
ବାଲେଶ୍ୱର,୬।୫(ବାଞ୍ଛାନିଧି ଦେ): ବାଲେଶ୍ୱର ସହଦେବଖୁଣ୍ଟା ଥାନା ଅଧୀନ କସିମିଳା ଛକ ନିକଟରେ ମଙ୍ଗଳବାର ଏକ ଯାତ୍ରୀ ବାହୀ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି l ଫଳରେ ଭାରସାମ୍ୟ ହରାଇ ବସଟି ସ୍ଥାନୀୟ ନୁଣିଆଯୋଡି ନଦୀକୁ ଖସି ପଡିଛି l ଘଟଣା ସମ୍ପର୍କରେ ସୂଚନା ପାଇ ସଙ୍ଗେ ସଙ୍ଗେ ଓଡ୍ରାଫ ଟିମ, ଏନଡିଆରଏଫ ଓ ଅଗ୍ନିଶମ ବାହିନୀ ପହଞ୍ଚି ବସ ଭିତରୁ ଯାତ୍ରୀଙ୍କୁ ଉଦ୍ଧାର କରିଥିଲେ l ଜିଲା ପ୍ରଶାସନ ଓ ପୋଲିସ ପହଞ୍ଚି ବସରେ ଥିବା ୩୫ରୁ ଉର୍ଦ୍ଧ୍ୱ ଯାତ୍ରୀଙ୍କୁ ଆମ୍ବୁଲାନ୍ସ ଯୋଗେ ଜିଲା ମୂଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଛନ୍ତି l
ସୂଚନାଯୋଗ୍ୟ, OD01AT4334 ନମ୍ବର ବିଶିଷ୍ଟ ଶନିଦେବ ନାମକ ଏହି ବସଟି ଭୋଗରାଇରୁ ବାଲେଶ୍ୱର ଅଭିମୁଖେ ଆସୁଥିଲା l କସିମିଳା ଛକ ନିକଟରେ ଏକ ଟ୍ରାକ୍ଟର ସହ ବସଟି ଧକ୍କା ହୋଇଥିଲା l ଏହାପରେ ଭାରସାମ୍ୟ ହରାଇ ବସଟି ରାସ୍ତାର ପ୍ରାୟ ୨ଶହ ମିଟର ଆଗକୁ ଡାହାଣ ପାର୍ଶ୍ୱ ନୁଣିଆଯୋଡି ନଦୀକୁ ଖସି ପଡିଥିଲା l ବସ ଡ୍ରାଇଭରର ଗୋଡ ଭାଙ୍ଗିଯାଇଥିବା ଜଣା ପଡିଛି l ଅପରପକ୍ଷରେ ୫ରୁ ଉର୍ଦ୍ଧ୍ୱ ଯାତ୍ରୀ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଛନ୍ତି l ବିଧାୟକ ମାନସ ଦତ୍ତ, ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ l କ୍ରେନ ଯୋଗେ ନଦୀରୁ ବସଟିକୁ ରାସ୍ତା ଉପରକୁ ବାହାର କରାଯାଇଥିଲା l ଆଇଆଇସି ଅଜୟ କୁମାର ମୁର୍ମୁ ଘଟଣାର ତଦନ୍ତ ଜାରି ରଖିଛନ୍ତି l