ରାଜକନିକା, ୧୯।୧୧ (ସଞ୍ଜୟ କୁମାର ଦାଶ): ବଙ୍ଗୋପସାଗରରେ ସୃଷ୍ଟି ହୋଇ ଭୀଷଣ ରୂପ ନେଇଥିବା ସମ୍ଭାବ୍ୟ ବାତ୍ୟା ‘ଅକ୍ୱାନ’ ଓଡ଼ିଶା ଉପକୂଳ ମୁହାଁ ହୋଇଛି। ଏହା ଆସନ୍ତାକାଲି ଅର୍ଥାତ୍ ନଭେମ୍ବର ୨୦ ତାରିଖ ମଧ୍ୟାହ୍ନରେ ଗୋପାଳପୁର ନିକଟରେ ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଥିବା ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ପୂର୍ବାନୁମାନ କରିଛି। ବାତ୍ୟା ପ୍ରଭାବରେ ନଭେମ୍ବର ୧୯ ଓ ୨୦ ତାରିଖରେ କେନ୍ଦ୍ରାପଡ଼ା ଜିଲ୍ଲା ସମେତ ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି। ସମ୍ଭାବ୍ୟ ବିପଦକୁ ଦୃଷ୍ଟିରେ ରଖି କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ନଭେମ୍ବର ୧୯ରୁ ୨୧ ତାରିଖ ପର୍ଯ୍ୟନ୍ତ ଜିଲ୍ଲାର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ଏବଂ ଅଙ୍ଗନୱାଡ଼ି କେନ୍ଦ୍ରଗୁଡ଼ିକୁ ବନ୍ଦ ରଖାଯାଇଛି।
ଅନ୍ୟପଟେ ବାତ୍ୟା ମୁକାବିଲା ପାଇଁ ରାଜକନିକା ବ୍ଲକ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି। ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଅନୁଯାୟୀ ବ୍ଲକର ତଳିଆ ଓ ବିପଦସଙ୍କୁଳ ଅଞ୍ଚଳରୁ ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇ ଆଶ୍ରୟସ୍ଥଳୀରେ ରଖାଯାଉଛି। ବ୍ଲକରେ ମୋଟ ୧୦ଟି ଆଶ୍ରୟସ୍ଥଳୀ ଖୋଲାଯାଇଛି। ଏଥିମଧ୍ୟରେ ଉପୁଳେଇ, କୋଇଲିପୁର, ବଜରପୁର ଓ କାଟଣା-ବଣିଆଁଠାରେ ୪ଟି ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ ରହିଥିବା ବେଳେ ପତରପୁର, ବିଶାବାଟ, ବଡ଼ଯୋରମୁହଁ ଏବଂ ଭାରିଗଦା ପେଗରପଡ଼ାରେ ଅସ୍ଥାୟୀ ସେଲଟର କରାଯାଇଛି। ଆବଶ୍ୟକ ପଡ଼ିଲେ ଆଶ୍ରୟସ୍ଥଳୀ ସଂଖ୍ୟା ବଢ଼ାଯିବ।
ପ୍ରାୟ ୩,୬୦୦ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯିବା ସହ ସେମାନଙ୍କ ପାଇଁ ଦିବାରାତ୍ର ରନ୍ଧା ଖାଦ୍ୟ, ପାନୀୟ ଜଳ ଓ ଜେନେରେଟର ବ୍ୟବସ୍ଥା କରାଯାଇଛି। ପ୍ରାଥମିକ ଭାବେ ଦୁଇଦିନ ପାଇଁ ରନ୍ଧା ଖାଦ୍ୟ ବ୍ୟବସ୍ଥା ହୋଇଥିବା ବେଳେ ଆବଶ୍ୟକ ସ୍ଥଳେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଏହାକୁ ବଢ଼ାଯିବ। ବିଶେଷ କରି ଜୟନଗର, କାଟଣା-ବଣିଆଁ, କୋଇଲିପୁର ଓ ବରାଡ଼ିଆ ଭଳି ନଦୀକୂଳିଆ ପଞ୍ଚାୟତଗୁଡ଼ିକ ଉପରେ ସ୍ୱତନ୍ତ୍ର ଫୋକସ୍ କରାଯାଇଛି।
ଜରୁରୀକାଳୀନ ସ୍ଥିତିର ମୁକାବିଲା ପାଇଁ ୧ ପ୍ଲାଟୁନ୍ ଜାତୀୟ ବିପର୍ଯ୍ୟୟ ପ୍ରଶମନ ବଳ (ଏନ୍ଡିଆରଏଫ୍ – NDRF) ମୁତୟନ କରାଯାଇଥିବା ବେଳେ ଆବଶ୍ୟକ ପଡ଼ିଲେ ଅଧିକ ଟିମ୍ ନିୟୋଜିତ କରାଯିବ। ସରକାରଙ୍କ ‘ଜିରୋ କାଜୁଆଲିଟି’ (ଶୂନ୍ୟ ମୃତାହତ) ଲକ୍ଷ୍ୟ ଅନୁଯାୟୀ ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସ୍ଆର୍ସି) ଏବଂ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶନାମା ମୁତାବକ ସମସ୍ତ କାର୍ଯ୍ୟ ଚାଲିଛି। କାହାରି ଧନଜୀବନ କ୍ଷତି ନ ଘଟେ, ସେଥିପ୍ରତି ପ୍ରଶାସନ ସମ୍ପୂର୍ଣ୍ଣ ସଜାଗ ରହିଛି ବୋଲି ରାଜକନିକା ବିଡିଓ କୈଳାସ ଚନ୍ଦ୍ର ମହାଲିକ ସୂଚନା ଦେଇଛନ୍ତି।
ଅନ୍ୟପଟେ ସମସ୍ତ କାର୍ଯ୍ୟର ତଦାରଖ ପାଇଁ ବୁଧବାର ଠାରୁ କେନ୍ଦ୍ରାପଡ଼ା ଉପଜିଲ୍ଲାପାଳ ଜ୍ୟୋତିକାନ୍ତ ଭୂଜବଳ ଗ୍ରାଉଣ୍ଡ ଜିରୋରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛନ୍ତି। ଏହାସହ କେନ୍ଦ୍ରାପଡ଼ା ଜିଲ୍ଲାର ବାତ୍ୟା ମୁକାବିଲା ସ୍ୱତନ୍ତ୍ର ଦାୟିତ୍ୱରେ ଥିବା ପୂର୍ବତନ ଜିଲ୍ଲାପାଳ ସ୍ମୃତିରଞ୍ଜନ ପ୍ରଧାନ ମଧ୍ୟ ପରିସ୍ଥିତିର ସମସ୍ତ ଦିଗ ଉପରେ ନଜର ରଖି ଅନୁଧ୍ୟାନ କରୁଥିବା ଜଣାପଡ଼ିଛି।

