ଯେତେ ଜବତ, ସେତେ ଭେଜାଲ

ଫୁଡ୍‌ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାଡର୍‌ସ ଅଥରିଟି ଅଫ୍‌ ଇଣ୍ଡିଆ ଅର୍ଥାତ୍‌ ଭାରତୀୟ ଖାଦ୍ୟ ନିରାପତ୍ତା ଓ ମାନକ କର୍ତ୍ତୃପକ୍ଷ (ଏଫ୍‌ଏସ୍‌ଏସ୍‌ଆଇ) ପକ୍ଷରୁ ଗତ ଜୁଲାଇରେ ୨୦୨୧-୨୨ର ଖାଦ୍ୟ ନିରାପତ୍ତା ସୂଚକାଙ୍କ ଜାରି କରାଯାଇଥିଲା। ଏହି ତାଲିକାରେ ଦେଶର ୧୭ଟି ବଡ଼ ରାଜ୍ୟ ମଧ୍ୟରେ ଓଡ଼ିଶା ୮ ନମ୍ବରରେ ରହିଥିଲା। ଉକ୍ତ ଇଣ୍ଡେକ୍ସରେ ପ୍ରଦତ୍ତ ତଥ୍ୟାନୁସାରେ ଖାଦ୍ୟ ଯାଞ୍ଚ ଓ ଧରପଗଡ଼ ପାଇଁ ରାଜ୍ୟରେ ଏକ ମଜଭୁତ ଭିତ୍ତିଭୂମି ରହିଛି। ତେବେ ଏଭଳି ଦାବିକୁ ଅମୂଳକ ପ୍ରମାଣ କରିଛି ବେଆଇନ ଭାବେ ଚାଲିଥିବା ଅସଂଖ୍ୟ ଅପମିଶ୍ରିତ ଖାଦ୍ୟ ସାମଗ୍ରୀ ପ୍ରସ୍ତୁତି ୟୁନିଟ୍‌। କାରଣ ପୋଲିସ ପ୍ରଶାସନ ଯେତେ ଧରୁଛି, ତହିଁରୁ ଅଧିକ ଭେଜାଲ ଖାଦ୍ୟ ପ୍ରସ୍ତୁତି ବେଧଡ଼କ ଚାଲିଛି।

 

କଟକ ଅଫିସ,୩୦।୧୦: ସାରା ରାଜ୍ୟରେ ତେଲ, ଲୁଣ, ମସଲା, ସସ୍‌, ଔଷଧ ଆଦି ଅତ୍ୟାବଶ୍ୟକ ସାମଗ୍ରୀଗୁଡ଼ିକର ଅବିକଳ ନକଲ ବିକ୍ରି ହେଉଛି। ବିଶେଷକରି ଦ୍ୱୈତ ନଗରୀ ଭୁବନେଶ୍ୱର ଓ କଟକରେ ଅପମିଶ୍ରିତ ଖାଦ୍ୟର ଆତଙ୍କ ବଢ଼ିଚାଲିଛି। ନାମୀ କମ୍ପାନୀଗୁଡ଼ିକର ବ୍ରାଣ୍ଡ ଥିବା ପ୍ୟାକିଂ ଭିତରେ ନକଲି ସାମଗ୍ରୀକୁ ଠଉରେଇବା ସାଧାରଣ ଲୋକଙ୍କ ପକ୍ଷେ ଅସମ୍ଭବ ହୋଇପଡ଼ିଛି। ନକଲି କାରବାର ରୋକିବା ପାଇଁ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଉଥିଲେ ବି ଅସାଧୁ ବ୍ୟବସାୟୀ ଅଧିକ ରୋଜଗାର ଲୋଭରେ କାରବାର ଛାଡ଼ିପାରୁ ନ ଥିବାରୁ ସୁଫଳ ମିଳୁନାହିଁ । ନିଷିଦ୍ଧ ରାସାୟନିକ ପଦାର୍ଥ ଓ ବିଷାକ୍ତ ରଙ୍ଗ ମିଶ୍ରିତ ଖାଦ୍ୟ ଜନସ୍ବାସ୍ଥ୍ୟ ଉପରେ ନାକାରାମତ୍କ ପ୍ରଭାବ ପକାଉଛି। ଏଭଳି ଖାଦ୍ୟ ଖାଇ ଲୋକେ କ୍ୟାନ୍‌ସର, ଲିଭର ଓ କିଡ୍‌ନୀଜନିତ ରୋଗର ଶିକାର ହେଉଛନ୍ତି। ତେଣୁ ଏହାକୁ ରୋକିବା ଦିଗରେ ରାଜ୍ୟ ସରକାର ସ୍ବତନ୍ତ୍ର ଅଭିଯାନ ଓ ସତର୍କତା କାର୍ଯ୍ୟକ୍ରମ ଚଳାଇବା ଜରୁରୀ ବୋଲି ମତ ପ୍ରକାଶ ପାଇଛି।
ସଦ୍ୟ ଚର୍ଚ୍ଚାରେ ରହିଥିବା ନକଲି ମେଡିସିନ କାରବାର ମାମଲାରେ ଦିନକୁ ଦିନ ନୂଆ ନୂଆ କେଳେଙ୍କାରୀ ପଦାକୁ ଆସିବାରେ ଲାଗିଛି। ବିହାରରୁ ଆରମ୍ଭକରି ଓଡ଼ିଶାର କୋଣ ଅନୁକୋଣକୁ ଲମ୍ବିଛି ଟେଲ୍‌ମା ୪୦ ଏବଂ ଟେଲ୍‌ମା ଏଏମ୍‌ ବଟିକା କାରବାରର ଚେର, ଯାହାକୁ ନେଇ ପ୍ରାୟ ଦେଢ଼ ମାସ ଧରି ପୋଲିସ ଓ ଡ୍ରଗ୍‌ କଣ୍ଟ୍ରୋଲ ବିଭାଗ ନାକେଦମ ହେଲାଣି। ଉଚ୍ଚ ରକ୍ତଚାପ ନିଦାନର ଏହି ନକଲି ମେଡିସିନ କାରବାର ମାମଲାରେ ୬ ଜଣ ଗିରଫ ହେଲେଣି। ତଥାପି ଏହାର ପ୍ରସ୍ତୁତକର୍ତ୍ତା ନିକଟରେ ଏଯାଏ ପହଞ୍ଚତ୍ପାରୁନାହିଁ ପୋଲିସ। ଖାଦ୍ୟ ସାମଗ୍ରୀ ବ୍ୟବସାୟର ପେଣ୍ଠସ୍ଥଳ କୁହାଯାଉଥିବା କଟକର ମାଲଗୋଦାମରେ ନକଲି କାରବାର ବିଭିନ୍ନ ସମୟରେ ପୋଲିସ ଓ ଖାଦ୍ୟ ସୁରକ୍ଷା ଅଧିକାରୀଙ୍କ ହାତରେ ଧରାପଡ଼ୁଛି। ଅକ୍ଟୋବର ୨୨ରେ ମାଲଗୋଦାମ ଥାନା ପୋଲିସ ସ୍ଥାନୀୟ ଏକ ସସ୍‌ ଗୋଦାମରେ ଚଢ଼ାଉ କରି ବିପୁଳ ପରିମାଣର ନକଲି ସସ୍‌ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଥିଲା। ଗୋଦାମ ମାଲିକଙ୍କୁ ଗିରଫ ମଧ୍ୟ କରାଯାଇଥିଲା। ତଦନ୍ତ ପରେ ଏହି ନକଲି ସସ୍‌ ଭୁବନେଶ୍ୱର ପାତ୍ରପଡ଼ାରେ ତିଆରି କରାଯାଉଥିବା ଜଣାପଡ଼ିଥିଲା। ପୋଲିସ ପାତ୍ରପଡ଼ାସ୍ଥିତ ନକଲି ସସ୍‌ କାରଖାନା ଉପରେ ଚଢ଼ାଉ କରି ତାହାକୁ ସିଲ୍‌ କରିଥିଲା ।
ସେହିପରି ପୂଜା ସମୟରେ ଲୋକେ ମିଠା କିଣିବା ପାଇଁ ଗହଳି ଲଗାଇଥାନ୍ତି। ଅସାଧୁ ବ୍ୟବସାୟୀମାନେ ଏହାର ସୁଯୋଗ ନେଇ ନିମ୍ନମାନର ତଥା ଅପମିଶ୍ରିତ ଖାଦ୍ୟ ଓ ମିଠା ବିକ୍ରି କରିଥାନ୍ତି। ଗତ ଦଶହରାରେ କଟକ ସହରର ୨୦ଟି ବଡ଼ ମିଠା ଦୋକାନରେ କଟକ ମହାନଗର ନିଗମ (ସିଏମ୍‌ସି) ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିଲା। ଲିଙ୍କ୍‌ରୋଡ୍‌ସ୍ଥିତ ୨ଟି ଦୋକାନ ସିଲ୍‌ କରାଯାଇଥିଲା। ୨ଟି ଦୋକାନରୁ ୧୦ ହଜାର ଟଙ୍କା ଲେଖାଏ ଜରିମାନା ଆଦାୟ ସହ ୫୦ କେ.ଜି. ମିଠା ନଷ୍ଟ କରାଯାଇଥିଲା। ଅନ୍ୟମାନଙ୍କୁ ତାଗିଦ କରାଯାଇଥିଲା। ପାର୍ବଣ ସମୟରେ ସିଏମ୍‌ସି ପକ୍ଷରୁ ଗଠିତ ୩ଟି ଟିମ୍‌ ଖାଦ୍ୟର ମାନ ଯାଞ୍ଚ କରିବେ ବୋଲି ସ୍ବାସ୍ଥ୍ୟ ଅଧିକାରୀ ଡା. ସତ୍ୟବ୍ରତ ମହାପାତ୍ର ସୂଚନା ଦେଇଥିଲେ। ଏହିଭଳି ଭାବରେ ବର୍ଷ ତମାମ ପ୍ରଶାସନ ପକ୍ଷରୁ ଚଢ଼ାଉ କରାଯାଇ ଜରିମାନା ଆଦାୟ ହେଉଛି, ଅସାଧୁ ବ୍ୟବସାୟୀମାନଙ୍କ ନାମରେ ମାମଲା ମଧ୍ୟ ରୁଜୁ ହେଉଛି। ସିଏମ୍‌ସି ଖାଦ୍ୟ ସୁରକ୍ଷା ଅଧିକାରୀ ପ୍ରତୀକ୍ଷା ଦାଶ ମହାପାତ୍ରଙ୍କ କାର୍ଯ୍ୟାଳୟ ସୂତ୍ରରୁ ପ୍ରାପ୍ତ ସୂଚନା ଅନୁସାରେ ନକଲି ଓ ଅପମିଶ୍ରିତ ଖାଦ୍ୟ ବିକ୍ରି ପାଇଁ ୨୦୧୭-୧୮ ଆର୍ଥିକ ବର୍ଷରେ ୧୨ଟି ମାମଲା ରୁଜୁ ହୋଇଥିବାବେଳେ ସବୁ ମାମଲା ଫଇସଲା ହୋଇଛି । ୨୦୧୮-୧୯ରେ ରୁଜୁ ହୋଇଥିବା ୧୬ଟି ମାମଲାରୁ ୯ଟି ଫଇସଲା ହୋଇଛି । ୨୦୧୯-୨୦ରେ ୨୩ଟି ମାମଲା ରୁଜୁ ହୋଇଥିବା ବେଳେ ୧୯ଟି ମାମଲା ଫଇସଲା ହୋଇଛି। ୨୦୨୦-୨୧ରେ ୨୭ଟି ମାମଲା ରୁଜୁ ହୋଇଥିବାବେଳେ ୧୨ଟି ମାମଲା ଫଇସଲା ହୋଇଛି। ଏଥିସହ ଜରିମାନା ଆକାରରେ ୨୦୧୭-୧୮ରେ ୨୦ ହଜାର ଟଙ୍କା, ୨୦୧୮-୧୯ରେ ୨୫ ହଜାର ଟଙ୍କା, ୨୦୧୯-୨୦ରେ ୭୨ ହଜାର ଟଙ୍କା ଓ ୨୦୨୧-୨୨ରେ ୧ ଲକ୍ଷ ୫୦୦ ଟଙ୍କା ଆଦାୟ କରାଯାଇଛି ।
ମାଲଗୋଦାମ ବଣିଜ ସଂଘର ସାଧାରଣ ସମ୍ପାଦକ ପ୍ରଫୁଲ୍ଲ କୁମାର ଛାଟୋଇ କୁହନ୍ତି, ମାଲଗୋଦାମରେ ସାଧାରଣତଃ ବାହାର ଅଞ୍ଚଳରେ ପ୍ରସ୍ତୁତ ହେଉଥିବା ନକଲି ଖାଦ୍ୟ ସାମଗ୍ରୀଗୁଡ଼ିକ ବାହାର ଲୋକଙ୍କ ଦ୍ୱାରା ବିକ୍ରି ହେଉଥିବାର ନଜିର ରହିଛି । ବଣିକ ସଂଘ ପକ୍ଷରୁ ନକଲି ଓ ଅପମିଶ୍ରିତ ଖାଦ୍ୟ ସାମଗ୍ରୀ ବିକ୍ରି ରୋକିବାକୁ କେତେକ ପଦକ୍ଷେପ ନିଆଯାଉଛି। କେହି ଏଭଳି ବ୍ୟବସାୟ କରୁଥିବାର ଧରାପଡ଼ିଲେ ସେମାନଙ୍କୁ ଅଣ୍ଡରଟେକିଂ ଲେଖି ଆଉ ଏଭଳି ବ୍ୟବସାୟ ନ କରିବାକୁ ଚେତାବନୀ ଦିଆଯାଉଛି। ସଂଘର ତାଗିଦକୁ ଖାତିର ନ କରି ବ୍ୟବସାୟ କଲେ ସେମାନଙ୍କ ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କୁ ଅବଗତ କରାଇ ମାଲଗୋଦାମରେ ନକଲି କାରବାର ବନ୍ଦ କରାଇବାର ପ୍ରଚେଷ୍ଟା ଜାରି ରଖିଛୁ। ଏତେ ପରେ ବି ଆଇନ ବ୍ୟବସ୍ଥାରେ କିଛି ଫାଙ୍କ ରହୁଛି, ଯେଉଁଥିପାଇଁ ଏଭଳି କାରବାର ସମ୍ପୂର୍ଣ୍ଣ ବନ୍ଦ ହେଉନାହିଁ । ହେଲେ ବଣିକ ସଂଘ କେବେହେଲେ ଏଭଳି କାରବାରକୁ ପ୍ରଶ୍ରୟ ଦେବ ନାହିଁ । ମଙ୍ଗଳାବାଗର ସୁବାସ ଦାସ କୁହନ୍ତି, ନକଲି କାରବାର ନେଇ ରୁଜୁ ମାମଲାଗୁଡ଼ିକରେ ଦଣ୍ଡବିଧାନର ମାତ୍ରା କମ୍‌ ହେଉଛି । ଏଥିଯୋଗୁ ଅସାଧୁ ବ୍ୟବସାୟୀ ଏପରି ବେପାର କରିବାକୁ ସାହସ ପାଉଛନ୍ତି। ପ୍ରଶାସନିକ ବ୍ୟବସ୍ଥା ଏ ଦିଗରେ ଅଧିକ ସକ୍ରିୟ କରାଯିବାର ଆବଶ୍ୟକତା ରହିଛି। ସେହିପରି ଡଗରପଡ଼ାର ବିଭୁପ୍ରସାଦ ନାୟକ କୁହନ୍ତି, ବଜାରରୁ କୌଣସି ସାମଗ୍ରୀ ଆଣିବା ବେଳେ ଭରସା ପାଉନାହିଁ । ଔଷଧଠାରୁ ଆରମ୍ଭ କରି ଖାଦ୍ୟ ସାମଗ୍ରୀ ଯାଏ ସବୁଠି ନକଲି ଡର ରହିଛି । କେବଳ ଭଲ ବ୍ୟବସାୟୀଙ୍କୁ ଅସଲ ସାମଗ୍ରୀ ମିଳିବ ବୋଲି ଆଶା ରଖି କିଣିବାକୁ ପଡ଼ୁଛି। ଏ ଦିଗରେ ସରକାର କଡ଼ା ପଦକ୍ଷେପ ନେବା ଜରୁରୀ। କଟକ ଡିସିପି ପିନାକ ମିଶ୍ର କୁହନ୍ତି, ନକଲି କାରବାର ରୋକିବା ପାଇଁ ଆଇନର ପରିସର ମଧ୍ୟରେ ପୋଲିସ ପକ୍ଷରୁ ସମସ୍ତ ପ୍ରକାର ଚେଷ୍ଟା କରାଯାଉଛି ।

ପାର୍ବଣ ପରେ ଚଢ଼ାଉରେ ପୂର୍ଣ୍ଣଚ୍ଛେଦ
ଢେଙ୍କାନାଳ ଅଫିସ, ୩୦।୧୦:
ପାର୍ବଣ, ପର୍ଯ୍ୟଟନ ଓ ବିବାହ ଋତୁରେ ଖାଦ୍ୟ ସାମଗ୍ରୀରେ ଭେଜାଲ ଆଶଙ୍କା ବେଶି। ସାଧାରଣତଃ ଏହି ସମୟରେ ସକ୍ରିୟ ହୋଇଉଠେ ସ୍ବାସ୍ଥ୍ୟ ବିଭାଗ। ଫ୍ଲାଇଂ ସ୍କ୍ବାଡ୍‌ ଜରିଆରେ ଘନଘନ ଚଢ଼ାଉ ହୁଏ। ଜରିମାନା ଆଦାୟ ହୁଏ। ଦୋକାନୀଙ୍କୁ କରାଯାଏ ତାଗିଦ୍‌। ହେଲେ ଏହା ପରେ ସବୁକିଛି ପଡ଼ିଯାଏ ଶିଥିଳ। ପୁଣିଥରେ କାୟା ମେଲାନ୍ତି ଲାଭଖୋର୍‌ ହୋଟେଲ ମାଲିକ, ଫାଷ୍ଟଫୁଡ୍‌ ଦୋକାନୀ ଏବଂ ରାସ୍ତାପାର୍ଶ୍ୱ ବ୍ୟବସାୟୀ। ଅଧିକ ଲାଭ ଆଶାରେ ସେମାନେ ଖାଦ୍ୟର ଗୁଣାତ୍ମକ ମାନ ଉପରେ ସାଲିସ୍‌ କରନ୍ତି, ଯାହାର ସଦ୍ୟତମ ଚିତ୍ର ଦେଖିବାକୁ ମିଳିଛି ଢେଙ୍କାନାଳର ଗଣପର୍ବ ଲକ୍ଷ୍ମୀପୂଜାରେ।
ପୂଜା ସମୟରେ ଜିଲାପାଳ ସରୋଜ ସେଠୀଙ୍କ ନିର୍ଦ୍ଦେଶରେ ଜିଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଖାଦ୍ୟ ନିରୀକ୍ଷକଙ୍କ ଜରିଆରେ ସହରରେ ଘନଘନ ଚଢ଼ାଉ କରାଯାଇଥିଲା। ନଭେମ୍ବର ୨୯ ପୂଜା ଆରମ୍ଭରୁ ଅକ୍ଟୋବର ୨୧ ବିସର୍ଜନ ଯାଏ ପ୍ରାୟ ୫ କୁଇଣ୍ଟାଲରୁ ଊର୍ଦ୍ଧ୍ୱ ନିମ୍ନମାନର ଖାଦ୍ୟ ନଷ୍ଟ କରାଯାଇଛି। ୨୦ ହଜାର ଟଙ୍କା ଜରିମାନା ମଧ୍ୟ ଆଦାୟ ହୋଇଛି। ଯାଞ୍ଚ ବେଳେ ଖାଦ୍ୟରେ ନିମ୍ନମାନର ସସ୍‌ ମିଶାଯାଉଥିବା ସ୍ପଷ୍ଟ ହୋଇଥିବାବେଳେ ହୋଟେଲ ପାକଶାଳା ପରିବେଶକୁ ଦେଖି ପ୍ରଶ୍ନ ଉଠାଇଥିଲେ ଅଧିକାରୀ। ହେଲେ ପାର୍ବଣ ସରିବା ସହ ଚଢ଼ାଉରେ ପୂର୍ଣ୍ଣଚ୍ଛେଦ ପଡ଼ିଯାଇଛି, ଯାହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ସଚେତନ ନାଗରିକ। ନିୟମିତ ଚଢ଼ାଉ ନ ହେଲେ ଏହାର ଉଦ୍ଦେଶ୍ୟ ସଫଳ ହେବ ନାହିଁ ବୋଲି ଗଣେଶ ବଜାର ପୂଜା କମିଟି ସମ୍ପାଦକ ବିଶ୍ୱନାଥ ବେହେରା କହିଛନ୍ତି। ନିକଟରେ ଗଣେଶ ବଜାର ନିକଟ ଏକ ଚା’ ଦୋକାନରେ ବିକ୍ରି କରାଯାଇଥିବା ପନିରରୁ ଶଂବାଳୁଆ ବାହାରିଥିବା ଅଭିଯୋଗ ହୋଇଥିଲେ ହେଁ କୌଣସି ପଦକ୍ଷେପ ନିଆଯାଇ ନ ଥିଲା। ଗୋଟିଏପଟେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଉତ୍ତମ ଓ ତଟକା ଖାଦ୍ୟଖାଇ ସ୍ବାସ୍ଥ୍ୟକୁ ସୁରକ୍ଷିତ ରଖନ୍ତୁ ବୋଲି ସଚେତନ କରାଯାଉଥିବା ବେଳେ ସହରର ବିଷାକ୍ତ ଖାଦ୍ୟର ପସରା କାୟା ମେଲାଇବା ବିଭାଗୀୟ ବିଫଳତା ବୋଲି ଚର୍ଚ୍ଚା ହେଉଛି। ଏ ସଂକ୍ରାନ୍ତରେ ଜିଲା ଖାଦ୍ୟ ନିରୀକ୍ଷକ ଲୋପାମୁଦ୍ରା ନାୟକ କୁହନ୍ତି, ସହରରେ ନିୟମିତ ଚଢ଼ାଉ କରାଯିବ। ଜନସ୍ବାସ୍ଥ୍ୟ ଅଧିକାରୀ ଡ. ଜ୍ୟୋତିଷ ଚନ୍ଦ୍ର ମହାପାତ୍ର କୁହନ୍ତି ଯେ, ବାସିଖାଦ୍ୟ ଜବତ ପାଇଁ ପାର୍ବଣ ଋତୁରେ ଚଢାଉ ହୋଇଥିଲା। ଏହାକୁ ନିୟମିତ କରାଯିବ ା

 

ଭୁବନେଶ୍ୱର,୩୦।୧୦(ବ୍ୟୁରୋ)
ହାଟ ବଜାରରେ ହାଉଯାଉ ନକଲି ବ୍ରାଣ୍ଡ। ଆଖିକୁ ନାମୀ ବ୍ରାଣ୍ଡ୍‌ ଦେଖାଯାଉଥିଲେ ମଧ୍ୟ ପ୍ୟାକେଟରେ ବିଷ ଭରି ରହିଛି। ଅପମିଶ୍ରିତ ଖାଦ୍ୟ ସାମଗ୍ରୀ ବ୍ୟବହାର କରି ଅନେକ ସମୟରେ ଲୋକେ ମୃତ୍ୟୁ ମୁଖରେ ପଡୁଛନ୍ତି। ନିକଟରେ କଟକ ଜିଲାର ବଡମ୍ବାରେ ଚାଟ୍‌ ଖାଇ ଗୋଟିଏ ପରିବାରର ୩ ସଦସ୍ୟଙ୍କର ମୃତ୍ୟୁ ହେବା ଏହି କଳା ସାମ୍ରାଜ୍ୟର ପ୍ରାଦୁର୍ଭାବକୁ ସୂଚାଉଛି। ୨୦୧୯ ଜାନୁୟାରୀରେ କୋରାପୁଟର ଜୟପୁରଠାରେ ମସଲା ଅପମିଶ୍ରଣ ୟୁନିଟ ଠାବ କରାଯାଇଥିବା ବେଳେ ସେହିବର୍ଷ ଫେବୃୟାରୀରେ ଅନୁଗୋଳରେ ଡାଲି, ଦୁଗ୍ଧ ଓ ଲଙ୍କାଗୁଣ୍ଡ ଅପମିଶ୍ରଣ ୟୁନିଟ ଠାବ ହୋଇଥିଲା। ସେହିପରି ୨୦୨୦ ସେପ୍ଟେମ୍ବରରେ କଟକରେ ଟମାଟୋ ଏବଂ ଲଙ୍କା ସସ୍‌ ନକଲି କାରଖାନା ଧରାପଡ଼ିଥିଲା। ୨୦୨୨ ସେପ୍ଟେମ୍ବରରେ ଭୁବନେଶ୍ୱର ଉପକଣ୍ଠ ପାହାଳଠାରେ ଏକ ନକଲି ଲୁଣ ଓ ଡିଟରଜେଣ୍ଟ ପାଉଡର ଫ୍ୟାକ୍ଟ୍ରି ଧରାପଡ଼ିଥିଲା। ଫୁଡ୍‌ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାଡ୍ସର୍ର୍ ଆକ୍ଟ-୨୦୦୬ ଅନୁଯାୟୀ ଖାଦ୍ୟ ପଦାର୍ଥର ମାନ ଯାଞ୍ଚ ସହ ଅପମିଶ୍ରିତ ସାମଗ୍ରୀରୁ ଲୋକଙ୍କୁ ସୁରକ୍ଷା ଦେବା ପାଇଁ ରାଜ୍ୟରେ ଜଣେ ଆଇଏଏସ୍‌ ର଼୍ୟାଙ୍କର ଅଫିସର ଫୁଡ୍‌ ସେଫ୍ଟି କମିଶନର ରହିବେ। ଏହାଛଡ଼ା ଫୁଡ୍‌ ସେଫ୍ଟି ଡାଇରେକ୍ଟର, ଆଡିଶନାଲ ଫୁଡ୍‌ ସେଫ୍ଟି କମିଶନର, ସମସ୍ତ ଜିଲାରେ ଫୁଡ୍‌ ସେଫ୍ଟି ଅଫିସର ରହିବେ। ନିୟମିତ ବ୍ୟବଧାନରେ ନମୁନା ସଂଗ୍ରହ କରାଯାଇ ଲାବରେଟୋରିରେ ଏହାକୁ ପରୀକ୍ଷା କରାଯିବ। ଅପମିଶ୍ରଣକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ମାତ୍ର ଯାଞ୍ଚ ଠିକ୍‌ ଢଙ୍ଗରେ ହେଉ ନ ଥିବା କିମ୍ବା ଅପମିଶ୍ରଣକାରୀଙ୍କ ସହ କେତେଜଣ ଅସାଧୁ ଅଫିସରଙ୍କ ଭିତିରି ସମ୍ପର୍କ ଯୋଗୁ ଏଭଳି ବେଆଇନ କାରବାର ଦିନକୁ ଦିନ ବଢ଼ିଚାଲିଛି। ରାଜ୍ୟରେ ନମୁନା ପରୀକ୍ଷା ଅତ୍ୟନ୍ତ ନଗଣ୍ୟ ରହିଛି। ଅପମିଶ୍ରଣକାରୀଙ୍କୁ ଦଣ୍ଡିତ କରିବା ହାର ମଧ୍ୟ କମ୍‌ ରହିଛି। ଗତ ୩ ବର୍ଷରେ ରାଜ୍ୟରେ ୧୦୦ଟି ନମୁନା ପରୀକ୍ଷା କରାଯାଇଛି। ସେଥିରୁ ୨୧ଟିରେ ଅପମିଶ୍ରଣ ଠାବ କରାଯାଇଛି। ଅପମିଶ୍ରଣକାରୀଙ୍କଠାରୁ ଜରିମାନା ବାବଦରେ ୨୬.୩୫ କୋଟି ଟଙ୍କା ଆଦାୟ କରାଯାଇଛି। ସେହିପରି ୨୦୧୮-୧୯ରେ ୧୨୩ ଜଣ ଅପମିଶ୍ରଣକାରୀଙ୍କ ବିରୋଧରେ ମାମଲା ରୁଜୁ କରାଯାଇଥିଲେ ମଧ୍ୟ ଜଣେ ହେଲେ ଦଣ୍ଡିତ ହୋଇ ନାହାନ୍ତି। ଜଣେ ବରିଷ୍ଠ ଫୁଡ୍‌ ସେଫ୍ଟି ଅଫିସରଙ୍କ କହିବା ଅନୁଯାୟୀ ପର୍ଯ୍ୟାପ୍ତ କର୍ମଚାରୀ ଅଭାବରୁ ନମୁନା ସଂଗ୍ରହ ତ୍ୱରାନ୍ବିତ ହୋଇପାରୁନାହିଁ।

 


Enter your email to get our daily news in your inbox.

All Right Reserved By Dharitri.Com

ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲର୍‌ଙ୍କ ଘର ବାହାରେ ବ୍ଲାଙ୍କ ଫାୟାରିଂ ଅଭିଯୋଗ

ଖଲ୍ଲିକୋଟ,୨୬।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲରଙ୍କ ଘରେ ପଶି ମାର୍‌ପିଟ ସହ ବ୍ଲାଙ୍କ ଫାୟାରିଂ କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ...

ଓଏଚ୍‌ଆର୍‌ସିରେ କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣ ମାମଲା: ଏନ୍‌ଏଚ୍‌ଏଆଇକୁ ରିପୋର୍ଟ ତଲବ

କଟକ,୨୬ା୪ (କାର୍ତ୍ତିକ ସାହୁ)- କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣରେ ଅହେତୁକ ବିଳମ୍ବ ହେତୁ ଦୁର୍ଘଟଣା ବଢ଼ିଚାଲିଛି। ଏହି ରାଜପଥର ନିର୍ମାଣ କାର୍ଯ୍ୟ ଦୀର୍ଘ ୧୨ ବର୍ଷ...

ଆସନ୍ତା ଶିକ୍ଷାବର୍ଷରୁ ୨ଥର ହୋଇପାରେ ବୋର୍ଡ ପରୀକ୍ଷା

ଭୁବନେଶ୍ୱର, ୨୬।୪(ଅସମାପିକା ସାହୁ) – ସେଣ୍ଟ୍ରାଲ ବୋର୍ଡ ଅଫ୍‌ ସେକେଣ୍ଡାରୀ ଏଜୁକେଶନ(ସିବିଏସ୍‌ଇ) ପକ୍ଷରୁ ପରିଚାଳିତ ବୋର୍ଡ ପରୀକ୍ଷା ବର୍ଷକୁ ଦୁଇଥର ଅନୁଷ୍ଠିତ ହେବ। ଆସନ୍ତା ୨୦୨୫-୨୬...

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

ଭଦ୍ରକ-ଯାଜପୁର ଜେଲ୍‌ରେ କ୍ଷମତାଠାରୁ ଅଧିକ କଏଦୀ: ଭିଡ ହଟାଇବାକୁ ପଦକ୍ଷେପ ନେଇ ଜଣାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୨୬ା୪ (କାର୍ତ୍ତିକ ସାହୁ)- ଭଦ୍ରକ ଓ ଯାଜପୁର ଜିଲା ଜେଲରୁ ଭିଡ଼ ହଟାଇବାକୁ କି ପଦକ୍ଷେପ ନେଇଛ ଜଣାଅ ବୋଲି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଶୁକ୍ରବାର...

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

ଆନ୍ଦୋଳନ ପରେ ପରୀକ୍ଷା ଘୁଞ୍ଚିଲା

ଭୁବନେଶ୍ୱର, ୨୬।୪(ଅସମାପିକା ସାହୁ)- ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଚତୁର୍ଥ ସେମିଷ୍ଟର ପରୀକ୍ଷା ଘୁଞ୍ଚାଇବା ଦାବିରେ ଛାତ୍ରୀମାନେ ଆନ୍ଦୋଳନ କରିବା ପରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ପୂର୍ବ ନିଷ୍ପତ୍ତିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri