ଗୋଟେ ପାଇଲେ ଗୋଟେ ଖସିଲା

ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କ ସମେତ ୧୩ ଜଣଙ୍କ ବିରୋଧରେ ୨୧ ଅଗଷ୍ଟରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ(ସିବିଆଇ) ‘ଲୁକ୍‌ ଆଉଟ୍‌ ସର୍କ୍ୟୁଲାର’ ଜାରି କରିଥିବା ଗଣମାଧ୍ୟମରେ ଚର୍ଚ୍ଚା ହୋଇଛି। ଦିଲ୍ଲୀ ଅବକାରୀ ନୀତିରେ ଦୁର୍ନୀତି ହୋଇଥିବା ନେଇ ସିବିଆଇ ପକ୍ଷରୁ ଇତିମଧ୍ୟରେ ସିସୋଡିଆଙ୍କ ବାସଭବନ ସହ ଅନ୍ୟମାନଙ୍କ ଘରେ ଚଢ଼ାଉ ମଧ୍ୟ ହୋଇଯାଇଛି। ଉଲ୍ଲେଖଯୋଗ୍ୟ, ଜଣେ ବ୍ୟକ୍ତି ଫେରାର ହୋଇଥିଲେ କିମ୍ବା ଆଇନ ସଂକ୍ରାନ୍ତ ପ୍ରବର୍ତ୍ତନ ସଂସ୍ଥା ଦ୍ୱାରା ଖୋଜା ପଡ଼ୁଥିଲେ ସେ ଯେଭଳି ଦେଶ ବାହାରକୁ ଯାଇ ନ ପାରିବେ, ସେଥିଲାଗି ଲୁକ୍‌ ଆଉଟ୍‌ ସର୍କ୍ୟୁଲାର ବାହାର କରାଯାଇଥାଏ। ଏଠାରେ ସିସୋଡିଆ ଓ ଅନ୍ୟମାନେ ସାଧାରଣରେ ଉପସ୍ଥିତ ଥିବା ବେଳେ ସେମାନଙ୍କ ବିରୋଧରେ ଏଭଳି ନୋଟିସ ଜାରି କରିବାର ପ୍ରୟୋଜନ ଥିଲା ଭଳି ମନେହୁଏ ନାହିଁ। ଆହୁରି ଆଶ୍ଚର୍ଯ୍ୟର କଥା ଯେ, ସିବିଆଇ ଲୁକ୍‌ ଆଉଟ୍‌ ସର୍କ୍ୟୁଲାର ଜାରି କରି ନାହିଁ ବୋଲି କହିବା ପରେ ଅଡ଼ୁଆ ସ୍ଥିତି ସୃଷ୍ଟି ହୋଇଛି। ଆମ୍‌ ଆଦ୍‌ମୀ ପାର୍ଟି (ଏଏପି) ପକ୍ଷରୁ କୁହାଯାଇଛି ଯେ, ମୋଦି ସରକାର ପ୍ରଥମେ ସିସୋଡିଆଙ୍କ ବିରୋଧରେ ଲୁକ୍‌ ଆଉଟ୍‌ ସର୍କୁଲାର ଜାରି କରି ତାହାକୁ ଗଣମାଧ୍ୟମ ସଂସ୍ଥାଗୁଡ଼ିକ ନିକଟକୁ ପଠାଇଦେଇଛି। ଏଏପି ମୁଖ୍ୟ ମୁଖପାତ୍ର ସୌରଭ ଭରଦ୍ୱାଜ ଏକ ଖବରଦାତା ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆହ୍ବାନ ଦେଇ କହିଛନ୍ତି ଯେ, ସିସୋଡିଆ ଦିଲ୍ଲୀରେ ଅଛନ୍ତି। ତେଣୁ ପ୍ରଧାନମନ୍ତ୍ରୀ ତାଙ୍କୁ ଯେଉଁଠିକୁ ଡାକିବେ ସେ ଯାଇପାରିବେ। ଯଦି ପ୍ରଧାନମନ୍ତ୍ରୀ ଚାହାନ୍ତି ସିସୋଡିଆଙ୍କ ଏବି ୧୭ ବାସଭବନକୁ ଆସିପାରିବେ, ତେବେ ତାଙ୍କୁ ସ୍ବାଗତ କରାଯିବ।
ଉପରୋକ୍ତ ଘଟଣାକ୍ରମକୁ ଦେଖିଲେ କେନ୍ଦ୍ର ସରକାର ଓ ଦିଲ୍ଲୀ ସରକାର ଏବେ ଦିଲ୍ଲୀର ଅବକାରୀ ନୀତିକୁ ନେଇ ମୁହଁାମୁହିଁ ସ୍ଥିତିରେ ଉପନୀତ। ଏ କ୍ଷେତ୍ରରେ ଦିଲ୍ଲୀ ଉପରାଜ୍ୟପାଳ ବିନୟ କୁମାର ସାକ୍ସେନା ମୁଖ୍ୟ ଭୂମିକା ଗ୍ରହଣ କରିଥିବା ଆଲୋଚନା ହେଉଛି। ସିସୋଡିଆ ଓ ଅନ୍ୟମାନଙ୍କ ବିରୋଧରେ ଦାଏର କରାଯାଇଥିବା ଏତଲାରେ ଦର୍ଶାଯାଇଛି ଯେ, ଦିଲ୍ଲୀ ଅବକାରୀ ନୀତି ୨୦୨୧-୨୨ ଉପଯୁକ୍ତ କର୍ତ୍ତୃପକ୍ଷଙ୍କ ବିନା ଅନୁମୋଦନରେ କାର୍ଯ୍ୟକାରୀ କରାଯାଇଥିଲା। ସେଥିରେ ଟେଣ୍ଡର ଡକାଯିବା ପରେ କେତେ ଜଣ ଲାଇସେନ୍ସଧାରୀଙ୍କୁ ଅନୁଚିତ ଅନୁଗ୍ରହ ପ୍ରଦର୍ଶନ କରାଯାଇଥିବାରୁ ସରକାରୀ ତହବିଲକୁ ୧୪୪ କୋଟି ୩୬ ଲକ୍ଷ ଟଙ୍କା କ୍ଷତି ସହିବାକୁ ପଡ଼ିଛି। ମନୀଷ ସିସୋଡିଆ ଅବକାରୀ ମନ୍ତ୍ରୀ ଥିବାରୁ ତାଙ୍କ ଜାଣତରେ ସବୁକିଛି ହୋଇଛି ବୋଲି ଭାଜପା ଅଭିଯୋଗ ଆଣିଛି। ତେଣୁ ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଲାଗି ଭାଜପା ଦାବି କରିଛି। କିନ୍ତୁ ଦେଖିଲା ବେଳକୁ ଉପରାଜ୍ୟପାଳ ସାକ୍ସେନା ଅବକାରୀ ନୀତିରେ ଗଡ଼ବଡ଼ ହୋଇଥିବା ବିଷୟ ପଦାକୁ ଆଣିଥିଲେ। ତାଙ୍କ ଦ୍ୱାରା ଅଣାଯାଇଥିବା ଅବକାରୀ ନୀତି ସଂକ୍ରାନ୍ତ ଅଭିଯୋଗକୁ ଆଧାର କରି ସିବିଆଇ ତଦନ୍ତ ଓ ଚଢ଼ାଉ କରିଛି। ହୁଏତ ସିବିଆଇ ପାଖରେ କୌଣସି ଠୋସ୍‌ ପ୍ରମାଣ ନାହିଁ। ସେଥିପାଇଁ ବିଭିନ୍ନ ଲୋକଙ୍କ ବାସଭବନ ଉପରେ ଚଢ଼ାଉ କରାଯାଇ ସେଥିରୁ ଅନ୍ୟ କିଛି କାଗଜପତ୍ର ମିଳିଲେ ତାହାକୁ ବ୍ୟବହାର କରି ଭବିଷ୍ୟତରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ। ଯଦି ଅବକାରୀ ନୀତିରେ ତ୍ରୁଟି ଥିବ ସେଥିରେ ସମ୍ପୂର୍ଣ୍ଣ ସରକାରୀ ବ୍ୟବସ୍ଥା, ଏପରି କି ଦିଲ୍ଲୀ ବିଧାନସଭାର ସମ୍ପୃକ୍ତି ଥିବ ବୋଲି ଧରାଯିବ। ଅନ୍ୟପଟେ ଯଦି ଅବକାରୀ ମାମଲାର ତଦନ୍ତରୁ କୌଣସି ଗୁରୁତ୍ୱପୂର୍ଣ୍ଣ ଦଲିଲ ସିବିଆଇ ହାତରେ ପଡ଼ି ନ ଥିବ, ତେବେ ଗୁଜରାଟ ନିର୍ବାଚନକୁ ଆଖିରେ ରଖି ଏହି ରାଜନୈତିକ ପଦକ୍ଷେପ ଭାଜପାକୁ ପାଲଟା ମାଡ଼ କରିଦେଇପାରେ।
ବର୍ତ୍ତମାନ ଦେଶର ରାଜନୈତିକ ପ୍ରେକ୍ଷାପଟକୁ ଦେଖିଲେ ଭାଜପା ବିଭିନ୍ନ ରାଜ୍ୟରେ ସ୍ଥିତି ଜାହିର କରିବା ଲାଗି ଯେନତେନ ପ୍ରକାରେ ଉଦ୍ୟମ କରୁଛି। ମହାରାଷ୍ଟ୍ରରେ ଶିବସେନାକୁ ଭାଙ୍ଗିବାରେ ସଫଳତା ହାସଲ ପାଇଁ ଭାଜପାର ରାଜନୈତିକ ଦକ୍ଷତା ପରିବର୍ତ୍ତେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ର ଅନେକ ଶିବସେନା ବିଧାୟକଙ୍କୁ ନୋଟିସ ଅଧିକ କାମ ଦେଇଥିଲା। ସେହି ସଫଳତାର ମଉଜମଜଲିସ ଶେଷ ହେବା ପୂର୍ବରୁ ବିହାରରେ ନୀତୀଶଙ୍କ ଠୋକର ପୁନର୍ବାର ଭାଜପାକୁ ଅସୁବିଧାରେ ପକାଇଦେଇଛି। ସତେଯେମିତି ‘ଗୋଟେ ଆସିଲେ ଆଉ ଗୋଟେ ଖସିଯାଉଛି’। ତେଣୁ ସର୍ବୋଚ୍ଚରେ ଥିବା ଗୁଜରାଟ ରାଜ୍ୟ ଏବଂ ତାହାର ଚଳିତବର୍ଷ ଶେଷ ଆଡ଼କୁ ହେବାକୁ ଥିବା ବିଧାନସଭା ନିର୍ବାଚନରେ ଭାଜପାର ସ୍ଥିତି ଟଳମଳ ହେଉଥାଇପାରେ ବୋଲି ଏଏପି ନେତା ମନୀଷ ସିସୋଡିଆଙ୍କ ଉପରେ କ୍ରୋଧ ପ୍ରକଟ ଇଙ୍ଗିତ କରୁଥାଇପାରେ। ଗୁଜରାଟ ଖସିଲେ ୨୦୨୪ ପାର୍ଲାମେଣ୍ଟ ନିର୍ବାଚନରେ ଭାଜପାର ସ୍ଥିତି ଅତ୍ୟନ୍ତ ଦୁର୍ବଳ ହୋଇଯାଇପାରେ।
ବାସ୍ତବରେ ନିର୍ବାଚନରେ ଗୋଟିଏ ରାଜନୈତିକ ଦଳ ଅନ୍ୟ ପାର୍ଟିକୁ ହରାଇ ବାହାଦୁରି ନେଇପାରିଲେ ତାହାର ଦମ୍ଭ ବଢ଼ିଥାଏ। ଗଣତନ୍ତ୍ରରେ ଲୋକଙ୍କ ସମର୍ଥନ ବଡ଼ କଥା। କିନ୍ତୁ ପେଞ୍ଚ କରାଯାଇ ରାଜନୈତିକ ବିରୋଧୀଙ୍କୁ ସରକାରୀ କଳ ଅପବ୍ୟବହାର କରି ଚାପିଦେବାର ପ୍ରୟାସ କେତେଦୂର ଭୋଟରଙ୍କ ଦ୍ୱାରା ଗ୍ରହଣୀୟ ହେଉଛି ତାହା ଦେଖିବାକୁ ମିଳିବ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

ଦୁବାଇ ବନ୍ୟା ଓ ଜଳବାୟୁ

ଭୟଙ୍କର ମରୁଝଡ଼ ଓ ବନ୍ୟାର ପ୍ଲାବନରେ ସୌନ୍ଦର୍ଯ୍ୟମୟୀ ଦୁବାଇ ସହର ଏପ୍ରିଲ୧୬ରେ ନିମିଷକ ମଧ୍ୟରେ ଅନୁଭବ କଲା ଧ୍ବଂସର ତାଣ୍ଡବ। ନଭଶ୍ଚୁମ୍ବୀ ଅଟ୍ଟାଳିକା ଏବଂ ବିଳାସପୂର୍ଣ୍ଣ...

ଏକ ଦିବ୍ୟ ପ୍ରତିଶ୍ରୁତିର ସ୍ମାରକୀ

ଦିବ୍ୟଜନନୀ ଶ୍ରୀମା ୨୯ ମାର୍ଚ୍ଚ, ୧୯୧୪ରେ ତପୋଭୂମି ପଣ୍ଡିଚେରୀରେ ପ୍ରଥମେ ପଦାର୍ପଣ କରି ସେହିଦିନ ଅପରାହ୍ନ ପ୍ରାୟ ୩.୩୦ ମିନିଟ୍‌ ସମୟରେ ତାଙ୍କର ଆରାଧ୍ୟ ତଥା...

ଖୋଜିଲେ ଖୋଜିବେ

ଭାରତରେ ମାନବ ଅଧିକାର ଓ ନାଗରିକ ସ୍ବାଧୀନତା ଉପରେ ୟୁରୋପୀୟ ଦେଶ, କେତେକ ଅନ୍ତଃରାଷ୍ଟ୍ରୀୟ ସୂଚକାଙ୍କ ତଥା ଆମେରିକା ତୀକ୍ଷ୍‌ଣ ନଜର ରଖିଛନ୍ତି। ନିକଟରେ ୟୁନାଇଟେଡ୍‌...

ଏଇ ଭାରତରେ

ପୋଲିସ ଚାକିରିର ବ୍ୟବସ୍ଥା ଭିତରୁ ସମୟ ବାହାର କରି ଦିଲ୍ଲୀର କନ୍‌ଷ୍ଟେବଲ ଥାନ୍‌ ସିଂ ଗରିବ ପିଲାମାନଙ୍କୁ ମାଗଣାରେ ପଢାଉଛନ୍ତି। ପ୍ରଥମେ ସେ ଏଭଳି ୫...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri