ଉପେକ୍ଷିତ ମାତୃତ୍ୱ

ଡ. ପ୍ରଫୁଲ୍ଲ କୁମାର ସାହୁ

ମମତା ଅଜାଡ଼ି ଦେବାର ଅନ୍ୟ ନାମ ମାଆ। ଆମ ଜୀବନ ଭୂମିକୁ ସିକ୍ତକରି ବହିଯାଇଥିବା ଏକ ଶୀତଳ ଝର। କିଏ ତାକୁ ବାତ୍ସଲ୍ୟର ବାରିଧାରା କହେ ତ କିଏ କହେ ସେବା ଓ ସହନଶୀଳତାର କୋମଳ ଗାନ୍ଧାର। ବାସ୍ତବରେ ମାତୃତ୍ୱ ହେଉଛି ପିଲାଙ୍କ ରାସ୍ତାରୁ କଣ୍ଟା ସାଉଣ୍ଟି ନେଇ ଫୁଲ ବିଛେଇ ଦେବାର ଏକ ଆଜୀବନ ତପସ୍ୟା। ଏକ ଅପ୍ରମିତ ସାଧନା। ସଂସାରକୁ ଏକ ନୂଆ ଜୀବନ ଆଣିବାର ଦିବ୍ୟ ଅନୁଭବ। ଜନ୍ମଦେବା ତ ପ୍ରଜନନ ପ୍ରକ୍ରିୟାର ଏକ ସ୍ବାଭାବିକ ପରିଣତି। କିନ୍ତୁ ମାତୃତ୍ୱ ହେଉଛି ସନ୍ତାନ ପାଇଁ ନିଜକୁ ଉଜେଇ ଦେବାର ଏକ ମହାର୍ଘ ଉପଲବ୍ଧି। ଗର୍ଭଧାରଣ ସମୟରେ ଅଜସ୍ର ଗୋଇଠା ଖାଇ ଏବଂ ପ୍ରସବ କାଳରେ ଅସହ୍ୟ ଯନ୍ତ୍ରଣା ସହି ସେ ସନ୍ତାନକୁ ସଂସାରକୁ ଆଣିବା ମାତ୍ରେ ତା’ ବକ୍ଷରେ ପ୍ରବାହିତ ହୁଏ ଅମୃତର ଧାରା। ସନ୍ତାନ ପାଇଁ ଏହା ହିଁ ସଂସାରର ବିକଳ୍ପହୀନ ଆହାର ବା ଅମୃତ। ସନ୍ତାନକୁ ସେହି ଅମୃତ ଟିକେ ଚଟେଇବା ପାଇଁ ମାଆ ନିଜେ ପଳ ପଳ କରି ପିଇଯାଏ ଦୁଃଖର ଗରଳ। ପିିିଲାଙ୍କ ପାଦରେ କଣ୍ଟା ଫୁଟିିିଗଲେ ବିଦାରି ହୋଇଯାଏ ତା’ର ବକ୍ଷ। ତା’ର ଅନାବିଳ ମମତାରେ ଓଦା ହୋଇଯାଏ ଶୁଖିଲା ଭୂଇଁ। ମଥା ଉପରେ ଅଜାଡ଼ି ହୋଇ ପଡ଼େ ଆଞ୍ଜୁଳା ଆଞ୍ଜୁଳା କଲ୍ୟାଣ। ମରଣ ପରୱାନାରେ ଦସ୍ତଖତ ଦେଲାବେଳେ ବି ମାଆର ସେହି ଗୋଟିଏ ସର୍ତ୍ତ ମୋ ପିଲାଏ ଥାଆନ୍ତୁ ଭଲରେ। ମାଆର ଏ ଭଲ ପାଇବାରେ ନ ଥାଏ ସ୍ବାର୍ଥ ଓ ସର୍ତ୍ତ। ପ୍ରସଙ୍ଗକ୍ରମେ ମନେପଡ଼େ ଗତ ସୁନାମି ସମୟର ଘଟଣା। ସମୁଦ୍ରରୁ ମାଡ଼ି ଆସୁଥାଏ ଭୟଙ୍କର ସମୁଦ୍ର ଜୁଆର। ଲୋକେ ପ୍ରାଣ ବିକଳରେ ଧାଇଁଥାନ୍ତି ନିରାପଦ ସ୍ଥାନକୁ। ଜଣେ ମହିଳା କିନ୍ତୁ ଓଲଟା ଧାଇଁଥାଏ ସମୁଦ୍ର ଆଡ଼କୁ। କାରଣ ତା’ର କୁନି ପୁଅଟି ସମୁଦ୍ର କୂଳକୁ ଖେଳିବାକୁ ଯାଇଥିଲା କିଛି ସମୟ ପୂର୍ବରୁ। ସେ ଏଯାଏ ଫେରି ନ ଥିବାରୁ ମା’ ତାକୁ ଖୋଜିବାକୁ ଧାଇଁଛି ଜୀବନକୁ ବାଜି ଲଗେଇ। ମାତୃତ୍ୱର ଏ ମହକ କେବଳ ମଣିଷ କ୍ଷେତ୍ରରେ ନୁହେଁ, ପଶୁପକ୍ଷୀଙ୍କ ପାଖରେ ବି ଦେଖିବାକୁ ମିଳେ ସମାନ ଭାବରେ। ଚିତାବାଘ ମାଙ୍କଡ଼ ଶିକାର କରିବାକୁ ଗଛକୁ ଚଢ଼ିଲେ ପିଲାମାନଙ୍କ ଜୀବନ ରକ୍ଷା କରିବା ପାଇଁ ଚିତା ପାଖରେ ନିଜକୁ ସମର୍ପି ଦିଏ ମା’ ମାଙ୍କଡ଼। ଚିଲ ଆକ୍ରମଣ ସମୟରେ ଶାବକମାନଙ୍କୁ ପେଟତଳେ ରଖି ମା’ କୁକୁଡ଼ା ଭୁଲିଯାଏ ଆପଣା ସୁରକ୍ଷା କଥା। ବାସ୍ତବରେ ମା’ ହେଉଛି ଅନ୍ଧର ଆଖି। ମୂକର ଭାଷା। ତା’ର କୋଳ ହେଉଛି ଏକ ଅଭୟ ଆଶ୍ରୟସ୍ଥଳୀ। ସେଥିପାଇଁ କୁହାଯାଏ ଯମ ରାଜାଙ୍କ ପାଇଁ ସଂସାରରେ ଯଦି କେଉଁଠି ଅପହଞ୍ଚ ଇଲାକା ଅଛି, ତେବେ ତା’ ହେଉଛି ମା’ର କୋଳ।
ମାଆର ଆଶୀର୍ବାଦ ବଳରେ ଅସମ୍ଭବକୁ ସମ୍ଭବ କରିପାରେ ମଣିଷ। ତେଣୁ ମା’କୁ ପୂଜା କରିବା ଅର୍ଥ ଈଶ୍ୱରଙ୍କ ସାନ୍ନିଧ୍ୟ ପାଇବା ସହିତ ସମାନ। ଥରେ ଜଣେ ସନ୍ଥ ନିଜ ଅନୁଭୂତିରୁ କହୁଥିଲେ-”ଈଶ୍ୱରଙ୍କ ସନ୍ଧାନରେ ଜୀବନ କାଳର ସମଗ୍ର ସାଧନା ବିନିଯୋଗ କରି ସେ ଅପ୍ରାପ୍ତିଜନିତ ହତାଶରେ ଭାଙ୍ଗିପଡ଼ିଥିବା ବେଳେ ହଠାତ୍‌ ଆଖିପଡ଼ିଲା ଜନ୍ମଦାତ୍ରୀ ମା’ ଉପରେ। ଗଭୀର ଅନ୍ତର୍ଦୃଷ୍ଟି ନେଇ ତାକୁ ନିରେଖିଲା ପରେ ଆଉ ଅନୁଭବ କରିପାରିଲେନି ଈଶ୍ୱରଙ୍କୁ ଖୋଜିବାର ଆବଶ୍ୟକତା। କାରଣ ବୁଝିଗଲେ ଅଦୃଶ୍ୟ ଈଶ୍ୱରଙ୍କ ପରି ମାଆ ମଧ୍ୟ ଦୟା ଓ କରୁଣାର ଅବତାର। ତେଣୁ ମା’ ଓ ଈଶ୍ବର ଉଭୟ ଗୋଟିଏ ମୁଦ୍ରାର ଦୁଇଟି ପାଶର୍‌ବ।“ ସୁତରାଂ ମା’ର ସେବା ସନ୍ତାନର ପରମ କର୍ତ୍ତବ୍ୟ। ଏହି ବିଚାରଧାରା କେଉଁ ଅନାଦି କାଳରୁ ଆମ ରକ୍ତରେ ମିଶିଯାଇଛି ଏବଂ ଏହା ହିଁ ଭାରତୀୟ ସଂସ୍କୃତିର ଏକ ମୌଳିକ ବିଭବ। ଅଥଚ ସାଂସ୍କୃତିକ ଅବକ୍ଷୟ କାରଣରୁ ସାମ୍ପ୍ରତିକ ସମୟରେ ଏକ ଜ୍ବଳନ୍ତ ସମସ୍ୟା ହୋଇ ଉଭା ହୋଇଛି ବୃଦ୍ଧ ମାତାପିତାଙ୍କ ପ୍ରତି ପିଲାମାନଙ୍କର ଅବଜ୍ଞା ଓ ଅବହେଳା।
ପରିବର୍ତ୍ତିତ ସାମାଜିକ ଚଳଣି ଅନୁଯାୟୀ ପରିବାରରେ ଏବେ ଅଚଳ ହେଲାଣି ବୃଦ୍ଧସ୍ୟ ବଚନ ଗ୍ରାହ୍ୟ ନୀତି। ନୀତି ଓ ଆଦର୍ଶ। ପିଲାଙ୍କର ଆଉ ଆବଶ୍ୟକ ହେଉନି ପରିଣତ ବୟସରେ ପହଞ୍ଚିଥିବା ମାତାପିତାଙ୍କ ପରାମର୍ଶ ଓ ଉପଦେଶ। ଆମ ଯୌଥ ପରିବାର ବ୍ୟବସ୍ଥା ଭାଙ୍ଗିଯିବା ପରଠାରୁ କ୍ରମଶଃ ଦୁର୍ବିଷହ ହୋଇପଡ଼ିଲାଣି ସେମାନଙ୍କ ଜୀବନ। ସମ୍ପତ୍ତି ବାଡ଼ି ପରି ସେମାନେ ବି ଭାଗ ହେଲେଣି ଭାଇ ଭାଇ ଭିତରେ। ସର୍ତ୍ତ ଅନୁସାରେ ତାଙ୍କ ଭିତରୁ ଜଣେ ବଡ଼ଭାଇ ପାଖରେ ରହୁଛି ତ ଆଉ ଜଣେ ସାନ ପାଖରେ। କେତେକ ଜାଗାରେ ଜଣେ ଗାଁରେ ରହୁଛି ତ ଆଉ ଜଣେ ସହରରେ। ଜଣେ ଚାଲିଗଲା ପରେ ଅନ୍ୟ ଜଣକର ଭରଣ ପୋଷଣ ଦାୟିତ୍ୱ ପୁଣି ଭାଗ ହେଉଛି ନୂଆ ପ୍ରକାରେ। ବିଶେଷକରି ବାପା ଆଗ ଚାଲିଗଲେ ମା’ ପାଇଁ ବଞ୍ଚିବା ମରିବା ସବୁ ସମାନ। ବିଲେଇ ଛୁଆ ଏ ଦୁଆର ସେ ଦୁଆର ହେଲାପରି ସେ ବଡ଼ ପୁଅ ଦୁଆରେ ପନ୍ଦର ଦିନ ପତର ପକାଏ ତ ସାନ ପୁଅ ପାଖରେ ବାକି ପନ୍ଦର ଦିନ। ଦୁର୍ଭାଗ୍ୟକୁ ଯେଉଁ ମାସ ୩୧ ଦିନିଆ, ସେ ମାସର ଶେଷ ଦିନଟା କା’ ଭାଗରେ ମଜୁରା ହୋଇ ନ ଥିବାରୁ ସେଦିନ ତାକୁ ହୁଏତ ପାଳନ କରିବାକୁ ପଡ଼େ ଏକାଦଶୀ ବ୍ରତ। ଏଭଳି ଅବହେଳା ଯେ କେବଳ ଏକାଧିକ ପୁଅ ଜନ୍ମ କରିଥିବା ମା’ ଭାଗ୍ୟରେ ଥାଏ ତା’ ନୁହେଁ, କେତେକ ସ୍ଥାନରେ ଗୋଟିକିଆ ପୁଅର ମାଆ ବି ଭୋଗୁଛି ବାର ହୀନସ୍ତା।
ଗାଁ ହେଉ କି ସହର, ଏବେ ପ୍ରାୟତଃ ସବୁ ଘରେ ଓ ସବୁ କଥାରେ ଦେଖିବାକୁ ମିଳୁଛି ଶାଶୁ ଉପରେ ବୋହୂର ବାଦ। ଶାଶୁ ନାମରେ କିଛି ସମ୍ପତ୍ତି ବାଡ଼ି ଥିଲେ ରକ୍ଷା। କିଛି ପ୍ରକାର ପେନ୍‌ସନ ପାଉଥିଲେ ବି ସେତିକି ହାତେଇବା ପାଇଁ ଅଜାଡ଼ି ପଡ଼େ କିଛି କୃତ୍ରିମ ଭକ୍ତି ଓ ଭଲପାଇବା। ତା’ ନ ହେଲେ ଫିଙ୍ଗା, ଫୋପଡ଼ା, ଅନାଦର ଓ ବେଖାତିର ଭିତରେ ଶାଶୁମା’ର ଜୀବନ ମରଣ ସବୁ ସମାନ। ଆଜିକାଲି ଏମିତି ପୁଅ ବି ଅଛନ୍ତି, ଯିଏ ନିଜ ସ୍ତ୍ରୀକୁ ଖୁସି କରିବାକୁ ଯାଇ ମା’କୁ ଦେଖେଇ ଦିଅନ୍ତି ଅନାଥାଶ୍ରମର ରାସ୍ତା। କେହି କେହି ତୀର୍ଥ ଦର୍ଶନ କରାଇନେବା ଆଳରେ ଜନ୍ମଦାତ୍ରୀ ମା’କୁ ନେଇ ଛାଡ଼ି ଆସନ୍ତି ଅଜଣା ସହରରେ। ସାଧାରଣତଃ ଚାକିରିଆ ପୁଅମାନେ ସହରରେ ରହନ୍ତି ନିଜ ସ୍ତ୍ରୀ ଓ ପିଲାଙ୍କୁ ନେଇ। ସେମାନଙ୍କ ଭିତରୁ ଅଧିକାଂଶଙ୍କ ମାଆ କିନ୍ତୁ ଗାଁରେ ଏକୁଟିଆ ପଡ଼ିଥାନ୍ତି ଭିଟାମାଟିକୁ ଜାବୁଡ଼ି ଧରି। ମା’ର ଭଲ ମନ୍ଦ କେହି ବୁଝିବା ତ ଦୂରର କଥା ପାଖରେ କେହି ନ ଥା’ନ୍ତି ମୁହଁରେ ଟିକେ ପାଣିଦେବା ପାଇଁ। ମା’ ବାଧିକା ପଡ଼ିିିଛି ବୋଲି ଖବର ପାଇଲେ ପିଲାମାନେ ବିବ୍ରତ ହେବା ତ ଦୂରର କଥା, ଗାଁକୁ ସହସା ଆସିବା କଥାଟା ଟାଳି ଦିଅନ୍ତି ନାନା ପ୍ରକାର ଆଳ ଦେଖାଇ। ପିଲାମାନଙ୍କର ଏତାଦୃଶ ସ୍ବାର୍ଥପରତା ପାଇଁ ଗାଁରୁ ସହର ଯାଏ ସବୁଠି ଉତ୍ପୀଡ଼କ ନିଃସଙ୍ଗତା ମଧ୍ୟରେ କଟୁଛି ମାଆର ଅବଶିଷ୍ଟ ଜୀବନ। ସହରରେ ଏମିତି ବହୁତ ବଡ଼ ବଡ଼ କୋଠାଘର ଅଛି, ଯେଉଁଠି ରହିବା ପାଇଁ ବୁଢ଼ୀବୁଢ଼ା ଦୁଇଜଣ କିମ୍ବା ସେମାନଙ୍କ ଭିତରୁ ଜଣେ। ପୁଅବୋହୂ ସ୍ଥାୟୀ ଘରକରି ରହିଲେଣି ବିଦେଶରେ। ସେମାନେ ଆଉ କେବେ ବି ଇଚ୍ଛା କରନ୍ତି ନାହିଁ ନିଜ ସହରକୁ ଆସିବା ପାଇଁ। ବେଳେ ବେଳେ ବିଦେଶରୁ ଭଲ ଭଲ ଉପହାର ପଠାନ୍ତି ମା’ ପାଇଁ। ମାତ୍ର କ’ଣ ହେବ ସେ ଉପହାର? ଉପହାର କ’ଣ କଥା କହିବ? ମାଆ ପରା କିଛି ନେବାକୁ ଚାହେଁ ନି। ସେ କେବଳ ଦେଇ ଜାଣେ ଏବଂ ସାରା ଜୀବନ ଦେଇ ଦେଇ ନିିଃସ୍ବ ହୋଇଯିବାରେ ତା’ର ଆନନ୍ଦ। ପ୍ରତିବଦଳରେ ସେ କେବଳ ଚାହେଁ ଶେଷ ଜୀବନଟା ପୁଅ ବୋହୂ ନାତି ନାତୁଣୀଙ୍କ ଗହଣରେ ବିତେଇଦେବ ହସଖୁସିରେ। ମାତ୍ର ବିଡ଼ମ୍ବନାର ବିଷୟ ହେଉଛି ମା’ର ଏଇ ଇଚ୍ଛା ଟିକକ ପୂରଣ କରିବା ଦିଗରେ ଅଧିକାଂଶ ପୁଅ ଆଜି ବୀତସ୍ପୃହ। ବିଶେଷକରି ସହରରେ ନୀଡ଼ ରଚନା କରି ରହୁଥିବା ଅନେକ ପୁଅ ଅନୁଭବ କରିପାରୁନାହାନ୍ତି ମା’ର ତ୍ୟାଗ ଓ ମହିମା। କେବେ ଥରେ ସେମାନେ ଯେତେବେଳେ ଘରୁ ବାହାରି ସହରକୁ ଯାଉଥିଲେ, ସେତେବେଳେ କେମିିିିତି କେମିତି କରତି ହେଉଥିଲା ମା’ର ମନ। ତେଣୁ ଯେଉଁ ମାଆ ସେଦିନ ପୁଅ ସହରକୁ ଗଲାବେଳେ ଠାକୁର ଘରେ ପଶୁଥିଲା ଆଖି ଲୁହ ଲୁଚେଇବା ପାଇଁ, ସେହି ମା’ର ବାହୁନା ଏବେ ଅବିକଳ -”କୋଇଲି ଖଣ୍ଡ କ୍ଷୀର ଦେବି ମୁଁ କାହାକୁ, ଖାଇବାର ପୁତ୍ର ଗଲା ମଥୁରା ପୁରକୁ ଲୋ କୋଇଲି“ ର ସଂଳାପ ପରି ଅଶ୍ରୁଳ, କରୁଣ ଓ ମର୍ମଦାହୀ।
ସାଧାରଣତଃ ମା’ ବୋଲି ଉଚ୍ଚାରଣ କଲା ମାତ୍ରେ ଆମ ଆଖି ଆଗରେ ଆସି ଉଭା ହୋଇଯାଏ ଏକ ମମତାମୟୀ ଦେବୀ ପ୍ରତିମା; ଯିଏ ନିଜେ ଭୋକିଲା ରହି ଆମ ମୁହଁରେ ଆହାର ଦେବାକୁ ଲାଗିଥାଏ ଦିନରାତି। ଆମେ ବାଧିକା ପଡ଼ିଲେ ଠାକୁରଙ୍କୁ ଡାକେ ଏବଂ ରାତି ରାତି ଉଜାଗର ରହି ଲାଗିଥାଏ ଆମରି ସେବାରେ। ଆମରି ଖୁସି ପାଇଁ ସେ ପରିବାରର ସମସ୍ତେ ଶୋଇଲା ପରେ ବିଛଣାକୁ ଯାଏ ଏବଂ ଆମେ କେହି ଉଠିିିିବା ଆଗରୁ ଉଠିପଡ଼ି ଲାଗିପଡ଼େ କାମରେ। ସେ କେବେ କାହା ଉପରେ ରାଗେନି କି ଅଭିମାନ କରେନି, ବରଂ ସଂସାର ଯାକର ଗାଳିକୁ ସହି ଆମର ମଙ୍ଗଳ ମନାସେ ସାରା ଜୀବନ। ସେହି ଉପଲବ୍ଧି ଯୋଗୁ ମା’ ବୋଲି ଡାକିଦେଲେ ଆମ ପ୍ରାଣରେ ସୃଷ୍ଟି ହୁଏ ଏକ ଅମୃତମୟ ଆହ୍ଲାଦ। ସେ ଆହ୍ଲାଦରେ ଥାଏ ସବୁ ଯନ୍ତ୍ରଣାର ଉପଶମ। ତେଣୁ ଝୁଣ୍ଟି ପଡ଼ିଲେ ମା’ଲୋ ବୋଲି ପାଟିରୁ ବାହାରି ପଡ଼େ ଆପେ ଆପେ। ସତରେ ଈଶ୍ୱରଙ୍କ ସମଗ୍ର ସୃଷ୍ଟିରେ ଶ୍ରେଷ୍ଠ ବୋଲି ଯଦି କିଛି ଥାଏ, ସେ ହେଉଛି ମାଆ। ତା’ର ତ୍ୟାଗର ମହିମାକୁ ଅସ୍ବୀକାର କରିବାର ଶକ୍ତି ସଂସାରରେ କାହାର ନାହିଁ। ଏହା ହିଁ ଆମ ଜଟିଳ ଜୀବନର ଏକ ସରଳ ସତ୍ୟ। ଏକ ସର୍ବକାଳୀନ ସିଦ୍ଧାନ୍ତ; ଯା’କୁ ଅସ୍ବୀକାର କଲେ ଦୁର୍ବିଷହ ହୋଇ ପଡ଼ିବ ଏ ପୃଥିବୀ!
– ଅଧ୍ୟକ୍ଷ, ଫୁଲମତୀ ହେମ୍ବ୍ରମ ମହାବିଦ୍ୟାଳୟ,
ପଡ଼ିଆବେଡ଼ା, ମୟୂରଭଞ୍ଜ, ମୋ: ୯୪୩୮୮୫୫୦୮୮


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ବିନୟ ଦାସ ଦିଲ୍ଲୀର ଓ୍ବାଜିରପୁରରେ ରହୁଥିବା ପ୍ରବାସୀ ଶ୍ରମିକଙ୍କ ପିଲାଙ୍କୁ ମାଗଣାରେ ପଢ଼ାଉଛନ୍ତି। ସେ ୨୦୧୩ରେ ପ୍ରଥମେ ତାଙ୍କ ପଡ଼ିଶା ଘର ପିଲାଙ୍କୁ ପଢ଼ାଇବା ଆରମ୍ଭ କରିଥିଲେ।…

ସୈନିକଙ୍କୁ ଟେଷ୍ଟୋଷ୍ଟେରୋନ୍‌ ଚିକିତ୍ସା

ଦୀର୍ଘଦିନ ହେଲା ଚାଲିଆସିଛି ଆମେରିକା-ଇରାନ ଯୁଦ୍ଧ। ଏଥିପାଇଁ ବିଦେଶ ଭୂଇଁରେ ଥିବା ଆମେରିକୀୟ ସୈନ୍ୟମାନଙ୍କ ମଧ୍ୟରୁ ଅନେକଙ୍କଠାରେ ସୃଷ୍ଟି ହେଉଛି ମାନସିକ ଚାପ। ଏକଥା ଅନୁଭବ କରି…

ଛାତ୍ର ଆନ୍ଦୋଳନ ଓ ପୋଲିସ କାର୍ଯ୍ୟାନୁଷ୍ଠାନ

ସ୍ବାଧୀନତା ପରେ ବିଭିନ୍ନ ସ୍ଥାନୀୟ ଓ ଜାତୀୟ ସମସ୍ୟା ପାଇଁ ଛାତ୍ରମାନେ ଅଣ୍ଟା ଭିଡ଼ିଛନ୍ତି ଏବଂ ପୋଲିସ କାର୍ଯ୍ୟାନୁଷ୍ଠାନର ଶିକାର ହୋଇଛନ୍ତି। ୧୯୬୩ ମସିହାରେ ତତ୍କାଳୀନ କେନ୍ଦ୍ର…

ଦୋମୁହାଁ ଟ୍ରମ୍ପ

ଡୋନାଲ୍ଡ ଟ୍ରମ୍ପ୍‌ ଦ୍ୱିତୀୟ ଥର ପାଇଁ ଆମେରିକା ରାଷ୍ଟ୍ରପତି ହେବା ପରେ ନେଉଥିବା ନିଷ୍ପତ୍ତି ଆମେରିକା ସମେତ ବିଶ୍ୱକୁ ବାରମ୍ବାର ଅସୁବିଧାରେ ପକାଇ ଚାଲିଛି। ଅନ୍ତର୍ଜାତୀୟ ଅର୍ଥନୈତିକ…

ଏଇ ଭାରତରେ

ନିଶା ବିନାଶର କାରଣ- ଏହିି କଥାକୁ ଭଲ ଭାବେ ହୃଦୟଙ୍ଗମ କରିଛନ୍ତି ହିମାଚଳପ୍ରଦେଶର ଲତା ଦେବୀ। ସେ ବାମସନ୍‌ ବ୍ଲକ ବାହ୍ଲୋ ପଞ୍ଚାୟତର ସରପଞ୍ଚ ଭାବେ ୫ଟି…

‘ଘିବଲି’ ଦୁନିଆ: ଅପରାଧ ଓ ଆଇନ

ମସାମୟିକ ଧାରାରେ ନିଜକୁ ଅଂଶୀଦାର କରିବାର ମାନସିକତା ବିଶ୍ୱ, ପରିବେଶ ସର୍ବୋପରି ମାନବ ସଭ୍ୟତାକୁ ତା’ର ଅଜ୍ଞାତସାରରେ ବିଲୟର କେଉଁ ଦିଗକୁ ଟାଣିନେଇ ଚାଲିଛି ତାହା ବୋଧହୁଏ…

ନାଗରିକ ସ୍ବାଧୀନତା କ୍ଷୁଣ୍ଣ

୨୦୨୧ ମସିହା ୫ ମାର୍ଚ୍ଚରେ ଭାରତ ସରକାରଙ୍କ ପ୍ରେସ୍‌ ଇନ୍‌ଫର୍ମେଶନ ବ୍ୟୁରୋ (ପିଆଇବି) ପକ୍ଷରୁ ଏକ ବିବୃତି ଜାରି କରାଯାଇଥିଲା, ଯାହାର ଶୀର୍ଷକ ଥିଲା ”ଏକ ସ୍ବାଧୀନ…

ପିଲାମାନେ ଟିକିଏ ଭାବନ୍ତୁ

ଶକ୍ତ-ହାଲୁକା-ଲୋଭନୀୟ ପ୍ଲାଷ୍ଟିକ୍‌ ଦିନେ ଆମକୁ ଆନନ୍ଦ ଦେଇଥିଲା। ତେଣୁ ଆମେ ସମସ୍ତେ ତାକୁ ଆଦର କଲେ। ଏବେ ଏହାର ଆହୁରି ଆକର୍ଷଣୀୟ ରଙ୍ଗ ଓ ଅବିଶ୍ୱସନୀୟ ନିର୍ମାଣଶୈଳୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?