ଦୁବାଇରୁ ଇସ୍ରାଏଲ ଯାଉଥିବା ଏକ ଫ୍ଲାଇଦୁବାଇ ବିମାନରେ ହୋଇଥିବା ଅଘଟଣକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ । ବିମାନ ଇସ୍ରାଏଲ ନିକଟରେ ପହଞ୍ଚିବା ସମୟରେ ଜଣେ ପାଇଲଟ୍ ଅନ୍ୟ ପାଇଲଟ୍ଙ୍କୁ ଛୁରିରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଏହା ପରେ ବିମାନ ହଠାତ୍ ହଜାର ହଜାର ଫୁଟ୍ ତଳକୁ ଖସିଥିବା କୁହାଯାଇଛି।
ଘଟଣା ସମୟରେ ଜଣେ କ୍ରୁ ସଦସ୍ୟ କକ୍ପିଟ୍ରେ ପହଞ୍ଚି ବିମାନକୁ ନିୟନ୍ତ୍ରଣରେ ଆଣିବାରେ ସଫଳ ହୋଇଥିବା ନେତନ୍ୟାହୁ କହିଛନ୍ତି ।ନେତନ୍ୟାହୁଙ୍କ କହିବା ଅନୁସାରେ, ପ୍ରାଥମିକ ପ୍ରମାଣରୁ ଆକ୍ରମଣ କରିଥିବା ପାଇଲଟ୍ଙ୍କ ଉଦ୍ଦେଶ୍ୟ ବିମାନକୁ ଦୁର୍ଘଟଣାଗ୍ରସ୍ତ କରିବା ଥିବା ସନ୍ଦେହ କରାଯାଉଛି । ବିମାନରେ ଅଧିକାଂଶ ଯାତ୍ରୀ ଇସ୍ରାଏଲର ଥିବା ସେ କହିଛନ୍ତି।
ଏହି ଘଟଣାରେ ବିମାନରେ ଥିବା ଯାତ୍ରୀମାନେ ଦେଖାଇଥିବା ସାହସ ଓ ବିଚକ୍ଷଣତାକୁ ନେତନ୍ୟାହୁ ପ୍ରଶଂସା କରିଛନ୍ତି । ସମ୍ଭାବ୍ୟ ଅତିରିକ୍ତ ବିପଦ ପାଇଁ ସୁରକ୍ଷା ବ୍ୟବସ୍ଥାକୁ ପ୍ରସ୍ତୁତ ରହିବାକୁ ସେ ନିର୍ଦ୍ଦେଶ ଦେଇଥିବା କହିଛନ୍ତି। ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ସାଉଦି ଆରବରେ ପଚରାଉଚରା କରାଯାଉଛି । ଇସ୍ରାଏଲ ସୁରକ୍ଷା ଏଜେନ୍ସିଗୁଡ଼ିକ ମଧ୍ୟ ଘଟଣାର ନିୟମିତ ସମୀକ୍ଷା କରୁଛନ୍ତି ବୋଲି ସେ କହିଛନ୍ତି ।
କହିରଖୁଛୁ କି, ଦୁବାଇରୁ ତେଲ ଅଭିଭ୍ ଯାଉଥିବା ଫ୍ଲାଇଦୁବାଇ ବିମାନ ଏଫ୍ ଜେଡ୍ ୧୦୭୩କୁ ସାଉଦି ଆରବର ତାବୁକ ବିମାନବନ୍ଦରରେ ଜରୁରୀ ଅବତରଣ କରିଥିଲା । ବିମାନଟି ଭାରତୀୟ ସମୟ ପୂର୍ବାହ୍ନ ୧୧ଟା ୧ରେ ଦୁବାଇ ଅନ୍ତର୍ଜାତୀୟ ବିମାନବନ୍ଦରରୁ ତେଲ ଅଭିଭ ଅଭିମୁଖେ ଯାତ୍ରା କରିଥିଲା। ୧୧.୪୧ରେ ବିମାନଟି ଲ୍ୟାଣ୍ଡ୍ ଟ୍ରାକିଂ ପରିସର ବାହାରକୁ ଚାଲିଗଲା। ୧୧ଟା ୫୮ରେ ସାଟେଲାଇଟ ଆଉ ଏକ ସ୍କ୍ବାକ୍ କୋଡ୍ ୭୭୦୦ ପାଇଲା, ଯାହା ଏକ ସାଧାରଣ ଜରୁରୀକାଳିନ ପରିସ୍ଥିତିକୁ ସୂଚିତ କରେ । ବିମାନଟି ଜୋର୍ଡାନ ଉପରେ ଉଡ଼ାଣ କରୁଥିବା ସମୟରେ ଗତିପଥ ପରିବର୍ତ୍ତନ କରି ସାଉଦି ଆରବ ଆଡକୁ ମୁହାଁଇଲା। ଏହାପରେ ବିମାନରେ ଭୟର ବାତାବରଣ ଦେଖାଯାଇଥିଲା ।

