ଇସଲାମାବାଦ/ନୂଆଦିଲ୍ଲୀ,୧୯।୧୧: ପାକିସ୍ତାନ ମନ୍ତ୍ରୀ ମୁସାଦିକ ମଲିକ, ଯିଏ ପୂର୍ବରୁ ଭାରତ ବିରୋଧରେ ଧମକ ଦେଇଥିଲେବର୍ତ୍ତମାନ ତାଙ୍କର ଆଗାମୀ ଭାରତ ଗସ୍ତ ଆଲୋଚନାର ବିଷୟ ପାଲଟିଛି। ସେ ପଡ଼ୋଶୀ ଦେଶରେ ଜଳବାୟୁ ବିଭାଗର ଦାୟିତ୍ୱରେ ଥିବା ମନ୍ତ୍ରୀ ଅଟନ୍ତି। ଭାରତର ନିମନ୍ତ୍ରଣ କ୍ରମେ, ସାଂଘାଇ ସହଯୋଗ ସଂଗଠନ (SCO)ର ଏକ ବୈଠକରେ ଯୋଗଦେବା ପାଇଁ ସେ ନଭେମ୍ବର ୨୦ ରୁ ୨୨ ମଧ୍ୟରେ ଦିଲ୍ଲୀରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି।
ମୁସାଦିକ ପୂର୍ବରୁ ସେତେବେଳେ ଚର୍ଚ୍ଚାକୁ ଆସିଥିଲେ ଯେତେବେଳେ ସେ ‘ସିନ୍ଧୁ ଜଳ ଚୁକ୍ତି’ (Indus Waters Treaty)କୁ ନେଇ ଭାରତକୁ ଧମକ ଦେଇ କହିଥିଲେ ଯେ, ଯିଏ ‘ଆମ ପାଣି’କୁ ଛୁଇଁବାକୁ ସାହସ କରିବ, ତା’ର ହାତ କାଟି ଦିଆଯିବ। ଉଲ୍ଲେଖଯୋଗ୍ୟ ଯେ, ପୁଲୱାମା ଆକ୍ରମଣ ପରେ ଭାରତ ‘ସିନ୍ଧୁ ଜଳ ଚୁକ୍ତି’କୁ ରଦ୍ଦ କରିବା ଦିଗରେ ପଦକ୍ଷେପ ନେଇଥିଲା।
ମୁସାଦିକଙ୍କ ପୂର୍ବରୁ, ବିଲାୱାଲ ଭୁଟ୍ଟୋ ନିଜ ଦେଶର ବୈଦେଶିକ ମନ୍ତ୍ରୀ ଭାବରେ ୨୦୨୩ ମସିହାରେ SCO ବୈଦେଶିକ ମନ୍ତ୍ରୀମାନଙ୍କ ବୈଠକରେ ଯୋଗଦେବା ପାଇଁ ଭାରତ ଆସିଥିଲେ। ଭାରତର ଅଧ୍ୟକ୍ଷତାରେ ଗୋଆ ଠାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଦୀର୍ଘ ଦିନ ପରେ ଏହା ପ୍ରଥମ ଥର ପାଇଁ ଘଟୁଛି ଯେ ଜଣେ ପାକିସ୍ତାନୀ ମନ୍ତ୍ରୀ ଭାରତ ଗସ୍ତ କରୁଛନ୍ତି। ପୁଲୱାମା ଏବଂ ପହଲଗାମ ଆକ୍ରମଣ ପରଠାରୁ ଭାରତ ଓ ପାକିସ୍ତାନ ମଧ୍ୟରେ ସମ୍ପର୍କ ତିକ୍ତ ରହିଆସିଛି।
ମାଲିକ SCOର ‘ସଭ୍ୟତାଗୁଡ଼ିକ ମଧ୍ୟରେ ସଂଳାପ’ (Dialogue of Civilizations) ପାଇଁ ପ୍ରତିନିଧି ଦଳର ନେତୃତ୍ୱ ନେଉଛନ୍ତି। ଏହା ପୂର୍ବରୁ, ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୈସୱାଲ ସ୍ପଷ୍ଟ କରିଥିଲେ ଯେ ଭାରତ SCOର ସମସ୍ତ ସଦସ୍ୟ ରାଷ୍ଟ୍ରକୁ ନିମନ୍ତ୍ରଣ ପଠାଇଛି। ଏହି ଗୋଷ୍ଠୀରେ ଭାରତ, ଚାଇନା, ରୁଷିଆ, କାଜାଖସ୍ତାନ, କିର୍ଗିଜସ୍ତାନ, ତାଜିକିସ୍ତାନ, ଇରାନ, ଉଜବେକିସ୍ତାନ, ପାକିସ୍ତାନ ଏବଂ ବେଲାରୁଷ ଅନ୍ତର୍ଭୁକ୍ତ ଅଛନ୍ତି।
ଏକ ବିବୃତ୍ତିରେ ପାକିସ୍ତାନ ଜଣାଇଛି ଯେ, ସେମାନଙ୍କ ସରକାର SCO ଢାଞ୍ଚା ମଧ୍ୟରେ ପାରସ୍ପରିକ ସମ୍ମାନ ଉପରେ ଆଧାରିତ ‘ସଭ୍ୟତାଗୁଡ଼ିକ ମଧ୍ୟରେ ସଂଳାପ’କୁ ପ୍ରୋତ୍ସାହିତ କରିବା ଏବଂ ଲୋକଙ୍କ ମଧ୍ୟରେ ପାରସ୍ପରିକ ସମ୍ପର୍କକୁ ବୃଦ୍ଧି କରିବା ପାଇଁ ପ୍ରତିଶ୍ରୁତିବଦ୍ଧ।
SCO (ଏସସିଓ) ୨୦୦୧ ମସିହାରେ ସ୍ଥାପିତ ହୋଇଥିଲା। ସାଂଘାଇରେ ଅନୁଷ୍ଠିତ ଏକ ଶିଖର ସମ୍ମିଳନୀ ସମୟରେ ରୁଷିଆ, ଚାଇନା, କିର୍ଗିଜ ଗଣରାଜ୍ୟ, କାଜାଖସ୍ତାନ, ତାଜିକିସ୍ତାନ ଏବଂ ଉଜବେକିସ୍ତାନର ରାଷ୍ଟ୍ରପତିମାନଙ୍କ ଦ୍ୱାରା ଏହା ଗଠନ କରାଯାଇଥିଲା। ୨୦୧୭ ରେ ଭାରତ ଏବଂ ପାକିସ୍ତାନ ଏହି ଗୋଷ୍ଠୀର ସ୍ଥାୟୀ ସଦସ୍ୟ ହୋଇଥିବା ବେଳେ, ୨୦୨୩ରେ ଇରାନ ଏଥିରେ ଯୋଗ ଦେଇଥିଲା।
ଅନ୍ୟପକ୍ଷରେ, ପାକିସ୍ତାନ ସମ୍ବନ୍ଧରେ ଭାରତ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଦେଇଛି: ଯେପର୍ଯ୍ୟନ୍ତ ଆତଙ୍କବାଦର ଅନ୍ତ ନ ଘଟିଛି, ସେପର୍ଯ୍ୟନ୍ତ କୌଣସି ବୁଝାମଣା ହେବ ନାହିଁ। ବିଶ୍ୱସ୍ତରରେ ଭାରତ କ୍ରମାଗତ ଭାବେ ଏହି ପ୍ରସଙ୍ଗକୁ ନେଇ ପାକିସ୍ତାନକୁ ଅଡୁଆରେ ପକାଇ ଆସିଛି। ଏଥିସହିତ, ପାକିସ୍ତାନ ମଧ୍ୟ ଆନ୍ତର୍ଜାତୀୟ ମଞ୍ଚଗୁଡ଼ିକରେ କଶ୍ମୀର ପ୍ରସଙ୍ଗ ଉଠାଇବା ପାଇଁ ନିଜର ଉଦ୍ୟମ ଜାରି ରଖିଛି।

