ଇତିହାସର ଆଇନାରେ ଓଡ଼ିଶା

ଡ.ପ୍ରଫୁଲ୍ଲ କୁମାର ସାହୁ

 

ପୁଣ୍ୟତୋୟା ପୁଣ୍ୟଭୂମି ଉତ୍କଳ। ବୀର ଓ ବଳିଦାନର ମାଟି। ଇତିହାସ କହେ ଖ୍ରୀଷ୍ଟପୂର୍ବ ତୃତୀୟ ଶତାବ୍ଦୀରେ ମୌର୍ଯ୍ୟ ସମ୍ରାଟ ଅଶୋକଙ୍କ ସହିତ ଯୁଦ୍ଧ କରି ଅସାଧାରଣ ବୀରତ୍ୱର ପରାକାଷ୍ଠା ପ୍ରଦର୍ଶନ କରିଥିଲା ଏହି ଲଢୁଆ ଜାତି। ବ୍ରିଟିଶ ସହିତ ସେ ଶେଷ ପର୍ଯ୍ୟନ୍ତ ପ୍ରାଣମୂର୍ଚ୍ଛା ଲଢିଥିଲା ଏବଂ ପରାଧୀନ ହୋଇଥିଲା ସବା ଶେଷରେ। ସିପାହି ବିଦ୍ରୋହ(୧୮୫୭)ର ଅର୍ଦ୍ଧଶତାବ୍ଦୀ ପୂର୍ବରୁ(୧୮୧୭) ଏ ମାଟିର ବୀର ପାଇକ ବଜେଇ ସାରିଥିଲେ ବ୍ରିଟିଶ ବିରୋଧୀ ବିଗୁଲ।
ଭାରତୀୟ ମୁକ୍ତି ସଂଗ୍ରାମ ଇତିହାସର ପ୍ରଥମ ଶହୀଦ ହେଉଛନ୍ତି ଓଡ଼ିଆ ଅସ୍ମିତା ଓ ବୀରତ୍ୱର କିମ୍ବଦନ୍ତୀ ପୁରୁଷ ଜୟୀ ରାଜଗୁରୁ, ଯେଉଁ ମହାନ୍‌ ଦେଶଭକ୍ତଙ୍କୁ ବାଘିତୋଟା ବରଗଛ ଡାଳରେ ବାନ୍ଧି ଇଂରେଜମାନେ ହତ୍ୟା କରିଥିଲେ(୧୮୦୬) ଅତି ବର୍ବରୋଚିତ ଭାବରେ। ଖୋର୍ଦ୍ଧା ମାଟିର ମହାନ୍‌ ଯୋଦ୍ଧା ସମ୍ବଳ କେଶରୀ ବୀର ସୁରେନ୍ଦ୍ର ସାଏ। ଇଂରେଜମାନଙ୍କ ବିରୋଧର ଲଢେଇ କରି କାରାବରଣ କରିଛନ୍ତି (ଦୀର୍ଘ ୩୬ ବର୍ଷ) ସର୍ବାଧିକ କାଳ। ଭାରତୀୟ ମୁକ୍ତି ସଂଗ୍ରାମ ଇତିହାସର ସର୍ବକନିଷ୍ଠ ଶହୀଦ ଢେଙ୍କାନାଳର ବାଜି ରାଉତ। ମୁକ୍ତି ସଂଗ୍ରାମ ଇତିହାସର ଅନ୍ତିମ ପର୍ଯ୍ୟାୟ ଭାରତଛାଡ ଆନ୍ଦୋଳନ(୧୯୪୨)ରେ ଓଡ଼ିଶା ଯୋଡିଛି ବୀରତ୍ୱ ଓ ବଳିଦାନର ସ୍ବତନ୍ତ୍ର ଅଧ୍ୟାୟ। ପଞ୍ଜାବର ଜାଲିଆନାୱାଲାବାଗ ପରେ ଓଡ଼ିଶାର ରକ୍ତତୀର୍ଥ ଇରମ ହେଉଛି ବଳିଦାନର ଦ୍ବିତୀୟ ସ୍ଥାନ, ଯେଉଁଠି ଗୋଟିଏ ଦିନରେ ପୋଲିସ ଗୁଳିରେ ଆତ୍ମବଳି ଦେଇଛନ୍ତି ୨୯ ଜଣ ଶହୀଦ।
ଓଡ଼ିଆ ଜାତି ଯେମିତି ଲଢୁଆ ସେମିତି ସାହସୀ। ଏକ ବାଣିଜ୍ୟ ସମୃଦ୍ଧ ଜାତି ଭାବରେ ସେ ବିଶ୍ବବିଦିତ। ଭାରତର ଅନେକ ରାଜ୍ୟ ବଙ୍ଗୋପସାଗର ଉପକୂଳରେ ଅବସ୍ଥିତ ଥିଲେ ମଧ୍ୟ କେବଳ କଳିଙ୍ଗର ସାଧବପୁଅ ସାଗରକୁ ସାମ୍ରାଜ୍ୟରେ ପରିଣତ କରିଥିଲା ଏବଂ ସେହି କାରଣରୁ ସାଗରାଧିପତି ଭାବରେ ପରିଚିତ ଥିଲେ ଶ୍ରୀବିଜୟ ସାମ୍ରାଜ୍ୟର ଓଡ଼ିଆ ବଂଶୋଦ୍ଭବ ଶୈଳେନ୍ଦ୍ର ରାଜନ୍ୟବର୍ଗ। ପ୍ରାଚୀନ ବୌଦ୍ଧଶାସ୍ତ୍ର ‘ଆର୍ଯ୍ୟ ମଞ୍ଜୁଶ୍ରୀ ମୂଳକଳ୍ପ’ରେ ବଙ୍ଗୋପସାଗରକୁ କଳିଙ୍ଗସାଗର ବୋଲି କୁହାଯାଉଛି ଏବଂ ରଘୁବଂଶ କାବ୍ୟରେ କଳିଙ୍ଗର ସାଧବପୁଅକୁ ମହୋଦଧିପତି ଭାବରେ ଅଭିହିତ କରିଛନ୍ତି ମହାକବି କାଳିଦାସ। ନାଟ୍ୟାଚାର୍ଯ୍ୟ ବିଶ୍ବନାଥ କବିରାଜ ମଧ୍ୟ ଓଡ଼ିଆ ଜାତିର ସାହସ ଓ ବୀରତ୍ୱରେ ଅଭିଭୂତ ହୋଇ ‘ସାହିତ୍ୟ ଦର୍ପଣ’ରେ ଲେଖିଛନ୍ତି କଳିଙ୍ଗା ସାହସିକାଃ। କେବଳ ବଙ୍ଗୋପସାଗର ନୁହେଁ,ଭାରତ ମହାସାଗର ଓ ଆରବ ସାଗର ମଧ୍ୟ ଭାରତ ପାଇଁ ଥିଲା ବିଶ୍ବ ସମ୍ପର୍କ ଓ ସମନ୍ବୟର ଏକ ଏକ ଦ୍ବାର। ଐତିହାସିକ କାଭାଲମ ମାଧବ ପାନିକର ତାଙ୍କ ‘ଇଣ୍ଡିଆ ଏଣ୍ଡ ଇଣ୍ଡିଆନ ଓସେନ’ ପୁସ୍ତକରେ ଲେଖିଛନ୍ତି- ”ଅନ୍ୟମାନଙ୍କ ସକାଶେ ଭାରତ ମହାସାଗର କେବଳ ବିସ୍ତୃତ ଜଳରାଶି ହୋଇଥିବା ବେଳେ ଭାରତ ପାଇଁ ଏହା ଜୀବନରେଖା। ଏହାର ପ୍ରତିଟି ଜଳବିନ୍ଦୁରେ ଭାରତୀୟ ସଂସ୍କୃତି ଓ ପରମ୍ପରା ବିଦ୍ୟମାନ। ସେଥିପାଇଁ ଏହାର ନାମ ଭାରତ ମହାସାଗର।“ ଜଳ ଉପରେ ଭାସମାନକ୍ଷମ କାଠ ଚିହ୍ନଟ ଓ ତା’ର ସ୍ଥାୟିତ୍ୱକୁ ନେଇ ଦୀର୍ଘ ଅଭିଜ୍ଞତା ରଖିଥିବା କଳିଙ୍ଗର ତତ୍କାଳୀନ ବର୍ଦ୍ଧକୀକୁ ଜଣାଥିଲା ବୋଇତ ନିର୍ମାଣର ସ୍ବଦେଶୀ ଜ୍ଞାନକୌଶଳ। ସଂସ୍କୃତ ଭାଷାରେ ରଚିତ ‘ଯୁକ୍ତିକଳ୍ପ’ ନିୟମ ଆଧାରରେ ଏକାଧିକ ନୌକାକୁ ଯୋଡି ସେ ବିଶାଳକାୟ ଓ ସୁଦୃଶ୍ୟ ବୋଇତ ନିର୍ମାଣ କରିପାରୁଥିଲା,ଯାର ବିସ୍ତୃତ ବର୍ଣ୍ଣନା ରହିଛି ପଣ୍ଡିତ ନୃସିଂହ ରାୟଗୁରୁଙ୍କ ‘ଅର୍ଣ୍ଣବ ବିହାର’ ଓ କହ୍ନେଇବର ଚମ୍ପତ୍ତି ରାୟ ଚୁଡାମଣିଙ୍କ ରଚିତ ‘ପାଇକ ଖେଦାରେ’। ନୌବାଣିଜ୍ୟ ଦ୍ବାରା ଓଡ଼ିଶା ଯେ କେବଳ ଆର୍ଥିକ ସମୃଦ୍ଧି ଲାଭ କରିଥିଲା ତା ନୁହେଁ, ଇଣ୍ଡୋନେସିଆ, ବ୍ରହ୍ମଦେଶ ଓ ମାଳୟ ଆଦି ପୂର୍ବାଞ୍ଚଳ ଦ୍ବୀପପୁଞ୍ଜରେ ପ୍ରତିଷ୍ଠା ହୋଇ ପାରିଥିଲା ଭାରତୀୟ ଉପନିବେଶ। ଆନ୍ତର୍ଜାତିକ ସ୍ତରରେ ପ୍ରତିଷ୍ଠା ହୋଇ ପାରିଥିଲା ଓଡ଼ିଶାର କଳା, ସଂସ୍କୃତି ଓ ପରମ୍ପରା। ବିଶିଷ୍ଟ ଲେଖକ ମନୋଜ ଦାସ ତାଙ୍କର ଭ୍ରମଣ କାହାଣୀ ‘ଇଣ୍ଡୋନେସିଆ ଅନୁଭୂତି’ରେ ଲେଖିଛନ୍ତି-”ଯେଉଁଠି ଦୁର୍ଦ୍ଧର୍ଷ ଶିଳାଗୁଳ୍ମ ଉପରେ ଅଦମନୀୟ ଲହରି ସବୁ ଭାଙ୍ଗି ପଡୁଛି, ସେଇଠି ଦିନେ ଲଙ୍ଗର ତୋଳୁଥିଲା କଳିଙ୍ଗର ସାହସୀ ସାଧବପୁଅର ପୋତ“। ପ୍ରଖ୍ୟାତ ଫରାସୀ ବିଦ୍ବାନ ସାଲଭାଇନ ଲେଭି ‘ଦି ଥିଏଟର୍ସ ଅଫ୍‌ ଇଣ୍ଡିଆ’ ପୁସ୍ତକରେ ଲେଖିଛନ୍ତି-ପ୍ରାଚୀନ ଭାରତୀୟମାନେ ମାରଣାସ୍ତ୍ର ଧରି ଦରିଆପାରି ରାଷ୍ଟ୍ରରେ ପ୍ରବେଶ କରି ନ ଥିଲେ। ନିଜ କଳା, ସାହିତ୍ୟ, ଧର୍ମ, ସଂସ୍କୃତିର ମହତ୍ତ୍ୱ ଥିଲା ସେମାନଙ୍କ ମୂଳମନ୍ତ୍ର, ଯାହା ଶାନ୍ତି ଓ ଭ୍ରାତୃଭାବ ଉପରେ ପ୍ରତିଷ୍ଠିତ। ଇତିହାସର ଖ୍ୟାତନାମା ବିଦ୍ବାନ ଜର୍ଜ ସେଜେସ ‘ଇଣ୍ଡିଆନାଇଜଡ ଷ୍ଟେଟ୍ସ ଅଫ୍‌ ସାଉଥ ଏସିଆ’ ପୁସ୍ତକରେ କହନ୍ତି- ବାଣିଜ୍ୟ କରିବାକୁ ଆସି ଭାରତୀୟମାନେ ବିନା ରକ୍ତପାତରେ ଯେପରି ସାମ୍ରାଜ୍ୟ ବିସ୍ତାର କଲେ ତାହା ବିଶ୍ବ ଇତିହାସରେ ବିରଳ।
ସ୍ଥାପତ୍ୟ କଳା ପାଇଁ ଓଡ଼ିଆ ଜାତି ବିଶ୍ବବିଖ୍ୟାତ। ଯାହାର ନିଦର୍ଶନ ହେଉଛି ଏକାମ୍ର କାନନର ଲିଙ୍ଗରାଜ ମନ୍ଦିର, ଶ୍ରୀକ୍ଷେତ୍ରର ଜଗନ୍ନାଥ ମନ୍ଦିର ଓ ଅର୍କକ୍ଷେତ୍ରର କୋଣାର୍କ ମନ୍ଦିର। କୋଣାର୍କ କେବଳ ଧର୍ମ, ଅର୍ଥ ଓ ପରମାର୍ଥର ତୀର୍ଥସ୍ଥଳୀ ନୁହେଁ,ଏହା ଅମ୍ଳାନ ସୌନ୍ଦର୍ଯ୍ୟର ଏକ ନନ୍ଦନବନ। ରମ୍ୟ କଳାର ଚାରୁ ଚିତ୍ରଶାଳା। କବି ଦୃଷ୍ଟିରେ ଏହା ପ୍ରସ୍ତର ଗାତ୍ରରେ ଲିଖିତ ଏକ ମହାକାବ୍ୟ। ବିଶ୍ବକବି ରବୀନ୍ଦ୍ରନାଥଙ୍କ ଭାଷାରେ ପଥର ଏଠି ମଣିଷଠାରୁ ଅଧିକ ମୁଖର। ତା’ର ଯୁଗୋତୀର୍ଣ୍ଣ କଳା ନୈପୁଣ୍ୟକୁ ନେଇ ଲେଖା ଯାଇଛି ଅନେକ କାବ୍ୟ କବିତା। ‘ଧର୍ମପଦ’ କାବ୍ୟରେ ପଣ୍ତିତ ଗୋପବନ୍ଧୁ ଦାସ କିମ୍ବଦନ୍ତୀକୁ ଆଧାର କରି ତ୍ୟାଗର ଯେଉଁ ଆଦର୍ଶ ସୃଷ୍ଟି କରିଛନ୍ତି ତା’ ଭିତରେ ଝଟକି ଉଠୁଛି ଓଡ଼ିଆ ଜାତିର ବିଶ୍ବମୟ ଭାବନା। କୋଣାର୍କକୁ ଯିଏ ଯେଉଁ ଦୃଷ୍ଟିରେ ଦେଖୁନା କାହିଁକି, କଳିଙ୍ଗର ସ୍ଥାପତ୍ୟ ଧାରାରେ ତା’ର ସ୍ଥାନ କେବଳ ଶୀର୍ଷରେ ନୁହେଁ, ବରଂ ବିଶ୍ବର ବିସ୍ମୟ।
ଏକ ସ୍ବାଭିମାନୀ ଜାତି ଭାବରେ ଓଡ଼ିଆର ଥିଲା ଏକ ବିଶେଷ ପରିଚୟ। ସ୍ବାଭିମାନ ତା’ ଭିତରେ ଭରିଥିଲା ମର୍ଯ୍ୟାଦାର ସହ ବଞ୍ଚିବାର ଆତ୍ମପ୍ରତ୍ୟୟ। ମର୍ଯ୍ୟାଦାଜନକ ବଞ୍ଚିବା କଥା ଉଠିଲେ ଆଖି ଆଗକୁ ଆସେ ନଅଙ୍କ ଦୁର୍ଭିକ୍ଷ(୧୮୬୬) ବେଳର କରୁଣ ଦୃଶ୍ୟ। ଭୋକ ଉପାସରେ ଛଟପଟ ହେଉଥିବା ରାଜ୍ୟବାସୀଙ୍କ ମୁହଁରେ ଆହାର ଦେବା ପାଇଁ ବର୍ମାରୁ ଚାଉଳ ଆଣି ଅନ୍ନଛତ୍ର ଖୋଲିଲେ ଇଂରେଜ ସରକାର। ମାତ୍ର ଅନାହାରରେ ଛଟପଟ ହୋଇ ମରିଗଲେ ପଛେ ଛତରରେ ପଶିଲେ ନାହିଁ ଅନେକ ସ୍ବାଭିମାନୀ ଓଡ଼ିଆ। ଯେଉଁମାନେ ପେଟର ଦାଉ ସମ୍ଭାଳି ନ ପାରି ଛତରରେ ପଶିଲେ, ପରବର୍ତ୍ତୀ ସମୟରେ ଏ ଜାତି ତାଙ୍କୁ କହିଲା ଛତରଖିଆ। ନଅଙ୍କ ଦୁର୍ଭିକ୍ଷର କରାଳ ଛାୟା ସମଗ୍ର ଓଡ଼ିଶାକୁ ଶ୍ମଶାନରେ ପରିଣତ କରିଦେଇଥିଲା ସତ, କିନ୍ତୁ ତା’ର ପାଉଁଶ ତଳ ନିଆଁରୁ ପ୍ରଜ୍ବଳିତ ହୋଇଥିଲା ଓଡ଼ିଆ ସ୍ବାଭିମାନର ବହ୍ନି।
ପ୍ରାଚୀନ ନଥିପୋଥି ଦଲିଲ ଦସ୍ତାବିଜ ଆଧାରରେ ସାବ୍ୟସ୍ତ ହୋଇଥିଲା ଓଡ଼ିଆ ଭାଷାର ମୌଳିକତା। ଏହି ଭାଷା ସୁରକ୍ଷା ସଂଗ୍ରାମର ସଫଳତାକୁ ଆଧାର କରି ଦାନା ବାନ୍ଧିଥିଲା ଦେଶ ମିଶ୍ରଣ ଆନ୍ଦୋଳନ। ଜାତି ଐରାବତ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଉଦ୍ୟମରେ ଗଢି ଉଠିଥିଲା ଜାତୀୟ ମହାମଞ୍ଚ (୧୯୦୩) ଉତ୍କଳ ସମ୍ମିଳନୀ। ଦୀର୍ଘ ତେତିଶ ବର୍ଷର ନିରବଚ୍ଛିନ୍ନ ସଂଗ୍ରାମ ପରେ ଗଠନ ହୋଇଥିଲା ଦେଶର ପ୍ରଥମ ଭାଷାଭିତ୍ତିକ ରାଜ୍ୟ (୧ା୪ା୧୯୩୬) ସ୍ବତନ୍ତ୍ର ଉତ୍କଳ ପ୍ରଦେଶ। ତା’ ପରଠାରୁ ଧୀରେ ଧୀରେ କର୍ପୂର ଶୂନ୍ୟ ହେବାକୁ ଲାଗିଲା କନା। ଲକ୍ଷ୍ୟଠାରୁ ଦୂରେଇ ଗଲେ ମଞ୍ଚର ମଙ୍ଗୁଆଳମାନେ। ଉତ୍କଳ ସମ୍ମିଳନୀ ମଣ୍ଡପରୁ ଉତ୍କଳମଣି ଗୋପବନ୍ଧୁ କହିଥିଲେ(୧୯୧୯)- ସନ୍ନ୍ୟାସୀର ତପସ୍ୟା ଓ ସାଧନା ବିନା କୌଣସି ଗୁରୁ କର୍ତ୍ତବ୍ୟ ସାଧନ ଅସମ୍ଭବ। ଗୋପବନ୍ଧୁ ଓ ମଧୁବାବୁଙ୍କ ପରେ ଯେଉଁମାନେ ମଞ୍ଚର ମଙ୍ଗ ଧରିଲେ ସେମାନେ କେହି ତପସ୍ବୀ ନ ଥିଲେ କି ସେମାନଙ୍କ ପାଖରେ ନ ଥିଲା ଜାତୀୟ ସ୍ରୋତକୁ ପ୍ରଭାବିତ କଲାଭଳି ବ୍ୟକ୍ତିତ୍ୱ। ଜାତି ଧର୍ମ ଗୋଷ୍ଠୀ ନିର୍ବିଶେଷରେ ଓଡ଼ିଶାବାସୀଙ୍କୁ ଏକାଠି କରି ସେମାନେ ଫୁଙ୍କି ପାରିଲେନି ଜାତୀୟତାର ମନ୍ତ୍ର। ବରଂ ଆପଣା ସ୍ବାର୍ଥ ସାଧନ ପାଇଁ ନିଜ ଭିତରେ ଆରମ୍ଭ କରିଦେଲେ ପତିଆରା ଲଢେଇ। ତା’ର ପରିଣାମ ବିଛିନ୍ନାଞ୍ଚଳ ଭାଇମାନଙ୍କ ଆଖିରୁ ଶୁଖିଲାନି ଲୁହ। ଯେଉଁ ଓଡ଼ିଆ ପୁଅ ଦିନେ ବୋଇତ ନେଇ ଦରିଆପାରି ଦେଶକୁ ଯାଉଥିଲା ବଣିଜ ପାଇଁ, ସମ୍ମିଳନୀର ନିଷ୍କ୍ରିୟତା ଓ ସରକାରଙ୍କ ଅଦୂରଦର୍ଶିତା କାରଣରୁ ସେ ଏବେ ପିଲାକବିଲା ନେଇ ଅନ୍ୟ ରାଜ୍ୟକୁ ଯାଉଛି ଦାଦନ ଖଟିବା ପାଇଁ।
ଅବସରପ୍ରାପ୍ତ ଅଧ୍ୟକ୍ଷ, ବିଜୁ ପଟ୍ଟନାୟକ ନଗର, ଭଦ୍ରକ
ମୋ: ୬୩୭୧୬୪୨୪୬୪


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଘର ନାହିଁ, ସ୍କୁଲ ଚାଲିଛି ଖୋଲା ଆକାଶ ତଳେ। ଏଠି ଦେୟ ଦେବାକୁ ପଡ଼ୁନାହିଁ କି ସିଲାବସ୍‌ ମଧ୍ୟ ନାହିଁ। ଯଦି ଏପରି କୌଣସି ସ୍କୁଲ୍‌ ସରକାରୀସ୍ତରରେ…

ଚାଲ ଭୋଟର ତିଆରି କରିବା

ଯଦିଓ ଭାରତରେ ପ୍ରତ୍ୟେକ ନାଗରିକ ୧୮ ବର୍ଷ ପରେ ଭୋଟ ଦେବା ପାଇଁ ଯୋଗ୍ୟ ବିବେଚିତ ହେଉଛନ୍ତି, ସେମାନେ ଭୋଟ ଦେବା ପାଇଁ କେତେଦୂର ସକ୍ଷମ ଏହା…

କଳାଧନ ଓ କାଳମନ

କଳାଧନ ବିଷୟରେ କେତେ ପ୍ରକାର କଥା କୁହାଯାଇଛି, କୁହାଯାଉଛି ଓ କାମ କରାଯାଉଛି। ଭାରତ ପରିପ୍ରେକ୍ଷୀରେ ଏହାର ନକାରାମତ୍କ ଗୁରୁତ୍ୱ ଏତେ ବଢ଼ିଯାଇଛି ଯେ ଢିଙ୍କିଶାଳରୁ ଢେଙ୍କାନାଳ…

ଇଏ କି ଭକ୍ତ-୨

ଗଣେଶ ପୂଜାରୁ ପାର୍ବଣ ଋତୁ ଆରମ୍ଭ ହୋଇଯାଇଛି। ଓଡ଼ିଶାର ଖୋର୍ଦ୍ଧା ଜିଲାର ଜଟଣୀରେ ୨୬ ସେପ୍ଟେମ୍ବରରେ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା ଚାଲୁଥିବା ବେଳେ ଏକ ବ୍ୟାଙ୍କ୍‌ର ତାଜା…

ଏଇ ଭାରତରେ

ଝାଡ଼ଖଣ୍ଡର ଚିତ୍ରଶିଳ୍ପୀ ପ୍ରକାଶ ଶାହ ମେଟାଲ, ପ୍ଲାଷ୍ଟିକ ଏବଂ ଶିଳ୍ପଜାତ ବର୍ଜ୍ୟକୁ ଆକର୍ଷଣୀୟ ପବ୍ଲିକ ଆର୍ଟରେ ପରିଣତ କରୁଛନ୍ତି। ସେ ସାହିବଗଞ୍ଜରେ ଓ୍ବେଷ୍ଟ ଟୁ ଓ୍ବଣ୍ଡର ପାର୍କ…

ରକ୍ତତୀର୍ଥ ଇରମ

ସାରା ଦେଶରେ ସ୍ବାଧୀନତା ପାଇଁ ଯେଉଁ ଆନ୍ଦୋଳନ ଆରମ୍ଭ ହେଲା ସେଥିରେ ଅନେକ ହଜାର କ୍ରାନ୍ତିକାରୀ ଯୋଗଦେଇ କାରାବରଣ କରିଥିଲେ। ଓଡ଼ିଶାରେ ଏହି ଆନ୍ଦୋଳନର ନେତୃତ୍ୱ ନେଇଥିଲେ…

ରାଷ୍ଟ୍ର ନିର୍ମାଣ ପ୍ରତି ସମର୍ପିତ ଜଣେ ମହାପୁରୁଷ

ଖୁବ୍‌ ସୁନ୍ଦର ଉକ୍ତିଟିଏ ଅଛି, ”ବୃକ୍ଷ କବହୁଁ ନହିଁ ଫଲ ଭଖୈ, ନଦୀ ନ ସଂଚୈ ନୀର୍‌। ପରମାରଥ କେ କାରନେ, ସାଧୁନ ଧରା ଶରୀର।“ ଏହାର…

ଘୃଣିତ ଜ୍ଞାନେଶ

ଦୁର୍ନୀତି କଥା ଉଠିଲେ ସାଧାରଣରେ ଆର୍ଥିକ ଦିଗକୁ ବୁଝାଯାଏ। କିନ୍ତୁ ତାହାର ପରିଭାଷା ଅତ୍ୟନ୍ତ ବ୍ୟାପକ। କ୍ଷମତା ବିସ୍ତାର ଲାଗି କିଛି ଲୋକଙ୍କୁ ଦବାଇ ଦେଇ ପ୍ରଭୁତ୍ୱ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?