ବୃଦ୍ଧାଶ୍ରମ ବନାମ ଯୌଥ ପରିବାର

ଯୌଥ ପରିବାର ଆମ ସଂସ୍କୃତି, ଯେଉଁଠି ଅନ୍ୟୁନ ତିନି ପିଢ଼ିର ସଦସ୍ୟ ଏକତ୍ର ସହାବସ୍ଥାନ କରିଥାନ୍ତି। ପରିବାରର ବୟସ୍କ ବ୍ୟକ୍ତିଙ୍କୁ ମୁଖ୍ୟ ଭାବେ ଗ୍ରହଣ କରାଯାଏ। ତାଙ୍କର ଅଭିଜ୍ଞତାସମ୍ପନ୍ନ ପରାମର୍ଶ ଓ ସୁଚିନ୍ତିତ ନିଷ୍ପତ୍ତି ଘରର ପ୍ରତ୍ୟେକଙ୍କ ପାଇଁ ସମାନ ଏବଂ ସମସ୍ତ ସମସ୍ୟା ସମାଧାନ ପାଇଁ ସହାୟକ ହୋଇଥାଏ। ପରସ୍ପର ପ୍ରତି ନିରନ୍ତର ସ୍ନେହ ସହଯୋଗ ରହିଥିବା ସେପରି ପରିବାରକୁ ବୈକୁଣ୍ଠ ସହ ତୁଳନା କରାଯାଏ। ସେହି ପରିବାରର ପ୍ରତ୍ୟେକ ସଦସ୍ୟ ସମ୍ପୂର୍ଣ୍ଣ ପରିବାରକୁ ନିଜର ମନେକରି ଥାଆନ୍ତି। ଆଗେ ବିଦ୍ୟାଳୟ ପାଠ୍ୟକ୍ରମରେ ଯୌଥ ପରିବାରର ସକାରାତ୍ମକ ଦିଗ ଆଧାରିତ ଗଳ୍ପ ଓ ଉଦାହରଣ ସ୍ଥାନ ପାଉଥିଲା, ଯାହା ସ୍ପଷ୍ଟ କରେ ଯେ ଏହା ଆମର ପରମ୍ପରା ମଧ୍ୟ ଥିଲା। ସ୍ବାର୍ଥ, ତ୍ୟାଗ ଓ ସାମୂହିକ ସଦିଚ୍ଛା, ପାରସ୍ପରିକ ସହଯୋଗ ହେଉଛି ଯୌଥ ପରିବାରର ମୂଳମନ୍ତ୍ର। ବହୁବର୍ଷ ପୂର୍ବରୁ ଗ୍ରାମରେ କେହି ପରିବାରରୁ ଭିନ୍ନ ହେଲେ ସମାଜ ଆଖିରେ ନିନ୍ଦିତ ହେଉଥିଲା। ସମୟକ୍ରମେ ଯେଉଁମାନେ ରୋଜଗାର ଉଦ୍ଦେଶ୍ୟ ବା ଚାକିରି ପାଇ ସହରାଭିମୁଖୀ ହେଲେ ତନ୍ମଧ୍ୟରୁ ଅନେକେ ଅତ୍ୟନ୍ତ ସାର୍ଥପର ହୋଇଗଲେ। ନିଜର ଗୋଟିଏ ବା ଦୁଇଟି ସନ୍ତାନଙ୍କୁ ଉଚ୍ଚଶିକ୍ଷା ଦେଇ ସମାଜରେ ପ୍ରତିଷ୍ଠିତ କରାଇବା ଇଚ୍ଛା ସେମାନଙ୍କୁ ନିଜ ବାପା ମା’ଙ୍କଠାରୁ ଦୂରେଇ ଦେଲା।
ବୟସର ଅପରାହ୍ନ ଛୁଇଁ ସାରିଥିବା ପ୍ରତ୍ୟେକ ବ୍ୟକ୍ତି ପରିବାର ସଦସ୍ୟମାନଙ୍କ ସେବା ସହାୟତା ଆଶା କରିଥାନ୍ତି। ତାହା ଯୋଗାଇଦେବା ଆମର ସାମାଜିକ କର୍ତ୍ତବ୍ୟ ମଧ୍ୟ। କିନ୍ତୁ ଯେଉଁମାନେ ଅତୀତରେ ବୃଦ୍ଧ ବାପା ମା’ ଓ ପରିବାରର ଅନ୍ୟ ସଦସ୍ୟଙ୍କୁ ଗାଁରେ ଛାଡ଼ି ସହରକୁ ଆସିଥିଲେ ଏବେ ସେମାନଙ୍କ ପୁଅ ଝିଅ ଉଚ୍ଚ ବେତନ ପାଇଁ ବାପା ମାଆଙ୍କଠାରୁ ବହୁଦୂର ବା ବିଦେଶରେ ନିଜକୁ ପ୍ରତିଷ୍ଠିତ କରିଛନ୍ତି ଏବଂ ସେମାନେ ବୟସର ଅପରାହ୍ନରେ ସ୍ବକର୍ମ ଅର୍ଜିତ ଫଳ ସ୍ବରୂପ ଅଧିକ ନିଃସଙ୍ଗ ଜୀବନ ବିତାଉଛନ୍ତି। ଗାଁରେ ସେମାନଙ୍କ ବାପା ମା’ଙ୍କୁ ପରିବାରର ଅନ୍ୟ ସଦସ୍ୟ, ଗ୍ରାମବାସୀଙ୍କ ସହଯୋଗ ମିଳୁଥିଲା; ଯାହାକି ସହରରେ ପାଇବା ସମ୍ଭବ ନୁହେଁ। ଏହା ପାଶ୍ଚାତ୍ୟ ସଭ୍ୟତା ଅନୁକରଣର କରୁଣ ପରିସ୍ଥିତି। ପ୍ରଯୁକ୍ତି ବିଦ୍ୟାର ଉନ୍ନତି ଯୋଗୁ ସେମାନେ କେବଳ ନିଜ ପୁଅ ବୋହୂ ବା ନାତି ନାତୁଣୀଙ୍କ ସହ ସମ୍ପର୍କ ଦୃଶ୍ୟ ଶ୍ରାବ୍ୟରେ ସୀମିତ ରଖି ଆତ୍ମସନ୍ତୋଷ ପାଉଛନ୍ତି। କିନ୍ତୁ ସେମାନଙ୍କ ଅନ୍ତର୍ବେଦନା ନା କହିପାରୁଛନ୍ତି ନା ସହିପାରୁଛନ୍ତି। ପୁଅ ବୋହୂଙ୍କ ସେବାରୁ ବଞ୍ଚିତ ଯୋଗୁ ସେମାନେ ଭଡ଼ା ସେବିକାଙ୍କୁ ନିଯୁକ୍ତ କରୁଛନ୍ତି। କିଛି ଶାରୀରିକ ଅସୁସ୍ତ ବ୍ୟକ୍ତିଙ୍କ ଠିକଣା ଜରାଶ୍ରମ ହୋଇଯାଇଛି। ଏହା ଯୋଗୁ ସେବା ଯୋଗାଣ ଓ ଜରାଶ୍ରମ ମଧ୍ୟ କିଛି ବ୍ୟକ୍ତିଙ୍କ ପାଇଁ ଆୟକାରୀ ବ୍ୟବସାୟ ହୋଇଯାଇଛି। ଏଥିପାଇଁ ରାଜ୍ୟ ଓ ବିଦେଶୀ ସହାୟତା ମିଳୁଥିବା ଜଣାଯାଏ। ଏବେ ସରକାର ପ୍ରତ୍ୟେକ ବ୍ଲକରେ ବୃଦ୍ଧାଶ୍ରମ ଖୋଲିବାକୁ ନିଷ୍ପତ୍ତି ନେଇଥିବାର ଖବର ପ୍ରକାଶ ପାଇଛି। ଏଠାରେ ପ୍ରଶ୍ନ ଆସେ ଯେ ବୃଦ୍ଧାଶ୍ରମ କାହିଁକି ଓ କାହାପାଇଁ? ଆମ ପୁରାଣ ବା ଧର୍ମଶାସ୍ତ୍ରରେ ଜରାଶ୍ରମର ସୂଚନା ନାହିଁ। ଦେଶ ସ୍ବାଧୀନତାର ୭୫ବର୍ଷ ପାଳନ କରୁଥିବା ବେଳେ ଆମର ସଂସ୍କୃତିସମ୍ପନ୍ନ ରାଜ୍ୟରେ ପରମ୍ପରା ପରିବର୍ତ୍ତେ ପାଶ୍ଚାତ୍ୟ ସଭ୍ୟତାକୁ ଆପଣାଇ ଜରାଶ୍ରମ ବ୍ୟବସ୍ଥା ଅନେକ ବୟସ୍କଙ୍କୁ ସେମାନଙ୍କ ପରିବାରରୁ ନିଶ୍ଚିତ ଦୂରେଇ ଦେବ ଏବଂ ଆଧୁନିକତାକୁ ଆଦରି ଗୁରୁଜନଙ୍କ ସେବା ପ୍ରତି ବିମୁଖ ହେଉଥିବା ପୁଅ ବୋହୂଙ୍କ ପାଇଁ ସୁଯୋଗ ସୃଷ୍ଟି କରିବ।
ଆମର ଲୋକ ଚରିତ୍ର ଏତେ କଳୁଷିତ ଯେ ଏହି ବ୍ୟବସ୍ଥା ପାରିବାରିକ କଳହ, ବୟସ୍କ ବ୍ୟକ୍ତିଙ୍କୁ ଉଦ୍ଦେଶ୍ୟମୂଳକ ଅବହେଳା ଓ ନିର୍ଯାତନାର କାରଣ ହେବ। ଏହା ମଧ୍ୟ ସରକାରଙ୍କ ନିଜ ନିୟମର ପରିପନ୍ଥୀ ହେବ। କାରଣ ଆମ ରାଜ୍ୟରେ ମାତାପିତା ଏବଂ ବରିଷ୍ଠ ନାଗରିକଙ୍କ ଚଳଣି ଓ କଲ୍ୟାଣ ନିୟମ ୨୦୦୯ ବଳବତ୍ତର ରହିଛି। ବରଂ ସେଇ ନିୟମକୁ କଡ଼ାକଡ଼ି ଭାବେ ଲାଗୁ କରାଯାଇ ଅବହେଳା କରୁଥିବା ରୋଜଗାରକ୍ଷମ ପୁଅମାନଙ୍କୁ ଚିହ୍ନଟ ଓ କାର୍ଯ୍ୟାନୁଷ୍ଠାନ ଅନେକ ବୃଦ୍ଧାବୃଦ୍ଧଙ୍କୁ ସନ୍ତୁଷ୍ଟ କରାଇବ। ସରକାର ଏହା ପରିବର୍ତ୍ତେ ବାର୍ଦ୍ଧକ୍ୟକୁ ରାଜନୈତିକ ଅସ୍ତ୍ରକରି ସେମାନଙ୍କ ପାଇଁ ଯେଉଁ ଭତ୍ତା ବ୍ୟବସ୍ଥା କରିଛନ୍ତି ତାହା ଅନେକଙ୍କ ପାଇଁ ନିର୍ଦ୍ଦିଷ୍ଟ ଆୟ ହୋଇଥିବାବେଳେ ପ୍ରକୃତ ନିରାଶ୍ରୟମାନଙ୍କ ଲାଗି ପର୍ଯ୍ୟାପ୍ତ ହେଉନାହିଁ। ଏଯାବତ୍‌ ରାଜ୍ୟରେ ୪୪ଲକ୍ଷ ବୃଦ୍ଧାବୃଦ୍ଧଙ୍କୁ ବାର୍ଦ୍ଧକ୍ୟ ଭତ୍ତା ଦିଆଯାଇଛି। ୧୯୮୭ରେ ରାଜ୍ୟରେ ୬୦ ବର୍ଷରୁ ଊଦ୍ଧର୍‌ବ ନିରାଶ୍ରୟ ବୃଦ୍ଧାବୃଦ୍ଧ ଓ ବିଧବାଙ୍କ ସହାୟତା ପାଇଁ ଭତ୍ତା ବ୍ୟବସ୍ଥା କରାଯାଇଥିଲା। ମାସିକ ୪୦ଟଙ୍କା ଓ ପରେ ୬୦ଟଙ୍କାର ଏହି ଭତ୍ତା ସ୍ଥାନୀୟ ତହସିଲଦାରଙ୍କ ଦ୍ୱାରା ନିୟନ୍ତ୍ରିତ ହେଉଥିବାରୁ ବ୍ୟବସ୍ଥାରେ ସ୍ବଚ୍ଛତା ଥିଲା। ୧୯୯୦ ରେ ରାଜ୍ୟରେ ଜନତାଦଳ ସରକାର ଗଠିତ ହେଲା। ମୁଖ୍ୟମନ୍ତ୍ରୀ ବିଧବାଙ୍କର ବୟସ ନ ଥାଏ କହି ପ୍ରତି ବିଧବାଙ୍କୁ ଏହି ସହାୟତା ଘୋଷଣା କଲେ ଏବଂ ଯୋଜନା ବ୍ଲକ ପ୍ରଶାସନ ଅଧୀନକୁ ଆସିଲା। ତା’ପରେ ପ୍ରତିମାସରେ ଅସହାୟଙ୍କ ସଂଖ୍ୟା ବଢିଚାଲିଲା। ଏଯାବତ୍‌ ଏହି ଯୋଜନାରେ ହିତାଧିକାରୀ ଅପେକ୍ଷା ଅଧିକ ଉପକୃତ ହୋଇଛନ୍ତି ଅନେକ ଦଲାଲ ଓ ଭତ୍ତା ବଣ୍ଟନ ଦାୟିତ୍ୱରେ ଥିବା କର୍ମଚାରୀ। ଅନେକ ସମୟରେ ଏଥିରେ ପାରିବାରିକ ଅଶାନ୍ତି ଦାପ୍ତରିକ କେଳେଙ୍କାରୀ, ମୃତ ବ୍ୟକ୍ତିଙ୍କୁ ଭତ୍ତା ବଣ୍ଟନ ଭଳି ରୋଚକ ଖବର ଗଣମାଧ୍ୟମରେ ପ୍ରକାଶ ପାଇଆସୁଛି। ଏପରି କି ରୋଜଗାରକ୍ଷମ ପୁଅମାନେ ମା’ ବାପାଙ୍କ ଭତ୍ତା ପାଇଁ ବହୁ ହଜାର ଅର୍ଥ ବ୍ୟୟ କରି ହାଇକୋର୍ଟରେ ମାମଲା ବି କରୁଛନ୍ତି। ଏବେ ପ୍ରତ୍ୟେକ ହିତାଧିକାରୀଙ୍କୁ ମାସିକ ୫୦୦ ଟଙ୍କା ଏବଂ ୮୦ବର୍ଷରୁ ଊଦ୍ଧର୍‌ବ ବ୍ୟକ୍ତିଙ୍କୁ ମାସିକ ୭୦୦ ଟଙ୍କା ଭତ୍ତା ଦିଆଯାଉଛି। ଏଥିପାଇଁ ୪୪ଲକ୍ଷ ହିତାଧିକାରୀଙ୍କ ଲାଗି ମାସିକ ୨୪୦ କୋଟି ଟଙ୍କା ଖର୍ଚ୍ଚ ହେଉଛି। କିନ୍ତୁ ଯଦି ନିରପେକ୍ଷ ତଦନ୍ତ କରାଯାଇ ରୋଜଗାରକ୍ଷମ ପୁଅ ଥିବା ବ୍ୟକ୍ତିଙ୍କ ଭତ୍ତା ପ୍ରତ୍ୟାହାର ଏବଂ ସେଇ ପୁଅମାନଙ୍କୁ ସମସ୍ତ ସରକାରୀ ସୁଯୋଗରୁ ବଞ୍ଚିତ କରି ପୂର୍ବୋକ୍ତ ନିୟମକୁ କଡ଼ାକଡ଼ି ଭାବେ ଲାଗୁ କରାଯାଏ ତେବେ ପ୍ରକୃତ ଓ ଯୋଗ୍ୟ ହିତାଧିକାରୀଙ୍କ ସଂଖ୍ୟା ୨୦ ବା ୩୦ଶତାଂଶକୁ ହ୍ରାସ ପାଇବ। ସରକାର ବୃଦ୍ଧାଶ୍ରମ ଖୋଲିବା ପରିବର୍ତ୍ତେ ଯୌଥ ପରିବାର ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କଲେ ସମାଜରେ ବୃଦ୍ଧାବୃଦ୍ଧମାନେ ଅବହେଳିତ ହେବେ ନାହିଁ। ବରଂ ଏହା ଭବିଷ୍ୟତ ପାଇଁ ଉଦାହରଣ ହୋଇଯିବ।

  • ହରିଶଙ୍କର ମିଶ୍ର
    ୧୧୩, ଗୁଣ୍ଡିଚା ବିହାର, ପୁରୀ
    ମୋ: ୭୯୭୮୭୮୫୪୭୮

Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଭାରତର ବିଭିନ୍ନ ଅଞ୍ଚଳର ବସ୍‌ଷ୍ଟାଣ୍ଡ, ରେଳ ଲାଇନ, ମନ୍ଦିର ପାଖ ଏବଂ ହସ୍ପିଟାଲରେ ଅନେକ ଲୋକଙ୍କର ମୃତ୍ୟୁ ଘଟୁଛି, ଯାହାଙ୍କର କେହି ଦାବିଦାର ନ ଥାନ୍ତି। ତେବେ…

ମହାକାଶ ସାମରିକୀକରଣ

ମହାକାଶ ଯୁଗର ଆରମ୍ଭ ଅକ୍ଟୋବର ୪, ୧୯୫୭ରେ ହେଲା ବୋଲି କୁହାଯାଏ। କାରଣ ସେ ଦିନ ତଦାନିଂତନ ସୋଭିଏଟ୍‌ ୟୁନିୟନ ପ୍ରଥମ କୃତ୍ରିମ ଉପଗ୍ରହ ‘ସ୍ପୁଟନିକ୍‌-୧’କୁ ପୃଥିବୀ…

ଦକ୍ଷତା

ଥରେ ନୌକାରେ ବସି ଜଣେ ପଣ୍ଡିତ ନଦୀ ପାର ହେଉଥାନ୍ତି। ତାଙ୍କ ମୁହଁରେ ବେଦ ଶାସ୍ତ୍ର ପୁରାଣ ଆଦି ସବୁ ମୁଖସ୍ଥ ହୋଇ ରହିଥାଏ। ନଦୀ ପାରହେବା…

ମୃତ୍ୟୁଶଯ୍ୟାରେ ମୁକ୍ତ ବିଶ୍ୱ

ଶୀତଳଯୁଦ୍ଧକୁ ଯେଉଁମାନେ ମନେରଖିଛନ୍ତି, ସେମାନେ ମୁକ୍ତ ବିଶ୍ୱ (ଶୀତଳ ଯୁଦ୍ଧ ପରିପ୍ରେକ୍ଷୀରେ ମିତ୍ର ଦେଶ, ପାଶ୍ଚାତ୍ୟ ଗୋଷ୍ଠୀ ଓ ମେଣ୍ଟ ସହ ସମ୍ବନ୍ଧିତ ଦେଶସମୂହ) ନାମକ ଏକ…

ରୋପଣ ଓ ରକ୍ଷଣ ଗୁରୁତ୍ୱପୂର୍ଣ୍ଣ

ଏକ ବାସ୍ତବ କାହାଣୀ ଅବତାରଣା କରୁଛି। ଗୋଟିଏ ଅନୁଷ୍ଠାନରେ ଧରିତ୍ରୀ ଦିବସରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ହେଉଥାଏ। କାର୍ଯ୍ୟାଳୟର ଅଧିକାରୀମାନେ ଉପସ୍ଥିତ ଥାଆନ୍ତି। ସେମାନଙ୍କୁ ସହଯୋଗ କରିବା…

ଅଦେଖା ଆଖି

ଆଜିକାଲି ସୁବିସ୍ତୃତ ଭୂମି ଉପରେ କିଛି ଅଧିକୃତ ସ୍ଥାନରେ କାହିଁ କେତେ ବାସଗୃହ ନିର୍ମିତ ହୋଇଛି ଏବଂ ହେଉଛି ମଧ୍ୟ। କେଉଁଠି ବାସଗୃହ ବା ଘରଟି ଏକ…

ପୃଥୁଙ୍କ ଗାଈ, ଅଶୋକଙ୍କ ସିଂହ

ପ୍ରାୟ ଏକ ହଜାର ବର୍ଷ ପୂର୍ବେ ରାଜଶେଖର ‘କାବ୍ୟମୀମାଂସା’ ରଚନା କରିଥିଲେ। ସେତେବେଳେ ଆର୍ଯ୍ୟାବର୍ତ୍ତ ହିମାଳୟଠାରୁ ବିନ୍ଧ୍ୟ ପର୍ବତମାଳା ପର୍ଯ୍ୟନ୍ତ ବିସ୍ତୃତ ଥିଲା। ପୂର୍ବ ଓ ପଶ୍ଚିମ…

ଦୟନୀୟ ଶିକ୍ଷା ଅବସ୍ଥା

ବିଦ୍ୟାଳୟରେ ଅଧ୍ୟୟନରତ ଅଧିକାଂଶ ଛାତ୍ରୀଛାତ୍ର ନିଜ ନାମ ଠିକ୍‌ ରୂପେ ଲେଖିପାରନ୍ତି ନାହିଁ’- ଏହି ତଥ୍ୟ ପ୍ରକାଶ କରିଛନ୍ତି ମହାଲେଖା ନିୟନ୍ତ୍ରକ ବା ସିଏଜି। କାହାକୁ ଦୋଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?