ଥୁଆମୂଳ ରାମପୁର, ୨୮।୮ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଅଞ୍ଚଳର ଡିଜିମାଳି ପାହାଡ଼ରେ ଖଣି ଖନନକୁ ନେଇ ବିରୋଧ ଓ ଆନ୍ଦୋଳନ ଚାଲିଥିବା ବେଳେ ‘ମା’ ମାଟି ମାଳି ସୁରକ୍ଷା ମଞ୍ଚ’ର ସଦସ୍ୟ ତଥା ସକ୍ରିୟ ଆନ୍ଦୋଳନକାରୀ ହିରାମଲ୍ ନାଏକଙ୍କୁ ପୋଲିସ ଉଠାଇ ନେବା ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ବ୍ୟାପକ ଚର୍ଚ୍ଚାର ବିଷୟ ପାଲଟିଛି।
ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ଡାକୋଟା ଗ୍ରାମରେ ଗାୟତ୍ରୀ ପରିବାର ପକ୍ଷରୁ ଶ୍ରାବଣୀ ପର୍ବ ଉତ୍ସବ, ଦଶସ୍ନାନ, ଯଜ୍ଞ ଓ ସତ୍ସଙ୍ଗ କାର୍ଯ୍ୟକ୍ରମ ଚାଲିଥିଲା। ଏହି ଧାର୍ମିକ ଉତ୍ସବରେ ଯୋଗଦେବା ପାଇଁ ହିରାମଲ୍ ନାଏକ ଡାକୋଟା ଗ୍ରାମକୁ ଆସିଥିଲେ। ତେବେ ଯଜ୍ଞ ଚାଲିଥିବା ସମୟରେ କର୍ଲାପାଟ ଓ ଥୁଆମୂଳ ରାମପୁର ପୋଲିସର ବହୁ ସଂଖ୍ୟକ ପୋଲିସ କର୍ମଚାରୀ ଯଜ୍ଞସ୍ଥଳକୁ ଘେରି ରହିବା ସହ ହିରାମଲ୍ଙ୍କୁ ସେଠାରୁ ଉଠାଇ ନେଇଥିଲେ।
ଘଟଣା ସମ୍ପର୍କରେ କର୍ଲାପାଟ ଥାନା ଅଧିକାରୀ ଶ୍ରୀକାନ୍ତ କୋଳକା ସୂଚନା ଦେଇଛନ୍ତି ଯେ, ଗତ ୧୬/୧୧/୨୦୨୫ରେ ନାକରୁଣ୍ଡିଠାରେ ଘଟିଥିବା ଏକ ଗଣ୍ଡଗୋଳ ଘଟଣାରେ କର୍ଲାପାଟ ଥାନା କେସ୍ ନମ୍ବର ୨୩/୨୫ରେ ହିରାମଲ୍ ନାଏକଙ୍କ ନାମରେ ହତ୍ୟା ଉଦ୍ୟମ ମାମଲା ରୁଜୁ ହୋଇଥିଲା। ସେହି ଆଧାରରେ ତାଙ୍କୁ ଗିରଫ କରାଯାଇ କୋର୍ଟକୁ ଫରୱାର୍ଡ କରାଯାଉଛି।
ହିରାମଲ୍ ଜଣେ ଆନ୍ଦୋଳନକାରୀ ହୋଇଥିବାରୁ ଏବଂ କାଳେ କୌଣସି ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ନ ହୁଏ, ସେଥିପାଇଁ ସୁରକ୍ଷା ଦୃଷ୍ଟିରୁ ପୋଲିସ ବଳ ମୁତୟନ କରାଯାଇଥିଲା ବୋଲି ସେ କହିଛନ୍ତି।
ଅପରପକ୍ଷରେ, ହିରାମଲ୍ ନାଏକ ଏହାକୁ ବିରୋଧ କରି କହିଛନ୍ତି ଯେ, ତାଙ୍କର କୌଣସି ଭୁଲ୍ ନାହିଁ। ସେ ପୂର୍ବରୁ ଜେଲରୁ ସର୍ତ୍ତମୂଳକ ଭାବେ ବାହାରି କାଶୀପୁର ଥାନାରେ ନିୟମିତ ହାଜିରା ଦେଇଆସୁଛନ୍ତି। କୌଣସି ୱାରେଣ୍ଟ କପି କିମ୍ବା ନୋଟିସ୍ ନ ଦେଇ ପୋଲିସ ତାଙ୍କୁ ଧାର୍ମିକ କାର୍ଯ୍ୟକ୍ରମ ଚାଲିଥିବା ବେଳେ ଜବରଦସ୍ତ ଉଠାଇ ନେଇଛି ବୋଲି ସେ ଅଭିଯୋଗ କରିଛନ୍ତି।
ତେବେ ଗିରଫଦାରୀର ଦୀର୍ଘ ସମୟ ବିତିଯାଇଥିଲେ ସୁଦ୍ଧା ବର୍ତ୍ତମାନ ପର୍ଯ୍ୟନ୍ତ ପୋଲିସ ତାଙ୍କୁ କୋର୍ଟ ଚାଲାଣ ନ କରି ଥାନାରେ ଅଟକ ରଖିଥିବା ନେଇ ଗମ୍ଭୀର ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

