ନୂଆଦିଲ୍ଲୀ,୨୫।୧୧: ଆଇପିଏଲ ୨୦୨୭ ନିଲାମୀକୁ ନେଇ କ୍ରିକେଟ ମହଲରେ ଉତ୍ସାହ ବଢ଼ିବାରେ ଲାଗିଛି। ନିଲାମୀ ପାଇଁ ଆଉ ପ୍ରାୟ ୨୦ ଦିନ ବାକି ଥିବାବେଳେ ଖେଳାଳିଙ୍କ ପଞ୍ଜୀକରଣକୁ ନେଇ ଆସିଛି ବଡ଼ ଖବର। ଭାରତୀୟ କ୍ରିକେଟ ଦଳର ପୂର୍ବତନ ଓପନର୍ ବୀରେନ୍ଦ୍ର ସେହ୍ବାଗଙ୍କ ପୁଅ ଆର୍ଯ୍ୟବୀର ୍ଆଇପିଏଲ ନିଲାମୀ ପାଇଁ ନିଜ ନାମ ପଞ୍ଜୀକରଣ କରିଛନ୍ତି।
ନିକଟରେ ଶେଷ ହୋଇଥିବା ଅଣ୍ଡର-୧୯ ଏସିଆ କପ ୨୦୨୬ରେ ଆର୍ଯ୍ୟବୀର ଦମ୍ଦାର ପ୍ରଦର୍ଶନ କରିଥିଲେ। ତାଙ୍କର ଚମତ୍କାର ଖେଳ ପାଇଁ ତାଙ୍କୁ ପ୍ଲେୟାର ଅଫ ଦି ଟୁର୍ନାମେଣ୍ଟ ଭାବେ ଚୟନ କରାଯାଇଥିଲା। ଏବେ ଆଇପିଏଲ ନିଲାମୀରେ ତାଙ୍କ ନାମ ସାମିଲ ହେବା ପରେ କ୍ରିକେଟ ପ୍ରେମୀଙ୍କ ନଜର ତାଙ୍କ ଉପରେ ରହିବ।
ଅଣ୍ଡର-୧୯ ଏସିଆ କପ ଫାଇନାଲରେ ପାକିସ୍ତାନକୁ ୧ ଉଇକେଟ୍ରେ ହରାଇ ଭାରତ ଚାମ୍ପିୟନ ହୋଇଥିଲା। ଏହି ରୋମାଞ୍ଚକର ଫାଇନାଲରେ ଚମତ୍କାର ପ୍ରଦର୍ଶନ କରିଥିବା ମୋହିତ ଉଲୱା ମଧ୍ୟ ଆଇପିଏଲ ଅକ୍ସନ ପାଇଁ ପଞ୍ଜୀକରଣ କରିଛନ୍ତି। ଏହା ଯୁବ ଖେଳାଳିଙ୍କ ପାଇଁ ନିଜ ପ୍ରତିଭା ଦେଖାଇବାର ଏକ ବଡ଼ ମଞ୍ଚ ହେବ। ଅଣ୍ଡର-୧୯ ଏସିଆ କପ ୨୦୨୬ର ଅଧିନାୟକ ଲକ୍ଷ୍ୟ ରାୟଚନ୍ଦାନୀ ଏବଂ ଭାରତୀୟ କ୍ରିକେଟର୍ କିମ୍ବଦନ୍ତୀ ରାହୁଲ ଦ୍ରାବିଡ଼ଙ୍କ ପୁଅ ଅନୱୟ ଦ୍ରାବିଡ଼ ଆଇପିଏଲ ନିଲାମୀ ପାଇଁ ପଞ୍ଜୀକରଣ କରିନାହାନ୍ତି।
ଅନ୍ୟପଟେ ଦଳର ଅନ୍ୟତମ ପ୍ରମୁଖ ଖେଳାଳି କାବ୍ୟନ ପଟେଲ ନିଜ ନାମ ପଞ୍ଜୀକରଣ କରିଛନ୍ତି। କିନ୍ତୁ ଫାଇନାଲରେ ଚମତ୍କାର ଖେଳ ଦେଖାଇଥିବା ମନାଲ ଚୌହାନ ଏଥର ନିଲାମୀର ଅଂଶ ହେବେ ନାହିଁ। ଏହି ଯୁବ ଭାରତୀୟ ଖେଳାଳିମାନଙ୍କ ମଧ୍ୟରୁ ପଞ୍ଜୀକରଣ କରିଥିବା ଖେଳାଳିଙ୍କ ବେସ ପ୍ରାଇସ ୩୦ ଲକ୍ଷ ଟଙ୍କା ରହିଛି।
ଆଇପିଏଲ ନିଲାମୀ ପାଇଁ ଅଷ୍ଟ୍ରେଲିଆର ଅଭିଜ୍ଞ ଖେଳାଳି ଡେଭିଡ ୱାର୍ଣ୍ଣର ମଧ୍ୟ ପଞ୍ଜୀକରଣ କରିଛନ୍ତି। ସେ ନିଜର ବେସ ପ୍ରାଇସ ୨ କୋଟି ଟଙ୍କା ରଖିଛନ୍ତି। ଏହାବ୍ୟତୀତ ଅଷ୍ଟ୍ରେଲିଆ ପକ୍ଷରୁ ଟି-୨୦ ଡେବ୍ୟୁ କରିଥିବା ଭାରତୀୟ ବଂଶୋଦ୍ଭବ ଖେଳାଳି ନିଖିଲ ଚୌଧୁରୀ ଏବଂ ଦ୍ରୁତ ବୋଲର ସୋନି ବେକର ମଧ୍ୟ ନିଲାମୀ ତାଲିକାରେ ସାମିଲ ହୋଇଛନ୍ତି। ଏବେ ସମସ୍ତଙ୍କ ନଜର ଆଇପିଏଲ ୨୦୨୭ ନିଲାମୀ ଉପରେ ରହିଛି।
Dharitri – Odisha’s No.1 Odia Daily

