ବିଭାଜନ ଲୋଡ଼ା ନାହିଁ

ପ୍ରଭାତ କୁମାର ଦାସ

ଦେଶକୁ ସାମ୍ପ୍ରଦାୟିକ ଭାବନାରେ ବିଭାଜନ କରା ନ ଯାଉ,ଏ କଥା ମୂଳରୁ ଗାନ୍ଧିଜୀ କହୁଥିଲେ। ନିଜ ଅନୁଭବରୁ ସେ ଜାଣିଥିଲେ, ଭ୍ରାତୃତ୍ୱର ଅମୃତ ଶକ୍ତିକୁ ଏକାଠି କରି ସ୍ବାଧୀନତା ସଂଗ୍ରାମ ପାଇଁ ସେ ଯେଉଁ ଆୟୁଧ ତିଆରି କରିଥିଲେ,ବିଭାଜନ ପରେ ଦେଶ ଗଠନ ପାଇଁ ସେ ଅମିୟ ଶକ୍ତି ଆଉ ମିଳିବ ନାହିଁ। ଦେଶ ବିଭାଜିତ ହେଲା, ଦୁଇ ବିଭାଜିତ ଦେଶ ଏବେ ପରସ୍ପର ବିରୋଧରେ ଶକ୍ତି କ୍ଷୟ କରିବାରେ ଲାଗି ପଡିଛନ୍ତି। ଦେଶ ନିର୍ମାଣ ପାଇଁ ଉତ୍ସର୍ଗୀକୃତ ଭାବନା କାହା ପାଖରେ ନାହିଁ। ଦୁଇ ଦେଶର ଦୁର୍ଭାଗ୍ୟ, ପରିସ୍ଥିତି ଓ ଅନୁଭବରୁ କେହି କିଛି ଶିଖିଲେ ନାହିଁ।
ଏବେ ଆସିବା ଆଜିର ପ୍ରସଙ୍ଗକୁ, ଆମ ରାଜ୍ୟର କଥା। ଯାହାକୁ ଆମେ ନିକଟ ଅତୀତରେ ଅଙ୍ଗେନିଭାଇ ଦେଖିସାରିଛୁ। ପଞ୍ଚାୟତ ନିର୍ବାଚନରେ ମହିଳାମାନଙ୍କୁ ପର୍ଯ୍ୟାପ୍ତ ସଂରକ୍ଷଣ ଦେଇ ଶାସକ ସରକାର ସେମାନଙ୍କୁ ସଶକ୍ତ କରିବାର ଅଭିଯାନ ଆରମ୍ଭ କଲେ ନା ନିଜ ଦଳପାଇଁ ସୁଦଢ଼ ଭୋଟବ୍ୟାଙ୍କଟିଏ ପ୍ରସ୍ତୁତ କରିରଖିଲେ, ସେ କଥା ସମୟ କହିବ। ପରବର୍ତ୍ତୀ ସମୟରେ ଯେଉଁ ଇତିହାସ ଲେଖାହୋଇ ରହିବ,ଏଭଳି ସଂରକ୍ଷଣ ମହିଳାମାନଙ୍କୁ ତୃଣମୂଳରୁ ସଶକ୍ତ କଲା ନା ପୁରୁଷ ଓ ମହିଳାଙ୍କ ଭିତରେ ଏକ ବିବଦମାନ ପ୍ରାଚୀର ଛିଡା କରିବାର ଭିତ୍ତିପ୍ରସ୍ତର ସ୍ଥାପନ ହେଲା, ସେକଥା ଲେଖି ରଖିବ।
ସ୍ବାଧୀନତା ପରେ ଦଳିତମାନଙ୍କୁ ସାମାଜିକ ସ୍ତରକୁ ଯଥାଶୀଘ୍ର ଆଣିବା ପାଇଁ ସାମ୍ବିଧାନିକ ବ୍ୟବସ୍ଥା ଭିତରେ ସେମାନଙ୍କ ଲାଗି ସଂରକ୍ଷଣ ରଖାଗଲା। ପରବର୍ତ୍ତୀ କାଳରେ ଶାସକ ଦଳମାନେ ସେଥିରୁ ରାଜନୈତିକ ଫାଇଦା ଉଠାଇବା ପାଇଁ ତାକୁ ଅବାଧ ପ୍ରସାରିତ ଓ ବିସ୍ତୃତ କଲେ। ଏ ପର୍ଯ୍ୟନ୍ତ କୌଣସି ଗୋଟିଏ ଦଳ ବି ସାହସ ଜୁଟାଇ ପାରୁନାହିଁ ସଂରକ୍ଷଣର ଅର୍ଗଳି ଭିତରୁ ଦେଶର ସାମାଜିକ ଜୀବନକୁ ମୁକ୍ତ କରିବାକୁ। ଏକଥା କିନ୍ତୁ ସମସ୍ତେ ଜାଣନ୍ତି, ସଂରକ୍ଷଣର ଯଥେଷ୍ଟ ଦୁରୁପଯୋଗ କ୍ରମାଗତ ଭାବରେ ଚାଲିଛି। ଯେଉଁମାନଙ୍କ ପାଇଁ ତାହା ପ୍ରକୃତ ଆବଶ୍ୟକ ଥିଲା, ସେମାନେ କେହି ତା’ର ସୁଫଳ ପାଇପାରିଲେ ନାହିଁ। କିନ୍ତୁ ଯେଉଁମାନେ ଏହାର ଯଥେଷ୍ଟ ସୁଯୋଗ ନେଇ ସାରିଲେଣି, ସେମାନେ କେବଳ ଚାହୁଁଛନ୍ତି ଏହାର ସୀମା-ପରିସୀମା ଆହୁରି ବୃଦ୍ଧି ହେଉ, ଯାହାଫଳରେ ସେମାନେ ଲାଭବାନ ହେବେ। ଏହା ଫଳରେ ଦେଶର ମେଧାଶକ୍ତି କ୍ରମଶଃ ଅବହେଳିତ ହେଉଛି, ମସ୍ତିଷ୍କ ଅନ୍ୟ ଦେଶକୁ ସ୍ଥାନାନ୍ତରିତ ହେଉଛି। ଏକଥା ନିଜ ସ୍ବାର୍ଥରେ ଅନ୍ଧ ଶାସକ ଦଳ ବୁଝିବାକୁ ପ୍ରସ୍ତୁତ ନୁହନ୍ତି। ବରଂ ସେମାନେ ଚାହାନ୍ତି ସଂରକ୍ଷଣକୁ ଆହୁରି ବ୍ୟାପକ କରାଇ ଶସ୍ତା ଲୋକପ୍ରିୟତା କିଣିନେବାକୁ।
ଦେଶର ଉତ୍ତର ପ୍ରାନ୍ତରେ ଅତ୍ୟଧିକ ଜାତିଆଣ ମନୋଭାବ, ରାଜନୈତିକ ଦଳଗୁଡ଼ିକ ପାଇଁ ଏକ କୁଟିଳ କୌଶଳ। ଜାତିଆଣ ଅସହିଷ୍ଣୁତାର ମଦ ଓ ମୋଦକ ଖୁଆଇ ଭୋଟପାଇଁ ଲୋକମତକୁ ଅକ୍ତିଆର କରିବା ଅଭିଳାଷରେ ସେମାନେ ଜନତାଙ୍କ ଭିତରେ ମାନସିକ ବିଭାଜନ ସୃଷ୍ଟି କରୁଛନ୍ତି। ଏହି ରାଜନୈତିକ ଘୂର୍ଣ୍ଣିବାତ୍ୟା ଓ ଆବର୍ତ୍ତ ଭିତରେ ଗଣତନ୍ତ୍ର ତା’ର ମୌଳିକ ପରିଚୟ ହରାଇ ସାରିଛି। ଯେଉଁ ମହତ ଉଦ୍ଦେଶ୍ୟ ସାଧନ ପାଇଁ ରାଜତନ୍ତ୍ରକୁ ପ୍ରତ୍ୟାଖ୍ୟାନ କରାଯାଇ ଗଣତନ୍ତ୍ରର ଚାରାରୋପଣ କରାଯାଇଥିଲା, ସେ ଚାରା ଏବେ ମୃତପ୍ରାୟ ହୋଇଗଲାଣି। ପୁଣି ରାଜତନ୍ତ୍ର ଏବେ ଭିନ୍ନ ରୂପରେ ଆତ୍ମପ୍ରକାଶ କରୁଛି।
ମଣିଷ ଗୋଟିଏ ଜାତି। ତାକୁ ଧର୍ମଦ୍ବାରା, କର୍ମଦ୍ବାରା କି ଲିଙ୍ଗଭିତ୍ତିକ ବିଭାଜନ କରାଯାଇ ପାରେନା। ନାରୀ ଓ ପୁରୁଷ ସମାନ ନୁହନ୍ତି-ସେ ଦୁହେଁ ପରସ୍ପରର ପରିପୂରକ। ଗୋଟିଏ ନ ଥିଲେ ଅନ୍ୟଟି ନିର୍ଜୀବ। ପ୍ରକୃତି କୌଣସି ପ୍ରାଣୀକୁ ନିଜ ବିଚାର ଧାରାରେ କେବେ ବିଭାଜିତ କରି ନାହିଁ। ଈଶ୍ବର ପ୍ରକୃତିର ପରବର୍ତ୍ତୀ ସଂସ୍କରଣ। କାଳକ୍ରମେ ପ୍ରକୃତିକୁ ଈଶ୍ବର ରୂପେ ପୂଜା କରାଗଲା। ଈଶ୍ବର ବି କେବେ କେଉଁଠି ଏଭଳି ବିଭାଜିତ ହେବା କଥା କହି ନାହାନ୍ତି। ତା’ର ପରବର୍ତ୍ତୀ ସଂସ୍କରଣ ହେଲା ଜ୍ଞାନ, ଯାହାକୁ ମଣିଷ ଚେତନାର ଉତ୍କର୍ଷରେ ଅନୁଭବ କରିଛି। ସେ ବି କେଉଁଠି କହିନାହାନ୍ତି- ମଣିଷକୁ କାଟି ଭାଗ ଭାଗ କରିଦିଅ। ତେବେ କାହିଁକି ଏ ବିଭାଜନ?
ବ୍ୟକ୍ତିହେଉ ବା ବସ୍ତୁ- ବିଭାଜିତ ହେଲେ ଶକ୍ତି କ୍ଷୟ ହୁଏ। ଇଂରେଜମାନଙ୍କ divide and rule ଆମକୁ ୩୦୦ବର୍ଷ ପରାଧୀନ କରି ରଖିବାକୁ ସମର୍ଥ ହେଲା। ବିଭାଜନ କେବଳ ସ୍ବାର୍ଥସାଧନ ପାଇଁ ଏକ ଆୟୁଧ। କେତେଜଣ ସ୍ବାର୍ଥପର ମଣିଷ, ସମଗ୍ର ମଣିଷ ଜାତିକୁ ବିଭିନ୍ନ ପ୍ରକାର ବିଭାଜନ କରି, ନିଜେ ଶାସକ ବା ପ୍ରଭୁ ହେବାର ଉଚ୍ଚାକାଂକ୍ଷା ଚରିତାର୍ଥ କରୁଛନ୍ତି। ଅବଶିଷ୍ଟ ମଣିଷ ମେଣ୍ଢାପଲ ପରି ଅନ୍ୟକୁ ଅନୁସରଣ କରି ଦାସାନୁଦାସ ହୋଇ ରହନ୍ତି। ଇଂରେଜ ଶାସନ ପରେ ଗଣତନ୍ତ୍ରର ଏକ ପବିତ୍ର ମନ୍ଦିର ନିର୍ମାଣ ପାଇଁ ସହଭାଗିତାର ପ୍ରକ୍ରିୟା ଆରମ୍ଭ ହୋଇଥିଲା। କିନ୍ତୁ ଆମ ସମ୍ବିଧାନର ବ୍ୟବସ୍ଥା ସାମ୍ପ୍ରଦାୟିକ, ଜାତିଗତ ଓ ଲିଙ୍ଗଗତ ବିଭାଜନକୁ ଆମଠାରୁ ନିର୍ଦ୍ଦିଷ୍ଟ ଭାବରେ ଦୂରେଇ ରଖିପାରିଲା ନାହିଁ। ରାଜନୈତିକ କ୍ଷମତା ପିପାସୁମାନେ ଏ ଦୁର୍ବଳତାର ସୁଯୋଗ ନେଲେ। ଆମକୁ ଭାଗ ଭାଗ କରି ସଂରକ୍ଷଣକୁ ଜବରଦସ୍ତ ଆମ ଉପରେ ଲଦି, କ୍ଷମତା ଭୋଗ କରିବାର ପ୍ରୟାସ ଜାରି ରଖିଲେ। ସେହି ବିଭାଜନର ଅନ୍ତଦର୍‌ବନ୍ଦ୍ୱ ଭିତରେ ସାଧାରଣ ଜନତା ଲହୁଲୁହାଣ ହେଉଛନ୍ତି। ଦେଶର ଆଇନ ବି ସେମାନଙ୍କୁ ସହାୟତା କରିପାରୁନି।
ଏଇ କିଛିଦିନ ଧରି ଦେଶର ନିର୍ବାଚନ ବ୍ୟବସ୍ଥାକୁ ସୂକ୍ଷ୍ମ ଚେତନାର ଆଖିରେ ନିରୀକ୍ଷଣ କରାଯାଉ- ଉତ୍ତମ ମଣିଷ କେତେଜଣଙ୍କୁ ଖୋଜାଯାଇ ଦେଶକୁ ଶୃଙ୍ଖଳାର ସହ ଚଳାଇବାକୁ ସେମାନଙ୍କୁ କ୍ଷମତା ଅର୍ପଣ କରିବା, ଯଦି ନିର୍ବାଚନର ମୌଳିକ ଲକ୍ଷ୍ୟ ହୁଏ, ତେବେ କ୍ଷୋଭ ପ୍ରକାଶ କରିବାର କଥା। ନିର୍ବାଚନ ବ୍ୟବସ୍ଥା କିଭଳି ବ୍ୟର୍ଥତାର ଚରମ ସୀମା ସ୍ପର୍ଶ କରିସାରିଛି। ସବୁ ସମ୍ପ୍ରଦାୟ ଭିତରେ, ସବୁ ଜାତି ଭିତରେ, ସବୁ ଲିଙ୍ଗବିଭେଦ ଭିତରେ ଗୁଣିଜନ ଅଛନ୍ତି। ସେମାନଙ୍କୁ ଖୋଜିବା ପରିବର୍ତ୍ତେ ଆମେ ପରସ୍ପର ସହିତ ସେମାନଙ୍କୁ ଲଢ଼େଇ କ୍ଷତାକ୍ତ କରୁଛୁ।
ଏବେ ଭାବିବାର ସମୟ ଆସିଛି। ଦେଶ ଜନତାଙ୍କୁ ପରସ୍ପର ଭିତରେ ଲଢ଼େଇବାର ଏ ବେଳ ନୁହେଁ। ସମସ୍ତଙ୍କୁ ଏକାଠି କରି ଦେଶ ନିର୍ମାଣ ପାଇଁ ଶକ୍ତି ସଞ୍ଚୟ କରିବାର ଏ ବେଳ। ଉତ୍ତର ପିଢ଼ି ପାଇଁ ଏକ ଭାବମଗ୍ନ, ଶୃଙ୍ଖଳିତ ଦେଶ ତିଆରି କରିବାକୁ ହେବ। ତା’ହେଲେ ଆମ ପର ପୁରୁଷ ଶାନ୍ତିରେ ସୁଖରେ ସମୟ କାଟିବେ।
୫୮ ସ୍ବର୍ଣ୍ଣପୁରୀ,ଭୁବନେଶ୍ୱର
ମୋ-୯୪୩୭୦୧୫୨୫୦


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ମୁଣ୍ଡ ନୁଆଁଇବେ

ଗାନ୍ଧୀ ଜୟନ୍ତୀର ସ୍ମୃତି ମନରେ ସତେଜ ଥିବାବେଳେ ଏବଂ ଶାନ୍ତିପୂର୍ଣ୍ଣ ସମାବେଶର ଅଧିକାର ପୁନର୍ୱାର ଚର୍ଚ୍ଚାକୁ ଆସିଛି। ଏହି ସମୟରେ ଆସନ୍ତୁ କିଛି ପ୍ରସଙ୍ଗ ଉପରେ ଦୃଷ୍ଟି…

ରାସ୍ତାକଡ଼ ଖାଦ୍ୟ କେତେ ସୁରକ୍ଷିତ

ଦହିବରା-ଆଳୁଦମ୍‌, ଘୁଗୁନି, ଚାଟ୍‌, ଗୁପ୍‌ଚୁପ୍‌, ମୁଢ଼ିମିକ୍ସ, ବରା-ପକୋଡ଼ିଠାରୁ ଆରମ୍ଭ କରି ବିଭିନ୍ନ ପାରମ୍ପରିକ ଖାଦ୍ୟ ସର୍ବଦା ରାସ୍ତାକଡ଼ରେ ସହଜରେ ମିଳେ। ଏପରି ଖାଦ୍ୟ ବହୁ କ୍ଷେତ୍ରରେ ଅପରିଷ୍କାର…

ବନ୍ୟପ୍ରାଣୀ ଚଲାପଥ ସଂଯୋଗୀକରଣ

ଦୁଇଟି ପ୍ରାକୃତିକ ଜଙ୍ଗଲ ପରିସଂସ୍ଥାକୁ ସଂଯୋଗ କରୁଥିବା ସଂକୀର୍ଣ୍ଣ ଅଣଓସାରିଆ ଜଙ୍ଗଲୀ ରାସ୍ତାକୁ କୁହାଯାଏ କରିଡର; ଚଲାପଥ ବା ବନ୍ୟପ୍ରାଣୀ ସଂଯୋଗୀ ପଥ। ଚଳିତବର୍ଷ ଅକ୍ଟୋବର ୨ରୁ…

ବଦଳିର ବାର୍ତ୍ତା

ଅତିରିକ୍ତ ସଚିବ ସ୍ତରରେ ୧୦ ଜଣ ଅଧିକାରୀଙ୍କ ଅଦଳବଦଳ ଏକ ସାଧାରଣ ପ୍ରଶାସନିକ କାର୍ଯ୍ୟ ହୋଇପାରେ। କିନ୍ତୁ ନିକଟରୁ ଦେଖିଲେ ଏହା କେନ୍ଦ୍ର ସରକାର କେଉଁ କ୍ଷେତ୍ରରେ…

ଏଇ ଭାରତରେ

ନିରବଚ୍ଛିନ୍ନ ପ୍ରୟାସ ଓ ଦୃଢ଼ ଇଚ୍ଛାଶକ୍ତି ଦ୍ୱାରା ସଫଳତା ମିଳେ, ଯାହା ପ୍ରମାଣ କରିଛନ୍ତି ରାଜସ୍ଥାନ ଏକାଲଖୋରି ଗାଁର ରାଣାରାମ ବିଷ୍ଣୋଇ । ଗଛ ପରିବେଶ ଓ…

ଗାନ୍ଧୀ ବିଚାରରେ ପରିବେଶ ସୁରକ୍ଷା

ମହାକାଳର ଅସୀମ ଗର୍ଭରେ ଇତିହାସର ଅନେକ ପୃଷ୍ଠା ରକ୍ତର କାଳିରେ ଲେଖାଯାଇଛି, ଅନେକ ବିପ୍ଳବ କେବଳ କ୍ଷମତା ଆଉ ସାମ୍ରାଜ୍ୟବାଦର ମୋହରେ ଧୂଳିସାତ ହୋଇଯାଇଛି। କିନ୍ତୁ ବିଂଶ…

ନିର୍ମୂଳୀ ଚେର

ଅନେକ ଦଶନ୍ଧି ଧରି ଦେଶରୁ ଗରିବ ହଟାଇବା ଲକ୍ଷ୍ୟରେ ଅନେକ ଦୃଷ୍ଟାନ୍ତମୂଳକ ଯୋଜନା ପ୍ରଣୟନ କରାଯାଇଛି। ଅର୍ଥଶାସ୍ତ୍ରବିତ୍‌ଙ୍କ ସୁକଳ୍ପିତ ପରାମର୍ଶ, ସଂଗଠନ ସଦସ୍ୟଙ୍କ ମତାମତ ଏବଂ ରାଜନୀତିଜ୍ଞଙ୍କ…

ମାନବାଧିକାର ଓ ନେତୃତ୍ୱରେ ତ୍ରୁଟି

ଦ୍ବିତୀୟ ବିଶ୍ୱଯୁଦ୍ଧ ପରବର୍ତ୍ତୀ ସମୟରେ ଗଠିତ ଅନ୍ତର୍ଜାତୀୟ ବ୍ୟବସ୍ଥା ଏବେ ବୈଧତା ସଙ୍କଟର ସମ୍ମୁଖୀନ ହେଉଛି। ମାନବାଧିକାର ରକ୍ଷା କରୁଥିବା ବ୍ୟବସ୍ଥା ମଧ୍ୟ ଏଥିରୁ ବାଦ୍‌ ପଡ଼ୁନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?