ଆକାଶ ଛାତ

ଘର ତିଆରି କରିବାବେଳେ ଆମେ ଖରା, ବର୍ଷା, ଶୀତ ଓ ଅନ୍ୟାନ୍ୟ ଆପଦ ବିପଦରୁ ରକ୍ଷା ପାଇବା ପାଇଁ ଛାତଟିଏ ନିର୍ମାଣ କରୁ। ଘର ପାଇଁ ଛାତ ଯାହା, ପୃଥିବୀ ପାଇଁ ଆକାଶ ତାହା। ଅବଶ୍ୟ ଆକାଶ ସଦୃଶ ଛାତ ପାଇଁ ଖମ୍ବ ବା କାନ୍ଥ ନ ଥାଏ। ଏହି ଅଭାବ ପ୍ରକୃତି ପୂରଣ କରିଥାଏ। ପ୍ରାଚୀନ କାଳରୁ ବହୁ ଶାସ୍ତ୍ରଜ୍ଞ ଆକାଶ ସମ୍ବନ୍ଧରେ ଏମିତି ଏକ ଧାରଣା ପୋଷଣ କରିଛନ୍ତି। ଉଦାହରଣଭାବେ ଆନୁମାନିକ ୧୩୦୦ ଖ୍ରୀଷ୍ଟାବ୍ଦରେ ସିରିଆରେ ଜନ୍ମିତ ଲୋକପ୍ରିୟ, ବିଶ୍ୱସନୀୟ ଆରବ ବିଦ୍ୱାନ ଓ ଐତିହାସିକ ଇବାନ କସୀରଙ୍କ କୋରାନ – ଆଧାରିତ ବ୍ୟାଖ୍ୟା ଉପସ୍ଥାପନ କରାଯାଇପାରେ, ଯେଉଁଥିରେ ଉଲ୍ଲେଖ କରାଯାଇଛି, ଆକାଶ ହେଉଛି ପୃଥିବୀ ସକାଶେ ଏକ ସୁରକ୍ଷିତ ଓ ସଂରକ୍ଷିତ ଛାତ। ତେବେ ଏହି ପ୍ରକାର ଚିରାଚରିତ ଧାରଣା କେତେଦୂର ଠିକ?
ଏହି ଉକ୍ତିର ତର୍ଜମା କରାଯାଇପାରେ। ବୈଜ୍ଞାନିକ ମତାନୁଯାୟୀ ଆକାଶ ହେଉଛି ପୃଥିବୀର ବାୟୁମଣ୍ଡଳ, ମେଘ ଉପରିସ୍ଥ ନୀଳଦୃଶ୍ୟ ଏବଂ ସୂର୍ଯ୍ୟ, ନକ୍ଷତ୍ର ପରି ଅଗଣିତ ଖଗୋଳୀୟ ପିଣ୍ଡ, ଯାହା କି ଭୂପୃଷ୍ଠରୁ ଊର୍ଦ୍ଧ୍ୱକୁ ଚାହିଁଲେ ଦେଖାଯାଏ। ମୋଟାମୋଟି ଭାବେ ବାୟୁମଣ୍ଡଳ ହେଉଛି ବିସ୍ତୃତ ଆକାଶର ଏକ ନିମ୍ନସ୍ଥ ଅଂଶ। ଉକ୍ତ ବାୟୁମଣ୍ଡଳ ବାସ୍ତବରେ ପୃଥିବୀରେ ଜୀବନ ରକ୍ଷା ପାଇଁ ଅତ୍ୟାବଶ୍ୟକ। ସୂର୍ଯ୍ୟରୁ ଆସୁଥିବା ହାନିକାରକ ଅତିବାଇଗଣୀ ରଶ୍ମି ଶୋଷଣ କରି ଆମକୁ ଚର୍ମ କର୍କଟ ରୋଗରୁ ବାଏ। ପୃଥିବୀକୁ ଜାକେଟ ପରି ଆବୃତ୍ତ ହୋଇଥିବାରୁ ଦିନବେଳର ଅତ୍ୟଧିକ ଗରମ ଓ ରାତିର ଥଣ୍ଡାକୁ ନିୟନ୍ତ୍ରଣାଧୀନ କରିଥାଏ। ପୁଣି ପୃଥିବୀରେ ଜଳର ସନ୍ତୁଳନ ପାଇଁ ବର୍ଷାପାତ ସକାଶେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ସର୍ବୋପରି ଆମ ନିଃଶ୍ୱାସ ପ୍ରଶ୍ୱାସ ପାଇଁ ଖୋରାକ ଯୋଗାଏ।
ତଥାପି ସୁରକ୍ଷା କବଚ ଭାବେ ଏହା ସମ୍ପୂର୍ଣ୍ଣ ତ୍ରୁଟିହୀନ ନୁହେଁ। ଘର ପାଇଁ ଛାତଟିଏ ଗଢ଼ିଦେଲେ ମଧ୍ୟ ଏଥିରେ ଆମେ ଅଭାବ ଓ ଅସାମର୍ଥ୍ୟ ଦେଖୁ। କେତେକ କ୍ଷେତ୍ରରେ ଶତ୍ରୁପକ୍ଷର ଆକ୍ରମଣ ରୋକିବାକୁ ସ୍ବତନ୍ତ୍ର ବ୍ୟବସ୍ଥା ଦରକାର। ଯଥା- ପ୍ରତିପକ୍ଷର ମୂଳ ଆଶଙ୍କା ଅହରହ ରହିଥିବାରୁ ଇସ୍ରାଏଲ ଏକ ଅତ୍ୟାଧୁନିକ ମୋବାଇଲ ଏୟାର ଡିଫେନ୍ସ ସିଷ୍ଟମ ପ୍ରତିଷ୍ଠା କରିଛି, ଯାହା ଲୌହ ଗମ୍ବୁଜ (ଆଇରନ ଡ୍ରୋନ) ଭାବେ ପରିଚିତ। ବର୍ତ୍ତୁଳାକାର ଏହି ଛାତଟି ପ୍ରତିଦିନ ଚବିଶ ଘଣ୍ଟା କାର୍ଯ୍ୟକ୍ଷମ ରହିଥାଏ। ଏହି ପ୍ରତିଷେଧକ ବ୍ୟବସ୍ଥା ଚାରିରୁ ସତୁରି କିଲୋମିଟର ଦୂରତା ମଧ୍ୟକୁ ଅନୁପ୍ରବେଶ କରୁଥିବା ଶତ୍ରୁପକ୍ଷର ରକେଟ, ମିସାଇଲ, ଡ୍ରୋନ, ତୋପ କମାଣକୁ ବାୟୁରେ ଧ୍ୱଂସ କରିଦିଏ। ତେଣୁ ଘରର ଛାତ ପାଇଁ ମଧ୍ୟ ଅତିରିକ୍ତ ଛାତର ଆବଶ୍ୟକତା ଦେଖାଦିଏ।
ବାୟୁମଣ୍ଡଳର ଉପସ୍ଥିତି ତଥା ପୃଥିବୀର ଚୁମ୍ବକତ୍ୱ ସତ୍ତ୍ୱେ ପୃଥିବୀ ପ୍ରତି ମହାକାଶଜନିତ ବସ୍ତୁ ଯୋଗୁ ବିପଦ ରହିଛି। ଉଦାହରଣ ଭାବେ କ୍ଷୁଦ୍ରଗ୍ରହ ବା ଗ୍ରହାଣୁ। ଏତଦ୍‌ବ୍ୟତୀତ ଉଲ୍‌କାଖଣ୍ଡ, ଯାହା ଏକ ଉତ୍ତପ୍ତ ପ୍ରସ୍ତର ବା ଧାତୁ। ଏହା ମହାକାଶରୁ ଭୂପତିତ ହୋଇଥାଏ। ଏହି ଦୁଇଟି ବସ୍ତୁ ମଧ୍ୟରେ ପ୍ରଭେଦ ରହିଛି। ଗ୍ରହାଣୁ ମୁଖ୍ୟତଃ ମଙ୍ଗଳ ଓ ବୃହସ୍ପତି ଗ୍ରହ ମଧ୍ୟରେ ସୂର୍ଯ୍ୟକୁ ପରିକ୍ରମା କରୁଥିବା ଗୋଟିଏ ବଡ଼ ବସ୍ତୁ। ଏହାର ଆକାର ଅଳ୍ପ କିଛି ମିଟରଠାରୁ ଆରମ୍ଭ କରି ଶହ ଶହ କିଲୋମିଟର ବିଶିଷ୍ଟ ହୋଇପାରେ।
ଉଭୟ ଜନ୍ମ ସ୍ଥାନ ଓ ଆକାର ଦୃଷ୍ଟିରୁ ଉଲ୍‌କାପିଣ୍ଡ ଓ ଗ୍ରହାଣୁ ମଧ୍ୟରେ ଫରକ ରହିଛି। ଉଲ୍‌କା ଅନ୍ତରୀକ୍ଷରୁ ପୃଥିବୀ ଆଡ଼କୁ ଆସେ। ଆମ ବାୟୁମଣ୍ଡଳରେ ପ୍ରବେଶ କରିବା ପରେ ଏହା ଘର୍ଷଣ ଯୋଗୁ ସାଧାରଣତଃ ଜଳି ନଷ୍ଟ ହୋଇଯାଏ। ତଥାପି ବେଳେବେଳେ ଏହାର କିଛି ଅଂଶ ଭୂପତିତ ହୁଏ। ଏହା ବସ୍ତୁତଃ ଉଲ୍‌କାପିଣ୍ଡ ବା ଖଣ୍ଡ ଭାବେ ନାମିତ। ଏଥିରୁ ସ୍ପଷ୍ଟ ହୁଏ ଯେ, ଉଲ୍‌କାର ଅବସ୍ଥିତି ହେଉଛି ବାୟୁ ମଣ୍ଡଳରେ ଏବଂ ସେଠାରେ ତାହା ବାଷ୍ପୀଭୂତ ହୋଇଯାଏ। କିନ୍ତୁ ଉତ୍ତପ୍ତ ଅବସ୍ଥାରେ ଏଥିରୁ ଖସି ଆସିଥିବା ଉଲ୍‌କାଖଣ୍ଡ ନିମ୍ନଗାମୀ ଭୂପୃଷ୍ଠରେ ଅବସ୍ଥାନ କରିଥାଏ। ଉଲ୍‌କାକୁ ବେଳେବେଳେ ମହାକାଶୀୟ ଜ୍ୱଳନ ଶିଳା (ବର୍ଣ୍ଣିଂ ସ୍ପେସ ରକ ବା ଶୁଟିଂ ଷ୍ଟାର) ବୋଲି ବିବେଚିତ କରାଯାଏ।
ଗ୍ରହାଣୁ କିପରି ଧ୍ୱଂସ ସାଧନ କରେ, ତା’ର ଉଦାହରଣ ୧୯୦୮ରେ ରୁଷିଆର ସାଇବେରିଆ ଅଞ୍ଚଳସ୍ଥିତ ଟୁଙ୍ଗୁସ୍କାର ଘଟଣାରୁ ପ୍ରାପ୍ତ ହୁଏ। ସେତେବେଳେ ବାୟୁମଣ୍ଡଳରେ ଏକ ପ୍ରଚଣ୍ଡ ବିସ୍ଫୋରଣ ଘଟି ସେଠାକାର ୨୦୦୦ ବର୍ଗ କିଲୋମିଟର ବନାଞ୍ଚଳ ଧ୍ୱସ୍ତ ବିଧ୍ୱସ୍ତ ହୋଇଯାଇଥିଲା। ଏଥିପାଇଁ ପଚାଶରୁ ଷାଠିଏ ମିଟର ଚଉଡ଼ା ବିଶିଷ୍ଟ ଅନ୍ତରୀକ୍ଷ ଶିଳାକୁ ଦାୟୀ କରାଯାଇଛି। ଏହି ଭୟାନକ ବିସ୍ଫୋଟ ହିରୋସୀମାରେ ପଡ଼ିଥିବା ବୋମାଠାରୁ ହଜାରରୁ ଦୁଇହଜାର ଗୁଣ ଅଧିକ ଶକ୍ତିଶାଳୀ ବୋଲି ଆକଳନ କରାଯାଇଛି। ତତ୍‌ଜନିତ ଆଲୋକ ଓ ଧ୍ୱନି ହଜାରେ କିଲୋମିଟର ପର୍ଯ୍ୟନ୍ତ ପ୍ରଭାବ ବିସ୍ତାର କରିଥିଲା। ଅବଶ୍ୟ ଏହାର ପତନ ସ୍ଥଳ ଭୂପୃଷ୍ଠରେ ନ ଥିଲା। ବାୟୁମଣ୍ଡଳରେ ସଂଘଟିତ ଏହି ଘଟଣାର କାରଣ ଭାବେ କ୍ଷୁଦ୍ର ଗ୍ରହ ଅଥବା ବୃହତ୍‌ ମେଟିରଏଡକୁ (ପଥୁରିଆ ଓ ଧାତବ ପିଣ୍ଡ) ଚିହ୍ନଟ କରାଯାଇଛି।
ଉଲ୍‌କାରୁ ଉଦ୍‌ଭବ ଉଲ୍‌କାଖଣ୍ଡ (ମେଟିଓରାଇଟ) ଜନିତ କ୍ଷୟକ୍ଷତି ୨୦୧୩ ଫେବୃୟାରୀ ୧୫ରେ ରୁଷିଆ ଚେଲ୍ୟାବିଂସ୍କ ସହରର ଘଟଣାରୁ ଜଣାପଡ଼େ। ଏହାର ଚଉଡ଼ା ପ୍ରାୟ ୨୦ ମିଟର ଓ ଓଜନ ୧୪,୦୦୦ ଟନ। ଉକ୍ତ ସହରର ୩୦ କିଲୋମିଟର ଉପରିସ୍ଥ ବାୟୁମଣ୍ଡଳରେ ବିସ୍ଫୋରଣ ଯୋଗୁ ସାତ ହଜାରରୁ ଅଧିକ ଘର କ୍ଷତିଗ୍ରସ୍ତ ଓ ପ୍ରାୟ ପନ୍ଦର ଶହ ଲୋକ ମୃତାହତ ହେଲେ।
ପୂର୍ବ ବର୍ଣ୍ଣିତ ୧୯୦୮ର ବିସ୍ଫୋରଣ ଅପେକ୍ଷା ୨୦୧୩ର ବିସ୍ଫୋରଣ ବିଶ୍ୱବାସୀଙ୍କୁ ଅଧିକ ଚିନ୍ତାଗ୍ରସ୍ତ କଲା। ୧୯୦୮ ଘଟଣାରେ ଅଧିକ ଓଜନିଆ ପିଣ୍ଡ ସଂପୃକ୍ତ ଥିଲା। ତେଣୁ ଏହାର ଭୟାବହତା ଅଧିକ ହେବା ସ୍ବାଭାବିକ। କିନ୍ତୁ ପରବର୍ତ୍ତୀ ଘଟଣାଟିରେ ଗୋଟିଏ କ୍ଷୁଦ୍ର ଉଲ୍‌କାପିଣ୍ଡ ବିସ୍ଫୋରକ ଭାବେ କାର୍ଯ୍ୟ କଲା। ତେଣୁ ଲୋକେ ଭାବିଥିଲେ ଯେ, ଏଥିଯୋଗୁ କ୍ଷୟକ୍ଷତି ନଗଣ୍ୟ ହେବ। କିନ୍ତୁ ବାସ୍ତବରେ ଜଣାପଡ଼ିଲା, ସମ୍ଭାବନାଠାରୁ ଏହା ବହୁ ଗୁଣ ଅଧିକ ଭୟାନକ। ବିଶେଷ ଭାବେ ଜନବସତିରେ ଏହା ଭୂପତିତ ହେବାରୁ ଲୋକମାନଙ୍କୁ ସଚେତନ କରାଇଲା ଯେ, ଏହାକୁ ଅଣଦେଖା କରିବା ପ୍ରମାଦପୂର୍ଣ୍ଣ। ଏହା ଗୋଟିଏ ଚେତାବନୀ ପରି କାର୍ଯ୍ୟ କଲା। ବାସ୍ତବିକ ଛୋଟ ସାପର ବିଷ କମ୍‌ ଉତ୍କଟ ନୁହେଁ!
ଆଗରୁ ଚିନ୍ତା କରାଯାଉଥିଲା ଯେ, କୋଡ଼ିଏ ମିଟରର କମ୍‌ ଚଉଡା ଗ୍ରହାଣୁ ଛୋଟ ବୋଲି କମ୍‌ ଗୁରୁତ୍ୱପୂର୍ଣ୍ଣ। କିନ୍ତୁ ଏହା ବସ୍ତୁତଃ ୫୦୦ କିଲୋଟନ ବିସ୍ଫୋରଣ ସହ ସମାନ, ଯାହା ହିରୋସୀମା ବୋମାଠାରୁ ତିରିଶ ଗୁଣ ଅଧିକ ଶକ୍ତିଶାଳୀ।
ତେଣୁ ବିଶ୍ୱସ୍ତରରେ ନାସା ପ୍ଲାନେଟର – ଡିଫେନ୍ସ ଏକସରସାଇଜ ନାମକ ଏକ କାର୍ଯ୍ୟକ୍ରମ ଆରମ୍ଭ କଲା। ତତ୍‌ସହ ଏକସନ ଟିମ ଆନ ନିଏର ଆର୍ଥ ଅବଜେକ୍ଟସ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚିତ ହେଲା।
ଲୋକେ ହୃଦୟଙ୍ଗମ କଲେ ଯେ, ଅନ୍ତରୀକ୍ଷ ଏକ ଶାନ୍ତ ସ୍ଥାନ ନୁହେଁ। ଏହା ପ୍ରାକୃତିକ ଉପଦ୍ରବରୁ ମୁକ୍ତ ନୁହେଁ। ଘରର ଛାତକୁ ଶକ୍ତ ରଖିବାକୁ ଆମେ ଯେମିତି ଯତ୍ନଶୀଳ ହେବା, ସେମିତି ଆକାଶ ଛାତ ତଳେ ନିରାପଦରେ ରହିବାକୁ ଆନ୍ତର୍ଜାତିକ ସ୍ତରରେ ବିଜ୍ଞାନ ଓ ପ୍ରଯୁକ୍ତିର ଉପଯୋଗ ନିହାତି ଆବଶ୍ୟକ। ନଚେତ ହୁଗୁଳା ଭାବେ ଓହଳି ଥିବା ଫ୍ୟାନ ତଳେ ପବନ ଖାଇ ଘୁଙ୍ଗୁଡ଼ି ମାରି ଶୋଇଥିବା ବ୍ୟକ୍ତି ପରି ଆମେ ବିପର୍ଯ୍ୟୟକୁ ନିମନ୍ତ୍ରଣ କରିବା ସହ ଏହା ସମାନ ହେବ।
ଡ. ନିଖିଳାନନ୍ଦ ପାଣିଗ୍ରାହୀ
ମୋ: ୯୦୭୮୭୪୩୮୪୩

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

କଙ୍କଡ଼ା ଧରୁଥିଲେ ମଦନ, ମାଡ଼ିବସିଲା କୁମ୍ଭୀର: ଆଉ ତା’ପରେ…

ରାଜନଗର, ୨୮।୯ (ଭାସ୍କର ରାଉତରାୟ): କଙ୍କଡ଼ା ଧରୁଥିବା ବେଳେ ଜଣେ ବୃଦ୍ଧଙ୍କୁ ମାଡ଼ି ବସିଲା ବିରାଟକାୟ କୁମ୍ଭୀର। କୁମ୍ଭୀର ଆକ୍ରମଣରେ ତାଙ୍କ ଡାହାଣ ଗୋଡ଼ ଗୁରୁତର ଭାବେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?