ବଲିଉଡ୍ ବାଦଶାହ ଶାହରୁଖ ଖାନଙ୍କୁ ବଡ଼ ପରଦାରେ ଦେଖିବାକୁ ଦୀର୍ଘଦିନ ହେଲାଣି ଅପେକ୍ଷା କରିଛନ୍ତି ପ୍ରଶଂସକ। ୨୦୨୩ ଡିସେମ୍ବର ପରଠାରୁ ଶାହରୁଖଙ୍କ କୌଣସି ନୂଆ ଫିଲ୍ମ ରିଲିଜ ହୋଇନାହିଁ। ଏବେ ତାଙ୍କ ଆଗାମୀ ଫିଲ୍ମ ‘କିଙ୍ଗ’କୁ ନେଇ ଚର୍ଚ୍ଚା ଜୋର ଧରିଛି। ଏହି ଫିଲ୍ମରେ ଏବେ ଆଉ ଜଣେ ବଡ଼ ଅଭିନେତ୍ରୀଙ୍କ ଏଣ୍ଟ୍ରି ହୋଇଛି। ସେ ହେଉଛନ୍ତି ରାଣୀ ମୁଖାର୍ଜୀ। ଫିଲ୍ମରେ ଶାହରୁଖ, ଅନିଲ କପୁର ଓ ଅଭିଷେକ ବଚ୍ଚନଙ୍କ ଭଳି ଷ୍ଟାର୍ମାନେ ପୂର୍ବରୁ ସାମିଲ ଅଛନ୍ତି। ତେବେ ରାଣୀ ଶାହରୁଖଙ୍କ ସହ ନୁହେଁ, ବରଂ ଅଭିଷେକ ବଚ୍ଚନଙ୍କ ସହ ସ୍କ୍ରିନ ଶେୟାର କରିବେ ବୋଲି ଜଣାପଡ଼ିଛି।
‘କିଙ୍ଗ’ରେ ରାଣୀ ମୁଖାର୍ଜୀ ଅଭିଷେକ ବଚ୍ଚନଙ୍କ ବିପକ୍ଷରେ ନଜର ଆସିପାରନ୍ତି। ଅଭିଷେକ ଏହି ଫିଲ୍ମରେ ଜଣେ ଖଳନାୟକ ଭୂମିକାରେ ଦେଖାଦେବେ ବୋଲି ଚର୍ଚ୍ଚା ହେଉଛି।
ରାଣୀ ଓ ଅଭିଷେକ ଶେଷଥର ପାଇଁ ୨୦୦୭ରେ ରିଲିଜ ହୋଇଥିବା ‘ଲଗା ଚୁନରୀ ମେଁ ଦାଗ’ ଫିଲ୍ମରେ ଏକାଠି କାମ କରିଥିଲେ। ଯଦି ‘କିଙ୍ଗ’ରେ ଦୁହେଁ ଏକାଠି ନଜର ଆସନ୍ତି, ତେବେ ପ୍ରାୟ ୨୦ ବର୍ଷ ପରେ ଏହି ଲୋକପ୍ରିୟ ଯୋଡ଼ିକୁ ବଡ଼ ପରଦାରେ ଦେଖିବାକୁ ମିଳିବ।
ଅନ୍ୟପଟେ ରାଣୀ ମୁଖାର୍ଜୀ ଶାହରୁଖଙ୍କ ସହ ଶେଷଥର ପାଇଁ ୨୦୦୬ରେ ରିଲିଜ ହୋଇଥିବା ‘କଭି ଅଲବିଦା ନା କେହନା’ ଫିଲ୍ମରେ ନଜର ଆସିଥିଲେ।
ତେବେ ରାଣୀ ମୁଖାର୍ଜୀଙ୍କ ‘କିଙ୍ଗ’ରେ ଏଣ୍ଟ୍ରି ନେଇ ଏପର୍ଯ୍ୟନ୍ତ ମେକର୍ସଙ୍କ ପକ୍ଷରୁ କୌଣସି ଅଧିକାରିକ ଘୋଷଣା ହୋଇନାହିଁ। ତେଣୁ ଏହି ଖବର କେତେଦୂର ସତ, ତାହା ସମୟ କହିବ।
‘କିଙ୍ଗ’ରେ ଶାହରୁଖ ଏକ ଦମଦାର ଭୂମିକାରେ ନଜର ଆସିବେ। ଏହି ଫିଲ୍ମରେ ତାଙ୍କ ଝିଅ ସୁହାନା ଖାନ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଚରିତ୍ରରେ ଅଭିନୟ କରୁଛନ୍ତି। ଏହାଛଡ଼ା ଅନିଲ କପୁର, ଜ୍ୟାକି ଶ୍ରଫ, ଅଭୟ ବର୍ମା ଓ ଦୀପିକା ପାଦୁକୋଣଙ୍କ ଭଳି କଳାକାର ମଧ୍ୟ ଫିଲ୍ମରେ ନଜର ଆସିବେ।
‘ପଠାନ’ର ନିର୍ଦ୍ଦେଶକ ସିଦ୍ଧାର୍ଥ ଆନନ୍ଦ ଏହି ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି। ‘କିଙ୍ଗ’ ୨୪ ଡିସେମ୍ବର ୨୦୨୬ରେ ବିଶ୍ୱବ୍ୟାପୀ ରିଲିଜ ହେବ।
Dharitri – Odisha’s No.1 Odia Daily

