ନୂଆଦିଲ୍ଲୀ, ୨୫।୧୧: ଭାରତ ଓ ପାକିସ୍ତାନ ମଧ୍ୟରେ ସମ୍ପର୍କରେ ତିକ୍ତତା ଜାରି ରହିଛି। ଏହି ଉତ୍ତେଜନା ଏବେ କ୍ରିକେଟ ପଡ଼ିଆରେ ମଧ୍ୟ ବଢ଼ିବାରେ ଲାଗିଛି। ଏସିଆ କପ ୨୦୨୫ରେ ହୋଇଥିବା ବିବାଦ ପରେ ଏବେ ଏସିଆ କପ ରାଇଜିଂ ଷ୍ଟାର୍ସ ୨୦୨୬ରେ ମଧ୍ୟ ହଙ୍ଗାମା ଦେଖିବାକୁ ମିଳିଛି। ଇଣ୍ଡିଆ-ଏ ଏବଂ ପାକିସ୍ତାନ-ଏ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ଉଭୟ ଦଳର ଖେଳାଳିଙ୍କ ମଧ୍ୟରେ ଯୁକ୍ତିତର୍କ ଏବଂ ଆକ୍ରମଣାତ୍ମକ ଆଚରଣ ଦେଖିବାକୁ ମିଳିଥିଲା। ଏହାକୁ ନେଇ ବେଶ ହୋହଲ୍ଲା ହୋଇଥିଲା। ଏବେ ଏହି ମାମଲାରେ ପାକିସ୍ତାନ-ଏ ଦଳ ପକ୍ଷରୁ ଇଣ୍ଡିଆ-ଏର ଦ୍ରୁତ ବୋଲର ହର୍ଷିତ ରାଣାଙ୍କ ସମେତ ଅନ୍ୟ କିଛି ଖେଳାଳିଙ୍କ ବିରୋଧରେ ଅଭିଯୋଗ କରାଯାଇଛି।
ଏସିଆ କପ ରାଇଜିଂ ଷ୍ଟାର୍ସ ଟୁର୍ଣ୍ଣାମେଣ୍ଟର ଗ୍ରୁପ ମ୍ୟାଚରେ ଇଣ୍ଡିଆ-ଏ ଏବଂ ପାକିସ୍ତାନ-ଏ ମଧ୍ୟରେ ମୁକାବିଲା ହୋଇଥିଲା। ଏହି ମ୍ୟାଚ୍ରେ ପାକିସ୍ତାନର ବ୍ୟାଟିଂ ସମୟରେ ହର୍ଷିତ ରାଣା ଅନେକ ଥର ସ୍ଲେଜିଂ କରିବା ସହ ଆକ୍ରମଣାତ୍ମକ ଆଚରଣ ପ୍ରଦର୍ଶନ କରିଥିଲେ। ଅନ୍ୟପଟେ ପାକିସ୍ତାନୀ ବ୍ୟାଟର୍ମାନେ ମଧ୍ୟ ଅଶୋଭନୀୟ ବ୍ୟବହାର କରିବାକୁ ପଛାଇ ନଥିଲେ।
ଇଣ୍ଡିଆ-ଏର ବ୍ୟାଟିଂ ସମୟରେ ମଧ୍ୟ ଏହି ଉତ୍ତେଜନା ଜାରି ରହିଥିଲା। ବିଶେଷ କରି ହର୍ଷିତ ରାଣା ଆଉଟ ହେବା ପରେ ପାକିସ୍ତାନୀ ଦଳର ଅନେକ ଖେଳାଳି ତାଙ୍କୁ ଗାଳିଗୁଲଜ କରିଥିଲେ। ଫଳରେ ପରିସ୍ଥିତି ସମ୍ଭାଳିବା ପାଇଁ ଅମ୍ପାୟାରଙ୍କୁ ମଧ୍ୟସ୍ଥତା କରିବାକୁ ପଡ଼ିଥିଲା।
ଏହି ଘଟଣା ପରେ ଏବେ ପାକିସ୍ତାନ-ଏ ଦଳ ମ୍ୟାଚ ରେଫରିଙ୍କ ଦ୍ୱାରସ୍ଥ ହୋଇଛି। ପାକିସ୍ତାନୀ ଗଣମାଧ୍ୟମର ଦାବି ଅନୁସାରେ, ଦୋହାରେ ଚାଲିଥିବା ଏହି ଟୁର୍ଣ୍ଣାମେଣ୍ଟରେ ପାକିସ୍ତାନ-ଏ ଦଳର ମ୍ୟାନେଜମେଣ୍ଟ ପକ୍ଷରୁ ମ୍ୟାଚ ରେଫରି ନଇମ-ଉର-ରସିଦଙ୍କ ନିକଟରେ ହର୍ଷିତ ରାଣାଙ୍କ ବିରୋଧରେ ଅଭିଯୋଗ କରାଯାଇଛି। ଏହି ଅଭିଯୋଗରେ ହର୍ଷିତଙ୍କ ବ୍ୟତୀତ ଅନ୍ୟ କିଛି ଖେଳାଳିଙ୍କ ନାମ ମଧ୍ୟ ଉଲ୍ଲେଖ ରହିଛି। ସେମାନଙ୍କୁ ମଧ୍ୟ ଅଭିଯୋଗ ପରିସରଭୁକ୍ତ କରାଯାଇଛି।
ତେବେ ଏହି ମାମଲାରେ ଏପର୍ଯ୍ୟନ୍ତ ଏସିଆନ କ୍ରିକେଟ କାଉନସିଲ (ଏସିସି) ପକ୍ଷରୁ କୌଣସି ଆଧିକାରିକ ବୟାନ ଜାରି କରାଯାଇନାହିଁ। ସେହିପରି କୌଣସି ପ୍ରକାରର କାର୍ଯ୍ୟାନୁଷ୍ଠାନ ମଧ୍ୟ ନିଆଯାଇନାହିଁ। ନଭେମ୍ବର ୨୨ ତାରିଖ ରବିବାର ଦିନ ଇଣ୍ଡିଆ-ଏ ଏବଂ ପାକିସ୍ତାନ-ଏ ମଧ୍ୟରେ ଏହି ମ୍ୟାଚ ଖେଳାଯାଇଥିଲା। ଏହି ମୁକାବିଲାରେ ପାକିସ୍ତାନ ୩୧୩ ରନ୍ର ବଡ଼ ସ୍କୋର କରିଥିଲା। ଏହାର ଜବାବରେ ଅଧିନାୟକ ତିଲକ ବର୍ମାଙ୍କ ଶତକ ସତ୍ତ୍ୱେ ଇଣ୍ଡିଆ-ଏ ମାତ୍ର ୨୬୫ ରନ କରିପାରିଥିଲା ଏବଂ ୭୮ ରନର ବଡ଼ ବ୍ୟବଧାନରେ ପରାଜିତ ହୋଇଥିଲା।

