ପ୍ରତିରକ୍ଷା ବିଶେଷଜ୍ଞରୁ ପ୍ରଧାନମନ୍ତ୍ରୀ

ବିବାହ ପରେ ମହିଳାମାନେ ସ୍ବାମୀଙ୍କ ସାଙ୍ଗିଆରେ ପ୍ରାୟତଃ ପରିଚିତ ହେଉଥିବା ଦେଖିବାକୁ ମିଳେ। ଭାରତରେ ମଧ୍ୟ ସମାନ ସ୍ଥିତି। କିନ୍ତୁ ଏଠାରେ ସେଥିପାଇଁ କିଛି ଆଇନ ନାହିଁ। ହେଲେ ଜାପାନରେ ଯୁବତୀ ବିବାହ କରିବା ପରେ ସେ ସାଙ୍ଗିଆ ହରାଇବା ଥୟ। ସେଥିପାଇଁ ସେଠାରେ ଆଇନ ରହିଥିବାରୁ ଅନେକ ମହିଳା ଏହାକୁ ବିରୋଧ କରିଥାଆନ୍ତି, କାରଣ ବ୍ୟକ୍ତିଗତ ପରିଚୟ ବଜାୟ ରଖିବାରୁ ସେମାନେ ବଞ୍ଚତ୍ତ ହୋଇଥାଆନ୍ତି। ଏବେ ଶିଗେରୁ ଇଶିବା ଦେଶର ଭାବୀ ପ୍ରଧାନମନ୍ତ୍ରୀ ହୋଇଥିବାରୁ ମହିଳାମାନେ ଆନନ୍ଦ ବ୍ୟକ୍ତ କରିଛନ୍ତି। ଅକ୍ଟୋବର ପହିଲାରେ ସେ ଦାୟିତ୍ୱ ଗ୍ରହଣ କରିବା ପରେ ଏ ସଂକ୍ରାନ୍ତରେ ଥିବା ପୁରୁଣା ଆଇନରେ ପରିବର୍ତ୍ତନ ଆଣିବେ ବୋଲି ଆଲୋଚନା ହେଉଛି। ସମଲିଙ୍ଗୀ ବିବାହ ସପକ୍ଷବାଦୀ ଏବଂ ଏଲ୍‌ଜିବିଟିଙ୍କ ସୁରକ୍ଷାକାରୀ ଭାବେ ଇଶିବାଙ୍କ ଏକ ସୁନ୍ଦର ସାମାଜିକ ଭାବମୂର୍ତ୍ତି ରହିଛି। ସମ୍ଭବତଃ ଏହିସବୁ ପ୍ରସଙ୍ଗ ତାଙ୍କୁ ପ୍ରତିଦ୍ୱନ୍ଦ୍ୱୀଙ୍କଠାରୁ ଆଗରେ ରଖି ନିର୍ବାଚନରେ ବିଜୟୀ ହେବାର ପଥ ସୁଗମ କରିପାରିଛି ବୋଲି ରାଜନୈତିକ ବିଶେଷଜ୍ଞମାନେ ମତ ରଖିଛନ୍ତି। ଜାପାନର ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ଇଶିବା ବର୍ତ୍ତମାନର ପ୍ରଧାନମନ୍ତ୍ରୀ ଫୁମିଓ କିଶିଡାଙ୍କ ଉତ୍ତରାଧିକାରୀ ହେବାକୁ ଯାଉଛନ୍ତି। ଅଗଷ୍ଟରେ କିଶିଡାଙ୍କ ଲିବେରାଲ ଡେମୋକ୍ରାଟିକ୍‌ ପାର୍ଟି(ଏଲ୍‌ଡିପି)ର ରେଟିଂ ବହୁମାତ୍ରାରେ କମିବା ପରେ ସେ ପଦରୁ ଇସ୍ତଫା ଦେବା ନେଇ ଘୋଷଣା କରିଥିଲେ। ଫଳରେ କିଶିଡାଙ୍କ ଉତ୍ତରାଧିକାରୀ ବାଛିବା ଲାଗି ନିର୍ବାଚନ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ୯ ଜଣ ପ୍ରାର୍ଥୀ ଥିଲେ। କଠୋର ଜାତୀୟତାବାଦୀ ନେତ୍ରୀ ସାନା ଡାକାଇଚିଙ୍କ ନାମ ଏହି ପଦବୀ ପାଇଁ ବେଶି ଶୁଣାଯାଉଥିବା ବେଳେ ଅପ୍ରତ୍ୟାଶିତ ଭାବେ ଇଶିବା ବିଜୟୀ ହୋଇଛନ୍ତି। ଚାଇନା, ରୁଷିଆ ଓ ଉତ୍ତର କୋରିଆ କାର୍ଯ୍ୟକଳାପର ବିରୋଧୀ ଭାବେ ଇଶିବା ଜଣାଶୁଣା ଥିବାରୁ ଏବେ ତାଙ୍କ ନୂତନ ଦାୟିତ୍ୱ ଗ୍ରହଣ ଉପରେ ବିଶ୍ୱ ନଜର ରହିବା ସ୍ବାଭାବିକ।
ଜାପାନ ରାଜଧାନୀ ଟୋକିଓ ନିକଟ ଚିଓଡା ଓ୍ବାଡ୍‌ରେ ୪ ଫେବୃଆରୀ ୧୯୫୭ରେ ଇଶିବାଙ୍କ ଜନ୍ମ। ତାଙ୍କ ପିତା ଜିରୋ ଇଶିବା ଭାଇସ୍‌ ମିନିଷ୍ଟର ଅଫ୍‌ କନ୍‌ଷ୍ଟ୍ରକ୍‌ଶନ ଭାବେ ଦାୟିତ୍ୱ ତୁଲାଇଥିଲେ। ତାଙ୍କ ମାତା ଶିକ୍ଷକତା କରୁଥିଲେ ଓ ସେ ଖ୍ରୀଷ୍ଟିଆନ୍‌ ମିନିଷ୍ଟର ମିଚିତୋମୋ କାନାମାରିଙ୍କ ନାତୁଣୀ। ଜିରୋ ୧୯୫୮ରେ ଟୋଟୋରି ପ୍ରିଫେକ୍ଚରର ଗଭର୍ନର ଭାବେ ନିର୍ବାଚିତ ହୋଇଥିବାରୁ ଇଶିବାଙ୍କ ପିଲା ବେଳ ସେଠାରେ କଟିଥିଲା। ଟୋଟୋରି ୟୁନିଭର୍ସିଟି ଜୁନିୟର ହାଇସ୍କୁଲରୁ ସେ ଡିଗ୍ରୀ ହାସଲ କରିବା ପରେ କେଇଓ ସିନିୟର ହାଇସ୍କୁଲରେ ପଢ଼ିଥିଲେ। ଏହା ପରେ ଟୋକିଓର କେଇଓ ବିଶ୍ୱବିଦ୍ୟାଳୟରୁ ଆଇନରେ ସ୍ନାତକ ଡିଗ୍ରୀ ଅର୍ଜନ କରିଥିଲେ। ୧୯୭୯ରେ ଇଶିବା ମିତ୍‌ସୁଇ ବ୍ୟାଙ୍କରେ ନିଯୁକ୍ତି ପାଇ କର୍ମମୟ ଜୀବନ ଆରମ୍ଭ କରିଥିଲେ। ୧୯୮୧ରେ ତାଙ୍କ ପିତାଙ୍କ ଦେହାନ୍ତ ହୋଇଥିଲା। ପିତାଙ୍କ ବନ୍ଧୁ ଥିବା ପୂର୍ବତନ ପ୍ରଧାନମନ୍ତ୍ରୀ କାକୁଇ ତାନାକା ଅନ୍ତ୍ୟେଷ୍ଟିରେ ଯୋଗ ଦେବାକୁ ଆସିଥିବା ବେଳେ ଇଶିବାଙ୍କୁ ପିତାଙ୍କ ଲିଗାସିକୁ ଆଗେଇ ନେବା ପାଇଁ ତାଙ୍କୁ ରାଜନୀତିରେ ପ୍ରବେଶ କରିବା ସକାଶେ ଉତ୍ସାହିତ କରିଥିଲେ। ଏହା ପରେ ସେ ବ୍ୟାଙ୍କ ଚାକିରି ଛାଡ଼ି ପ୍ରତ୍ୟକ୍ଷ ରାଜନୀତିରେ ନିଜକୁ ସାମିଲ କରିଥିଲେ। ଭାଗ୍ୟଦେବୀ ସହାୟ ହେବାରୁ ସେ ୨୯ ବର୍ଷ ବୟସରେ ହାଉସ୍‌ ଅଫ୍‌ ରିପ୍ରେଜେଣ୍ଟେଟିଭ୍‌କୁ ନିର୍ବାଚିତ ହୋଇଥିଲେ। ଏଥିସହିତ ନ୍ୟାଶନାଲ ଡାଏଟ୍‌ (ଜାପାନ ପାର୍ଲାମେଣ୍ଟ)ର ସର୍ବକନିଷ୍ଠ ସଦସ୍ୟ ହେବାର ଗୌରବ ମଧ୍ୟ ଅର୍ଜନ କରିଥିଲେ। ସେତେବେଳେ ସେ କୃଷି ନୀତିର ଜଣେ ବିଶେଷଜ୍ଞ ଭାବେ ପରିଚିତି ହାସଲ କରିଥିଲେ। ଫଳରେ ମିୟାଜଓ୍ବା କ୍ୟାବିନେଟରେ ତାଙ୍କୁ କୃଷି ମନ୍ତ୍ରଣାଳୟର ପାର୍ଲାମେଣ୍ଟାରୀ ଭାଇସ୍‌ ମିନିଷ୍ଟର ପଦବୀ ମିଳିଥିଲା। ହେଲେ ଦଳର କେତେଜଣ ନେତାଙ୍କ ମଧ୍ୟରେ ମନୋମାଳିନ୍ୟ ହେବାରୁ ଇଶିବା ୧୯୯୩ରେ ଏଲ୍‌ଡିପି ଛାଡ଼ି ଜାପାନ ରିନିଓ୍ବାଲ୍‌ ପାର୍ଟିରେ ଯୋଗ ଦେଇଥିଲେ। ପରବର୍ତ୍ତୀ ସମୟରେ ଜାପାନ ରିନିଓ୍ବାଲ୍‌ ପାର୍ଟି ଅନ୍ୟ ରାଜନୈତିକ ଦଳ ସହ ମିଶି ନ୍ୟୁ ଫ୍ରଣ୍ଟିଅର ପାର୍ଟି ଭାବେ ଉଭା ହେବା ପରେ ସେ ତାହାର ଏକ ଅଂଶ ପାଲଟିଥିଲେ। ସେଥିରେ ମଧ୍ୟ ଇଶିବା ବେଶି ଦିନ ରହି ପାରିଲେ ନାହିଁ। ୧୯୯୬ରେ ପୁନଶ୍ଚ ଏଲ୍‌ଡିପିକୁ ଫେରି ଆସିଥିଲେ। ଜୁଲାଇ ୨୦୦୦ରେ ସେ ମୋରି କ୍ୟାବିନେଟରେ କୃଷି ମନ୍ତ୍ରଣାଳୟର ପାର୍ଲାମେଣ୍ଟାରୀ ଭାଇସ୍‌ ମିନିଷ୍ଟର ହେଲେ। ଚାଇନା, ଉତ୍ତର କୋରିଆ ଭଳି ରାଷ୍ଟ୍ରର ଗତିବିଧି ଦେଖି ୨୦୦୨ରେ ସେ କୃଷି ଅପେକ୍ଷା ପ୍ରତିରକ୍ଷାକୁ ଅଧିକ ଧ୍ୟାନ ଦେଇ ତାହା ଉପରେ ଧ୍ୟାନ କେନ୍ଦ୍ରିତ କରିଥିଲେ। ଫଳରେ ୨୦୦୨ରେ ତାଙ୍କୁ ଡିଫେନ୍ସ ସଂସ୍ଥାର ମହାନିର୍ଦ୍ଦେଶକ କରାଯାଇଥିଲା। ସେହି କ୍ଷେତ୍ରରେ ତାଙ୍କ ଭୂମିକା ଉଲ୍ଲେଖନୀୟ ରହିବାରୁ ତାଙ୍କୁ ୨୦୦୭ରେ ଦେଶର ପ୍ରତିରକ୍ଷା ମନ୍ତ୍ରୀ କରାଯାଇଥିଲା। ଏହା ପରଠାରୁ ତାଙ୍କ ରାଜନୈତିକ ଗ୍ରାଫ୍‌ ଊର୍ଦ୍ଧ୍ୱଗାମୀ ହୋଇଥିଲା। ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦବୀରେ ରହିବା ବେଳେ ରୋକ୍‌ଠୋକ୍‌ କଥା କହୁଥିବାରୁ ସେ ଅନେକ ସମୟରେ ନ୍ୟାଶନାଲ ଡାଏଟ୍‌ରେ ଥିବା ସଦସ୍ୟଙ୍କ ବିରୋଧୀ ପାଲଟିଥିଲେ। ଅନେକେ ତାଙ୍କୁ ବିଫଳ ରାଜନେତା ଆଖ୍ୟା ମଧ୍ୟ ଦେଇଥିଲେ। ହେଲେ ସେ ସାମାଜିକ ପ୍ରସଙ୍ଗକୁ ମୁଖ୍ୟ ଡାକ କରିଦେବାରୁ ତାଙ୍କ ଲୋକପ୍ରିୟତା ସର୍ବୋଚ୍ଚ ଶିଖର ଛୁଇଁଥିବା ବେଳେ ସେ ଏବେ ଦେଶର ଚର୍ଚ୍ଚିତ ରାଜନେତା ପାଲଟି ଯାଇଛନ୍ତି।
ଇଶିବାଙ୍କ ବ୍ୟକ୍ତିଗତ ଜୀବନ କହିଲେ କେଇଓ ବିଶ୍ୱବିଦ୍ୟାଳୟରେ ପଢ଼ୁଥିବା ବେଳେ ସେ ୟୋଶିକୋଙ୍କୁ ଭେଟିଥିଲେ ଓ ୧୯୮୩ରେ ତାଙ୍କୁ ଜୀବନ ସାଥୀ କରିଥିଲେ। ଉଭୟଙ୍କ ଦୁଇ ଝିଅ ଅଛନ୍ତି। ଇଶିବା ଖ୍ରୀଷ୍ଟିଆନ। ହେଲେ ସେ ପୂର୍ବପୁରୁଷ ବିଶ୍ୱାସ କରୁଥିବା ବୌଦ୍ଧ ପୀଠ ପରିଦର୍ଶନ କରି ସେଠାରେ ପ୍ରାର୍ଥନା କରିଥାଆନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ମୁଣ୍ଡ ନୁଆଁଇବେ

ଗାନ୍ଧୀ ଜୟନ୍ତୀର ସ୍ମୃତି ମନରେ ସତେଜ ଥିବାବେଳେ ଏବଂ ଶାନ୍ତିପୂର୍ଣ୍ଣ ସମାବେଶର ଅଧିକାର ପୁନର୍ୱାର ଚର୍ଚ୍ଚାକୁ ଆସିଛି। ଏହି ସମୟରେ ଆସନ୍ତୁ କିଛି ପ୍ରସଙ୍ଗ ଉପରେ ଦୃଷ୍ଟି…

ରାସ୍ତାକଡ଼ ଖାଦ୍ୟ କେତେ ସୁରକ୍ଷିତ

ଦହିବରା-ଆଳୁଦମ୍‌, ଘୁଗୁନି, ଚାଟ୍‌, ଗୁପ୍‌ଚୁପ୍‌, ମୁଢ଼ିମିକ୍ସ, ବରା-ପକୋଡ଼ିଠାରୁ ଆରମ୍ଭ କରି ବିଭିନ୍ନ ପାରମ୍ପରିକ ଖାଦ୍ୟ ସର୍ବଦା ରାସ୍ତାକଡ଼ରେ ସହଜରେ ମିଳେ। ଏପରି ଖାଦ୍ୟ ବହୁ କ୍ଷେତ୍ରରେ ଅପରିଷ୍କାର…

ବନ୍ୟପ୍ରାଣୀ ଚଲାପଥ ସଂଯୋଗୀକରଣ

ଦୁଇଟି ପ୍ରାକୃତିକ ଜଙ୍ଗଲ ପରିସଂସ୍ଥାକୁ ସଂଯୋଗ କରୁଥିବା ସଂକୀର୍ଣ୍ଣ ଅଣଓସାରିଆ ଜଙ୍ଗଲୀ ରାସ୍ତାକୁ କୁହାଯାଏ କରିଡର; ଚଲାପଥ ବା ବନ୍ୟପ୍ରାଣୀ ସଂଯୋଗୀ ପଥ। ଚଳିତବର୍ଷ ଅକ୍ଟୋବର ୨ରୁ…

ବଦଳିର ବାର୍ତ୍ତା

ଅତିରିକ୍ତ ସଚିବ ସ୍ତରରେ ୧୦ ଜଣ ଅଧିକାରୀଙ୍କ ଅଦଳବଦଳ ଏକ ସାଧାରଣ ପ୍ରଶାସନିକ କାର୍ଯ୍ୟ ହୋଇପାରେ। କିନ୍ତୁ ନିକଟରୁ ଦେଖିଲେ ଏହା କେନ୍ଦ୍ର ସରକାର କେଉଁ କ୍ଷେତ୍ରରେ…

ଏଇ ଭାରତରେ

ନିରବଚ୍ଛିନ୍ନ ପ୍ରୟାସ ଓ ଦୃଢ଼ ଇଚ୍ଛାଶକ୍ତି ଦ୍ୱାରା ସଫଳତା ମିଳେ, ଯାହା ପ୍ରମାଣ କରିଛନ୍ତି ରାଜସ୍ଥାନ ଏକାଲଖୋରି ଗାଁର ରାଣାରାମ ବିଷ୍ଣୋଇ । ଗଛ ପରିବେଶ ଓ…

ଗାନ୍ଧୀ ବିଚାରରେ ପରିବେଶ ସୁରକ୍ଷା

ମହାକାଳର ଅସୀମ ଗର୍ଭରେ ଇତିହାସର ଅନେକ ପୃଷ୍ଠା ରକ୍ତର କାଳିରେ ଲେଖାଯାଇଛି, ଅନେକ ବିପ୍ଳବ କେବଳ କ୍ଷମତା ଆଉ ସାମ୍ରାଜ୍ୟବାଦର ମୋହରେ ଧୂଳିସାତ ହୋଇଯାଇଛି। କିନ୍ତୁ ବିଂଶ…

ନିର୍ମୂଳୀ ଚେର

ଅନେକ ଦଶନ୍ଧି ଧରି ଦେଶରୁ ଗରିବ ହଟାଇବା ଲକ୍ଷ୍ୟରେ ଅନେକ ଦୃଷ୍ଟାନ୍ତମୂଳକ ଯୋଜନା ପ୍ରଣୟନ କରାଯାଇଛି। ଅର୍ଥଶାସ୍ତ୍ରବିତ୍‌ଙ୍କ ସୁକଳ୍ପିତ ପରାମର୍ଶ, ସଂଗଠନ ସଦସ୍ୟଙ୍କ ମତାମତ ଏବଂ ରାଜନୀତିଜ୍ଞଙ୍କ…

ମାନବାଧିକାର ଓ ନେତୃତ୍ୱରେ ତ୍ରୁଟି

ଦ୍ବିତୀୟ ବିଶ୍ୱଯୁଦ୍ଧ ପରବର୍ତ୍ତୀ ସମୟରେ ଗଠିତ ଅନ୍ତର୍ଜାତୀୟ ବ୍ୟବସ୍ଥା ଏବେ ବୈଧତା ସଙ୍କଟର ସମ୍ମୁଖୀନ ହେଉଛି। ମାନବାଧିକାର ରକ୍ଷା କରୁଥିବା ବ୍ୟବସ୍ଥା ମଧ୍ୟ ଏଥିରୁ ବାଦ୍‌ ପଡ଼ୁନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?