ଭୁବନେଶ୍ୱର, ୨୫।୧୧ (ବନ୍ଦନା ସେଠୀ): ବିଶ୍ୱତାପନ ଓ ଜଳବାୟୁ ପରିବର୍ତ୍ତନକୁ ବଡ଼ ଆକାରର ନ ଭାବି ଯୁବପିଢ଼ି ନିଜ ଦାୟିତ୍ୱକୁ ବୁଝି ଠିକ୍ ଭାବରେ କର୍ମ କରିପାରିଲେ ପରିବର୍ତ୍ତନ ଆସିପାରିବ ବୋଲି ଡବ୍ଲ୍ୟୁଟିଆଇ ପ୍ରତିଷ୍ଠାତା ତଥା କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ବିବେକ ମେନନ କହିଛନ୍ତି। ‘ଧରିତ୍ରୀ’ର ୫୩ତମ ପ୍ରତିଷ୍ଠା ଦିବସ ଅବସରରେ ମଙ୍ଗଳବାର ହୋଟେଲ ସ୍ବସ୍ତି ପ୍ରିମିୟମ୍ଠାରେ ଆୟୋଜିତ ‘ୟୁଥ୍ କନ୍କ୍ଲେଭ’ର ୬ଷ୍ଠ ସଂସ୍କରଣ ‘କ୍ଲାଇମେଟ୍ ଚେଞ୍ଜ: ଆଡପ୍ଟେଶନ୍ ଆଣ୍ଡ୍ ସର୍ଭାଇଭାଲ୍’ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ମେନନ୍ ଯୋଗଦେଇ କହିଛନ୍ତି, ପରିବର୍ତ୍ତନ ପାଇଁ ଅନ୍ୟକେହି ପଦକ୍ଷେପ ନେବେ ବୋଲି ଅପେକ୍ଷା ନ କରି ନିଜ ସ୍ତରରେ ଅର୍ଥପୂର୍ଣ୍ଣ ଦିଗରେ କାର୍ଯ୍ୟକରିବାକୁ ସେ ଯୁବ ବର୍ଗଙ୍କୁ ଆହ୍ବାନ ଦେଇଛନ୍ତି। ସେ କହିଛନ୍ତି, ଓଡିଶା ଖୁବ୍ ଅଳ୍ପ ସମୟ ମଧ୍ୟରେ ୩ଟି ବାତ୍ୟାର ସମ୍ମୁଖୀନ ହୋଇଛି। ଏହା ଜଳବାୟୁ ପରିବର୍ତ୍ତନର ଗମ୍ଭୀର ଦିଗକୁ ଦର୍ଶାଉଛି। ଆଜିର ସମୟରେ କେବଳ ବିଶ୍ୱତାପନ ନୁହେଁ, ଅନେକ ସ୍ଥାନରେ ଅତି ଥଣ୍ଡା, କେତେକ ଅଞ୍ଚଳରେ ପ୍ରବଳ ବର୍ଷା ଓ ଆଉ କିଛି ଜାଗାରେ ମରୁଡି ଭଳି ପରିସ୍ଥିତି ଉପୁଜୁଛି। ଏହାଦ୍ୱାରା ମଣିଷଠାରୁ ଆରମ୍ଭ କରି ପଶୁପକ୍ଷୀ ସମସ୍ତେ ପ୍ରଭାବିତ ହେଉଛନ୍ତି। ଓଡ଼ିଶାରେ ହାତୀ-ମଣିଷ ସଂଘର୍ଷ ବଢିବାରେ ଲାଗିଛି। ହାତୀ ବିଷୟରେ କହିବାକୁ ଗଲେ ଏହା ଏକ ବୃହତ୍ ବୁଲା ଜନ୍ତୁ, ବୁଦ୍ଧିଆ ଏବଂ ସାମାଜିକ ସମ୍ପର୍କକୁ ବୁଝିପାରିଥାଏ। ତେଣୁ ତାହାର ଗତିବିଧିକୁ ନେଇ ପରିଚାଳନା କରିବାକୁ ହେଲେ ଉଚିତ୍ ପଦକ୍ଷେପ ନେବାର ଆବଶ୍ୟକତା ରହିଛି ବୋଲି ମେନନ୍ ମତ ଦେଇଛନ୍ତି।
କାର୍ଯ୍ୟକ୍ରମ ଆରମ୍ଭରେ ‘ଧରିତ୍ରୀ’ ଏବଂ ‘ଓଡ଼ିଶା ପୋଷ୍ଟ’ର ସମ୍ପାଦକ ତଥାଗତ ସତପଥୀ କହିଛନ୍ତି, ଓଡ଼ିଶା ହେଉଛି ପ୍ରଚୁର କୋଇଲା ଭଣ୍ଡାର ଥିବା ଏକ ରାଜ୍ୟ। ଏଠାରେ ଅନେକ ତାପଜ ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ର ରହିଛି। ଢେଙ୍କାନାଳ ଓ ଅନୁଗୋଳରେ ଅନେକ ତାପଜ ବିଦ୍ୟୁତ୍ କେନ୍ଦ୍ର ରହିଛି। ମାତ୍ର ଏଠାରେ ଉତ୍ପାଦିତ ହେଉଥିବା ବିଦ୍ୟୁତ୍ର ମାତ୍ର ୧୮ରୁ ୨୦% ଓଡ଼ିଶାକୁ ମିଳୁଛି। ବାକି ଭାଗ ଉତ୍ତର ଓ ପଶ୍ଚିମ ଭାରତର ବିଭିନ୍ନ ରାଜ୍ୟକୁ ଚାଲି ଯାଉଛି। ଆମେ ଉତ୍ତରପ୍ରଦେଶ, ବିହାର, ରାଜସ୍ଥାନ, ହରିୟାଣା ଓ ଦିଲ୍ଲୀ ଭଳି ରାଜ୍ୟକୁ ବିଦ୍ୟୁତ୍ ଯୋଗାଉଥିବାବେଳେ ଏହାର ପ୍ରତିବଦଳରେ ଓଡ଼ିଶାକୁ କୋଇଲା ଧୂଅଁାର ଭୟଙ୍କର ପ୍ରଦୂଷଣ ମିଳୁଛି। ଜଳ ବହୁ ମାତ୍ରାରେ ପ୍ରଦୂଷିତ ହେବା ସହିତ ଲୋକଙ୍କଠାରେ ବିଭିନ୍ନ ରୋଗ ଦେଖାଦେଉଛି। ପ୍ରାକୃତିକ ସମ୍ବଳରେ ଭରପୂର ଓଡ଼ିଶା ଭୋଗୁଥିବା ସମସ୍ୟାକୁ ଅନ୍ୟ ରାଜ୍ୟର ଲୋକମାନେ ଅନୁଭବ କରିପାରୁ ନାହାନ୍ତି। କପ୍-୩୧ରେ ଏହି ସମସ୍ୟାଗୁଡ଼ିକର ସମାଧାନ ହୋଇପାରିଲା ନାହିଁ। କହିବାକୁ ଗଲେ ଜଳବାୟୁ ପରିବର୍ତ୍ତନ ସଂକ୍ରାନ୍ତ ଏହି ଅନ୍ତର୍ଜାତୀୟ ସମ୍ମିଳନୀ ସମ୍ପୂର୍ଣ୍ଣ ବିଫଳ ହୋଇଛି। ସମସ୍ତେ ବିକାଶ ଚାହୁଁଛନ୍ତି, କିନ୍ତୁ ପ୍ରଶ୍ନ ହେଉଛି ଏହି ବିକାଶ କାହା ପାଇଁ ଏବଂ କାହିଁକି? ଯଦି ବିକାଶ ମଣିଷ ପାଇଁ, ତେବେ ସମଗ୍ର ପୃଥିବୀକୁ ଆମେ ବାସ ଅନୁପଯୋଗୀ କରିଦେଲେ ମଣିଷ ବଞ୍ଚିବ କେମିତି ବୋଲି ସତପଥୀ ପ୍ରଶ୍ନ କରିଛନ୍ତି। ସେ ଆହୁରି କହିଛନ୍ତି ଯେ, ‘ଧରିତ୍ରୀ’ ଓ ‘ଓଡ଼ିଶା ପୋଷ୍ଟ’ ମାଧ୍ୟମରେ ଆମେ ରାଜ୍ୟର ବିଭିନ୍ନ ଅଞ୍ଚଳର ପରିବେଶ ସମସ୍ୟାକୁ ଲୋକଲୋଚନକୁ ଆଣିବା ସହ ଜନସାଧାରଣଙ୍କୁ ସଚେତନ କରିବାର ପ୍ରୟାସ କରିଆସୁଛୁ। କାରଣ ନାଗରିକମାନେ ସଚେତନ ନ ହେଲେ ନିଜ ଅଧିକାର ପାଇଁ ସ୍ବର ଉଠାଇ ପାରିବେ ନାହିଁ।
ଏହି ପରିପ୍ରେକ୍ଷୀରେ ‘ଜଳବାୟୁ ପରିବର୍ତ୍ତନ ଓ ବିପର୍ଯ୍ୟୟ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ’ ସଂକ୍ରାନ୍ତ ଆଲୋଚନାଚକ୍ରରେ ବିବେକ ମେନନ, ‘ଏଫ୍ଓଏସ୍ଇପି’ର ସଂରକ୍ଷଣ ଜୀବବିଜ୍ଞାନୀ ଡ. ବରଖା ସୁବ୍ବା, ଏନ୍ଭାଇରନ୍ମେଣ୍ଟାଲିଷ୍ଟ ଫାଉଣ୍ଡେଶନ ଅଫ୍ ଇଣ୍ଡିଆ (ଇଏଫ୍ଆଇ)ର ପ୍ରତିଷ୍ଠାତା ଅରୁଣ କ୍ରିଷ୍ଣମୂର୍ତ୍ତିଙ୍କ ସହ ‘ଧରିତ୍ରୀ’ ଏବଂ ‘ଓଡ଼ିଶା ପୋଷ୍ଟ’ର ମୁଖ୍ୟ କାର୍ଯ୍ୟନିର୍ବାହୀ ଆଦ୍ୟାଶା ସତପଥୀ ଭାଗନେଇଥିଲେ। ଅନୁରୂପଭାବେ ‘ଆର୍ଦ୍ରଭୂମି ଓ ଚିଲିକା’ ଶୀର୍ଷକ ଦ୍ୱିତୀୟ ଆଲୋଚନାଚକ୍ରରେ ଡବ୍ଲ୍ୟୁଟିଆଇ ତଥା ଡବ୍ଲ୍ୟୁଡବ୍ଲ୍ୟୁଏଫ୍-ଇଣ୍ଡିଆର ପରାମର୍ଶଦାତା ପ୍ରଫେସର ବି.ସି. ଚୌଧୁରୀ, ସାମୁଦ୍ରିକ ସଂରକ୍ଷଣ ବୈଜ୍ଞାନିକ ଡ. ଆରୋନ ସାଭିଓ ଲୋବୋ, ଓୟୁଏଟି କୃଷି ଅର୍ଥନୀତି ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ଶୁଭାଙ୍ଗୀ ରଥ ଏବଂ ଦକ୍ଷିଣ ଫାଉଣ୍ଡେଶନର ପ୍ରତିଷ୍ଠାତା ଟ୍ରଷ୍ଟି ପ୍ରଫେସର କାର୍ତ୍ତିକ ଶଙ୍କର ଯୋଗ ଦେଇ ନିଜର ମତ ରଖିଥିଲେ।
ଏହି ଅବସରରେ ପରିବେଶ ସଂରକ୍ଷଣ କ୍ଷେତ୍ରରେ ନନ୍ଦ କିଶୋର ଭୁଜବଳଙ୍କୁ ‘ଲାଇଫ୍ ଟାଇମ୍ ଆଚିଭ୍ମେଣ୍ଟ’ ଆଓ୍ବାର୍ଡ ପ୍ରଦାନ କରାଯାଇଛି। ପୁରସ୍କାର ବାବଦରେ ତାଙ୍କୁ ଉପଢୌକନ, ଅଙ୍ଗବସ୍ତ୍ର ସହିତ ୨୫ହଜାର ଟଙ୍କାର ପ୍ରୋତ୍ସାହନ ରାଶି ଦିଆଯାଇଛି। ସେହିପରି ଗଞ୍ଜାମର ଇକୋ ଓ୍ବାରିଅର୍ ଫାଉଣ୍ଡେଶନ ଏବଂ ବ୍ୟକ୍ତିଗତସ୍ତରରେ ସ୍ନେହାଶ୍ରୀ ସୋରେନ୍ ଓ ରିତିଶ୍ କୁମାର ନାୟକଙ୍କୁ ‘କ୍ଲାଇମେଟ୍ ଗ୍ରାଣ୍ଟ’ ପ୍ରଦାନ କରାଯାଇଛି। ପ୍ରତ୍ୟେକଙ୍କୁ ଉପଢୌକନ, ଅଙ୍ଗବସ୍ତ୍ର ଏବଂ ୧ଲକ୍ଷ ଟଙ୍କାରେ ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଛି। ଏହି ଦୁଇଦିନିଆ କାର୍ଯ୍ୟକ୍ରମକୁ ସୁଲଗ୍ନା ରାଉତରାୟ ପରିଚାଳନା କରିଥିଲେ।
କାର୍ଯ୍ୟକ୍ରମରେ ଏମ୍ଜିଏମ୍ ମିନେରାଲ୍ସ ଲିମିଟେଡ୍, ଜିନ୍ଦଲ ଷ୍ଟିଲ, ବେଦାନ୍ତ ଆଲୁମିନିୟମ୍, ଓସିଏଲ୍ ଗ୍ରୁପ୍, ଏମ୍ସିଏଲ୍, ଏଏମ୍/ଏନ୍ଏସ୍ ଇଣ୍ଡିଆ, ଇମ୍ଫା, ନାଲ୍କୋ, ଥିଙ୍କ୍ ଇଣ୍ଡିଆ ଥିଙ୍କ୍ ଓଡ଼ିଶା ଏବଂ ଟାଟା ଷ୍ଟିଲ୍ ପ୍ରାୟୋଜକ ଥିବାବେଳେ ସମାଜବାଦୀ ସୋସାଇଟି, ଓଡ଼ିଶା ପୋଷ୍ଟ, ଦକ୍ଷିଣ ଫାଉଣ୍ଡେଶନ, ଇନ୍ଭାଇରନ୍ମେଣ୍ଟାଲିଷ୍ଟ ଫାଉଣ୍ଡେଶନ ଅଫ୍ ଇଣ୍ଡିଆ, ଓ୍ବିଫି ଇଣ୍ଟରନେଟ୍, ଅଜନ୍ତା ଆଡଭର୍ଟାଇଜର୍ସ ପାର୍ଟନର ରହିଥିଲେ।

