ଆଖିକୁ ଦିଶୁନାହାନ୍ତି

ଭାରତ ୨୦୧୪ରେ ଏକ ନୂଆ ରାଜନୈତିକ ସମୀକରଣ ଦେଖିଥିଲା। ସେହିବର୍ଷ ହୋଇଥିବା ସାଧାରଣ ନିର୍ବାଚନରେ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ଭାଜପା ଏକାକୀ ସଂଖ୍ୟାଗରିଷ୍ଠତା ଲାଭ କରିଥିଲା। ସେତେବେଳେ ମୋଦି କେବଳ ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବେ ସେହି ରାଜ୍ୟରେ ସୀମିତ ଥିଲେ। ଦେଶବ୍ୟାପୀ ଭାଜପାର କୌଣସି ଆଖିଦୃଶିଆ ସଙ୍ଗଠନ ନ ଥିଲା। ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ ବିଷୟରେ ଯାହା କୁହାଯାଏ, ସେତିକି ପରିମାଣର ଭୋଟ ସେହି ସଙ୍ଗଠନ ଏକାଠି କରିବାରେ ସକ୍ଷମ ନୁହେଁ ବୋଲି ଅନେକ ଦଶନ୍ଧିରୁ ଜଣାଶୁଣା। ଏହିଭଳି ଆହୁରି ଅନେକ କାରଣର ପ୍ରଚ୍ଛଦପଟରେ ୨୦୧୪ ନିର୍ବାଚନ ଫଳାଫଳକୁ ଦେଖିଲେ ସ୍ପଷ୍ଟ ଜଣାପଡ଼େ ଯେ ୨୦୦୪ରୁ ୨୦୧୪ ଦୀର୍ଘ ୧୦ ବର୍ଷର ଉପା ଶାସନ ଉପରେ ସାଧାରଣ ଭୋଟର ବିରକ୍ତ ହୋଇଯାଇଥିଲେ। ଅନେକ ରାଜନୈତିକ ପର୍ଯ୍ୟବେକ୍ଷକଙ୍କ ମତରେ ଭାଜପା ଏବଂ ମୋଦିଙ୍କ ଜିତାପଟ ଯେତିକି ସକାରାତ୍ମକ କାରଣରୁ ହୋଇଥିଲା, ତାହାଠାରୁ କାହିଁ ଅଧିକ କଂଗ୍ରେସ ଶାସନ ଉପରେ ବିରୋଧ ପ୍ରକଟ କରିବାକୁ ଯାଇ ନକାରାତ୍ମକ କାରଣରୁ ହୋଇଥିଲା। ୨୦୧୯ରେ ଭାଜପାକୁ ଟକ୍କର ଦେବା ଭଳି କଂଗ୍ରେସ ସମେତ ଅନ୍ୟ କୌଣସି ଦଳରେ କେହି ନେତା ଉଭା ହୋଇ ନ ପାରିବାରୁ ସରକାର ବିରୋଧୀ ପବନ ବହିପାରିଲା ନାହିଁ। ଏହାବ୍ୟତୀତ ମନମୋହନ ସିଂଙ୍କ ଭଳି ଜଣେ ଦୁର୍ବଳ ଓ ମତବିହୀନ ପ୍ରଧାନମନ୍ତ୍ରୀଙ୍କୁ ଭାରତର ମତଦାତା ୧୦ ବର୍ଷ ଶାସନ କରିବାର ସମୟ ପ୍ରଦାନ କରିଥିଲେ ବୋଲି ମୋଦିଙ୍କୁ ମଧ୍ୟ ୧୦ ବର୍ଷ ସମୟ ଦେବାକୁ ଏହି ଭୋଟର ମନସ୍ଥ କରିଥାଇପାରନ୍ତି। ଏବକାର ସ୍ଥିତି ଦେଖିଲେ ଦେଶର ବହୁ ସ୍ଥାନରେ ଭାଜପାର ଶାସନକୁ ଅନେକେ ପସନ୍ଦ କରୁନାହାନ୍ତି। ବିମୁଦ୍ରୀକରଣ, ଜିଏସ୍‌ଟି ପରେ କୋଭିଡ୍‌-୧୯ ମହାମାରୀଜନିତ ଅବ୍ୟବସ୍ଥା ଯୋଗୁ ଦେଶର ଅର୍ଥନୀତି ସମ୍ପୂର୍ଣ୍ଣ ମାଡ଼ ଖାଇଯାଇଥିବାରୁ ଜନସାଧାରଣ ପ୍ରତିକ୍ରିୟାଶୀଳ ହୋଇପଡ଼ିଲେଣି। ତଥାପି ବିକଳ୍ପ ଦଳ ଓ ନେତା ପାଇପାରୁ ନ ଥିବାରୁ ନୀରବ ରହିଯାଉଛନ୍ତି।
ଏଭଳି ପରିପ୍ରେକ୍ଷୀରେ ଭାରତୀୟ ରାଜନୀତିରେ ଏକ ନୂଆ ଆଶା କଅଁଳିପାରେ ବୋଲି ଶୁଭସୂଚନା ମିଳିଲାଣି। ଦୀର୍ଘବର୍ଷ ଦେଶକୁ ଶାସନ କରିଆସିଥିବା କଂଗ୍ରେସ ନେତୃତ୍ୱରେ ପରିବର୍ତ୍ତନ ଦରକାର ବୋଲି ଦଳ ଭିତରୁ ନେତାମାନେ ସ୍ବର ଉଠାଇବା ପରେ ଏହି ସମ୍ଭାବନା ସୃଷ୍ଟି ହୋଇଛି। ୨୪ ଅଗଷ୍ଟରେ କଂଗ୍ରେସ କାର୍ଯ୍ୟକାରୀ କମିଟି (ସିଡବ୍ଲ୍ୟୁସି) ବୈଠକ ଅନୁଷ୍ଠିତ ହେବାର ଅଛି। ସେଥିରେ ଗାନ୍ଧୀ ପରିବାରରୁ ନେତୃତ୍ୱକୁ ଅପସାରଣ କରିବା ଦାବିରେ ବର୍ତ୍ତମାନର କେତେଜଣ ସାଂସଦ ଓ ପୂର୍ବତନ ମନ୍ତ୍ରୀ ଅଛନ୍ତି। ସେମାନେ କଲେକ୍‌ଟିଭ୍‌ ଲିଡରଶିପ୍‌ ବା ସାମୂହିକ ନେତୃତ୍ୱ ଉପରେ ଗୁରୁତ୍ୱ ଦେଉଛନ୍ତି। ଅନ୍ୟପକ୍ଷରେ ଏକ ଗୋଷ୍ଠୀ ଯେଉଁଥିରେ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପ୍‌ଟେନ୍‌ ଅମରିନ୍ଦର ସିଂ ଓ ଅନ୍ୟ କେତେକ ନେତା ସମ୍ପୃକ୍ତ ଅଛନ୍ତି, ସେମାନେ ଗାନ୍ଧୀ ପରିବାର ପାଇଁ ବ୍ୟାଟିଂ କରୁଛନ୍ତି। ରାଜନୈତିକ ବିଶ୍ଳେଷକଙ୍କ ମତରେ ସୋନିଆ ଗାନ୍ଧୀ ଅନ୍ତରୀଣ ସଭାପତି ଦାୟିତ୍ୱ ନେବା ଏକବର୍ଷ ପୂରଣ ହୋଇଯାଇଥିବାରୁ ସେ ପଦରୁ ଇସ୍ତଫା ଦେଇପାରନ୍ତି। ଦଳ ଭିତରେ ଢାଞ୍ଚାଗତ ପରିବର୍ତ୍ତନ ଆଣିବାକୁ ଚାହୁଁଥିବା ନେତାଙ୍କ ଲକ୍ଷ୍ୟ ରହିଛି କଂଗ୍ରେସର ହୃତ ଗୌରବକୁ ଫେରାଇ ଆଣିବା। ପରିବାରବାଦରୁ ନେତୃତ୍ୱ ମୁକୁଳିଲେ କଂଗ୍ରେସ ଲୋକଙ୍କ ଦ୍ୱାରା ଗ୍ରହଣୀୟ ହେବାର ବହୁ ସମ୍ଭାବନା ରହିଛି ବୋଲି ଏହି ଗୋଷ୍ଠୀ ବିଶ୍ୱାସ କରୁଛି । ଏଭଳି ବିତର୍କ ସିଡବ୍ଲ୍ୟୁସିରେ ଝଡ଼ ସୃଷ୍ଟି କରିପାରେ ବୋଲି କଥା ଉଠିଲାଣି। କିନ୍ତୁ କଂଗ୍ରେସ ଚରିତ୍ର ସମସ୍ତେ ଜାଣନ୍ତି। ଶେଷ ମୁହୂର୍ତ୍ତରେ କିଏ କେଉଁ ପଟକୁ ପଲଟି ମାରିବେ, ତାହା ପୂର୍ବରୁ କହିବା କଷ୍ଟକର। ବିଶେଷକରି ପରିବର୍ତ୍ତନ ସପକ୍ଷବାଦୀ ଗୋଷ୍ଠୀରେ ଶଶି ଥରୁରଙ୍କ ଭଳି ବ୍ୟକ୍ତିତ୍ୱ ଥିବାରୁ କହିହେବ ଯେ, ଏହି ଗୋଷ୍ଠୀର ବିରୋଧର ଉଦ୍ଦେଶ୍ୟ କେବଳ କିଛି ସ୍ବାର୍ଥ ହାସଲ ପାଇଁ। ବାସ୍ତବରେ ଦଳୀୟ ପରିବର୍ତ୍ତନ ଆଣିବା ପାଇଁ ଥରୁରଙ୍କ ଭଳି ଲୋକ ଚେଷ୍ଟା କରୁଥିବା ଭଳି ବିଶ୍ୱାସ ହୁଏନାହିଁ। ଏହି ସନ୍ଦିକ୍ଷଣରେ ସୋନିଆ, ରାହୁଲ ଓ ପ୍ରିୟଙ୍କାଙ୍କ ଆଶ୍ରିତ ରହିଥିବା କଂଗ୍ରେସରେ କିଛି ଗୋଟେ ସ୍ପଷ୍ଟ ନିଷ୍ପତ୍ତି ହୁଏତ ନିଆଯାଇପାରେ। ଯଦି ସୋନିଆଙ୍କ ପରିବାରରୁ ନେତୃତ୍ୱ ଅନ୍ୟ କାହା ନିକଟକୁ ଚାଲିଯାଏ, ଦେବେ ସ୍ବାଗତଯୋଗ୍ୟ ସମ୍ଭାବନା ସୃଷ୍ଟି ହୋଇପାରେ। ଦୀର୍ଘ ଶାସନ କ୍ଷମତାରେ ରହିବା ଲାଗି ହେଉଥିବା ଫନ୍ଦିଫିକରକୁ ରୋକିବାର ବାଟ ଫିଟିପାରନ୍ତା। ପୁଣି ଭାଜପା ଯେଉଁ ପରିବାରବାଦ କଥା କହି ‘କଂଗ୍ରେସ ମୁକ୍ତ ଭାରତ’ ଡାକରା ଦେଉଛି, ତାହା ଏହି ନୂଆ ପରିସ୍ଥିତିରେ ଫସର ଫାଟିଯାଇପାରେ। ଏହା କେବଳ କଂଗ୍ରେସ ଦଳରେ ସୀମିତ ରହିବ ନାହିଁ, ତାହାର ପ୍ରଭାବ ଭାରତୀୟ ଗଣତନ୍ତ୍ର ଉପରେ ପଡ଼ିବ।
ଆଜି ଭାରତୀୟ ରାଜନୀତିରେ ବିକଳ୍ପ ନେତାଙ୍କ ଅଭାବ ଥିବାରୁ ଶାସକମାନେ ମନଇଚ୍ଛା ନିଷ୍ପତ୍ତି ନେଇଯାଉଛନ୍ତି। ବର୍ତ୍ତମାନ ସମୟ ପାଇଁ ଏହି ନିଷ୍ପତ୍ତି କେତେକଙ୍କୁ ଖୁସି ଆଣିଦେଉଥାଇପାରେ, କିନ୍ତୁ ଏହାର ଦୀର୍ଘମିଆଦୀ କୁଫଳ ଦେଶବାସୀ ନିଶ୍ଚୟ ଭୋଗିବେ। ତେଣୁ କଂଗ୍ରେସରେ ଆମୂଳଚୂଳ ପରିବର୍ତ୍ତନ ହେଲେ ପ୍ରତିଭା ଓ ଦକ୍ଷତା ଭିତ୍ତିରେ ଜଣେ ଏହାର ମଙ୍ଗୁଆଳ ହୋଇପାରନ୍ତେ। କଂଗ୍ରେସ କଥା ଦେଖିଲେ ଦେଶସାରା ଏହି ଦଳର ଗୋଟେ ପକେଟ୍‌ ଭୋଟ ରହିଛି। ଭାରତର ସ୍ବାଧୀନତା ସଂଗ୍ରାମ ସହ ଏହି ଦଳର ସମ୍ପର୍କ ରହି ଆସିଥିବାରୁ ଅନେକେ କଂଗ୍ରେସକୁ ଭଲ ପାଇଥାଆନ୍ତି। ଏବର ପରିବର୍ତ୍ତିତ ପରିସ୍ଥିତିରେ ଦଳକୁ ସୁଦୃଢ଼ କରାଯାଇପାରିଲେ ନୂଆ ଲୋକ ଯୋଡ଼ି ହେବାକୁ ଚାହିଁବେ। ଦୀର୍ଘ ଶାସନ କାଳ ହେଲା ଭଳି ଲୋକେ ଶାସକଙ୍କ କାର୍ଯ୍ୟକଳାପରେ ବିତୃଷ୍ଣ ହେଲେ ପରିବର୍ତ୍ତନ ଅବଶ୍ୟମ୍ଭାବୀ ହୋଇପଡ଼ିବ। ଅତଏବ କଂଗ୍ରେସ ନେତାମାନେ କଠୋର ନିଷ୍ପତ୍ତି ନେବା ଜରୁରୀ ହୋଇପଡ଼ିଲାଣି। ମାତ୍ର ମନେରଖିବାକୁ ହେବ ଯେ, ସୁସ୍ଥ ଗଣତନ୍ତ୍ରରେ ବିରୋଧୀ ଦଳର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଆଜିର ସ୍ଥିତିରେ କଂଗ୍ରେସ ସେହି ଦାୟିତ୍ୱ ତୁଲାଇବାକୁ ସକ୍ଷମ ହେଉନାହିଁ। ତେବେ ସେହି ଦଳ ଭିତରେ ଥିବା ନେତାମାନଙ୍କ ମଧ୍ୟରୁ କେଉଁ ବ୍ୟକ୍ତି ଏକ ଜାତୀୟ ସ୍ତରର ଭାବମୂର୍ତ୍ତି ରଖି ଦଳକୁ ଆଗକୁ ନେଇପାରିବେ ତାହା ହେଉଛି ଆଗାମୀ ଦିନର ଚାହିଦା। ସେଭଳି କୌଣସି ବ୍ୟକ୍ତି ଆଖିକୁ ଦିଶୁ ନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାର କାରଣ ପଥ ସମ୍ମୋହନ

ବର୍ତ୍ତମାନ ସହଜ ଗମନାଗମନ ବ୍ୟବସ୍ଥା ପାଇଁ ମଣିଷ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବା ନିମନ୍ତେ ସମୟ କମ୍‌ ହୋଇଯାଇଛି। ବିଶ୍ୱର ଗୋଟିଏ କୋଣରୁ ଅନ୍ୟ...

ସରକାର ଚାହୁଁଛନ୍ତି

ଲୋକଙ୍କର ଉପକାରରେ ଆସୁ ବା ନ ଆସୁ ରାଜ୍ୟର ଲାଭ ହେଉ ବା କ୍ଷତି, ବ୍ୟବସ୍ଥାରେ କିଛି ପରିବର୍ତ୍ତନ ହେଉ ବା ନ ହେଉ ସରକାର...

ଜଗନ୍ନାଥ ଗ୍ରହଣୀୟ

‘ନାମରେ କ’ଣ ଅଛି ? ଯାହାକୁ ଆମେ ଗୋଲାପ କହୁଛୁ, ଅନ୍ୟ କୌଣସି ନାମରେ ଡାକିଲେ ମଧ୍ୟ ତା’ର ସୁଗନ୍ଧ ସେହିପରି ମିଠା ରହିବ।’ ନାମକୁ...

ଏଇ ଭାରତରେ

ଦୃଢ଼ ଇଚ୍ଛାଶକ୍ତି ଥିବା ମଣିଷ ଲକ୍ଷ୍ୟ ହାସଲ ନ ହେବା ଯାଏ ଥକିଯାଏ ନାହିଁ। ସବୁ ବାଧା ଏପରିକି ସୁଯୋଗକୁ ମଧ୍ୟ ପଛକରି ସେଠାରେ ପହଞ୍ଚିଯାଆନ୍ତି...

ଡଙ୍ଗରୁଣୀର ବାଟରେ ପ୍ରାଥମିକ ଶିକ୍ଷା

ଆମ୍ବଗଛ ଭିତରୁ ଧୀରେ ଧୀରେ ଶୀତୁଆ ଖରା ପିଲାଙ୍କ ଉପରେ ଅଣେଇହୋଇ ଆସୁଥାଏ। ରାୟଗଡ଼ା ଜିଲା ବିଷମକଟକ ବ୍ଲକ୍‌ର ନିର୍ଗୁଣ୍ଡି ଗାଆଁ। ଗାଆଁ ଭିତରୁ ପବନ...

ଜିଜ୍ଞାସାର ମହାଯଜ୍ଞ

ସ୍ତକଟିଏ ପ୍ରକାଶ ପାଇଲେ ପୁସ୍ତକର ସ୍ରଷ୍ଟା ଚାହେଁ ତା’ର ବହୁଳ ପ୍ରସାରଣ। କାରଣ ବହି ଖାଲି ଲେଖିଦେଲେ ହେବନି, ତାହା ପଢ଼ାଯିବା ଦରକାର। ପଢ଼ିବା ପାଇଁଁ...

ବଣ୍ଡାଇ

ଅଷ୍ଟ୍ରେଲିଆର ବେଳାଭୂମିରେ ୧୪ ଡିସେମ୍ବରରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୧୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୯ ଜଣ ଆହତ ହୋଇଛନ୍ତି। ଗୁଳି ଚଳାଇଥିବା ତିନି...

ଏଇ ଭାରତରେ

କୋଭିଡ୍‌ ମହାମାରୀ ସମୟରେ ଅନ୍‌ଲାଇନ ପଢ଼ାରେ ପିଲାମାନେ ଅଭ୍ୟସ୍ତ ହୋଇଯାଇଥିଲେ। ଘରେ ରହିଲେ ମଧ୍ୟ ପିଲାମାନେ ମୋବାଇଲ ଆସକ୍ତି ଛାଡ଼ି ପାରୁନାହାନ୍ତି। ପିଲାଙ୍କ ମାନସିକ ସ୍ଥିତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri