ଆଖିକୁ ଦିଶୁନାହାନ୍ତି

ଭାରତ ୨୦୧୪ରେ ଏକ ନୂଆ ରାଜନୈତିକ ସମୀକରଣ ଦେଖିଥିଲା। ସେହିବର୍ଷ ହୋଇଥିବା ସାଧାରଣ ନିର୍ବାଚନରେ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ଭାଜପା ଏକାକୀ ସଂଖ୍ୟାଗରିଷ୍ଠତା ଲାଭ କରିଥିଲା। ସେତେବେଳେ ମୋଦି କେବଳ ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବେ ସେହି ରାଜ୍ୟରେ ସୀମିତ ଥିଲେ। ଦେଶବ୍ୟାପୀ ଭାଜପାର କୌଣସି ଆଖିଦୃଶିଆ ସଙ୍ଗଠନ ନ ଥିଲା। ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ ବିଷୟରେ ଯାହା କୁହାଯାଏ, ସେତିକି ପରିମାଣର ଭୋଟ ସେହି ସଙ୍ଗଠନ ଏକାଠି କରିବାରେ ସକ୍ଷମ ନୁହେଁ ବୋଲି ଅନେକ ଦଶନ୍ଧିରୁ ଜଣାଶୁଣା। ଏହିଭଳି ଆହୁରି ଅନେକ କାରଣର ପ୍ରଚ୍ଛଦପଟରେ ୨୦୧୪ ନିର୍ବାଚନ ଫଳାଫଳକୁ ଦେଖିଲେ ସ୍ପଷ୍ଟ ଜଣାପଡ଼େ ଯେ ୨୦୦୪ରୁ ୨୦୧୪ ଦୀର୍ଘ ୧୦ ବର୍ଷର ଉପା ଶାସନ ଉପରେ ସାଧାରଣ ଭୋଟର ବିରକ୍ତ ହୋଇଯାଇଥିଲେ। ଅନେକ ରାଜନୈତିକ ପର୍ଯ୍ୟବେକ୍ଷକଙ୍କ ମତରେ ଭାଜପା ଏବଂ ମୋଦିଙ୍କ ଜିତାପଟ ଯେତିକି ସକାରାତ୍ମକ କାରଣରୁ ହୋଇଥିଲା, ତାହାଠାରୁ କାହିଁ ଅଧିକ କଂଗ୍ରେସ ଶାସନ ଉପରେ ବିରୋଧ ପ୍ରକଟ କରିବାକୁ ଯାଇ ନକାରାତ୍ମକ କାରଣରୁ ହୋଇଥିଲା। ୨୦୧୯ରେ ଭାଜପାକୁ ଟକ୍କର ଦେବା ଭଳି କଂଗ୍ରେସ ସମେତ ଅନ୍ୟ କୌଣସି ଦଳରେ କେହି ନେତା ଉଭା ହୋଇ ନ ପାରିବାରୁ ସରକାର ବିରୋଧୀ ପବନ ବହିପାରିଲା ନାହିଁ। ଏହାବ୍ୟତୀତ ମନମୋହନ ସିଂଙ୍କ ଭଳି ଜଣେ ଦୁର୍ବଳ ଓ ମତବିହୀନ ପ୍ରଧାନମନ୍ତ୍ରୀଙ୍କୁ ଭାରତର ମତଦାତା ୧୦ ବର୍ଷ ଶାସନ କରିବାର ସମୟ ପ୍ରଦାନ କରିଥିଲେ ବୋଲି ମୋଦିଙ୍କୁ ମଧ୍ୟ ୧୦ ବର୍ଷ ସମୟ ଦେବାକୁ ଏହି ଭୋଟର ମନସ୍ଥ କରିଥାଇପାରନ୍ତି। ଏବକାର ସ୍ଥିତି ଦେଖିଲେ ଦେଶର ବହୁ ସ୍ଥାନରେ ଭାଜପାର ଶାସନକୁ ଅନେକେ ପସନ୍ଦ କରୁନାହାନ୍ତି। ବିମୁଦ୍ରୀକରଣ, ଜିଏସ୍‌ଟି ପରେ କୋଭିଡ୍‌-୧୯ ମହାମାରୀଜନିତ ଅବ୍ୟବସ୍ଥା ଯୋଗୁ ଦେଶର ଅର୍ଥନୀତି ସମ୍ପୂର୍ଣ୍ଣ ମାଡ଼ ଖାଇଯାଇଥିବାରୁ ଜନସାଧାରଣ ପ୍ରତିକ୍ରିୟାଶୀଳ ହୋଇପଡ଼ିଲେଣି। ତଥାପି ବିକଳ୍ପ ଦଳ ଓ ନେତା ପାଇପାରୁ ନ ଥିବାରୁ ନୀରବ ରହିଯାଉଛନ୍ତି।
ଏଭଳି ପରିପ୍ରେକ୍ଷୀରେ ଭାରତୀୟ ରାଜନୀତିରେ ଏକ ନୂଆ ଆଶା କଅଁଳିପାରେ ବୋଲି ଶୁଭସୂଚନା ମିଳିଲାଣି। ଦୀର୍ଘବର୍ଷ ଦେଶକୁ ଶାସନ କରିଆସିଥିବା କଂଗ୍ରେସ ନେତୃତ୍ୱରେ ପରିବର୍ତ୍ତନ ଦରକାର ବୋଲି ଦଳ ଭିତରୁ ନେତାମାନେ ସ୍ବର ଉଠାଇବା ପରେ ଏହି ସମ୍ଭାବନା ସୃଷ୍ଟି ହୋଇଛି। ୨୪ ଅଗଷ୍ଟରେ କଂଗ୍ରେସ କାର୍ଯ୍ୟକାରୀ କମିଟି (ସିଡବ୍ଲ୍ୟୁସି) ବୈଠକ ଅନୁଷ୍ଠିତ ହେବାର ଅଛି। ସେଥିରେ ଗାନ୍ଧୀ ପରିବାରରୁ ନେତୃତ୍ୱକୁ ଅପସାରଣ କରିବା ଦାବିରେ ବର୍ତ୍ତମାନର କେତେଜଣ ସାଂସଦ ଓ ପୂର୍ବତନ ମନ୍ତ୍ରୀ ଅଛନ୍ତି। ସେମାନେ କଲେକ୍‌ଟିଭ୍‌ ଲିଡରଶିପ୍‌ ବା ସାମୂହିକ ନେତୃତ୍ୱ ଉପରେ ଗୁରୁତ୍ୱ ଦେଉଛନ୍ତି। ଅନ୍ୟପକ୍ଷରେ ଏକ ଗୋଷ୍ଠୀ ଯେଉଁଥିରେ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପ୍‌ଟେନ୍‌ ଅମରିନ୍ଦର ସିଂ ଓ ଅନ୍ୟ କେତେକ ନେତା ସମ୍ପୃକ୍ତ ଅଛନ୍ତି, ସେମାନେ ଗାନ୍ଧୀ ପରିବାର ପାଇଁ ବ୍ୟାଟିଂ କରୁଛନ୍ତି। ରାଜନୈତିକ ବିଶ୍ଳେଷକଙ୍କ ମତରେ ସୋନିଆ ଗାନ୍ଧୀ ଅନ୍ତରୀଣ ସଭାପତି ଦାୟିତ୍ୱ ନେବା ଏକବର୍ଷ ପୂରଣ ହୋଇଯାଇଥିବାରୁ ସେ ପଦରୁ ଇସ୍ତଫା ଦେଇପାରନ୍ତି। ଦଳ ଭିତରେ ଢାଞ୍ଚାଗତ ପରିବର୍ତ୍ତନ ଆଣିବାକୁ ଚାହୁଁଥିବା ନେତାଙ୍କ ଲକ୍ଷ୍ୟ ରହିଛି କଂଗ୍ରେସର ହୃତ ଗୌରବକୁ ଫେରାଇ ଆଣିବା। ପରିବାରବାଦରୁ ନେତୃତ୍ୱ ମୁକୁଳିଲେ କଂଗ୍ରେସ ଲୋକଙ୍କ ଦ୍ୱାରା ଗ୍ରହଣୀୟ ହେବାର ବହୁ ସମ୍ଭାବନା ରହିଛି ବୋଲି ଏହି ଗୋଷ୍ଠୀ ବିଶ୍ୱାସ କରୁଛି । ଏଭଳି ବିତର୍କ ସିଡବ୍ଲ୍ୟୁସିରେ ଝଡ଼ ସୃଷ୍ଟି କରିପାରେ ବୋଲି କଥା ଉଠିଲାଣି। କିନ୍ତୁ କଂଗ୍ରେସ ଚରିତ୍ର ସମସ୍ତେ ଜାଣନ୍ତି। ଶେଷ ମୁହୂର୍ତ୍ତରେ କିଏ କେଉଁ ପଟକୁ ପଲଟି ମାରିବେ, ତାହା ପୂର୍ବରୁ କହିବା କଷ୍ଟକର। ବିଶେଷକରି ପରିବର୍ତ୍ତନ ସପକ୍ଷବାଦୀ ଗୋଷ୍ଠୀରେ ଶଶି ଥରୁରଙ୍କ ଭଳି ବ୍ୟକ୍ତିତ୍ୱ ଥିବାରୁ କହିହେବ ଯେ, ଏହି ଗୋଷ୍ଠୀର ବିରୋଧର ଉଦ୍ଦେଶ୍ୟ କେବଳ କିଛି ସ୍ବାର୍ଥ ହାସଲ ପାଇଁ। ବାସ୍ତବରେ ଦଳୀୟ ପରିବର୍ତ୍ତନ ଆଣିବା ପାଇଁ ଥରୁରଙ୍କ ଭଳି ଲୋକ ଚେଷ୍ଟା କରୁଥିବା ଭଳି ବିଶ୍ୱାସ ହୁଏନାହିଁ। ଏହି ସନ୍ଦିକ୍ଷଣରେ ସୋନିଆ, ରାହୁଲ ଓ ପ୍ରିୟଙ୍କାଙ୍କ ଆଶ୍ରିତ ରହିଥିବା କଂଗ୍ରେସରେ କିଛି ଗୋଟେ ସ୍ପଷ୍ଟ ନିଷ୍ପତ୍ତି ହୁଏତ ନିଆଯାଇପାରେ। ଯଦି ସୋନିଆଙ୍କ ପରିବାରରୁ ନେତୃତ୍ୱ ଅନ୍ୟ କାହା ନିକଟକୁ ଚାଲିଯାଏ, ଦେବେ ସ୍ବାଗତଯୋଗ୍ୟ ସମ୍ଭାବନା ସୃଷ୍ଟି ହୋଇପାରେ। ଦୀର୍ଘ ଶାସନ କ୍ଷମତାରେ ରହିବା ଲାଗି ହେଉଥିବା ଫନ୍ଦିଫିକରକୁ ରୋକିବାର ବାଟ ଫିଟିପାରନ୍ତା। ପୁଣି ଭାଜପା ଯେଉଁ ପରିବାରବାଦ କଥା କହି ‘କଂଗ୍ରେସ ମୁକ୍ତ ଭାରତ’ ଡାକରା ଦେଉଛି, ତାହା ଏହି ନୂଆ ପରିସ୍ଥିତିରେ ଫସର ଫାଟିଯାଇପାରେ। ଏହା କେବଳ କଂଗ୍ରେସ ଦଳରେ ସୀମିତ ରହିବ ନାହିଁ, ତାହାର ପ୍ରଭାବ ଭାରତୀୟ ଗଣତନ୍ତ୍ର ଉପରେ ପଡ଼ିବ।
ଆଜି ଭାରତୀୟ ରାଜନୀତିରେ ବିକଳ୍ପ ନେତାଙ୍କ ଅଭାବ ଥିବାରୁ ଶାସକମାନେ ମନଇଚ୍ଛା ନିଷ୍ପତ୍ତି ନେଇଯାଉଛନ୍ତି। ବର୍ତ୍ତମାନ ସମୟ ପାଇଁ ଏହି ନିଷ୍ପତ୍ତି କେତେକଙ୍କୁ ଖୁସି ଆଣିଦେଉଥାଇପାରେ, କିନ୍ତୁ ଏହାର ଦୀର୍ଘମିଆଦୀ କୁଫଳ ଦେଶବାସୀ ନିଶ୍ଚୟ ଭୋଗିବେ। ତେଣୁ କଂଗ୍ରେସରେ ଆମୂଳଚୂଳ ପରିବର୍ତ୍ତନ ହେଲେ ପ୍ରତିଭା ଓ ଦକ୍ଷତା ଭିତ୍ତିରେ ଜଣେ ଏହାର ମଙ୍ଗୁଆଳ ହୋଇପାରନ୍ତେ। କଂଗ୍ରେସ କଥା ଦେଖିଲେ ଦେଶସାରା ଏହି ଦଳର ଗୋଟେ ପକେଟ୍‌ ଭୋଟ ରହିଛି। ଭାରତର ସ୍ବାଧୀନତା ସଂଗ୍ରାମ ସହ ଏହି ଦଳର ସମ୍ପର୍କ ରହି ଆସିଥିବାରୁ ଅନେକେ କଂଗ୍ରେସକୁ ଭଲ ପାଇଥାଆନ୍ତି। ଏବର ପରିବର୍ତ୍ତିତ ପରିସ୍ଥିତିରେ ଦଳକୁ ସୁଦୃଢ଼ କରାଯାଇପାରିଲେ ନୂଆ ଲୋକ ଯୋଡ଼ି ହେବାକୁ ଚାହିଁବେ। ଦୀର୍ଘ ଶାସନ କାଳ ହେଲା ଭଳି ଲୋକେ ଶାସକଙ୍କ କାର୍ଯ୍ୟକଳାପରେ ବିତୃଷ୍ଣ ହେଲେ ପରିବର୍ତ୍ତନ ଅବଶ୍ୟମ୍ଭାବୀ ହୋଇପଡ଼ିବ। ଅତଏବ କଂଗ୍ରେସ ନେତାମାନେ କଠୋର ନିଷ୍ପତ୍ତି ନେବା ଜରୁରୀ ହୋଇପଡ଼ିଲାଣି। ମାତ୍ର ମନେରଖିବାକୁ ହେବ ଯେ, ସୁସ୍ଥ ଗଣତନ୍ତ୍ରରେ ବିରୋଧୀ ଦଳର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଆଜିର ସ୍ଥିତିରେ କଂଗ୍ରେସ ସେହି ଦାୟିତ୍ୱ ତୁଲାଇବାକୁ ସକ୍ଷମ ହେଉନାହିଁ। ତେବେ ସେହି ଦଳ ଭିତରେ ଥିବା ନେତାମାନଙ୍କ ମଧ୍ୟରୁ କେଉଁ ବ୍ୟକ୍ତି ଏକ ଜାତୀୟ ସ୍ତରର ଭାବମୂର୍ତ୍ତି ରଖି ଦଳକୁ ଆଗକୁ ନେଇପାରିବେ ତାହା ହେଉଛି ଆଗାମୀ ଦିନର ଚାହିଦା। ସେଭଳି କୌଣସି ବ୍ୟକ୍ତି ଆଖିକୁ ଦିଶୁ ନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗ୍ରୀକ୍‌ ଓ ଭାରତୀୟ ନାଟ୍ୟକଳାରେ ବିବିଧତା

ଚୀନ ଗ୍ରୀସ୍‌ ଓ ଭାରତର ନାଟ୍ୟକଳା ଭଳି ଦୁଇଟି ମହାନ୍‌ ଶାସ୍ତ୍ରୀୟ ପରମ୍ପରା ମାଧ୍ୟମରେ ନାଟ୍ୟକଳାର ଇତିହାସ ପ୍ରାୟତଃ ବର୍ଣ୍ଣନା କରାଯାଏ। ଉଭୟ ପରମ୍ପରା କାହାଣୀ, ଅଭିନୟ,…

ପ୍ରତିଶୋଧର ଖଡ୍ଗ

ନ୍ୟାୟର ନିକିତିରେ ଯେତେବେଳେ ଅପଳାପର ଗରଳ ମିଶିଯାଏ, ସେତେବେଳେ ଆଇନର ଆଶ୍ରୟ ଅବିଚାରର ଆୟୁଧରେ ପରିଣତ ହୁଏ। ବୋହୂ ନିର୍ଯାତନାକୁ ପ୍ରତିହତ କରିବା ନିମନ୍ତେ ପ୍ରଣୀତ ଭାରତୀୟ…

ଅସରପା ଆଉ ଅଟୋକ୍ରାସି

କକ୍‌ରୋଚ୍‌ ଜନତା ପାର୍ଟି ଏକ ଥଟ୍ଟାଳିଆ ନାମକରଣ ବୋଲି ଭାବିଥିବା ପାଠକମାନଙ୍କୁ ଏବଂ ହିନ୍ଦୁତ୍ୱରେ ବୁଡିରହିଥିବା ପାଠକମାନଙ୍କୁ କ୍ଷମା ମାଗି ମୁଁ ଗୀତାର ଜଣାଶୁଣା ଉକ୍ତିକୁ ରୂପାନ୍ତର…

ଚାପରୁ ବର୍ଷା

ଯୁଦ୍ଧ, ଅନ୍ତର୍ଜାତୀୟ ରାଜନୀତି ଓ ଅର୍ଥନୈତିକ ଅସ୍ଥିରତା ପୃଥିବୀକୁ ଯେତିକି ଆକ୍ତାମାକ୍ତା କରୁଛି, ତା’ଠାରୁ ଅଧିକ କ୍ଷତାକ୍ତ କଲାଣି ଜଳବାୟୁ ପରିବର୍ତ୍ତନଜନିତ ଅସ୍ବାଭାବିକତା। ଥଣ୍ଡା ଜଳବାୟୁରେ ବଢ଼ି…

ଏଇ ଭାରତରେ

ଚାକିରିରୁ ଅବସରନେବା ପରେ ବିଶ୍ରାମ ସମୟକୁ ଅନେକେ ସମାଜ ସେବାରେ ଲଗାଇବାର ଉଦାହରଣ ଦେଖିବାକୁ ମିଳେ, ଯାହାଙ୍କ ମଧ୍ୟରୁ ବେଙ୍ଗାଲୁରୁର କ୍ୟାପ୍‌ଟେନ ସନ୍ତୋଷ କୁମାର ଅନ୍ୟତମ। ସେନା…

ଭିଆଇପି ପରମ୍ପରା

ଭିଆଇପି ପରମ୍ପରା ଅତ୍ୟନ୍ତ ଅଶୋଭନୀୟ ଓ ଅରୁଚିକର ପରିସ୍ଥିତି ସୃଷ୍ଟି କରିଥାଏ। ଭିଆଇପିମାନଙ୍କ ପାଇଁ ଆୟୋଜକଙ୍କ କେବଳ ସମୟ ଓ ସମ୍ବଳର ଅପଚୟ ହୁଏ ତାହା ନୁହେଁ,…

ସ୍ବାଭିମାନର ଅନନ୍ୟ ଆଭା

ମାଟିର ସୁକନ୍ୟା ନନ୍ଦିନୀ ଶତପଥୀ। ନାରୀ ଅସ୍ମିତାର ଏକ ତେଜୋଦୀପ୍ତ ସ୍ବର। ତାଙ୍କ ଦେଶପ୍ରେମ, ନିର୍ଭୀକତା, ସାହସିକତା ଓ ବେସାଲିସପଣକୁ ନେଇ ଗଢ଼ିଉଠିଛି ଅନେକ କଥା, କାହାଣୀ…

ଗୋପରେ ବଢୁଛି ବିକଳ୍ପ

ପରିବର୍ତ୍ତନ କେବେହେଲେ ଡେଙ୍ଗୁରାପିଟି ଆସେନାହିଁ। ଜନ ଆନ୍ଦୋଳନ ଆରମ୍ଭ ହେଲେ ସେହି ପରିବର୍ତ୍ତନ ଜୁଆର ଭଳି ମାଡ଼ିଆସେ। ଆଜି ଭାରତବର୍ଷରେ ଏକ ଭିନ୍ନ ଏବଂ ପରିବର୍ତ୍ତିତ ଛବି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri