ପୁରୁଷୋତ୍ତମପୁର,୮ା୧୧(ସବିତା ମିଶ୍ର): ବନ୍ୟା ଛଡ଼ାଇ ନେଇଛି ସର୍ବସ୍ବ, ହେଲେ ଛଡ଼ାଇ ପାରିନି ଦୀପାବଳିର ଆଲୋକ। ବନ୍ୟାର ଦୁଃଖରେ ବୁଡ଼ି ରହିଥିବା ପରିବାରଙ୍କ ମୁହଁରେ ହସ ଫୁଟାଇବାକୁ ଗଞ୍ଜାମ ଜିଲାପାଳ ଭି. କୀର୍ତ୍ତି ଭାସନଙ୍କ ନିଆରା ପଦକ୍ଷେପ ଏବେ ଚର୍ଚ୍ଚାରେ। ବାତ୍ୟା ଅର୍ଣ୍ଣବ ପରବର୍ତ୍ତୀ ପ୍ରଳୟଙ୍କରୀ ବନ୍ୟାରେ କ୍ଷତିଗ୍ରସ୍ତ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳର ହାଣ୍ଡିଘରରେ ବିପନ୍ନଙ୍କ ଘରେ ପହଞ୍ଚି ଜିଲାପାଳ ନିଜ ଟିମ୍ ସହ ଦୀପାବଳିର ଖୁସି ବାଣ୍ଟିଛନ୍ତି। ଏହି ସମୟରେ ଲୋକେ ମଧ୍ୟ ଘଣ୍ଟ ମୃଦଙ୍ଗ ଓ ଝାଞ୍ଜର ତାଳେ ତାଳେ ଜିଲାପାଳଙ୍କ ସମେତ ସମସ୍ତ ପ୍ରଶାସନିକଅଧିକାରୀମାନଙ୍କୁ ବନ୍ଦାପନା କରି ସ୍ବାଗତ ଜଣାଇଥିଲେ।ଯାହାକି ଏହା ଏଠାରେ ଏକ ନିଆରା ଉଦାହରଣ ସୃଷ୍ଟି କରିଛି। ବନ୍ୟାରେ ଘରଦ୍ୱାର, ଜୀବିକା ଓ ସଞ୍ଚିତ ସମ୍ପତ୍ତି ହରାଇ ଅନେକ ପରିବାରଙ୍କ ପାଇଁ ଚଳିତ ଦୀପାବଳି ଅନ୍ଧକାରମୟ ହୋଇପଡ଼ିଥିଲା। ଏଭଳି ସମୟରେ ଜିଲ୍ଲାପାଳ ବିପନ୍ନ ପରିବାରଙ୍କୁ ଭେଟି ସେମାନଙ୍କ ଦୁଃଖସୁଖ ବୁଝିବା ସହ ମହିଳାଙ୍କୁ ଲୁଗା, ପୁରୁଷଙ୍କୁ ଲୁଙ୍ଗି ଓ ଧୋତି, ମିଠା, ବାଣ ଏବଂ ଘିଅ ଦୀପ ଉପହାର ଦେଇଛନ୍ତି। ଛୋଟଛୋଟ ପିଲାଙ୍କ ସହ ଖୁସି ମନାଇଛନ୍ତି। ଘରକୁ ଘର ଯାଇ ଏହି ସାମଗ୍ରୀ ବଣ୍ଟନ କରିବା ସହ ପରିବାର ସହ ହସଖୁସିରେ ଦୀପାବଳି ପାଳନ କରିବାକୁ ସେ ବିପନ୍ନଙ୍କୁ ଉତ୍ସାହିତ କରିଛନ୍ତି। ଏହି ଅବସରରେ ଜିଲାପାଳ କହିଛନ୍ତି, ବିପର୍ଯ୍ୟୟ ସମୟରେ ହେଉ କିମ୍ବା ସାଧାରଣ ଦିନରେ ଜିଲା ପ୍ରଶାସନ ସବୁବେଳେ ଜନସାଧାରଣଙ୍କ ସହ ରହିଛି ଏବଂ ରହିବ। ଜିଲାପାଳଙ୍କ ଏହି ମାନବିକତାପୂର୍ଣ୍ଣ ପଦକ୍ଷେପକୁ ସାଧାରଣରେ ବେଶ ପ୍ରଶଂସା କରାଯାଇଛି। ଏହି କାର୍ଯ୍ୟକ୍ରମରେ ଜିଲା ମୁଖ୍ୟ ଉନ୍ନୟନ ଅଧିକାରୀ ସମୀର କୁମାର ଜେନା, ଛତ୍ରପୁର ଉପଜିଲାପାଳ ଡଃ. ଶିବାଶିଷ ବରାଳ, ସୁନ୍ଦରଗଡ଼ ଉପଜିଲାପାଳ ତେଜସ୍ମିନୀ ବେହେରା, ପୁରୁଷୋତ୍ତମପୁର ତହସିଲଦାର ବିନୋଦ କୁମାର ବେହେରା, ବିଡିଓ ଦେବାଶିଷ ସାମଲ, ଅତିରିକ୍ତ ତହସିଲଦାର ଦେବାଶିଷ ମହାପାତ୍ର, ଆଶିଷ କୁମାର ସାହୁଙ୍କ ସମେତ ବହୁ ପ୍ରଶାସନିକ କର୍ମଚାରୀ ଉପସ୍ଥିତ ଥିଲେ।
ବନ୍ୟାର ଅନ୍ଧକାର ଭିତରେ ଦୀପାବଳିର ଆଲୋକ ବାଣ୍ଟିବାର ଏହି ପ୍ରୟାସ କେବଳ ଉପହାର ବଣ୍ଟନ ନୁହେଁ ବରଂ ବିପନ୍ନଙ୍କ ମନରେ ଆଶା ଓ ଆତ୍ମବିଶ୍ୱାସର ଦୀପ ଜାଳିବାର ଏକ ନିଆରା ଉଦାହରଣ।

