ନୂଆଦିଲ୍ଲୀ,୨୩।୯: ପ୍ରତି ମାସର ପହିଲା ତାରିଖରେ କିଛି ନା କିଛି ନିୟମରେ ପରିବର୍ତ୍ତନ ହୋଇଥାଏ। ଏହାକୁ ନେଇ ଲୋକଙ୍କ ମଧ୍ୟରେ ମଧ୍ୟ ଉତ୍ସୁକତା ରହିଥାଏ ଯେ, ଆସନ୍ତା ମାସରୁ କେଉଁ ନିୟମ ବଦଳିବ। ୧ ଅକ୍ଟୋବର ୨୦୨୬ରୁ LPG ସବସିଡି, ବ୍ୟାଙ୍କର ବଲ୍କ ଡିପୋଜିଟ ଏବଂ ଜନ୍ମ-ମୃତ୍ୟୁ ପଞ୍ଜୀକରଣ ସମ୍ପର୍କିତ ନୂଆ ନିୟମ ଲାଗୁ ହେବ। ତେଣୁ ଏହି ପରିବର୍ତ୍ତନଗୁଡ଼ିକ ଜାଣି ରଖିବା ଜରୁରୀ।
୧ ଅକ୍ଟୋବର ୨୦୨୬ରୁ LPG ସବସିଡି ସମ୍ପର୍କିତ ନୂଆ ନିୟମ ଲାଗୁ ହେବ। ସବ୍ସିଡି ଦରରେ ଗ୍ୟାସ ସିଲିଣ୍ଡର ପାଇବା ପାଇଁ ବାୟୋମେଟ୍ରିକ ଆଧାର ଅଥେଣ୍ଟିକେସନ (BAA) ଆବଶ୍ୟକ ହେବ। ଯେଉଁ ଗ୍ରାହକ ଏପର୍ଯ୍ୟନ୍ତ BAA କରାଇନାହାନ୍ତି, ସେମାନଙ୍କୁ ଏହି ପ୍ରକ୍ରିୟା ପୂରଣ କରିବାକୁ ପଡ଼ିବ।
ତେବେ BAA ନକରିଲେ ଗ୍ୟାସ ସିଲିଣ୍ଡର ଯୋଗାଣ ବନ୍ଦ ହେବ ନାହିଁ। ଅର୍ଥାତ୍ ଗ୍ରାହକ KYC କିମ୍ବା ଅଥେଣ୍ଟିକେସନ ନକରିଲେ ମଧ୍ୟ LPG ସିଲିଣ୍ଡର ପାଇପାରିବେ। କିନ୍ତୁ ଏଭଳି ଗ୍ରାହକଙ୍କୁ ସିଲିଣ୍ଡର ବର୍ତ୍ତମାନର ବଜାର ଦରରେ କିଣିବାକୁ ପଡ଼ିପାରେ ଏବଂ ସବସିଡିର ଲାଭ ମିଳିନପାରେ।
ସରକାରଙ୍କ ଅନୁସାରେ, ଏହାଦ୍ୱାରା ସବସିଡିିର ଲାଭ ପ୍ରକୃତ ଯୋଗ୍ୟ ପରିବାରଙ୍କ ପାଖରେ ପହଞ୍ଚାଇବା ସହ ଘରୋଇ LPGର ଅନୁଚିତ ବ୍ୟବହାର ରୋକିବାରେ ସହାୟତା ମିଳିପାରେ। ୧୯ ସେପ୍ଟେମ୍ବର ୨୦୨୬ ସୁଦ୍ଧା ପ୍ରାୟ ୮୯.୯ ପ୍ରତିଶତ ସକ୍ରିୟ LPG ଗ୍ରାହକ BAA ପ୍ରକ୍ରିୟା ପୂରଣ କରିଥିବା ଦାବି କରାଯାଇଛି।
ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ବଲ୍କ ଡିପୋଜିଟ ସମ୍ପର୍କରେ ନୂଆ ନିୟମ ଜାରି କରିଛି। ଏଣିକି ୩ କୋଟି ଟଙ୍କା କିମ୍ବା ତା’ଠାରୁ ଅଧିକ ରାଶିର ଫିକ୍ସଡ ଡିପୋଜିଟ (FD)କୁ ବଲ୍କ ଡିପୋଜିଟ ଭାବେ ଗଣନା କରାଯିବ। ପୂର୍ବରୁ ଏହି ସୀମା ୨ କୋଟି ଟଙ୍କା ଥିଲା।
ବ୍ୟାଙ୍କଗୁଡ଼ିକ ନିଜ ଆବଶ୍ୟକତା ଅନୁସାରେ ବଲ୍କ FD ପାଇଁ ଭିନ୍ନ ସୁଧ ହାର ନିର୍ଦ୍ଧାରଣ କରିପାରିବେ।
୧ ଅକ୍ଟୋବରରୁ ବ୍ୟାଙ୍କଗୁଡ଼ିକୁ ପ୍ରତ୍ୟେକ କାର୍ଯ୍ୟଦିବସରେ ସକାଳ ୧୦ଟା ସୁଦ୍ଧା ନିଜ ୱେବସାଇଟରେ ସୁଧ ହାର ଅପଡେଟ କରିବାକୁ ପଡ଼ିବ। RBI ପକ୍ଷରୁ ୧୦ ମିନିଟରେ ଗ୍ରେସ ପିରିୟଡ ଦିଆଯାଇଛି। ଅର୍ଥାତ୍ ସକାଳ ୧୦ଟା ୧୦ ମିନିଟ ସୁଦ୍ଧା ନୂଆ ସୁଧ ହାର ୱେବସାଇଟରେ ଦେଖାଯିବା ଆବଶ୍ୟକ।
ଏହା ସହ ସମାନ ତାରିଖରେ ସମାନ ରାଶି ଓ ସମାନ ଅବଧିର FD ପାଇଁ ବ୍ୟାଙ୍କର ସମସ୍ତ ଶାଖାରେ ଏକାପ୍ରକାର ସୁଧ ହାର ରହିବ। ଏହାଦ୍ୱାରା ଗ୍ରାହକଙ୍କ ପାଇଁ ସୁଧ ହାର ସମ୍ପର୍କିତ ସ୍ବଚ୍ଛତା ବଢ଼ିବା ସହ ଶାଖା ମଧ୍ୟରେ ଥିବା ପାର୍ଥକ୍ୟ କମିପାରେ।
ଜନ୍ମ ଓ ମୃତ୍ୟୁ ପଞ୍ଜୀକରଣ (ସଂଶୋଧନ) ଅଧିନିୟମ, ୨୦୨୬ର କିଛି ପ୍ରାବଧାନ ୧ ଅକ୍ଟୋବର ୨୦୨୬ରୁ ଲାଗୁ ହେବ। ନୂଆ ନିୟମ ଅନୁସାରେ ଜନ୍ମ କିମ୍ବା ମୃତ୍ୟୁର ବିଳମ୍ବିତ ପଞ୍ଜୀକରଣ ପ୍ରକ୍ରିୟା ପୂର୍ବ ତୁଳନାରେ କଡ଼ା ହେବ। ୨ ବର୍ଷରୁ ଅଧିକ ବିଳମ୍ବରେ ପଞ୍ଜୀକରଣ କରାଇବାକୁ ପ୍ରଥମ ଶ୍ରେଣୀର ନ୍ୟାୟିକ ମାଜିଷ୍ଟ୍ରେଟଙ୍କ ଆଦେଶ ଆବଶ୍ୟକ ହେବ। ଅନ୍ୟପକ୍ଷରେ, ୧ରୁ ୨ ବର୍ଷ ମଧ୍ୟରେ ପଞ୍ଜୀକରଣ ପାଇଁ ଜିଲ୍ଲାପାଳ, ଉପଜିଲାପାଳ କିମ୍ବା ଅଧିକୃତ କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟଙ୍କ ଅନୁମୋଦନ ଦରକାର ହେବ।
ଅଧିକାରୀମାନେ ଦିଆଯାଇଥିବା ସୂଚନାର ସତ୍ୟତା ଯାଞ୍ଚ କରିବା ପରେ ନିର୍ଦ୍ଧାରିତ ଶୁଳ୍କ ଜମା ହେଲେ ପଞ୍ଜୀକରଣକୁ ଅନୁମତି ଦେବେ। ଭାରତର ରେଜିଷ୍ଟ୍ରାର ଜେନେରାଲ ମୃତ୍ୟୁଞ୍ଜୟ କୁମାର ନାରାୟଣ ଗେଜେଟ ବିଜ୍ଞପ୍ତି ମାଧ୍ୟମରେ ଏନେଇ ସୂଚନା ଦେଇଥିବା କୁହାଯାଇଛି।
ଏହି ସଂଶୋଧନର ଉଦ୍ଦେଶ୍ୟ ହେଉଛି ଜନ୍ମ ଓ ମୃତ୍ୟୁ ଘଟଣାର ସମୟୋଚିତ ରିପୋର୍ଟିଂ ଏବଂ ପଞ୍ଜୀକରଣକୁ ଉତ୍ସାହିତ କରିବା। ଏହା ଜନ୍ମ ଓ ମୃତ୍ୟୁ ପଞ୍ଜୀକରଣ ଅଧିନିୟମ, ୧୯୬୯ରେ ସଂଶୋଧନ ଆଣୁଛି। ଏହା ପୂର୍ବରୁ ୨୦୨୩ରେ ମଧ୍ୟ ଏହି ଆଇନରେ ସଂଶୋଧନ ହୋଇଥିଲା, ଯାହାର ପ୍ରାବଧାନ ୧ ଅକ୍ଟୋବର ୨୦୨୩ରୁ ଲାଗୁ ହୋଇଥିଲା।

