ଭୁବନେଶ୍ୱର,୮।୧(ବ୍ୟୁରୋ): ରାଜଧାନୀର ଏକ ଶିକ୍ଷାନୁଷ୍ଠାନରେ ଫୁଟିଛି କରୋନା ବୋମା। ଭୁବନେଶ୍ୱରସ୍ଥିତ ଜାଭିୟର ଇନଷ୍ଟିଚ୍ୟୁଟରେ ଏକା ସଙ୍ଗେ ୩୦ରୁ ଅଧିକ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହା ପରେ ସମ୍ପୃକ୍ତ ହଷ୍ଟେଲକୁ ଶନିବାର କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି। ଏହି ସମୟରେ ସମ୍ପୃକ୍ତ ହଷ୍ଟେଲ ଛାତ୍ରୀଛାତ୍ରମାନେ ବାହାରକୁ ବାହାରି ପାରିବେନି। ବିଏମ୍ସି ପକ୍ଷରୁ ସେମାନଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଦିଆଯିବ। ଏଥିସହ କଲେଜ କ୍ୟାମ୍ପସ ପରିସରରେ ଥିବା ଅନ୍ୟ ସବୁ ହଷ୍ଟେଲ ଛାତ୍ରଛାତ୍ରୀଙ୍କ ଆର୍ଟିପିସିଆର୍ ଟେଷ୍ଟ ହେବ ବୋଲି ଜଣାଯାଇଛି।
କହିରଖୁଛୁ, ଗତ ୨୪ ଘଣ୍ଟାରେ ରାଜ୍ୟରେ ୩,୬୭୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧା ଜିଲାରୁ କେବଳ ସର୍ବାଧିକ ୧,୨୨୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜି ସକାଳେ ରାଜଧାନୀର ୧୧ଟି ଅଞ୍ଚଳକୁ ମାଇକ୍ରୋ କଣ୍ଟେନମେଣ୍ଟ ଘୋଷଣା କରାଯାଇଛି। ଏଥିସହ ରାଜଧାନୀର ସମୁଦାୟ ୨୬ଟି ଅଞ୍ଚଳ କଣ୍ଟେନମେଣ୍ଟ ଓ ମାଇକ୍ରୋ କଣ୍ଟେନମେଣ୍ଟ ଘୋଷଣା ହୋଇ ସାରିଲାଣି।