ ହେଉଛି change.com ନାମକ ଏକ ଅନ୍ତର୍ଜାତୀୟ ଓ୍ବେବ୍‌ସାଇଟ୍‌। ଏହାର କାର୍ଯ୍ୟାଳୟ ଅନେକ ଦେଶରେ ଅଛି ଏବଂ ଏଥିରେ କୁହାଯାଉଛି ଯେ ଯାହାର କୌଣସି ଅଭିଯୋଗ ଅଛି ଏବଂ ସମାଧାନ ଚାହୁଁଛନ୍ତି, ସେ ଏକ ସମସ୍ୟା ପଞ୍ଜୀକୃତ କରି ସେଥିରେ ଦସ୍ତଖତ କରିପାରିବେ। ଅଭିଯୋଗଗୁଡିକ କ୍ଷମତାପନ୍ନ ଅଧିକାରୀ ବା ରାଜନେତାଙ୍କ ନିକଟକୁ ଇମେଲ ମାଧ୍ୟମରେ ପଠାଯିବ।
କିଛିବର୍ଷ ପୂର୍ବେ ଯେତେବେଳେ change.com ଶିଖରରେ ପହଞ୍ଚିଲା, ସେତେବେଳେ ମୁଁ ଶହ ଶହ ଇମେଲ୍‌ ପାଇଲି- ‘ଭାରତ ମହିଳାଙ୍କ ପ୍ରତି ହିଂସା କରିବା ଉଚିତ ନୁହେଁ’ରୁ ଆରମ୍ଭ କରି ‘ସାନିଟାରୀ ନାପ୍‌କିନ ଟିକସମୁକ୍ତ ହେବା ଉଚିତ’ ପର୍ଯ୍ୟନ୍ତ। ଅବଶ୍ୟ କିଛି ପ୍ରାଣୀଘଟିତ ସମସ୍ୟା ମଧ୍ୟ ଥାଏ। ପ୍ରତି ତିନି ଦିନରେ ପ୍ରସଙ୍ଗ ବଦଳିଯାଏ। ଅନେକ ସମୟରେ ଏମିତି ସାଧାରଣ ପ୍ରକୃତିର (ଜେନେରିକ୍‌) ଅଭିଯୋଗ ଥାଏ, ଯାହାର କେହି ସମାଧାନ କରିପାରିବେ ନାହିଁ। ଅନେକ ସମୟରେ ସେଗୁଡ଼ିକୁ ଭୁଲ୍‌ ଜାଗାକୁ ପଠାଯାଉଥିଲା। ଯେତେବେଳେ ମୁଁ ଅଫିସରେ ନୂଆକରି ଯୋଗ ଦେଇଥିଲି, ସେତେବେଳେ ଏହି ଅଭିଯାନଗୁଡିକ ମଧ୍ୟରୁ ଗୋଟିକୁ ଉତ୍ତର ଦେଇଥିଲି ଏବଂ ଏହାର ଫଳ ହେଲା ଏଇଆ ଯେ change.comର ମୁଖ୍ୟ ଭାରତର ସର୍ବୋତ୍ତମ ପରିବର୍ତ୍ତନକାରୀ ଭାବରେ ପୁରସ୍କାର ପାଇଲେ। କିନ୍ତୁ ସେ କିଛି ବି କରିନାହାନ୍ତି, କେବଳ ମୋ ପାଖରେ ଠିଆହୋଇ ଫଟୋ ଉଠାଇବା ଛଡ଼ା।
କୌଣସି ପ୍ରସଙ୍ଗରେ କେବେ ବି ଗବେଷଣା କରାଯାଇ ନାହିଁ। କେବଳ ଗୋଟିଏ ଧାଡ଼ିର ଅଭିଯୋଗ ଯାହା କି କିଛିଦିନ ଭିତରେ ମଉଳିଯାଏ ଏବଂ ଆଉ ଗୋଟିଏ ନୂଆ ଅଭିଯୋଗ ତା’ର ସ୍ଥାନ ନିଏ। କିଛିଦିନ ପରେ ମୁଁ ମୋ ଇନ୍‌ବକ୍ସରେ ତାଙ୍କ ଇମେଲ ଦେଖିବା ମାତ୍ରେ ସେଗୁଡ଼ିକୁ ଡିଲିଟ କରିବାକୁ ଆରମ୍ଭ କଲି ଏବଂ ଏବେ ଆଉ ସେସବୁ ଇମେଲ ଗ୍ରହଣ କରୁନାହିଁ। ମୁଁ ଏକମାତ୍ର ମନ୍ତ୍ରୀ ଯିଏ କି change.comର ଇମେଲ୍‌ ପଢ଼ିଥିଲି। ସରକାରଙ୍କ ନୀତି ପରିବର୍ତ୍ତନ କିମ୍ବା କାର୍ଯ୍ୟାନୁଷ୍ଠାନ ଉପରେ ଉକ୍ତ ସାଇଟ୍‌ର କୌଣସି ପ୍ରଭାବ ପଡ଼ିନାହିଁ। କିନ୍ତୁ ସାଧାରଣ କମ୍ପ୍ୟୁଟର ବ୍ୟବହାରକାରୀଙ୍କ ଉପରେ ଏହାର ଖରାପ ପ୍ରଭାବ ପଡିଥିଲା, ଯେଉଁମାନେ ଏହି ପିଟିଶନରେ ଦସ୍ତଖତ କରିଥିଲେ। ପ୍ରାୟତଃ ସମାନ ବ୍ୟକ୍ତି କମ୍ପ୍ୟୁଟରରେ ପ୍ରତ୍ୟେକ ପିଟିଶନରେ ଦସ୍ତଖତ କରନ୍ତି। ପିଟିଶନରେ ଦସ୍ତଖତଟିଏ କରିଦେଇ ସେମାନେ ଅନୁଭବ କରନ୍ତି ଯେ ସେମାନେ ବିଶ୍ୱ ପାଇଁ ନିଜର କର୍ତ୍ତବ୍ୟ କରିଛନ୍ତି। ବାସ୍ତବରେ କିଛି ନ କରି କେବଳ ଏକ ଲିଙ୍କ ଉପରେ କ୍ଲିକ୍‌ କରି ନିଜର ଇଲେକ୍ଟ୍ରୋନିକ୍‌ ସ୍ବାକ୍ଷର ପଠାଇଦେଲେ ସମାଜର କିଛି ବି ବଦଳିଯାଏ ନାହିଁ। କିନ୍ତୁ ମୁଁ ସମାଜ ପାଇଁ କର୍ତ୍ତବ୍ୟ କରୁଛି ବୋଲି ଭ୍ରମ ଧାରଣା ସୃଷ୍ଟି ହୋଇଥାଏ।
ଦୁର୍ଭାଗ୍ୟବଶତଃ change.com ପ୍ରାଣୀ କଲ୍ୟାଣ ସାଇଟ୍‌ଗୁଡିକରେ ନାନା ଭାବରେ ଅନୁଷ୍ଠାନୀକୃତ ହୋଇଯାଇଛି। ସେମାନଙ୍କ ଇମେଲ ମେସେଜଗୁଡ଼ିକ ଥିଲା ଏହିପରି: ମାନେକା! ଫାରୋ ଦ୍ୱୀପପୁଞ୍ଜରେ ଡଲଫିନ୍‌ମାନଙ୍କୁ ବଞ୍ଚାଇବା ପାଇଁ ଏଥିରେ ଦସ୍ତଖତ କର; ସ୍କଟ୍‌ଲାଣ୍ଡରେ ବନ୍ୟଜନ୍ତୁମାନଙ୍କୁ ବଞ୍ଚାଇବା ପାଇଁ ଏଥିରେ ଦସ୍ତଖତ କର; ମରିସସ୍‌ରୁ ମାଙ୍କଡ଼ ରପ୍ତାନି ବନ୍ଦ କରିବାକୁ ଏଥିରେ ଦସ୍ତଖତ କର ଇତ୍ୟାଦି। ମୁଁ ନିଶ୍ଚୟ ଏହିପରି ହଜାରେ ପିଟିଶନରେ ଦସ୍ତଖତ କରିଛି। କିନ୍ତୁ ଫଳ କ’ଣ ହେଲା? ଏହି ଦସ୍ତଖତଗୁଡ଼ିକ କେଉଁଠାକୁ ଯାଏ କେହି ଜାଣନ୍ତି ନାହିଁ। ମୁଁ ପ୍ରାଣୀମାନଙ୍କୁ ବଞ୍ଚାଇବା ପାଇଁ ଅନେକ କାର୍ଯ୍ୟ କରେ ଏବଂ ମୁଁ ଦସ୍ତଖତ କରିବାର ଏକମାତ୍ର କାରଣ ହେଉଛି ପ୍ରାଣୀ କଲ୍ୟାଣ ସଂଗଠନର ଆତ୍ମାକୁ ବଜାୟ ରଖିବା ଏବଂ ସେମାନଙ୍କଠାରେ ବିଶ୍ୱାସ ଜନ୍ମାଇବା ଯେ କେହି ସେମାନଙ୍କ ସାଇଟ୍‌କୁ ଦେଖୁଛନ୍ତି!
ହାତୀ ନିର୍ଯାତନା ଓ ହତ୍ୟା ମାମଲାରେ କେରଳ ବୋଧହୁଏ ସବୁଠାରୁ ଖରାପ ରାଜ୍ୟ। ଏଠାରେ ଜଙ୍ଗଲ ବିଭାଗ କୌଣସି ଅଭିଯୋଗ ପ୍ରତି ସମ୍ପୂର୍ଣ୍ଣ ଉଦାସୀନ। କେରଳ ହାତୀ change.comରେ ଦସ୍ତଖତକାରୀଙ୍କ ଅଧିକ ଧ୍ୟାନ ଆକର୍ଷଣ କରିଥାଏ। ପ୍ରତ୍ୟେକ ଥର କେହି ଜଣେ ହାତୀ ନିର୍ଯାତନା ଉପରେ ଆଲୋକପାତ କରନ୍ତି। ତା’ପରେ ଡେସ୍କ ଜକିମାନଙ୍କ ପାଖରୁ ଶହ ଶହ ଇମେଲ ମୋ ପାଖକୁ ଆସେ। ସେମାନେ ବୋଧହୁଏ କେରଳ ଅଧିକାରୀମାନଙ୍କ ନିକଟକୁ ମେଲ ପଠାନ୍ତି କିନ୍ତୁ ମୋର ବିଶ୍ୱାସ ଆଜି ପର୍ଯ୍ୟନ୍ତ କୌଣସି ଅଧିକାରୀ ସେମାନଙ୍କ ମେଲ ପଢ଼ିନାହାନ୍ତି। କୌଣସି ରାଜନେତା ବି ପଢ଼ନ୍ତି ନାହିଁ।
ଯେଉଁ ସଂଗଠନଗୁଡିକ ସେମାନଙ୍କ ସାଇଟ ମାଧ୍ୟମରେ ଏହି ପିଟିଶନଗୁଡିକର ଯୋଗାଡ଼ କରନ୍ତି, ସେମାନେ କେବଳ ନାମ କମେଇ ପାଣ୍ଠି ସଂଗ୍ରହ ପାଇଁ ଏହାକୁ ବ୍ୟବହାର କରୁଛନ୍ତି। ତେଣୁ ପ୍ରକୃତରେ ଏକ ପଶୁକୁ ବଞ୍ଚାଇବା ଏବଂ ପରିବର୍ତ୍ତନ ଆଣିବା ପାଇଁ ଆପଣ କ’ଣ କରିପାରିବେ? ଆପଣ କିପରି ଜଣେ ପ୍ରକୃତ ଆନିମଲ ଆଡଭୋକେଟ ହୋଇପାରିବେ ଏବଂ ନିଷ୍ଠୁରତା, ଦୁର୍ନୀତି ଓ ଦାୟିତ୍ୱରେ ଥିବା କର୍ମଚାରୀମାନଙ୍କର ଅପାରଗତାକୁ ଲୋକଲୋଚନକୁ ଆଣିପାରିବେ? ଆପଣ କିପରି ନିଜ ଅଞ୍ଚଳରେ ଏକ ପ୍ରାଣୀକୁ ବଞ୍ଚାଇବେ କିମ୍ବା ଅଭିନବ ରୂପରେ ଏକ ସରକାରୀ ନୀତିକୁ ବଦଳାଇଦେଇ ପାରିବେ?
ସମସ୍ତ ସ୍ଥାନୀୟ ପ୍ରଶାସକ ଓ ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତି ଯଥା- ଡିଏମ୍‌, ଏସ୍‌ଡିଏମ୍‌, ପୋଲିସ ମୁଖ୍ୟ, ସ୍ଥାନୀୟ ଥାନା, ସାଂସଦ, ବିଧାୟକ, କର୍ପୋରେଟର, ଜିଲା ପଞ୍ଚାୟତ ସଦସ୍ୟ, ସ୍ଥାନୀୟ ପ୍ରାଣୀ ଚିକିତ୍ସା ଅଧିକାରୀ, ବନ କାର୍ଯ୍ୟାଳୟ ଏବଂ ତିନୋଟି ପ୍ରମୁଖ ଖବରଦାତାଙ୍କ ଫୋନ୍‌ ନମ୍ବର ଓ ବ୍ୟକ୍ତିଗତ ଇମେଲ ଖୋଜି ନିଜ ପାଖରେ ରଖନ୍ତୁ। ଯେତେବେଳେ ଦରକାର ପଡ଼ିବ ସିଧାସଳଖ କଲ୍‌ ବା ଇମେଲ୍‌ ମାଧ୍ୟମରେ ସେମାନଙ୍କ ସହ ଯୋଗାଯୋଗ କରିପାରିବେ।
ପ୍ରାଣୀଙ୍କ ପ୍ରତି ସମ୍ବେଦନଶୀଳ ବ୍ୟକ୍ତିମାନଙ୍କର ଏକ ଗ୍ରୁପ୍‌ ତିଆରି କରନ୍ତୁ। ବିଦ୍ୟାଳୟ, କଲେଜ, ପଡ଼ୋଶୀ, ସ୍ଥାନୀୟ ଆଇନଜୀବୀ ଏବଂ ଶିକ୍ଷକମାନଙ୍କ ପାଖକୁ ଯାଆନ୍ତୁ। ଲୋକଙ୍କୁ ଆପଣଙ୍କ ସହିତ ଯୋଗାଯୋଗ କରିବାକୁ ଅନୁରୋଧ କରି ଛୋଟ ପ୍ରଚାରପତ୍ର ବାଣ୍ଟନ୍ତୁ। ସ୍ଥାନୀୟ ଅଧିକାରୀ ଓ ଗଣମାଧ୍ୟମ ସହ ନିୟମିତ ସମ୍ପର୍କ ରଖିବା ପାଇଁ ଗ୍ରୁପ୍‌ର ସଦସ୍ୟମାନଙ୍କୁ କୁହନ୍ତୁ। ଆପଣ ନିଜ ଜିଲାରେ ଏକ ଏସ୍‌ପିସିଏ ଏବଂ ପଶୁ ଆମ୍ବୁଲାନ୍ସ ଚାହୁଁଛନ୍ତି କି? ତା’ହେଲେ ଏହାକୁ ପାଇବା ପର୍ଯ୍ୟନ୍ତ ସ୍ଥାନୀୟ ପ୍ରଶାସନ ପଛରେ ଲାଗିବା ଆବଶ୍ୟକ। ଏଥିପାଇଁ ମାସ ମାସ ସମୟ ଲାଗିପାରେ କିନ୍ତୁ ଫଳ ନିଶ୍ଚୟ ମିଳିବ। ଆପଣ ନିଜ ଅଞ୍ଚଳରେ ଥିବା ମନ୍ଦିରରେ ହାତୀ ବ୍ୟବହାର ବନ୍ଦ କରିବା ପାଇଁ ଚାହୁଁଛନ୍ତି କି? ଫଟୋ ଓ ଲେଖା ସହିତ ମନ୍ଦିର ଓ ପ୍ରଶାସନ ନିକଟରେ ଅଭିଯୋଗ ଜାରି ରଖନ୍ତୁ। ଗଣମାଧ୍ୟମକୁ ବି ଜଣାନ୍ତୁ। ସାଂସଦ ଓ ବିଧାୟକଙ୍କ ଘର ଆଗରେ ଠିଆ ହୁଅନ୍ତୁ ଏବଂ ସେମାନେ ପ୍ରତିକ୍ରିୟା ନ ଦେବା ପର୍ଯ୍ୟନ୍ତ ଛାଡନ୍ତୁ ନାହିଁ। ଏକ ଛୋଟିଆ ଦୃଢ଼ମନା ଗୋଷ୍ଠୀ ପରିବର୍ତ୍ତନ ଆଣିପାରିବ।
ପୋଲିସ ପ୍ରାଣୀମାନଙ୍କ ବିରୋଧରେ ଘଟୁଥିବା ଅପରାଧକୁ ହାଲୁକା ଭାବେ ଗ୍ରହଣ କରନ୍ତି ଏବଂ ଅଧିକାଂଶ ପୋଲିସ ଆଇନ ମଧ୍ୟ ଜାଣନ୍ତି ନାହିଁ। ଫଳରେ ଅପରାଧୀ, ଚୋରା ଚାଲାଣକାରୀ, ପେଟ୍‌ଶପ, ପ୍ରଜନନକାରୀ, ପ୍ରାଣୀମାନଙ୍କୁ ପିଟୁଥିବା ଲୋକେ ତାଙ୍କ କାର୍ଯ୍ୟ ଜାରି ରଖନ୍ତି, ବିଶେଷ କରି ପୋଲିସ ଯେହେତୁ ସେମାନଙ୍କଠାରୁ ଟଙ୍କା ଲୁଟିବା ପାଇଁ ଅଭିଯୋଗକୁ ବ୍ୟବହାର କରିଥାଏ। ଯଦି ଥାନା ଶୁଣୁନାହିଁ, ତେବେ ଏସ୍‌ପିଙ୍କ ପାଖକୁ ଯାଆନ୍ତୁ। ଯଦି ସେ ବି ନ ଶୁଣନ୍ତି, ତେବେ ସ୍ଥାନୀୟ କୋର୍ଟକୁ ଯାଆନ୍ତୁ ଏବଂ ପ୍ରାଣୀ ନିର୍ଯାତନା ବିରୋଧରେ ଏକ ଆଦେଶନାମା ବାହାର କରନ୍ତୁ। ତାହାକୁ ବି ଯଦି ଅପରାଧୀ ଓ ସ୍ଥାନୀୟ ପ୍ରଶାସନ ନ ଶୁଣେ, ତେବେ ପୁଣି କୋର୍ଟକୁ ଯାଆନ୍ତୁ ଏବଂ କୋର୍ଟ ଅବମାନନା କେସ୍‌ ଫାଇଲ୍‌ କରନ୍ତୁ। ଯଦି ଆପଣ ଦୁଇଟି ମାମଲାରେ ଘୋଘା କରି କମ୍ପେଇପାରିବେ, ତେବେ ଏଥିରେ ଆପଣଙ୍କର ଯେତେ ସମୟ ଯାଉନା କାହିଁକି, ତୃତୀୟଟିରେ ଆପଣଙ୍କ କଥା ନିଶ୍ଚୟ ଶୁଣାଯିବ। ଉଦାହରଣ ସ୍ବରୂପ, ହତ୍ୟା ପାଇଁ କୁକୁଡ଼ାଙ୍କୁ ଖୋଖା (ରାସ୍ତାକଡ଼ ପିଞ୍ଜରା)ରେ ରଖିବା ପୌର ଆଇନ ଅନୁଯାୟୀ ବେଆଇନ। ସେଗୁଡିକୁ ଆପଣଙ୍କ ଅଞ୍ଚଳରୁ ହଟାନ୍ତୁ। ଆଇନ ଅନୁଯାୟୀ ଏକ ଏସ୍‌ପିସିଏ ଓ ପ୍ରାଣୀ ଚିକିତ୍ସାଳୟରେ ଆମ୍ବୁଲାନ୍ସ ରହିବା ବାଧ୍ୟତାମୂଳକ। ଆନ୍ଦୋଳନ କରି ତାହା ହାସଲ କରନ୍ତୁ। ସମସ୍ତ ପେଟ୍‌ଶପ୍‌ ବର୍ତ୍ତମାନ ବେଆଇନ, ଯଦି ସେଗୁଡିକ ପ୍ରାଣୀ କଲ୍ୟାଣ ବୋର୍ଡ ଦ୍ୱାରା ଲାଇସେନ୍ସପ୍ରାପ୍ତ ନୁହନ୍ତି। ସେଗୁଡ଼ିକୁ ବନ୍ଦ କରାନ୍ତୁ। ସମସ୍ତ ପକ୍ଷୀ ବଜାର ବେଆଇନ୍‌, ସେମାନେ ଯେଉଁ ପକ୍ଷୀ ବିକ୍ରୟ କରନ୍ତୁ ନା କାହିଁକି। ସେଗୁଡ଼ିକୁ ବନ୍ଦ କରାନ୍ତୁ। ଆମର ଜଣେ ଝିଅ ସ୍ବାତୀ ଦୀକ୍ଷିତ ଭୋପାଳରେ ଏସବୁ କରିଆସୁଛନ୍ତି ଏବଂ ଦୁଇ ବର୍ଷ ମଧ୍ୟରେ ପକ୍ଷୀ ବଜାର ବହୁ ମାତ୍ରାରେ ହ୍ରାସ ପାଇଛି। ପୋଲିସ ବି ତାଙ୍କୁ ସାହାଯ୍ୟ କରୁଛି। ପଶ୍ଚିମବଙ୍ଗରୁ ପକ୍ଷୀମାନେ ବେଆଇନ ଭାବେ ଆସନ୍ତି- ବର୍ତ୍ତମାନ ଏହି କାରବାର ବନ୍ଦ କରିବାକୁ ରେଳ କର୍ତ୍ତୃପକ୍ଷ ପଦକ୍ଷେପ ନେଉଛନ୍ତି।
ସବୁବେଳେ ସ୍ଥାନୀୟ ଲୋକଙ୍କ ଇମେଲ ସଂଗ୍ରହ କରୁଥାନ୍ତୁ। ଏହା ଆପଣଙ୍କର ସମ୍ପଦ। ଯଦି ଏକ ସ୍ଥାନୀୟ ବା ଜାତୀୟ କମ୍ପାନୀ କିଛି ନିଷ୍ଠୁର କାର୍ଯ୍ୟ କରୁଥିବା ଜାଣନ୍ତି, ତେବେ ଫେସ୍‌ବୁକ୍‌, ଟୁଇଟର, ଇନଷ୍ଟାଗ୍ରାମ୍‌ ଆଦିରେ ଲେଖା, ଫଟୋ ଓ ଭିଡିଓ ସହ ଉକ୍ତ ଖବରକୁ ଭାଇରାଲ କରନ୍ତୁ। ସାରା ବିଶ୍ୱ ତାଙ୍କୁ ନିନ୍ଦା କରୁ। ସ୍ଥାନୀୟ କୁକୁଡ଼ା ଫାର୍ମ, କଂସେଇଖାନା ଓ ସରକାରୀ ପ୍ରାଣୀ ଚିକିତ୍ସାଳୟର ଦୁରବସ୍ଥା ଉପରେ ଆକ୍ରମଣ କରନ୍ତୁ। ଗଣମାଧ୍ୟମ ସାହାଯ୍ୟରେ ସେମାନଙ୍କୁ ଲଜ୍ଜିତ କରିବା ଆରମ୍ଭ କରନ୍ତୁ। କିନ୍ତୁ କାହାକୁ ନିନ୍ଦିତ କରିବା ପାଇଁ କେବେହେଲେ ମନଗଢ଼ା କାହାଣୀ ତିଆରି କରନ୍ତୁ ନାହିଁ।
ସବୁବେଳେ ଦାନ କରନ୍ତୁ। ଆପଣ ପୁରୁଣା ଖବରକାଗଜ ବିକି ପାଇଥିବା ଟଙ୍କା, ସିନେମା ନ ଯାଇ ବା ଜଳଖିଆ ନ ଖାଇ ସଞ୍ଚିଥିବା ଟଙ୍କା ଏବଂ ଆପଣଙ୍କ ଆୟର ଏକଦଶମାଂଶ ଦାନ କରିପାରିବେ। ଏହାକୁ ପ୍ରଥମେ ଆପଣଙ୍କ ଅଞ୍ଚଳର ସ୍ଥାନୀୟ ଲୋକଙ୍କୁ ଦିଅନ୍ତୁ, ଯେଉଁମାନେ ପ୍ରାଣୀମାନଙ୍କୁ ଖାଇବାକୁ ଦିଅନ୍ତି। ସେମାନଙ୍କୁ ଖାଦ୍ୟ ବି ଦେଇପାରିବେ: ପକ୍ଷୀମାନଙ୍କ ପାଇଁ ଶସ୍ୟ ଏବଂ କୁକୁର ଓ ଗାଈ ପାଇଁ ରୁଟି।

Email: gandhim@nic.in


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାରେ ଦୋଳଯାତ୍ରା

ଡ. ଭାଗ୍ୟଲିପି ମଲ୍ଲ ଶୀତ ସରି ସରି ଆସୁଛି। ଖରା ଧରାକୁ ମୁହାଁଇଛି। ସନ୍ଧି ସମୟ। କାଳପ୍ରବାହରେ ମଧୁମାସ। ବସନ୍ତ। ଚାରିଆଡ଼େ ଫୁଲ ଆଉ ଫୁଲ।...

ଏଇ ଭାରତରେ

ମଦ ବିରୋଧରେ ଏକ ନିଆରା ଯୁଦ୍ଧ ଦେଖିବାକୁ ମିଳିଛି ଗୁଜରାଟରେ। ଗାନ୍ଧୀନଗର ଜିଲାର କଲୋଲ ତହସିଲ ଅନ୍ତର୍ଗତ ପିୟାଜ ଗାଁରେ ବିବାହ ପୂର୍ବରୁ କନ୍ୟା ପରିବାରର...

ବିଲୟ ପଥେ ବିଏସ୍‌ଏନ୍‌ଏଲ୍‌

ଜନାର୍ଦ୍ଦନ ପତି ଆମ ଦେଶରେ ଯେତେ ଟେଲିଫୋନ କମ୍ପାନୀ ଟେଲି ଯୋଗାଯୋଗ ବ୍ୟବସାୟ କରିଛନ୍ତି, ସେମାନଙ୍କ ମଧ୍ୟରେ ଭାରତ ସଞ୍ଚାର ନିଗମ ଲିମିଟେଡ୍‌ ବା ବିଏସ୍‌ଏନ୍‌ଏଲ୍‌...

ପ୍ରାଚୀନ ଭାରତର ବିଶ୍ୱବିଦ୍ୟାଳୟ

ଇଂ.ମାୟାଧର ସ୍ବାଇଁ ପାଶ୍ଚାତ୍ୟ ଜଗତରେ ବିଶ୍ୱବିଦ୍ୟାଳୟ ସ୍ଥାପନର ବହୁ ପୂର୍ବରୁ ଭାରତରେ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠିତ ହୋଇଥିଲା ଏବଂ ଏଠାରେ ଦେଶ, ବିଦେଶର ଅନେକ ଛାତ୍ର ଶିକ୍ଷାଲାଭ...

ନୂତନତ୍ୱର ସ୍ଥାନ ନାହିଁ

କରୋନା ଭୂତାଣୁ ସଂକ୍ରମଣ ଯୋଗୁ ଭାରତୀୟ ଅର୍ଥନୀତି ଘୋର ପ୍ରଭାବିତ ହୋଇଛି। ଲକ୍‌ଡାଉନ ଉଠିବା ପରେ ତତ୍‌କ୍ଷଣାତ୍‌ ଏଥିରେ ସୁଧାର ଆସିବ ବୋଲି ଆଶା କରାଯାଉ...

ଆତଙ୍କବାଦ ବିରୋଧରେ ଟ୍ରମ୍ପ କାର୍ଡ

ଅରୁଣ କୁମାର ପଣ୍ଡା ପ୍ରତିରକ୍ଷା, ଶକ୍ତି, ବୈଷୟିକ ଜ୍ଞାନକୌଶଳ ଏବଂ ସଞ୍ଚାର କ୍ଷେତ୍ରରେ ପରସ୍ପର ବୁଝାମଣା ସହିତ ଉଭୟ ଦେଶ ମଧ୍ୟରେ ସୌହାର୍ଦ୍ଦ୍ୟ ବୃଦ୍ଧି ପାଇଁ...

କୁକୁଡ଼ା ବି ଖୁସିରେ ଗାଆନ୍ତି

ମାନେକା ଗାନ୍ଧୀ ସମ୍ପୂର୍ଣ୍ଣ ଲକ୍‌ଡାଉନରେ ପ୍ରାୟ ଦୁଇମାସ ହେବ ମୁଁ ପୂରା ଏକୁଟିଆ ରହିଥିଲି। ଏହି ସମୟରେ କୁଆଟିଏ ଥିଲା ମୋର ବନ୍ଧୁ। ଏହି ବନ୍ଧୁତ୍ୱର...

ପାଣି ମାଡ଼ିଆସିଛି

ମିଳିଥିବା ଖବର ଅନୁଯାୟୀ ପୂର୍ବ ଲଦାଖର ଗଲଓ୍ବାନ ଉପତ୍ୟକା ସଂଘର୍ଷ ସ୍ଥଳ ସମେତ ଗୋଗ୍ରା-ହଟ୍‌ ସ୍ପ୍ରିଙ୍ଗ ଅଞ୍ଚଳରୁ ଚାଇନାର ପିପୁଲ୍ସ ଲିବରେଶନ ଆର୍ମି(ପିଏଲ୍‌ଏ) ଓ ଭାରତର...

BGU
Play 250+ Trending Games
Archives

Model This Week

Why Dharitri