ମହାବିଲୁପ୍ତି ପଥେ

ପ୍ରଫେସର ରମେଶ ଚନ୍ଦ୍ର ପରିଡ଼ା

ଦ୍ରୁତ ଗତିରେ ଜୀବଜଗତ ଲାଗି ବାସୋପଯୋଗିତା ହରାଇବାରେ ଲାଗିଛି ଧରିତ୍ରୀ। ତା’ର ଯେଉଁ ସମୁନ୍ନତ ପରିବେଶ ଏହାର ଆବିର୍ଭାବ, ବିକାଶ ଏବଂ ଧାରଣ ପାଇଁ ଅନୁକୂଳ ଥିଲା, ତାହା ଏବେ ଘୋର ବିପର୍ଯ୍ୟୟର ସମ୍ମୁଖୀନ। ଆମର ଲୋଭଗ୍ରସ୍ତ ବସ୍ତୁବାଦୀ ଜୀବନଧାରା ପ୍ରାକୃତିକ ସଂସାଧନରେ ଘୋର ଅପଚୟ ଘଟାଇ ଚାଲିଛି, ଯାହାକି ପୁନଃପୂରଣ କରିବାର ସାମର୍ଥ୍ୟ ରହୁଛି ଧରିତ୍ରୀର। ଅତଏବ ତାହାର ଅପୂରଣୀୟ କ୍ଷତି ଘଟୁଛି ଏବଂ ପରିବେଶ ଅଧିକରୁ ଅଧିକ ବାସ ପାଇଁ ଅନୁପଯୋଗୀ ହୋଇ ଚାଲିଛି। ଏକ ଗଣନାରୁ ଜଣାପଡ଼ିଛି ଯେ ବିକାଶ ନାମରେ ନିଜର ଅସରନ୍ତି ତଥା ସଦା ଅତୃପ୍ତ ଲାଳସାର ତୃପ୍ତି ନିମନ୍ତେ ଆମେ ଏବେ ଯେଉଁ ହାରରେ ପ୍ରାକୃତିକ ସଂସାଧନର ଉପଯୋଗ କରିଚାଲିଛେ, ତାହା ଗୋଟିଏ ଧରିତ୍ରୀ ଦ୍ୱାରା ପୂରଣ ଅସମ୍ଭବ । ସେଥିପାଇଁ ଲୋଡ଼ା ତହିଁରୁ ୧.୭ ଟି। ଜନସଂଖ୍ୟା ବୃଦ୍ଧି, ସହରୀକରଣ ଏବଂ ସର୍ବୋପରି ଲାଳସା ଏହାର ଗୋଟିଏ ଗୋଟିଏ କାରଣ। ଏହାର ପରିପ୍ରକାଶ ଘଟୁଛି ପରିବେଶ ପ୍ରଦୂଷଣ, ନାନାଦି ପରିସଂସ୍ଥୀୟ ବିପର୍ଯ୍ୟୟ, ଜାଗତିକ ଉଷ୍ମତା ବୃଦ୍ଧି ଇତ୍ୟାଦି ମାଧ୍ୟମରେ।
ସମୟାନୁକ୍ରମେ ଆମେ କିପରି ପ୍ରାକୃତିକ ସଂସାଧନକୁ ଅଧିକରୁ ଅଧିକ ଅପଚୟ କରି ଚାଲିଛେ ଏବଂ ଏହି ସମ୍ପଦକୁ ଗୋଟିଏ ବର୍ଷର କେଉଁଦିନ ମଧ୍ୟରେ ଶେଷ କରି ଦେଉଛେ ତାହାର ଆକଳନ ଲାଗି ସୂତ୍ରଟିଏ ନିର୍ଦ୍ଧାରଣ କରାଯାଉଛି। ସେହି ଦିନଟି ପରେ ଏହାର ଯେଉଁ ଅପବ୍ୟୟ ହେବାରେ ଲାଗିଛି ତାହା ଧରିତ୍ରୀର କ୍ଷତି ଘଟାଉଛି ଅପୂରଣୀୟ ଭାବେ। ଫଳରେ ହଜି ହଜି ଯାଉଛି ଏହାର ଜୀବଜଗତକୁ ଧାରଣ କରିବାର ସାମର୍ଥ୍ୟ। ଅର୍ଥନୀତିଜ୍ଞ ଏବଂ ବୈଜ୍ଞାନିକମାନେ ଉକ୍ତ ଦିନଟିକୁ ଆଗରୁ କହୁଥିଲେ ପରିସଂସ୍ଥୀୟ ଋଣ ଦିବସ ବା ‘ଇକୋଲୋଜିକାଲ୍‌ ଡେବ୍‌ଟ ଡେ’। ଏବେ ଏହାକୁ ‘ଆର୍ଥ ଓଭରସୁଟ୍‌ ଡେ’ ବା ଧରିତ୍ରୀର ସାମର୍ଥ୍ୟ ଅତିକ୍ରମ ଦିବସ’ ବୋଲି କୁହାଯାଉଛି। ଏହା ଗଣନା କରାଯାଉଛି ଧରିତ୍ରୀର ଜୈବ ସକ୍ଷମତା ବା ‘ବାୟୋକାପାସିଟି’ (ବର୍ଷକ ମଧ୍ୟରେ ପୃଥିବୀରେ ଉତ୍ପନ୍ନ ହେଉଥିବା ପ୍ରାକୃତିକ ସଂସାଧନର ପରିମାଣ)କୁ ତା’ର ପରିସଂସ୍ଥୀୟ ପଦଚିହ୍ନ ବା ‘ଇକୋଲୋଜିକାଲ୍‌ ଫୁଟ୍‌ ପ୍ରିଣ୍ଟ’ (ସେ ବର୍ଷ ମଣିଷଜାତି ଉପଯୋଗ କରିଥିବା ପୃଥିବୀର ସଂସାଧନର ପରିମାଣ)ରେ ବିଭାଜିତ କରି ଭାଗଫଳକୁ ୩୬୫ (ବର୍ଷକ ମଧ୍ୟରେ ଦିବସ ସଂଖ୍ୟା)ରେ ଗୁଣନ କରିବା ଦ୍ୱାରା। ଅର୍ଥନୈତିକ ଦୃଷ୍ଟିକୋଣରୁ ବର୍ଷର ଏହି ଦିନ ଆମେ, ଅର୍ଥାତ୍‌ ମଣିଷ ଜାତି ପରିସଂସ୍ଥୀୟ ବ୍ୟୟ ‘ଅଭାବ’ ମଧ୍ୟକୁ ପ୍ରବେଶ କଲା ବୋଲି କୁହାଯାଏ।
ମଣିଷ ଜାତିର ଆବଶ୍ୟକତା ମେଣ୍ଟାଇବା ପାଇଁ ଲୋଡ଼ା ହେଉଥିବା ପ୍ରାକୃତିକ ସଂସାଧନ ତଥା ପରିସଂସ୍ଥୀୟ ସେବାର ଆକଳନ କରୁଥିବା ଅନ୍ୟତମ ଅନୁଷ୍ଠାନ ‘ଗ୍ଲୋବାଲ୍‌ ଫୁଟ୍‌ ପ୍ରିଣ୍ଟ୍‌ ନେଟଓ୍ବର୍କ’ ୨୦୦୭ ମସିହାଠାରୁ ପ୍ରତିବର୍ଷ ବିଶ୍ୱରେ ଧରିତ୍ରୀର ସୀମିତ ସଂସାଧନ ସମ୍ପର୍କରେ ସଚେତନତାର ପ୍ରସାର ଲାଗି ‘ଧରିତ୍ରୀ ସାମର୍ଥ୍ୟ ଅତିକ୍ରମ ଦିବସ’ ବା ‘ଆର୍ଥ ଓଭରସୁଟ୍‌ ଡେ’ ପାଳନ କରିଆସୁଛି। ଏଥିସହିତ ଯୋଗଦେଇଛି ‘ଓ୍ବାଲର୍‌ଡ ଓ୍ବାଇଲ୍‌ଡ ଲାଇଫ୍‌ ଫଣ୍ଡ’। ଏମାନଙ୍କ ଆକଳନ ଅନୁସାରେ ଏବେ ଆମେ ସମଗ୍ର ବର୍ଷକ ମଧ୍ୟରେ ଧରିତ୍ରୀ ଯୋଗାଇପାରିବା ପ୍ରାକୃତିକ ସଂସାଧନକୁ ମାତ୍ର ୮ମାସ ମଧ୍ୟରେ ଶେଷ କରି ଦେଉଛୁ।
ମଣିଷ ଜାତିର ଇତିହାସରେ ଅଧିକାଂଶ ସମୟ ଲାଗି ଆମେ ବିନିଯୋଗ କରିଆସୁଥିବା ପ୍ରାକୃତିକ ସଂସାଧନ ଧରିତ୍ରୀର ବଜେଟ ମଧ୍ୟରେ ସୀମିତ ରହୁଥିଲା। କିନ୍ତୁ ୧୯୭୦ ଦଶକଠାରୁ ତାହାର ସର୍ବୋଚ୍ଚ ସୀମା ଉଲ୍ଲଂଘନ ହୋଇ ଚାଲିଛି- ଆମ ଉପଯୋଗ ଆମ ଗ୍ରହ ଯେତିକି ପୁନଃ ଉତ୍ପାଦନ କରିବାକୁ ସମର୍ଥ ତାହା ଅତିକ୍ରମ କରିଯାଉଛି। ‘ଗ୍ଲୋବାଲ ଫୁଟ୍‌ ପ୍ରିଣ୍ଟ ନେଟ୍‌ଓ୍ବର୍କ’ର ସୂଚନା ଅନୁସାରେ ବର୍ତ୍ତମାନ ଆମର ପୁନଃ ନବୀକରଣକ୍ଷମ ପରିସଂସ୍ଥୀୟ ସଂସାଧନ ଏବଂ ତାହା ଯୋଗାଉଥିବା ସେବା ଗୋଟିଏ ନୁହେଁ, ବରଂ ୧.୭ଟି ଧରିତ୍ରୀ ସହନୀୟ ଭାବେ ଯୋଗାଇପାରିବ। ଚଳିତ ଶତାବ୍ଦୀର ମଧ୍ୟଭାଗ ବେଳକୁ ଏହା ୨ଟି ଧରିତ୍ରୀର ସମକକ୍ଷ ହୋଇଯିବ।
୨୦୨୦ରେ ‘ସର୍କୁଲାର ଇକୋନୋମି’ ସଂସ୍ଥା ଦ୍ୱାରା ପ୍ୟାରିସ୍‌ଠାରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ଏବେ ମଣିଷ ଜାତି ବାର୍ଷିକ ୧୦୦ ବିଲିୟନ ଟନ୍‌ରୁ ଅଧିକ ପ୍ରାକୃତିକ ସଂସାଧନ ବ୍ୟବହାର କରୁଛି। ୨୦୧୫ ରେ ଏହା ୯୩ ବିଲିୟନ ଟନ୍‌ ଥିଲା ବେଳେ ୨୦୧୭-୧୮ ବେଳକୁ ତାହା ୧୦୦.୬ ବିଲିୟନ ଟନ୍‌ରେ ପହଞ୍ଚତ୍ ଯାଇଥିଲା। ପୁନଶ୍ଚ ଏହି ସମୟ ମଧ୍ୟରେ ବ୍ୟବହୃତ ପଦାର୍ଥର ପୁନଃ ଚକ୍ରଣ କ୍ରମେ ୯.୧ ଶତାଂଶରୁ ୮.୬ ଶତାଂଶକୁ ହ୍ରାସ ପାଇଛି। ଅନ୍ୟପକ୍ଷରେ, ୧୯୭୦ରୁ ୨୦୦୦ ମଧ୍ୟରେ ବିଶ୍ୱ ଜନସଂଖ୍ୟା ଦ୍ୱିଗୁଣିତ ହେବା ସଙ୍ଗେ ସଙ୍ଗେ ଜାଗତିକ ଅର୍ଥନୀତି ଚତୁର୍ଗୁଣିତ ଏବଂ ବ୍ୟବସାୟ ୧୦ଗୁଣକୁ ବଢ଼ିଛି। ଫଳରେ ସଂସାଧନ ତଥା ଶକ୍ତିର ଉପଯୋଗ ତଦନୁଯାୟୀ ବୃଦ୍ଧିପ୍ରାପ୍ତ ହେବାରେ ଲାଗିଛି। ଚଳିତ ଶତାବ୍ଦୀର ମଧ୍ୟଭାଗକୁ ପ୍ରାକୃତିକ ସଂସାଧନର ଆବଶ୍ୟକତା ୧୭୦-୧୮୪ ବିଲିୟନ ଟନ୍‌ରେ ପହଞ୍ଚତ୍ ଯାଇପାରେ ବୋଲି ଏଥିରେ ସୂଚିତ କରାଯାଇଛି। ଏପରିସ୍ଥଳେ, ଧରିତ୍ରୀର ‘ଓଭରସୁଟ୍‌’ ଦିବସ ତଦନୁଯାୟୀ ଅଧିକରୁ ଅଧିକ ନିକଟତର ହୋଇଚାଲିବ।
ଏହି ଦିବସ ସମ୍ପର୍କରେ ପ୍ରଥମେ ୧୯୭୦ ବେଳକୁ ସୂଚିତ କରାଗଲା ସମୟରେ ତାହା ଥିଲା ଡିସେମ୍ବର ୩୦ ତାରିଖ। ଅତଏବ ଧରିତ୍ରୀର ସଂସାଧନ ଉତ୍ପାଦନ ଏବଂ ଆମେ କରୁଥିବା ତାହାର ଉପଯୋଗ ପ୍ରାୟ ସମତୁଲ ଥିଲା। କିନ୍ତୁ ୧୯୭୫ ବେଳକୁ ତାହା ନଭେମ୍ବର ୩୦, ୧୯୮୦ ବେଳକୁ ନଭେମ୍ବର ୪, ୧୯୯୦ ବେଳକୁ ଅକ୍ଟୋବର ୧୦, ୨୦୦୦ ବେଳକୁ ସେପ୍ଟେମ୍ବର ୨୨ ଏବଂ ୨୦୧୦ ମସିହା ବେଳକୁ ଅଗଷ୍ଟ ୬ରେ ଶେଷ ହୋଇଗଲା। ଅନ୍ୟପକ୍ଷରେ ୨୦୧୮ ମସିହାରେ ଏହା ଜୁଲାଇ ୨୫ ହେଲାବେଳେ କୋଭିଡ୍‌ ୧୯ ମହାମାରୀ ଯୋଗୁ କଳକାରଖାନା ସମେତ ବିବିଧ ମଣିଷକୃତ କାର୍ଯ୍ୟକଳାପ ବନ୍ଦ ରହିବା ହେତୁ ଉକ୍ତ ଦିବସଟି ଆସିଯାଇଥିଲା ଅଗଷ୍ଟ ୨୨ ତାରିଖକୁ। ତେବେ ୨୦୨୧ରେ ପୁଣି ଜୁଲାଇ ୨୯କୁ ଚାଲିଗଲା ଏବଂ ଚଳିତବର୍ଷ, ୨୦୨୨ରେ ସେ ଦିନଟି ଜୁଲାଇ ୨୫ କିମ୍ବା ୨୬ ହୋଇପାରେ ବୋଲି ପୂର୍ବାନୁମାନ କରାଯାଉଛି। ଅତଏବ ବର୍ଷସାରା ଧରିତ୍ରୀ ଯେତିକି ସଂସାଧନ ସୃଷ୍ଟି କରିବାକୁ ସକ୍ଷମ ତାହା ପ୍ରାୟ ୬ ମାସ ମଧ୍ୟରେ ଶେଷ ହୋଇଯିବ। ଅନ୍ୟଭାଷାରେ କହିବାକୁ ଗଲେ ଆମ ସର୍ବଗ୍ରାସୀ ଲାଳସା ମେଣ୍ଟାଇବାକୁ ଲୋଡ଼ା ହେବ ଦୁଇଟି ପୃଥିବୀ। ଏହାର ପରିଣାମ ଯେ ଆଗକୁ ଭୟଙ୍କର ଏଥିରେ କେହି ଦ୍ୱିମତ ନୁହନ୍ତି, କିନ୍ତୁ ଏଥିନେଇ ଉଚିତ ପଦକ୍ଷେପ ନେବାକୁ ସମସ୍ତେ ପଶ୍ଚାତ୍‌ପଦ। ଉଦାହରଣ ସ୍ବରୂପ, ଆମେରିକା ସମେତ କେତେକ ୟୁରୋପୀୟ ଦେଶଗୁଡ଼ିକରେ ମୁଣ୍ଡପିଛା ପ୍ରାକୃତିକ ସଂସାଧନ ଉପଯୋଗ ଅନେକ ବିକାଶଶୀଳ ଆଫ୍ରିକୀୟ ଦେଶ ତୁଳନାରେ ପ୍ରାୟ ୧୦ ଗୁଣ ଅଧିକ। ସେମାନେ ଦାୟିତ୍ୱବାନ୍‌ ହୋଇ ଏହା ହ୍ରାସ ନ କଲେ ସମସ୍ୟା ଗୁରୁତର ହୋଇଚାଲିବ। ଫଳରେ ଏବେ ଆରମ୍ଭ ହେବାକୁ ଲାଗିଥିବା ଷଷ୍ଠ ମହାବିଲୁପ୍ତି ପ୍ରକ୍ରୟାର ଆଗମନ ଦ୍ରୁତରୁ ଦ୍ରୁତତର ହେବ।
ମୋ-୯୯୩୭୯୮୫୭୬୭


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଖରାଦିନ ଆରମ୍ଭରୁ ବେଙ୍ଗାଲୁରୁ ଜଳ ସଙ୍କଟ ଏବେ ଚିନ୍ତାର ବିଷୟ ହୋଇଛି। ପରିସ୍ଥିତି ଏମିତି ଯେ ସେଠାରେ ଲୋକେ ସହର ଛାଡ଼ିବାକୁ ବାଧ୍ୟ ହେଉଛନ୍ତି। ଏହି...

ଅଦୃଶ୍ୟ ଶତ୍ରୁ

ମାୟାଧର ନାୟକ   ସତ୍ୟ, ତ୍ରେତୟା, ଦ୍ୱାପର, କଳିକାଳରେ ଯେତେ ଯୁଦ୍ଧ ହୋଇଯାଇଛି- ଶତ୍ରୁକୁ ଜାଣି ହେଉଥିଲା- କିନ୍ତୁ ଏ ମହାକଳିକାଳରେ ଅଜଣା ରୋଗ ଓ...

ଚୋରକୁ ବୁଦ୍ଧି

ଅଲେଖ ଚନ୍ଦ୍ର ମିଶ୍ର   ‘ଚୋରକୁ ବୁଦ୍ଧି ଶିଖେଇବା’ ଆପ୍ତବାଣୀଟି ଯେଉଁ ପୃଷ୍ଠଭୂମି ଉପରେ ଆଧାରିତ ତାହା ଥିଲା ଏକ ବାସ୍ତବଧର୍ମୀ କାହାଣୀ, ଯାହାର ମର୍ମ...

ଅପ୍ରକାଶ୍ୟ ଋଣ ସମସ୍ୟା

ଗତ କିଛି ବର୍ଷ ମଧ୍ୟରେ କୋଭିଡ୍‌-୧୯ ମହାମାରୀଠାରୁ ଆରମ୍ଭକରି ଉନ୍ନତ-ଅର୍ଥ ବ୍ୟବସ୍ଥାର ସୁଧ ହାର ବୃଦ୍ଧି ଭଳି ଘଟଣା ଭିନ୍ନ ସ୍ଥିତି ସୃଷ୍ଟି କରିଛି। ଏଥିରେ...

ଏଇ ଭାରତରେ

ଦେଶ ଗଠନରେ ଯୁବ ପ୍ରଶାସକଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଅନୁଭବ କରିଛନ୍ତି ୨୦୧୧ ବ୍ୟାଚ୍‌ ଭାରତୀୟ ରାଜସ୍ବ ସେବା(ଆଇଆର୍‌ଏସ୍‌) ଅଧିକାରୀ ରବି କପୁର। ସେ...

ରାମ ରାଜ୍ୟ ସମ୍ଭବ କି

ବୈକୁଣ୍ଠନାଥ ମିଶ୍ର   ଆଜିକାଲି ‘ଜୟ ଶ୍ରୀରାମ’ ଉଚ୍ଚାରଣ କରି ବନ୍ଧୁଙ୍କୁ ପ୍ରଥମ ସାକ୍ଷାତରେ ସମ୍ଭାଷିତ କରିବାର ଅଭିନବ ପରମ୍ପରା ସର୍ବତ୍ର ପରିଦୃଷ୍ଟ। ବନ୍ଧୁଙ୍କୁ ସମ୍ଭାଷଣ...

ମତଦାତାଙ୍କ ବୁଦ୍ଧି ବିମୂଢ଼ତା

ଡ.ଛାୟାକାନ୍ତ ଷଡ଼ଙ୍ଗୀ   ସମ୍ପ୍ରତି ଭାରତ ତଥା ବିଭିନ୍ନ ପ୍ରଦେଶରେ ରାଜନୀତିର ବିଚିତ୍ର ଗତି ଦେଖି ମତଦାତାମାନେ ଉଇଲିଅମ ଜେମ୍‌ସଙ୍କ ଭଳି ସମସ୍ୟାର ସମ୍ମୁଖୀନ ହେଲେଣି।...

ବୁଝିହେଉଛି

ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌) ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ୍‌ କେଜ୍‌ରିଓ୍ବାଲଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗିରଫ କରି ଆସନ୍ତା ୨୮ ତାରିଖ ପର୍ଯ୍ୟନ୍ତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri