ସାକ୍ଷୀଗୋପାଳ, ୧୯।୧୧ (କିଶୋର ମହାପାତ୍ର / ପ୍ରଶାନ୍ତ କୁମାର ବାରିକ): ସମ୍ଭାବ୍ୟ ବାତ୍ୟା ‘ଆକ୍ବାନ’ର ପ୍ରଭାବରେ ସତ୍ୟବାଦୀ ବ୍ଲକ ଅଞ୍ଚଳରେ ତୁହାକୁ ତୁହା ବର୍ଷା ଓ ପବନ ଜାରି ରହିଛି। ବାତ୍ୟା ମୁକାବିଲା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। କଚ୍ଚାଘରେ ବସବାସ କରୁଥିବା ପରିବାରଗୁଡ଼ିକୁ ସୁରକ୍ଷିତ ଭାବେ ସତ୍ୟବାଦୀ ବ୍ଲକର ୪ଟି ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇଛି।
ବିଡିଓ ଦେବାଶିଷ ନାୟକଙ୍କ ସୂଚନା ଅନୁଯାୟୀ, ଅଳଗୁମ, ଶୁକଳ, ବିଦ୍ୟାଧରପୁର ଏବଂ ଗଡ଼ବଳରାମପୁରସ୍ଥିତ ୪ଟି ବାତ୍ୟା ଆଶ୍ରୟସ୍ଥଳୀରେ ଗୁରୁବାର ସୁଦ୍ଧା ପ୍ରାୟ ୧,୨୦୦ ଲୋକ ପିଲାଛୁଆଙ୍କ ସହ ଆଶ୍ରୟ ନେଇଛନ୍ତି। ସେଠାରେ ସେମାନଙ୍କୁ ରନ୍ଧା ଖାଦ୍ୟ, ପାନୀୟ ଜଳ ଓ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯାଉଛି। ଶୁକ୍ରବାର ସକାଳ ସୁଦ୍ଧା ପ୍ରଭାବିତ ଅଞ୍ଚଳରୁ ମୋଟ ୩,୦୦୦ ଲୋକଙ୍କୁ ସ୍ଥାନାନ୍ତର କରିବାକୁ ପ୍ରଶାସନ ପକ୍ଷରୁ ଲକ୍ଷ୍ୟ ରଖାଯାଇଛି। ଅନ୍ୟପକ୍ଷରେ ୨୭ ଜଣ ଗର୍ଭବତୀ ମହିଳାଙ୍କୁ ଚିହ୍ନଟ କରାଯାଇ ସେମାନଙ୍କ ସହ ନିରନ୍ତର ସମ୍ପର୍କରେ ରହିବାକୁ ସ୍ୱାସ୍ଥ୍ୟକର୍ମୀ ଓ ଆଶାଦିଦିମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ବିଦ୍ୟାଧରପୁର ଗ୍ରାମ ପଞ୍ଚାୟତ ଆଶ୍ରୟସ୍ଥଳୀରେ ପୁରୀ ଅତିରିକ୍ତ ଜିଲାପାଳ ଶରତ ଚନ୍ଦ୍ର ବେହେରା ପହଞ୍ଚି ବୈଷ୍ଣବ ସାହିର ଲୋକମାନଙ୍କ ସହ ଆଲୋଚନା କରି ସ୍ଥିତି ପରଖିଛନ୍ତି।

ବ୍ଲକ କାର୍ଯ୍ୟାଳୟରେ ଏକ କଣ୍ଟ୍ରୋଲ ରୁମ୍ ଖୋଲାଯାଇଥିବା ବେଳେ ସମସ୍ତ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ କର୍ମଚାରୀମାନଙ୍କୁ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଅଗ୍ନିଶମ ବାହିନୀ, ସ୍ୱାସ୍ଥ୍ୟ, ଅଙ୍ଗନବାଡ଼ି, ପ୍ରାଣୀସମ୍ପଦ ଏବଂ ବିଦ୍ୟୁତ୍ ବିଭାଗ ମଧ୍ୟରେ ସମନ୍ୱୟ ରଖାଯାଇ ଜରୁରୀକାଳୀନ ସେବା ଅବ୍ୟାହତ ରଖାଯାଇଛି। ତେବେ ବର୍ଷା ଓ ପବନ ଯୋଗୁଁ କେତେକ ସ୍ଥାନରେ କେଣ୍ଡା ଧରିଥିବା ଧାନ ଫସଲ କ୍ଷେତରେ ଶୋଇଯାଇଥିବା ଦେଖିବାକୁ ମିଳିଛି।
ବାତ୍ୟା ପ୍ରଭାବରେ ସାକ୍ଷୀଗୋପାଳ ମନ୍ଦିରରେ ଅଁଳା ନବମୀ ଓ କାର୍ତ୍ତିକ ବଡ଼ ଏକାଦଶୀ ପାଇଁ ନିର୍ମାଣ ହୋଇଥିବା ବ୍ୟାରିକେଡ୍ ଓ ସେଡ୍ ଭୁଶୁଡ଼ି ପଡ଼ିଛି। ଅଧିକ କ୍ଷୟକ୍ଷତି ଆଶଙ୍କା କରି ବୁଧବାର ବିଳମ୍ବିତ ରାତିରୁ ସେଡ୍ ଖୋଲିବା କାର୍ଯ୍ୟ ଆରମ୍ଭ ହୋଇଥିଲା। ଏହି କାର୍ଯ୍ୟରେ ନିୟୋଜିତ ମା’ ଦକ୍ଷିଣ କାଳୀ ଟେଣ୍ଟ ହାଉସର ଜଣେ କର୍ମଚାରୀ ଆହତ ହୋଇଛନ୍ତି।
ସେହିପରି ଯାତ୍ରା ଉପଲକ୍ଷେ ଧର୍ମଶାଳା, ମନ୍ଦିର କାର୍ଯ୍ୟାଳୟ ସମ୍ମୁଖ ଏମାରମଠ ପଡ଼ିଆ, ପଞ୍ଚସଖା ପଡ଼ିଆ ଏବଂ ବକୁଳ ବନ ପାଚେରି ପାର୍ଶ୍ୱରେ ଖୋଲାଯାଇଥିବା ମୀନା ବଜାର, ଅସ୍ଥାୟୀ ଦୋକାନ ଓ ଖାଦ୍ୟ ମେଳାକୁ ତୁରନ୍ତ ଉଠାଇ ନେବାକୁ ମନ୍ଦିର ପ୍ରଶାସନ ପକ୍ଷରୁ ନୋଟିସ ଜାରି କରାଯାଇଛି। ଜନଗହଳିକୁ ଦୃଷ୍ଟିରେ ରଖି ବକୁଳ ବନ ମଧ୍ୟରେ ଅଟକ ରଖାଯାଇଥିବା ବୁଲା ଗୋରୁଗାଈ ଓ ଷଣ୍ଢମାନଙ୍କୁ ଛାଡ଼ି ଦିଆଯାଇଛି। ଠାକୁରଙ୍କ ଦେବନୀତି ବ୍ୟତୀତ ମନ୍ଦିର ଅଞ୍ଚଳରେ ଲାଗୁ କରାଯାଇଥିବା ଅନ୍ୟ ସମସ୍ତ କଟକଣାକୁ ବାତ୍ୟା ପାଇଁ ହଟାଇ ଦିଆଯାଇଛି ବୋଲି ସତ୍ୟବାଦୀ ତହସିଲଦାର ତଥା ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ପାଣିଗ୍ରାହୀ ସୂଚନା ଦେଇଛନ୍ତି।

