ମହାବିଲୁପ୍ତି ପଥେ

ପ୍ରଫେସର ରମେଶ ଚନ୍ଦ୍ର ପରିଡ଼ା

ଦ୍ରୁତ ଗତିରେ ଜୀବଜଗତ ଲାଗି ବାସୋପଯୋଗିତା ହରାଇବାରେ ଲାଗିଛି ଧରିତ୍ରୀ। ତା’ର ଯେଉଁ ସମୁନ୍ନତ ପରିବେଶ ଏହାର ଆବିର୍ଭାବ, ବିକାଶ ଏବଂ ଧାରଣ ପାଇଁ ଅନୁକୂଳ ଥିଲା, ତାହା ଏବେ ଘୋର ବିପର୍ଯ୍ୟୟର ସମ୍ମୁଖୀନ। ଆମର ଲୋଭଗ୍ରସ୍ତ ବସ୍ତୁବାଦୀ ଜୀବନଧାରା ପ୍ରାକୃତିକ ସଂସାଧନରେ ଘୋର ଅପଚୟ ଘଟାଇ ଚାଲିଛି, ଯାହାକି ପୁନଃପୂରଣ କରିବାର ସାମର୍ଥ୍ୟ ରହୁଛି ଧରିତ୍ରୀର। ଅତଏବ ତାହାର ଅପୂରଣୀୟ କ୍ଷତି ଘଟୁଛି ଏବଂ ପରିବେଶ ଅଧିକରୁ ଅଧିକ ବାସ ପାଇଁ ଅନୁପଯୋଗୀ ହୋଇ ଚାଲିଛି। ଏକ ଗଣନାରୁ ଜଣାପଡ଼ିଛି ଯେ ବିକାଶ ନାମରେ ନିଜର ଅସରନ୍ତି ତଥା ସଦା ଅତୃପ୍ତ ଲାଳସାର ତୃପ୍ତି ନିମନ୍ତେ ଆମେ ଏବେ ଯେଉଁ ହାରରେ ପ୍ରାକୃତିକ ସଂସାଧନର ଉପଯୋଗ କରିଚାଲିଛେ, ତାହା ଗୋଟିଏ ଧରିତ୍ରୀ ଦ୍ୱାରା ପୂରଣ ଅସମ୍ଭବ । ସେଥିପାଇଁ ଲୋଡ଼ା ତହିଁରୁ ୧.୭ ଟି। ଜନସଂଖ୍ୟା ବୃଦ୍ଧି, ସହରୀକରଣ ଏବଂ ସର୍ବୋପରି ଲାଳସା ଏହାର ଗୋଟିଏ ଗୋଟିଏ କାରଣ। ଏହାର ପରିପ୍ରକାଶ ଘଟୁଛି ପରିବେଶ ପ୍ରଦୂଷଣ, ନାନାଦି ପରିସଂସ୍ଥୀୟ ବିପର୍ଯ୍ୟୟ, ଜାଗତିକ ଉଷ୍ମତା ବୃଦ୍ଧି ଇତ୍ୟାଦି ମାଧ୍ୟମରେ।
ସମୟାନୁକ୍ରମେ ଆମେ କିପରି ପ୍ରାକୃତିକ ସଂସାଧନକୁ ଅଧିକରୁ ଅଧିକ ଅପଚୟ କରି ଚାଲିଛେ ଏବଂ ଏହି ସମ୍ପଦକୁ ଗୋଟିଏ ବର୍ଷର କେଉଁଦିନ ମଧ୍ୟରେ ଶେଷ କରି ଦେଉଛେ ତାହାର ଆକଳନ ଲାଗି ସୂତ୍ରଟିଏ ନିର୍ଦ୍ଧାରଣ କରାଯାଉଛି। ସେହି ଦିନଟି ପରେ ଏହାର ଯେଉଁ ଅପବ୍ୟୟ ହେବାରେ ଲାଗିଛି ତାହା ଧରିତ୍ରୀର କ୍ଷତି ଘଟାଉଛି ଅପୂରଣୀୟ ଭାବେ। ଫଳରେ ହଜି ହଜି ଯାଉଛି ଏହାର ଜୀବଜଗତକୁ ଧାରଣ କରିବାର ସାମର୍ଥ୍ୟ। ଅର୍ଥନୀତିଜ୍ଞ ଏବଂ ବୈଜ୍ଞାନିକମାନେ ଉକ୍ତ ଦିନଟିକୁ ଆଗରୁ କହୁଥିଲେ ପରିସଂସ୍ଥୀୟ ଋଣ ଦିବସ ବା ‘ଇକୋଲୋଜିକାଲ୍‌ ଡେବ୍‌ଟ ଡେ’। ଏବେ ଏହାକୁ ‘ଆର୍ଥ ଓଭରସୁଟ୍‌ ଡେ’ ବା ଧରିତ୍ରୀର ସାମର୍ଥ୍ୟ ଅତିକ୍ରମ ଦିବସ’ ବୋଲି କୁହାଯାଉଛି। ଏହା ଗଣନା କରାଯାଉଛି ଧରିତ୍ରୀର ଜୈବ ସକ୍ଷମତା ବା ‘ବାୟୋକାପାସିଟି’ (ବର୍ଷକ ମଧ୍ୟରେ ପୃଥିବୀରେ ଉତ୍ପନ୍ନ ହେଉଥିବା ପ୍ରାକୃତିକ ସଂସାଧନର ପରିମାଣ)କୁ ତା’ର ପରିସଂସ୍ଥୀୟ ପଦଚିହ୍ନ ବା ‘ଇକୋଲୋଜିକାଲ୍‌ ଫୁଟ୍‌ ପ୍ରିଣ୍ଟ’ (ସେ ବର୍ଷ ମଣିଷଜାତି ଉପଯୋଗ କରିଥିବା ପୃଥିବୀର ସଂସାଧନର ପରିମାଣ)ରେ ବିଭାଜିତ କରି ଭାଗଫଳକୁ ୩୬୫ (ବର୍ଷକ ମଧ୍ୟରେ ଦିବସ ସଂଖ୍ୟା)ରେ ଗୁଣନ କରିବା ଦ୍ୱାରା। ଅର୍ଥନୈତିକ ଦୃଷ୍ଟିକୋଣରୁ ବର୍ଷର ଏହି ଦିନ ଆମେ, ଅର୍ଥାତ୍‌ ମଣିଷ ଜାତି ପରିସଂସ୍ଥୀୟ ବ୍ୟୟ ‘ଅଭାବ’ ମଧ୍ୟକୁ ପ୍ରବେଶ କଲା ବୋଲି କୁହାଯାଏ।
ମଣିଷ ଜାତିର ଆବଶ୍ୟକତା ମେଣ୍ଟାଇବା ପାଇଁ ଲୋଡ଼ା ହେଉଥିବା ପ୍ରାକୃତିକ ସଂସାଧନ ତଥା ପରିସଂସ୍ଥୀୟ ସେବାର ଆକଳନ କରୁଥିବା ଅନ୍ୟତମ ଅନୁଷ୍ଠାନ ‘ଗ୍ଲୋବାଲ୍‌ ଫୁଟ୍‌ ପ୍ରିଣ୍ଟ୍‌ ନେଟଓ୍ବର୍କ’ ୨୦୦୭ ମସିହାଠାରୁ ପ୍ରତିବର୍ଷ ବିଶ୍ୱରେ ଧରିତ୍ରୀର ସୀମିତ ସଂସାଧନ ସମ୍ପର୍କରେ ସଚେତନତାର ପ୍ରସାର ଲାଗି ‘ଧରିତ୍ରୀ ସାମର୍ଥ୍ୟ ଅତିକ୍ରମ ଦିବସ’ ବା ‘ଆର୍ଥ ଓଭରସୁଟ୍‌ ଡେ’ ପାଳନ କରିଆସୁଛି। ଏଥିସହିତ ଯୋଗଦେଇଛି ‘ଓ୍ବାଲର୍‌ଡ ଓ୍ବାଇଲ୍‌ଡ ଲାଇଫ୍‌ ଫଣ୍ଡ’। ଏମାନଙ୍କ ଆକଳନ ଅନୁସାରେ ଏବେ ଆମେ ସମଗ୍ର ବର୍ଷକ ମଧ୍ୟରେ ଧରିତ୍ରୀ ଯୋଗାଇପାରିବା ପ୍ରାକୃତିକ ସଂସାଧନକୁ ମାତ୍ର ୮ମାସ ମଧ୍ୟରେ ଶେଷ କରି ଦେଉଛୁ।
ମଣିଷ ଜାତିର ଇତିହାସରେ ଅଧିକାଂଶ ସମୟ ଲାଗି ଆମେ ବିନିଯୋଗ କରିଆସୁଥିବା ପ୍ରାକୃତିକ ସଂସାଧନ ଧରିତ୍ରୀର ବଜେଟ ମଧ୍ୟରେ ସୀମିତ ରହୁଥିଲା। କିନ୍ତୁ ୧୯୭୦ ଦଶକଠାରୁ ତାହାର ସର୍ବୋଚ୍ଚ ସୀମା ଉଲ୍ଲଂଘନ ହୋଇ ଚାଲିଛି- ଆମ ଉପଯୋଗ ଆମ ଗ୍ରହ ଯେତିକି ପୁନଃ ଉତ୍ପାଦନ କରିବାକୁ ସମର୍ଥ ତାହା ଅତିକ୍ରମ କରିଯାଉଛି। ‘ଗ୍ଲୋବାଲ ଫୁଟ୍‌ ପ୍ରିଣ୍ଟ ନେଟ୍‌ଓ୍ବର୍କ’ର ସୂଚନା ଅନୁସାରେ ବର୍ତ୍ତମାନ ଆମର ପୁନଃ ନବୀକରଣକ୍ଷମ ପରିସଂସ୍ଥୀୟ ସଂସାଧନ ଏବଂ ତାହା ଯୋଗାଉଥିବା ସେବା ଗୋଟିଏ ନୁହେଁ, ବରଂ ୧.୭ଟି ଧରିତ୍ରୀ ସହନୀୟ ଭାବେ ଯୋଗାଇପାରିବ। ଚଳିତ ଶତାବ୍ଦୀର ମଧ୍ୟଭାଗ ବେଳକୁ ଏହା ୨ଟି ଧରିତ୍ରୀର ସମକକ୍ଷ ହୋଇଯିବ।
୨୦୨୦ରେ ‘ସର୍କୁଲାର ଇକୋନୋମି’ ସଂସ୍ଥା ଦ୍ୱାରା ପ୍ୟାରିସ୍‌ଠାରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ଏବେ ମଣିଷ ଜାତି ବାର୍ଷିକ ୧୦୦ ବିଲିୟନ ଟନ୍‌ରୁ ଅଧିକ ପ୍ରାକୃତିକ ସଂସାଧନ ବ୍ୟବହାର କରୁଛି। ୨୦୧୫ ରେ ଏହା ୯୩ ବିଲିୟନ ଟନ୍‌ ଥିଲା ବେଳେ ୨୦୧୭-୧୮ ବେଳକୁ ତାହା ୧୦୦.୬ ବିଲିୟନ ଟନ୍‌ରେ ପହଞ୍ଚତ୍ ଯାଇଥିଲା। ପୁନଶ୍ଚ ଏହି ସମୟ ମଧ୍ୟରେ ବ୍ୟବହୃତ ପଦାର୍ଥର ପୁନଃ ଚକ୍ରଣ କ୍ରମେ ୯.୧ ଶତାଂଶରୁ ୮.୬ ଶତାଂଶକୁ ହ୍ରାସ ପାଇଛି। ଅନ୍ୟପକ୍ଷରେ, ୧୯୭୦ରୁ ୨୦୦୦ ମଧ୍ୟରେ ବିଶ୍ୱ ଜନସଂଖ୍ୟା ଦ୍ୱିଗୁଣିତ ହେବା ସଙ୍ଗେ ସଙ୍ଗେ ଜାଗତିକ ଅର୍ଥନୀତି ଚତୁର୍ଗୁଣିତ ଏବଂ ବ୍ୟବସାୟ ୧୦ଗୁଣକୁ ବଢ଼ିଛି। ଫଳରେ ସଂସାଧନ ତଥା ଶକ୍ତିର ଉପଯୋଗ ତଦନୁଯାୟୀ ବୃଦ୍ଧିପ୍ରାପ୍ତ ହେବାରେ ଲାଗିଛି। ଚଳିତ ଶତାବ୍ଦୀର ମଧ୍ୟଭାଗକୁ ପ୍ରାକୃତିକ ସଂସାଧନର ଆବଶ୍ୟକତା ୧୭୦-୧୮୪ ବିଲିୟନ ଟନ୍‌ରେ ପହଞ୍ଚତ୍ ଯାଇପାରେ ବୋଲି ଏଥିରେ ସୂଚିତ କରାଯାଇଛି। ଏପରିସ୍ଥଳେ, ଧରିତ୍ରୀର ‘ଓଭରସୁଟ୍‌’ ଦିବସ ତଦନୁଯାୟୀ ଅଧିକରୁ ଅଧିକ ନିକଟତର ହୋଇଚାଲିବ।
ଏହି ଦିବସ ସମ୍ପର୍କରେ ପ୍ରଥମେ ୧୯୭୦ ବେଳକୁ ସୂଚିତ କରାଗଲା ସମୟରେ ତାହା ଥିଲା ଡିସେମ୍ବର ୩୦ ତାରିଖ। ଅତଏବ ଧରିତ୍ରୀର ସଂସାଧନ ଉତ୍ପାଦନ ଏବଂ ଆମେ କରୁଥିବା ତାହାର ଉପଯୋଗ ପ୍ରାୟ ସମତୁଲ ଥିଲା। କିନ୍ତୁ ୧୯୭୫ ବେଳକୁ ତାହା ନଭେମ୍ବର ୩୦, ୧୯୮୦ ବେଳକୁ ନଭେମ୍ବର ୪, ୧୯୯୦ ବେଳକୁ ଅକ୍ଟୋବର ୧୦, ୨୦୦୦ ବେଳକୁ ସେପ୍ଟେମ୍ବର ୨୨ ଏବଂ ୨୦୧୦ ମସିହା ବେଳକୁ ଅଗଷ୍ଟ ୬ରେ ଶେଷ ହୋଇଗଲା। ଅନ୍ୟପକ୍ଷରେ ୨୦୧୮ ମସିହାରେ ଏହା ଜୁଲାଇ ୨୫ ହେଲାବେଳେ କୋଭିଡ୍‌ ୧୯ ମହାମାରୀ ଯୋଗୁ କଳକାରଖାନା ସମେତ ବିବିଧ ମଣିଷକୃତ କାର୍ଯ୍ୟକଳାପ ବନ୍ଦ ରହିବା ହେତୁ ଉକ୍ତ ଦିବସଟି ଆସିଯାଇଥିଲା ଅଗଷ୍ଟ ୨୨ ତାରିଖକୁ। ତେବେ ୨୦୨୧ରେ ପୁଣି ଜୁଲାଇ ୨୯କୁ ଚାଲିଗଲା ଏବଂ ଚଳିତବର୍ଷ, ୨୦୨୨ରେ ସେ ଦିନଟି ଜୁଲାଇ ୨୫ କିମ୍ବା ୨୬ ହୋଇପାରେ ବୋଲି ପୂର୍ବାନୁମାନ କରାଯାଉଛି। ଅତଏବ ବର୍ଷସାରା ଧରିତ୍ରୀ ଯେତିକି ସଂସାଧନ ସୃଷ୍ଟି କରିବାକୁ ସକ୍ଷମ ତାହା ପ୍ରାୟ ୬ ମାସ ମଧ୍ୟରେ ଶେଷ ହୋଇଯିବ। ଅନ୍ୟଭାଷାରେ କହିବାକୁ ଗଲେ ଆମ ସର୍ବଗ୍ରାସୀ ଲାଳସା ମେଣ୍ଟାଇବାକୁ ଲୋଡ଼ା ହେବ ଦୁଇଟି ପୃଥିବୀ। ଏହାର ପରିଣାମ ଯେ ଆଗକୁ ଭୟଙ୍କର ଏଥିରେ କେହି ଦ୍ୱିମତ ନୁହନ୍ତି, କିନ୍ତୁ ଏଥିନେଇ ଉଚିତ ପଦକ୍ଷେପ ନେବାକୁ ସମସ୍ତେ ପଶ୍ଚାତ୍‌ପଦ। ଉଦାହରଣ ସ୍ବରୂପ, ଆମେରିକା ସମେତ କେତେକ ୟୁରୋପୀୟ ଦେଶଗୁଡ଼ିକରେ ମୁଣ୍ଡପିଛା ପ୍ରାକୃତିକ ସଂସାଧନ ଉପଯୋଗ ଅନେକ ବିକାଶଶୀଳ ଆଫ୍ରିକୀୟ ଦେଶ ତୁଳନାରେ ପ୍ରାୟ ୧୦ ଗୁଣ ଅଧିକ। ସେମାନେ ଦାୟିତ୍ୱବାନ୍‌ ହୋଇ ଏହା ହ୍ରାସ ନ କଲେ ସମସ୍ୟା ଗୁରୁତର ହୋଇଚାଲିବ। ଫଳରେ ଏବେ ଆରମ୍ଭ ହେବାକୁ ଲାଗିଥିବା ଷଷ୍ଠ ମହାବିଲୁପ୍ତି ପ୍ରକ୍ରୟାର ଆଗମନ ଦ୍ରୁତରୁ ଦ୍ରୁତତର ହେବ।
ମୋ-୯୯୩୭୯୮୫୭୬୭


Enter your email to get our daily news in your inbox.

All Right Reserved By Dharitri.Com

ସାହିତ୍ୟରେ ଶସ୍ତା ରାଜନୀତି

ହଁଆଜ୍ଞା, ଅକବି ଓ ଅଲେଖକ ପ୍ରବଳ! ଚିନ୍ତାରେ କବି ଓ ଲେଖକକୁଳ। ସବଳ ଡମ୍ଫା,ଡହରା,ଟାଉଟର। ଦୁର୍ବଳ, ସ୍ରଷ୍ଟା, ସାଧକ, କଳାକାର। କବିବର ରାଧାନାଥ ରାୟଙ୍କ କାଳଜୟୀ କବିତାଂଶ;…

ବ୍ରିକ୍ସ: ସାମର୍ଥ୍ୟ ଅଛି ଶକ୍ତି ନାହିଁ

ବ୍ରିକ୍ସ କ୍ରମଶଃ ପ୍ରତିଷ୍ଠା ଲାଭ କଲେ ମଧ୍ୟ ଅନ୍ତର୍ଜାତୀୟ ଆହ୍ବାନଗୁଡିକୁ ମୁକାବିଲା କରିବାରେ ସଫଳ ହୋଇପାରୁନାହିଁ। ସେଥିପାଇଁ ଚଳିତ ମାସରେ ନୂଆଦିଲ୍ଲୀରେ ଅନୁଷ୍ଠିତ ବ୍ରିକ୍ସ ବୈଦେଶିକ ମନ୍ତ୍ରୀଙ୍କ…

ନକଲି ଆଇନଜୀବୀ

ଦେଶରେ ଥିବା ଆଇନଜୀବୀଙ୍କ ଶିକ୍ଷାଗତ ଯୋଗ୍ୟତା ଯାଞ୍ଚ ଲାଗି ବାର୍‌ କାଉନ୍‌ସିଲ୍‌ ଅଫ୍‌ ଇଣ୍ଡିଆ (ବିସିଆଇ) ପକ୍ଷରୁ ୨୦୨୫ ଜାନୁଆରୀରେ ଏକ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଏଥିରେ…

ଏଇ ଭାରତରେ

ନିଜେ ସମସ୍ୟାରେ ଥିଲେ ବି ଅନ୍ୟଙ୍କ ମୁହଁରେ ଖୁସି ଦେଖି ସନ୍ତୋଷ ଲାଭ କରନ୍ତି ଗୁଜରାଟ କଚ୍ଛର ଆମ୍ମା(ଶ୍ରଦ୍ଧା ନାମ)। ସେ ପ୍ରଚଣ୍ଡ ଗ୍ରୀଷ୍ଣ ପ୍ରବାହରେ ପଥଚାରୀଙ୍କୁ…

କେରଳର ନୂଆ କାଣ୍ଡାରି

ଦଶନ୍ଧିବ୍ୟାପୀ ବାମପନ୍ଥୀ ଶାସନର ଅବସାନ ଘଟାଇ ଯିଏ କଂଗ୍ରେସ ପାଇଁ ଈଶ୍ୱରଙ୍କ ନିଜ ଦେଶ କୁହାଯାଉଥିବା କେରଳରେ ମଞ୍ଚ ତିଆରି କରାଇବାରେ ପ୍ରମୁଖ ଭୂମିକା ନିର୍ବାହ କଲେ,…

ନାଗରିକ ଚେତନା

ଅଷ୍ଟ୍ରେଲିଆର ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟର ମାଥ୍ୟୁ ହେଡେନଙ୍କୁ ସମ୍ପ୍ରତି ଖେଳ ପଡ଼ିଆରେ ଅଳିଆ ଉଠାଇ ସଫା କରୁଥିବାର ଦୃଶ୍ୟ ସାମାଜିକ ଗଣମାଧ୍ୟମରେ ଦେଖିବାକୁ ମିଳିଥିଲା। ପ୍ରଥମ ଦୃଷ୍ଟିରେ…

ସତ୍ୟରେ ସମାଧାନ

ଗୋଟିଏ ମୁହୂର୍ତ୍ତ ପାଇଁ ଭାବନ୍ତୁ ଯେ ମୁଁ ଜଣେ ଶକ୍ତିଶାଳୀ ବ୍ୟକ୍ତି। ଯିଏ ସହଜରେ ଭାରି ଓଜନ ଉଠାଇପାରେ ଏବଂ ମୁଁ ପୂରା ଫିଟ୍‌। ଯଦି କେହି…

ସମସ୍ୟା- ଅର୍ଥନୀତିର ନା ମୂଲ୍ୟବୋଧର

ଆମେ ଭାରତୀୟମାନେ ଏବେ ଦୈନନ୍ଦିନ ଆମର ଜୀବନଟିକୁ ଯେପରି ବଞ୍ଚୁଛୁ ତାହା ହିଁ ଏବର ଭାରତ ନିର୍ମାଣ କରୁଛି, ଯେଉଁ ଜୀବନ ଦର୍ଶନ ଓ ଜଗତ ଦୃଷ୍ଟିକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri