ଭାରତୀୟ ବଂଶୋଦ୍ଭବ ପ୍ରଧାନମନ୍ତ୍ରୀ

ଇଚ୍ଛାଶକ୍ତି ଦୃଢ଼ ଥିଲେ ସଫଳତା ସୁନିଶ୍ଚିତ। ୨୫ ଅକ୍ଟୋବର ୨୦୨୨ରେ ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ହୋଇଥିବା ଋଷି ସୁନକଙ୍କ କ୍ଷେତ୍ରରେ ଏହା ଦେଖିବାକୁ ମିଳିଛି। ୨୦୧୬ରେ ବ୍ରେକ୍‌ଜିଟ୍‌ (ୟୁରୋପୀୟ ସଂଘରୁ ବ୍ରିଟେନ୍‌ ଅଲଗା ହେବା) ପରଠାରୁ ଡେଭିଡ୍‌ କାମେରୁନ୍‌, ଥେରେସା ମେ, ବୋରିସ୍‌ ଜନ୍‌ସନ୍‌ ଓ ନିକଟରେ ଲିଜ୍‌ ଟ୍ରସ୍‌ ପ୍ରଧାନମନ୍ତ୍ରୀ ଦାୟିତ୍ୱ ତୁଲାଇବାକୁ ଅକ୍ଷମ ହେବା ପରେ ଋଷି ୧୦, ଡାଉନିଂ ଷ୍ଟ୍ରିଟ୍‌ରେ ଅବସ୍ଥାପିତ ହୋଇଛନ୍ତି। କଞ୍ଜରଭେଟିଭ୍‌ ପାର୍ଟି ନେତା ତଥା ଭାରତୀୟ ବଂଶୋଦ୍ଭବ ଋଷିଙ୍କ ଦାୟିତ୍ୱ ଗ୍ରହଣ ପରେ ଲେବର ପାର୍ଟିର ଡେପୁଟି ଲିଡର ଏଞ୍ଜେଲା ରେନର ତାଙ୍କୁ ଉପଲକ୍ଷ୍ୟ କରି ଟୁଇଟ୍‌ କରିଥିଲେ, ‘ଏହା ଏକ ରାଜାଭିଷେକ, ନିର୍ବାଚନ ବିଜୟ ନୁହେଁ। ବ୍ରିଟିଶ ଲୋକଙ୍କ ଜନାଦେଶ ତାଙ୍କ ପ୍ରତି ନ ଥିଲା।’ ତେବେ ଏଞ୍ଜେଲାଙ୍କ ଏଭଳି ମନ୍ତବ୍ୟ ମଧ୍ୟ ଡେଭିଡ୍‌ କାମେରୁନ୍‌ଙ୍କ ପରେ ଅନ୍ତରୀଣ ଦାୟିତ୍ୱ ନେଇଥିବା ପ୍ରଧାନମନ୍ତ୍ରୀଙ୍କ ପାଇଁ ପ୍ରଯୁଜ୍ୟ। କିନ୍ତୁ ଅଣଶ୍ୱେତାଙ୍ଗ ଭାବେ ଋଷି ବ୍ରିଟେନ୍‌ର ନେତୃତ୍ୱ ନେଇଥିବାରୁ ସମ୍ଭବତଃ ଶ୍ୱେତାଙ୍ଗଙ୍କ ପାଇଁ ସହଜରେ ଏହା ଗ୍ରହଣୀୟ ହୋଇପାରି ନାହିଁ। ଇଂଲିଶ୍‌ମାନଙ୍କ ସକାଶେ ପୂର୍ବତନ ଅର୍ଥମନ୍ତ୍ରୀ ରହିଥିବା ପ୍ରଧାନମନ୍ତ୍ରୀ ଋଷିଙ୍କ ନେତୃତ୍ୱକୁ ସମୟ ଦେଇ ଅପେକ୍ଷା କରିବା ଦରକାର ପଡ଼ିଲାଣି। କାରଣ ମୁଦ୍ରାସ୍ଫୀତି ୧୦ ପ୍ରତିଶତରେ ରହିଥିବାବେଳେ ବଜେଟ ନିଅଣ୍ଟ ୪୫ ବିଲିୟନ ଆମେରିକୀୟ ଡଲାରରେ ପହଞ୍ଚତ୍ ବ୍ରିଟେନ୍‌ ଅର୍ଥନୀତି ମାନ୍ଦାବସ୍ଥା ଆଡ଼କୁ ମୁହଁାଇଲାଣି। ଋଷି ତତ୍‌କ୍ଷଣାତ୍‌ କିଛି ମ୍ୟାଜିକ୍‌ ଦେଖାଇବେ ବୋଲି ଆଶା ନ ଥିଲେ ମଧ୍ୟ ଅନ୍ୟ ନେତାମାନେ ଦେଶର ଏଭଳି ସଙ୍କଟ ସମୟରେ ସହଯୋଗ କରିବାର ଆବଶ୍ୟକତା ରହିଛି। ଲିଜ୍‌ ଟ୍ରସ୍‌ ପ୍ରଧାନମନ୍ତ୍ରୀ ହେବା ପରେ ଋଷି ଧୈର୍ଯ୍ୟହରା ହୋଇ ନ ଥିଲେ। ସରକାରକୁ ସମସ୍ତ ପ୍ରକାର ସହଯୋଗ ଦେବେ ବୋଲି କହିଥିଲେ। ଏଭଳି ସକାରାତ୍ମକ ଆଭିମୁଖ୍ୟ ରଖି କାର୍ଯ୍ୟ କରିଥିବାରୁ ଋଷି ଏବେ ଗୁରୁତ୍ୱପୂର୍ଣ୍ଣ ପଦବୀରେ ଆସୀନ ହୋଇପାରିଛନ୍ତି। ଇତିହାସ ଦେଖିଲେ ୧୮୯୨ରେ ଦାଦାଭାଇ ନାରୋଜି ହାଉସ୍‌ ଅଫ୍‌ କମନ୍ସକୁ ପ୍ରଥମ ବ୍ରିଟିଶ ଇଣ୍ଡିଆନ୍‌ ଭାବେ ନିର୍ବାଚିତ ହୋଇଥିଲେ। ବର୍ତ୍ତମାନ ଋଷି ପ୍ରଥମ ଭାରତୀୟ ବଂଶୋଦ୍ଭବ ଭାବେ ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ହୋଇଥିବାରୁ ତାଙ୍କ ବ୍ୟକ୍ତିତ୍ୱ ବିଶ୍ୱବ୍ୟାପୀ ଚର୍ଚ୍ଚାର ବିନ୍ଦୁ ପାଲଟିଛି। କହିବା ଆରମ୍ଭ ହୋଇଯାଇଛି, ୨୦୦ ବର୍ଷ ଧରି ଯେଉଁ ଦେଶ ଉପରେ ବ୍ରିଟିଶ ରାଜ୍‌ କରୁଥିଲା, ତା’ ଉପରେ ଭାରତୀୟ ମୂଳ ବାସିନ୍ଦାଙ୍କ ବଂଶଧରର ଜଣେ ଶାସନ କରିବା ଏକ ଐତିହାସିକ ପରିଣତି ଆଣିଦେଇଛି। ତେବେ ଖ୍ରୀଷ୍ଟିଆନ୍‌ ଶ୍ୱେତାଙ୍ଗମାନେ ଶେଷରେ ଜଣେ ଶ୍ୟାମଳ ହିନ୍ଦୁଙ୍କ ନେତୃତ୍ୱକୁ ସ୍ବୀକାର କରିବା ଦର୍ଶାଉଛି ଯେ, ପରିବର୍ତ୍ତନ ପାଇଁ ଇଂଲିଶମାନଙ୍କ ଗ୍ରହଣଶୀଳତା ସର୍ବଦା ଉନ୍ମୁଖ।
ଇଂଲଣ୍ଡର ହାମ୍ପସାୟାରର ସାଉଥ୍‌ହାମ୍ପଟନ୍‌ ଜେନେରାଲ ହସ୍ପିଟାଲରେ ୧୨ ମେ ୧୯୮୦ରେ ଋଷି ଭାରତୀୟ ବଂଶୋଦ୍ଭବ ଆଫ୍ରିକୀୟ ଜନ୍ମିତ ହିନ୍ଦୁ ମାତାପିତାଙ୍କଠାରୁ ଭୂମିଷ୍ଠ ହୋଇଥିଲେ। ପିତା ୟଶବୀର ଜଣେ ଡାକ୍ତର ଓ ମାତା ଉଷା ଫାର୍ମାସିଷ୍ଟ। ଋଷିଙ୍କ ଜେଜେବାପା ବ୍ରିଟିଶ ଇଣ୍ଡିଆର ପଞ୍ଜାବ ପ୍ରଦେଶରେ ଜନ୍ମଗ୍ରହଣ କରିଥିଲେ। ଅର୍ଥ ଉପାର୍ଜନ ପାଇଁ ପୂର୍ବ ଆଫ୍ରିକାକୁ ଚାଲିଯାଇଥିବା ତାଙ୍କ ପରିବାର ୧୯୬୦ରେ ବ୍ରିଟେନ୍‌କୁ ପଳାଇ ଆସିଥିଲେ। ୟଶବୀର କେନିଆରେ ଜନ୍ମ ହୋଇଥିବାବେଳେ ମାତା ଉଷା ତାଞ୍ଜାନିଆର ଭାରତୀୟ ମୂଳବାସିନ୍ଦା। ଉଭୟେ ୧୯୭୭ରେ ଇଂଲଣ୍ଡର ଲିସେଷ୍ଟରରେ ବିବାହ କରିଥିଲେ। ସେମାନଙ୍କ ୩ ସନ୍ତାନ ମଧ୍ୟରୁ ଋଷି ବଡ଼। ଦମ୍ପତିଙ୍କ ଅନ୍ୟ ଦୁଇ ସନ୍ତାନ ମଧ୍ୟରେ ସାନ ପୁଅ ସଞ୍ଜୟ ମନସ୍ତତ୍ତ୍ୱବିତ୍‌ ହୋଇଥିବା ବେଳେ ଝିଅ ରାଖୀ ଓ୍ବିଲିୟମ୍ସ ୟୁନାଇଟେଡ୍‌ ନେସନ୍ସ ଗ୍ଲୋବାଲ ଫଣ୍ଡ୍‌ ଫର୍‌ ଏଜୁକେଶନ ଇନ୍‌ ଏମର୍ଜେନ୍ସିର ଷ୍ଟ୍ରାଟେଜି ମୁଖ୍ୟ ଭାବେ ନ୍ୟୁୟର୍କରେ କାର୍ଯ୍ୟରତ। ଏପଟେ ଋଷିଙ୍କ ସଂସାର କହିଲେ ସେ ଭାରତୀୟ ବିଲିୟନେୟାର ବ୍ୟବସାୟୀ ତଥା ଇନ୍‌ଫୋସିସ୍‌ର ପ୍ରତିଷ୍ଠାତା ଏନ୍‌. ଆର୍‌. ନାରାୟଣ ମୂର୍ତ୍ତି ଓ ଲେଖିକା ସୁଧା ମୂର୍ତ୍ତିଙ୍କ ଝିଅ ଅକ୍ଷତାଙ୍କୁ ବିବାହ କରିଛନ୍ତି। ଋଷି-ଅକ୍ଷତାଙ୍କ ଦୁଇ ଝିଅ ହେଉଛନ୍ତି କ୍ରିଷ୍ଣା ଓ ଅନୁଷ୍କା।
ଋଷିଙ୍କ ଶିକ୍ଷା ଦିଗକୁ ଦେଖିଲେ ସେ ରୋମ୍‌ସେସ୍ଥିତ ଷ୍ଟ୍ରଏଡ୍‌ ସ୍କୁଲ ଓ ପରେ ଓ୍ବିଞ୍ଚେଷ୍ଟର କଲେଜରେ ପଢ଼ିଥିଲେ। ଗ୍ରୀଷ୍ମ ଅବକାଶବେଳେ ସେ ସାଉଥ୍‌ହାମ୍ପଟନ୍‌ସ୍ଥିତ ଏକ ହୋଟେଲରେ ପରିଚାରକ ଭାବେ କିଛିଦିନ କାମ କରିଥିଲେ। ପରେ ଅକ୍ସଫୋର୍ଡର ଲିଙ୍କନ କଲେଜରୁ ଦର୍ଶନଶାସ୍ତ୍ର, ରାଜନୀତି ବିଜ୍ଞାନ ଓ ଅର୍ଥନୀତିରେ ଉଚ୍ଚଶିକ୍ଷା ଲାଭ କରିଥିଲେ। ବିଶ୍ୱବିଦ୍ୟାଳୟରେ ପଢ଼ିବାବେଳେ କଞ୍ଜରଭେଟିଭ୍‌ କ୍ୟାମ୍ପେନ୍‌ ହେଡ୍‌କ୍ୱାର୍ଟର୍ସରେ ସେ ଇଣ୍ଟର୍ନଶିପ୍‌ କରିଥିଲେ। ୨୦୦୬ରେ ଷ୍ଟାନ୍‌ଫୋର୍ଡ ବିଶ୍ୱବିଦ୍ୟାଳୟରୁ ଏମ୍‌ବିଏ ଡିଗ୍ରୀ ଅର୍ଜନ କରିଥିଲେ। ସେ ସେଠାରେ ଫୁଲ୍‌ବ୍ରାଇଟ୍‌ ସ୍କଲାର ମଧ୍ୟ ଥିଲେ। ବୋର୍ଡିଂ ସ୍କୁଲରେ ପଢୁଥିବାବେଳେ ସେ ହେଡ୍‌ ବୟ ଥିଲେ। ମେଧା ସହ ନେତୃତ୍ୱ ନେବାର କଳା ତାଙ୍କ ପିଲାବେଳୁ ଫୁଟି ବାହାରିଥିଲା। ତେବେ କ୍ୟାରିୟରର ପ୍ରଥମ ପାହାଚରେ ସେ ୨୦୦୧ରୁ ୨୦୦୪ ଯାଏ ଇନ୍‌ଭେଷ୍ଟମେଣ୍ଟ ବ୍ୟାଙ୍କ ଗୋଲ୍ଡମ୍ୟାନ୍‌ ସାଚ୍‌ରେ ଆନାଲିଷ୍ଟ ଭାବେ କାର୍ଯ୍ୟ କରିଥିଲେ। ପରବର୍ତ୍ତୀ ସମୟରେ ସେ ହେଜ୍‌ ଫଣ୍ଡ୍‌ ମ୍ୟାନେଜମେଣ୍ଟ ଓ ୨୦୧୩ରୁ ୨୦୧୫ ଯାଏ ଶ୍ୱଶୁରଙ୍କ ଇନ୍‌ଭେଷ୍ଟମେଣ୍ଟ ଫାର୍ମ କାଟାମେରେନ୍‌ ଭେଞ୍ଚର୍ସର ନିର୍ଦ୍ଦେଶକ ହୋଇଥିଲେ। ସ୍କୁଲ ବେଳେ ଷ୍ଟୁଡେଣ୍ଟ ଲିଡର, ପ୍ରୟୋଗାତ୍ମକ ଜୀବନର ଉପଲବ୍ଧି ଲାଗି ହୋଟେଲରେ ଓ୍ବେଟର ସାଜିବା ଓ ରାଜନୈତିକ ଦଳରେ ଇଣ୍ଟର୍ନଶିପ୍‌ ଆଦି ତାଙ୍କ ଜୀବନର ପ୍ରତି ପର୍ଯ୍ୟାୟକୁ ଦେଖିଲେ ନୂଆ କିଛି କରିବା ଓ ଶିଖିବାରେ ସେ ନିମଜ୍ଜିତ ରହୁଥିବାରୁ ଏବେ ତାହାର ସୁଫଳ ପାଇଛନ୍ତି। ୨୦୧୪ରେ କଞ୍ଜରଭେଟିଭ୍‌ ପାର୍ଟିର ପ୍ରାର୍ଥୀ ଭାବେ ରିଚ୍‌ମଣ୍ଡ (ୟର୍କସ)ରୁ ଏମ୍‌ପି ଭାବେ ବ୍ରିଟିଶ ପାର୍ଲାମେଣ୍ଟକୁ ନିର୍ବାଚିତ ହୋଇଥିଲେ। ପରେ ଅର୍ଥମନ୍ତ୍ରୀ ଓ ମାତ୍ର ୪୨ ବର୍ଷ ବୟସରେ ସର୍ବକନିଷ୍ଠ ପ୍ରଧାନମନ୍ତ୍ରୀ ଭାବେ ଋଷି ଯେଉଁ ମାଇଲଖୁଣ୍ଟ ପ୍ରତିଷ୍ଠା କରିଛନ୍ତି, ତାହା ଆଗାମୀ କେତେ ସମୟ ଯାଏ ସେହି ରେକଡର୍ର୍ ବଜାୟ ରହିବ, ତାହା ସମୟ କହିବ। ଅନ୍ୟପକ୍ଷରେ ସବୁ ସଫଳତା ଭିତରେ ଅର୍ଥନୈତିକ ସଙ୍କଟକୁ ସେ କିଭଳି ମୁକାବିଲା କରୁଛନ୍ତି, ତାହା ତାଙ୍କ ପାଇଁ ସର୍ବବୃହତ୍‌ ଆହ୍ବାନ ଆଣିଦେଇଛି।

– ଜିତେନ୍ଦ୍ର କୁମାର ନାୟକ


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ନିଜେ ସମସ୍ୟାରେ ଥିଲେ ବି ଅନ୍ୟଙ୍କ ମୁହଁରେ ଖୁସି ଦେଖି ସନ୍ତୋଷ ଲାଭ କରନ୍ତି ଗୁଜରାଟ କଚ୍ଛର ଆମ୍ମା(ଶ୍ରଦ୍ଧା ନାମ)। ସେ ପ୍ରଚଣ୍ଡ ଗ୍ରୀଷ୍ଣ ପ୍ରବାହରେ ପଥଚାରୀଙ୍କୁ…

କେରଳର ନୂଆ କାଣ୍ଡାରି

ଦଶନ୍ଧିବ୍ୟାପୀ ବାମପନ୍ଥୀ ଶାସନର ଅବସାନ ଘଟାଇ ଯିଏ କଂଗ୍ରେସ ପାଇଁ ଈଶ୍ୱରଙ୍କ ନିଜ ଦେଶ କୁହାଯାଉଥିବା କେରଳରେ ମଞ୍ଚ ତିଆରି କରାଇବାରେ ପ୍ରମୁଖ ଭୂମିକା ନିର୍ବାହ କଲେ,…

ନାଗରିକ ଚେତନା

ଅଷ୍ଟ୍ରେଲିଆର ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟର ମାଥ୍ୟୁ ହେଡେନଙ୍କୁ ସମ୍ପ୍ରତି ଖେଳ ପଡ଼ିଆରେ ଅଳିଆ ଉଠାଇ ସଫା କରୁଥିବାର ଦୃଶ୍ୟ ସାମାଜିକ ଗଣମାଧ୍ୟମରେ ଦେଖିବାକୁ ମିଳିଥିଲା। ପ୍ରଥମ ଦୃଷ୍ଟିରେ…

ସତ୍ୟରେ ସମାଧାନ

ଗୋଟିଏ ମୁହୂର୍ତ୍ତ ପାଇଁ ଭାବନ୍ତୁ ଯେ ମୁଁ ଜଣେ ଶକ୍ତିଶାଳୀ ବ୍ୟକ୍ତି। ଯିଏ ସହଜରେ ଭାରି ଓଜନ ଉଠାଇପାରେ ଏବଂ ମୁଁ ପୂରା ଫିଟ୍‌। ଯଦି କେହି…

ସମସ୍ୟା- ଅର୍ଥନୀତିର ନା ମୂଲ୍ୟବୋଧର

ଆମେ ଭାରତୀୟମାନେ ଏବେ ଦୈନନ୍ଦିନ ଆମର ଜୀବନଟିକୁ ଯେପରି ବଞ୍ଚୁଛୁ ତାହା ହିଁ ଏବର ଭାରତ ନିର୍ମାଣ କରୁଛି, ଯେଉଁ ଜୀବନ ଦର୍ଶନ ଓ ଜଗତ ଦୃଷ୍ଟିକୁ…

ଅପହୃତ କଳାକୃତି

ଆମ ରାଜ୍ୟର ଶିଳ୍ପୀମାନେ ନିପୁଣ କାରିଗରି କୌଶଳ ପ୍ରୟୋଗକରି ନିହାଣ ମୁନରେ ପଥର ଦେହରେ ଜୀବନ୍ତ କଳାକୃତି ନିର୍ମାଣ କରିପାରୁଥିଲେ। ସେଥିରେ ଦୈନନ୍ଦିନର ଜୀବନଶୈଳୀ ସହ ଆମ…

ସ୍ଥିରତାକୁ ଗୁରୁତ୍ୱ

ସିବିଆଇ ନିର୍ଦ୍ଦେଶକ ଭାବରେ ପ୍ରବୀଣ ସୁଦ୍‌ଙ୍କ କାର୍ଯ୍ୟକାଳ ଆଉ ୧ବର୍ଷ ବଢ଼ିିବା ଅପ୍ରତ୍ୟାଶିତ ନ ଥିଲା। ଔପଚାରିକ ଭାବରେ, ସରକାର ନିରନ୍ତରତା ଏବଂ ସ୍ଥିରତା ନାମରେ ଏହି…

ଏଇ ଭାରତରେ

ଜଣେ ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ ପରିବାର ପ୍ରଚେଷ୍ଟାରେ ମହାରାଷ୍ଟ୍ର ରାଜ୍ୟ ପୁଣେର ଜୁନ୍ନାର ପାହାଡ଼ ଏବେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ଏହାର ସବୁଜ ଆକର୍ଷଣ ପର୍ଯ୍ୟଟକଙ୍କୁ ବିମୋହିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri