ଉପେକ୍ଷିତ ମାତୃତ୍ୱ

ଡ. ପ୍ରଫୁଲ୍ଲ କୁମାର ସାହୁ

ମମତା ଅଜାଡ଼ି ଦେବାର ଅନ୍ୟ ନାମ ମାଆ। ଆମ ଜୀବନ ଭୂମିକୁ ସିକ୍ତକରି ବହିଯାଇଥିବା ଏକ ଶୀତଳ ଝର। କିଏ ତାକୁ ବାତ୍ସଲ୍ୟର ବାରିଧାରା କହେ ତ କିଏ କହେ ସେବା ଓ ସହନଶୀଳତାର କୋମଳ ଗାନ୍ଧାର। ବାସ୍ତବରେ ମାତୃତ୍ୱ ହେଉଛି ପିଲାଙ୍କ ରାସ୍ତାରୁ କଣ୍ଟା ସାଉଣ୍ଟି ନେଇ ଫୁଲ ବିଛେଇ ଦେବାର ଏକ ଆଜୀବନ ତପସ୍ୟା। ଏକ ଅପ୍ରମିତ ସାଧନା। ସଂସାରକୁ ଏକ ନୂଆ ଜୀବନ ଆଣିବାର ଦିବ୍ୟ ଅନୁଭବ। ଜନ୍ମଦେବା ତ ପ୍ରଜନନ ପ୍ରକ୍ରିୟାର ଏକ ସ୍ବାଭାବିକ ପରିଣତି। କିନ୍ତୁ ମାତୃତ୍ୱ ହେଉଛି ସନ୍ତାନ ପାଇଁ ନିଜକୁ ଉଜେଇ ଦେବାର ଏକ ମହାର୍ଘ ଉପଲବ୍ଧି। ଗର୍ଭଧାରଣ ସମୟରେ ଅଜସ୍ର ଗୋଇଠା ଖାଇ ଏବଂ ପ୍ରସବ କାଳରେ ଅସହ୍ୟ ଯନ୍ତ୍ରଣା ସହି ସେ ସନ୍ତାନକୁ ସଂସାରକୁ ଆଣିବା ମାତ୍ରେ ତା’ ବକ୍ଷରେ ପ୍ରବାହିତ ହୁଏ ଅମୃତର ଧାରା। ସନ୍ତାନ ପାଇଁ ଏହା ହିଁ ସଂସାରର ବିକଳ୍ପହୀନ ଆହାର ବା ଅମୃତ। ସନ୍ତାନକୁ ସେହି ଅମୃତ ଟିକେ ଚଟେଇବା ପାଇଁ ମାଆ ନିଜେ ପଳ ପଳ କରି ପିଇଯାଏ ଦୁଃଖର ଗରଳ। ପିିିଲାଙ୍କ ପାଦରେ କଣ୍ଟା ଫୁଟିିିଗଲେ ବିଦାରି ହୋଇଯାଏ ତା’ର ବକ୍ଷ। ତା’ର ଅନାବିଳ ମମତାରେ ଓଦା ହୋଇଯାଏ ଶୁଖିଲା ଭୂଇଁ। ମଥା ଉପରେ ଅଜାଡ଼ି ହୋଇ ପଡ଼େ ଆଞ୍ଜୁଳା ଆଞ୍ଜୁଳା କଲ୍ୟାଣ। ମରଣ ପରୱାନାରେ ଦସ୍ତଖତ ଦେଲାବେଳେ ବି ମାଆର ସେହି ଗୋଟିଏ ସର୍ତ୍ତ ମୋ ପିଲାଏ ଥାଆନ୍ତୁ ଭଲରେ। ମାଆର ଏ ଭଲ ପାଇବାରେ ନ ଥାଏ ସ୍ବାର୍ଥ ଓ ସର୍ତ୍ତ। ପ୍ରସଙ୍ଗକ୍ରମେ ମନେପଡ଼େ ଗତ ସୁନାମି ସମୟର ଘଟଣା। ସମୁଦ୍ରରୁ ମାଡ଼ି ଆସୁଥାଏ ଭୟଙ୍କର ସମୁଦ୍ର ଜୁଆର। ଲୋକେ ପ୍ରାଣ ବିକଳରେ ଧାଇଁଥାନ୍ତି ନିରାପଦ ସ୍ଥାନକୁ। ଜଣେ ମହିଳା କିନ୍ତୁ ଓଲଟା ଧାଇଁଥାଏ ସମୁଦ୍ର ଆଡ଼କୁ। କାରଣ ତା’ର କୁନି ପୁଅଟି ସମୁଦ୍ର କୂଳକୁ ଖେଳିବାକୁ ଯାଇଥିଲା କିଛି ସମୟ ପୂର୍ବରୁ। ସେ ଏଯାଏ ଫେରି ନ ଥିବାରୁ ମା’ ତାକୁ ଖୋଜିବାକୁ ଧାଇଁଛି ଜୀବନକୁ ବାଜି ଲଗେଇ। ମାତୃତ୍ୱର ଏ ମହକ କେବଳ ମଣିଷ କ୍ଷେତ୍ରରେ ନୁହେଁ, ପଶୁପକ୍ଷୀଙ୍କ ପାଖରେ ବି ଦେଖିବାକୁ ମିଳେ ସମାନ ଭାବରେ। ଚିତାବାଘ ମାଙ୍କଡ଼ ଶିକାର କରିବାକୁ ଗଛକୁ ଚଢ଼ିଲେ ପିଲାମାନଙ୍କ ଜୀବନ ରକ୍ଷା କରିବା ପାଇଁ ଚିତା ପାଖରେ ନିଜକୁ ସମର୍ପି ଦିଏ ମା’ ମାଙ୍କଡ଼। ଚିଲ ଆକ୍ରମଣ ସମୟରେ ଶାବକମାନଙ୍କୁ ପେଟତଳେ ରଖି ମା’ କୁକୁଡ଼ା ଭୁଲିଯାଏ ଆପଣା ସୁରକ୍ଷା କଥା। ବାସ୍ତବରେ ମା’ ହେଉଛି ଅନ୍ଧର ଆଖି। ମୂକର ଭାଷା। ତା’ର କୋଳ ହେଉଛି ଏକ ଅଭୟ ଆଶ୍ରୟସ୍ଥଳୀ। ସେଥିପାଇଁ କୁହାଯାଏ ଯମ ରାଜାଙ୍କ ପାଇଁ ସଂସାରରେ ଯଦି କେଉଁଠି ଅପହଞ୍ଚ ଇଲାକା ଅଛି, ତେବେ ତା’ ହେଉଛି ମା’ର କୋଳ।
ମାଆର ଆଶୀର୍ବାଦ ବଳରେ ଅସମ୍ଭବକୁ ସମ୍ଭବ କରିପାରେ ମଣିଷ। ତେଣୁ ମା’କୁ ପୂଜା କରିବା ଅର୍ଥ ଈଶ୍ୱରଙ୍କ ସାନ୍ନିଧ୍ୟ ପାଇବା ସହିତ ସମାନ। ଥରେ ଜଣେ ସନ୍ଥ ନିଜ ଅନୁଭୂତିରୁ କହୁଥିଲେ-”ଈଶ୍ୱରଙ୍କ ସନ୍ଧାନରେ ଜୀବନ କାଳର ସମଗ୍ର ସାଧନା ବିନିଯୋଗ କରି ସେ ଅପ୍ରାପ୍ତିଜନିତ ହତାଶରେ ଭାଙ୍ଗିପଡ଼ିଥିବା ବେଳେ ହଠାତ୍‌ ଆଖିପଡ଼ିଲା ଜନ୍ମଦାତ୍ରୀ ମା’ ଉପରେ। ଗଭୀର ଅନ୍ତର୍ଦୃଷ୍ଟି ନେଇ ତାକୁ ନିରେଖିଲା ପରେ ଆଉ ଅନୁଭବ କରିପାରିଲେନି ଈଶ୍ୱରଙ୍କୁ ଖୋଜିବାର ଆବଶ୍ୟକତା। କାରଣ ବୁଝିଗଲେ ଅଦୃଶ୍ୟ ଈଶ୍ୱରଙ୍କ ପରି ମାଆ ମଧ୍ୟ ଦୟା ଓ କରୁଣାର ଅବତାର। ତେଣୁ ମା’ ଓ ଈଶ୍ବର ଉଭୟ ଗୋଟିଏ ମୁଦ୍ରାର ଦୁଇଟି ପାଶର୍‌ବ।“ ସୁତରାଂ ମା’ର ସେବା ସନ୍ତାନର ପରମ କର୍ତ୍ତବ୍ୟ। ଏହି ବିଚାରଧାରା କେଉଁ ଅନାଦି କାଳରୁ ଆମ ରକ୍ତରେ ମିଶିଯାଇଛି ଏବଂ ଏହା ହିଁ ଭାରତୀୟ ସଂସ୍କୃତିର ଏକ ମୌଳିକ ବିଭବ। ଅଥଚ ସାଂସ୍କୃତିକ ଅବକ୍ଷୟ କାରଣରୁ ସାମ୍ପ୍ରତିକ ସମୟରେ ଏକ ଜ୍ବଳନ୍ତ ସମସ୍ୟା ହୋଇ ଉଭା ହୋଇଛି ବୃଦ୍ଧ ମାତାପିତାଙ୍କ ପ୍ରତି ପିଲାମାନଙ୍କର ଅବଜ୍ଞା ଓ ଅବହେଳା।
ପରିବର୍ତ୍ତିତ ସାମାଜିକ ଚଳଣି ଅନୁଯାୟୀ ପରିବାରରେ ଏବେ ଅଚଳ ହେଲାଣି ବୃଦ୍ଧସ୍ୟ ବଚନ ଗ୍ରାହ୍ୟ ନୀତି। ନୀତି ଓ ଆଦର୍ଶ। ପିଲାଙ୍କର ଆଉ ଆବଶ୍ୟକ ହେଉନି ପରିଣତ ବୟସରେ ପହଞ୍ଚିଥିବା ମାତାପିତାଙ୍କ ପରାମର୍ଶ ଓ ଉପଦେଶ। ଆମ ଯୌଥ ପରିବାର ବ୍ୟବସ୍ଥା ଭାଙ୍ଗିଯିବା ପରଠାରୁ କ୍ରମଶଃ ଦୁର୍ବିଷହ ହୋଇପଡ଼ିଲାଣି ସେମାନଙ୍କ ଜୀବନ। ସମ୍ପତ୍ତି ବାଡ଼ି ପରି ସେମାନେ ବି ଭାଗ ହେଲେଣି ଭାଇ ଭାଇ ଭିତରେ। ସର୍ତ୍ତ ଅନୁସାରେ ତାଙ୍କ ଭିତରୁ ଜଣେ ବଡ଼ଭାଇ ପାଖରେ ରହୁଛି ତ ଆଉ ଜଣେ ସାନ ପାଖରେ। କେତେକ ଜାଗାରେ ଜଣେ ଗାଁରେ ରହୁଛି ତ ଆଉ ଜଣେ ସହରରେ। ଜଣେ ଚାଲିଗଲା ପରେ ଅନ୍ୟ ଜଣକର ଭରଣ ପୋଷଣ ଦାୟିତ୍ୱ ପୁଣି ଭାଗ ହେଉଛି ନୂଆ ପ୍ରକାରେ। ବିଶେଷକରି ବାପା ଆଗ ଚାଲିଗଲେ ମା’ ପାଇଁ ବଞ୍ଚିବା ମରିବା ସବୁ ସମାନ। ବିଲେଇ ଛୁଆ ଏ ଦୁଆର ସେ ଦୁଆର ହେଲାପରି ସେ ବଡ଼ ପୁଅ ଦୁଆରେ ପନ୍ଦର ଦିନ ପତର ପକାଏ ତ ସାନ ପୁଅ ପାଖରେ ବାକି ପନ୍ଦର ଦିନ। ଦୁର୍ଭାଗ୍ୟକୁ ଯେଉଁ ମାସ ୩୧ ଦିନିଆ, ସେ ମାସର ଶେଷ ଦିନଟା କା’ ଭାଗରେ ମଜୁରା ହୋଇ ନ ଥିବାରୁ ସେଦିନ ତାକୁ ହୁଏତ ପାଳନ କରିବାକୁ ପଡ଼େ ଏକାଦଶୀ ବ୍ରତ। ଏଭଳି ଅବହେଳା ଯେ କେବଳ ଏକାଧିକ ପୁଅ ଜନ୍ମ କରିଥିବା ମା’ ଭାଗ୍ୟରେ ଥାଏ ତା’ ନୁହେଁ, କେତେକ ସ୍ଥାନରେ ଗୋଟିକିଆ ପୁଅର ମାଆ ବି ଭୋଗୁଛି ବାର ହୀନସ୍ତା।
ଗାଁ ହେଉ କି ସହର, ଏବେ ପ୍ରାୟତଃ ସବୁ ଘରେ ଓ ସବୁ କଥାରେ ଦେଖିବାକୁ ମିଳୁଛି ଶାଶୁ ଉପରେ ବୋହୂର ବାଦ। ଶାଶୁ ନାମରେ କିଛି ସମ୍ପତ୍ତି ବାଡ଼ି ଥିଲେ ରକ୍ଷା। କିଛି ପ୍ରକାର ପେନ୍‌ସନ ପାଉଥିଲେ ବି ସେତିକି ହାତେଇବା ପାଇଁ ଅଜାଡ଼ି ପଡ଼େ କିଛି କୃତ୍ରିମ ଭକ୍ତି ଓ ଭଲପାଇବା। ତା’ ନ ହେଲେ ଫିଙ୍ଗା, ଫୋପଡ଼ା, ଅନାଦର ଓ ବେଖାତିର ଭିତରେ ଶାଶୁମା’ର ଜୀବନ ମରଣ ସବୁ ସମାନ। ଆଜିକାଲି ଏମିତି ପୁଅ ବି ଅଛନ୍ତି, ଯିଏ ନିଜ ସ୍ତ୍ରୀକୁ ଖୁସି କରିବାକୁ ଯାଇ ମା’କୁ ଦେଖେଇ ଦିଅନ୍ତି ଅନାଥାଶ୍ରମର ରାସ୍ତା। କେହି କେହି ତୀର୍ଥ ଦର୍ଶନ କରାଇନେବା ଆଳରେ ଜନ୍ମଦାତ୍ରୀ ମା’କୁ ନେଇ ଛାଡ଼ି ଆସନ୍ତି ଅଜଣା ସହରରେ। ସାଧାରଣତଃ ଚାକିରିଆ ପୁଅମାନେ ସହରରେ ରହନ୍ତି ନିଜ ସ୍ତ୍ରୀ ଓ ପିଲାଙ୍କୁ ନେଇ। ସେମାନଙ୍କ ଭିତରୁ ଅଧିକାଂଶଙ୍କ ମାଆ କିନ୍ତୁ ଗାଁରେ ଏକୁଟିଆ ପଡ଼ିଥାନ୍ତି ଭିଟାମାଟିକୁ ଜାବୁଡ଼ି ଧରି। ମା’ର ଭଲ ମନ୍ଦ କେହି ବୁଝିବା ତ ଦୂରର କଥା ପାଖରେ କେହି ନ ଥା’ନ୍ତି ମୁହଁରେ ଟିକେ ପାଣିଦେବା ପାଇଁ। ମା’ ବାଧିକା ପଡ଼ିିିଛି ବୋଲି ଖବର ପାଇଲେ ପିଲାମାନେ ବିବ୍ରତ ହେବା ତ ଦୂରର କଥା, ଗାଁକୁ ସହସା ଆସିବା କଥାଟା ଟାଳି ଦିଅନ୍ତି ନାନା ପ୍ରକାର ଆଳ ଦେଖାଇ। ପିଲାମାନଙ୍କର ଏତାଦୃଶ ସ୍ବାର୍ଥପରତା ପାଇଁ ଗାଁରୁ ସହର ଯାଏ ସବୁଠି ଉତ୍ପୀଡ଼କ ନିଃସଙ୍ଗତା ମଧ୍ୟରେ କଟୁଛି ମାଆର ଅବଶିଷ୍ଟ ଜୀବନ। ସହରରେ ଏମିତି ବହୁତ ବଡ଼ ବଡ଼ କୋଠାଘର ଅଛି, ଯେଉଁଠି ରହିବା ପାଇଁ ବୁଢ଼ୀବୁଢ଼ା ଦୁଇଜଣ କିମ୍ବା ସେମାନଙ୍କ ଭିତରୁ ଜଣେ। ପୁଅବୋହୂ ସ୍ଥାୟୀ ଘରକରି ରହିଲେଣି ବିଦେଶରେ। ସେମାନେ ଆଉ କେବେ ବି ଇଚ୍ଛା କରନ୍ତି ନାହିଁ ନିଜ ସହରକୁ ଆସିବା ପାଇଁ। ବେଳେ ବେଳେ ବିଦେଶରୁ ଭଲ ଭଲ ଉପହାର ପଠାନ୍ତି ମା’ ପାଇଁ। ମାତ୍ର କ’ଣ ହେବ ସେ ଉପହାର? ଉପହାର କ’ଣ କଥା କହିବ? ମାଆ ପରା କିଛି ନେବାକୁ ଚାହେଁ ନି। ସେ କେବଳ ଦେଇ ଜାଣେ ଏବଂ ସାରା ଜୀବନ ଦେଇ ଦେଇ ନିିଃସ୍ବ ହୋଇଯିବାରେ ତା’ର ଆନନ୍ଦ। ପ୍ରତିବଦଳରେ ସେ କେବଳ ଚାହେଁ ଶେଷ ଜୀବନଟା ପୁଅ ବୋହୂ ନାତି ନାତୁଣୀଙ୍କ ଗହଣରେ ବିତେଇଦେବ ହସଖୁସିରେ। ମାତ୍ର ବିଡ଼ମ୍ବନାର ବିଷୟ ହେଉଛି ମା’ର ଏଇ ଇଚ୍ଛା ଟିକକ ପୂରଣ କରିବା ଦିଗରେ ଅଧିକାଂଶ ପୁଅ ଆଜି ବୀତସ୍ପୃହ। ବିଶେଷକରି ସହରରେ ନୀଡ଼ ରଚନା କରି ରହୁଥିବା ଅନେକ ପୁଅ ଅନୁଭବ କରିପାରୁନାହାନ୍ତି ମା’ର ତ୍ୟାଗ ଓ ମହିମା। କେବେ ଥରେ ସେମାନେ ଯେତେବେଳେ ଘରୁ ବାହାରି ସହରକୁ ଯାଉଥିଲେ, ସେତେବେଳେ କେମିିିିତି କେମିତି କରତି ହେଉଥିଲା ମା’ର ମନ। ତେଣୁ ଯେଉଁ ମାଆ ସେଦିନ ପୁଅ ସହରକୁ ଗଲାବେଳେ ଠାକୁର ଘରେ ପଶୁଥିଲା ଆଖି ଲୁହ ଲୁଚେଇବା ପାଇଁ, ସେହି ମା’ର ବାହୁନା ଏବେ ଅବିକଳ -”କୋଇଲି ଖଣ୍ଡ କ୍ଷୀର ଦେବି ମୁଁ କାହାକୁ, ଖାଇବାର ପୁତ୍ର ଗଲା ମଥୁରା ପୁରକୁ ଲୋ କୋଇଲି“ ର ସଂଳାପ ପରି ଅଶ୍ରୁଳ, କରୁଣ ଓ ମର୍ମଦାହୀ।
ସାଧାରଣତଃ ମା’ ବୋଲି ଉଚ୍ଚାରଣ କଲା ମାତ୍ରେ ଆମ ଆଖି ଆଗରେ ଆସି ଉଭା ହୋଇଯାଏ ଏକ ମମତାମୟୀ ଦେବୀ ପ୍ରତିମା; ଯିଏ ନିଜେ ଭୋକିଲା ରହି ଆମ ମୁହଁରେ ଆହାର ଦେବାକୁ ଲାଗିଥାଏ ଦିନରାତି। ଆମେ ବାଧିକା ପଡ଼ିଲେ ଠାକୁରଙ୍କୁ ଡାକେ ଏବଂ ରାତି ରାତି ଉଜାଗର ରହି ଲାଗିଥାଏ ଆମରି ସେବାରେ। ଆମରି ଖୁସି ପାଇଁ ସେ ପରିବାରର ସମସ୍ତେ ଶୋଇଲା ପରେ ବିଛଣାକୁ ଯାଏ ଏବଂ ଆମେ କେହି ଉଠିିିିବା ଆଗରୁ ଉଠିପଡ଼ି ଲାଗିପଡ଼େ କାମରେ। ସେ କେବେ କାହା ଉପରେ ରାଗେନି କି ଅଭିମାନ କରେନି, ବରଂ ସଂସାର ଯାକର ଗାଳିକୁ ସହି ଆମର ମଙ୍ଗଳ ମନାସେ ସାରା ଜୀବନ। ସେହି ଉପଲବ୍ଧି ଯୋଗୁ ମା’ ବୋଲି ଡାକିଦେଲେ ଆମ ପ୍ରାଣରେ ସୃଷ୍ଟି ହୁଏ ଏକ ଅମୃତମୟ ଆହ୍ଲାଦ। ସେ ଆହ୍ଲାଦରେ ଥାଏ ସବୁ ଯନ୍ତ୍ରଣାର ଉପଶମ। ତେଣୁ ଝୁଣ୍ଟି ପଡ଼ିଲେ ମା’ଲୋ ବୋଲି ପାଟିରୁ ବାହାରି ପଡ଼େ ଆପେ ଆପେ। ସତରେ ଈଶ୍ୱରଙ୍କ ସମଗ୍ର ସୃଷ୍ଟିରେ ଶ୍ରେଷ୍ଠ ବୋଲି ଯଦି କିଛି ଥାଏ, ସେ ହେଉଛି ମାଆ। ତା’ର ତ୍ୟାଗର ମହିମାକୁ ଅସ୍ବୀକାର କରିବାର ଶକ୍ତି ସଂସାରରେ କାହାର ନାହିଁ। ଏହା ହିଁ ଆମ ଜଟିଳ ଜୀବନର ଏକ ସରଳ ସତ୍ୟ। ଏକ ସର୍ବକାଳୀନ ସିଦ୍ଧାନ୍ତ; ଯା’କୁ ଅସ୍ବୀକାର କଲେ ଦୁର୍ବିଷହ ହୋଇ ପଡ଼ିବ ଏ ପୃଥିବୀ!
– ଅଧ୍ୟକ୍ଷ, ଫୁଲମତୀ ହେମ୍ବ୍ରମ ମହାବିଦ୍ୟାଳୟ,
ପଡ଼ିଆବେଡ଼ା, ମୟୂରଭଞ୍ଜ, ମୋ: ୯୪୩୮୮୫୫୦୮୮


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

ଦୁବାଇ ବନ୍ୟା ଓ ଜଳବାୟୁ

ଭୟଙ୍କର ମରୁଝଡ଼ ଓ ବନ୍ୟାର ପ୍ଲାବନରେ ସୌନ୍ଦର୍ଯ୍ୟମୟୀ ଦୁବାଇ ସହର ଏପ୍ରିଲ୧୬ରେ ନିମିଷକ ମଧ୍ୟରେ ଅନୁଭବ କଲା ଧ୍ବଂସର ତାଣ୍ଡବ। ନଭଶ୍ଚୁମ୍ବୀ ଅଟ୍ଟାଳିକା ଏବଂ ବିଳାସପୂର୍ଣ୍ଣ...

ଏକ ଦିବ୍ୟ ପ୍ରତିଶ୍ରୁତିର ସ୍ମାରକୀ

ଦିବ୍ୟଜନନୀ ଶ୍ରୀମା ୨୯ ମାର୍ଚ୍ଚ, ୧୯୧୪ରେ ତପୋଭୂମି ପଣ୍ଡିଚେରୀରେ ପ୍ରଥମେ ପଦାର୍ପଣ କରି ସେହିଦିନ ଅପରାହ୍ନ ପ୍ରାୟ ୩.୩୦ ମିନିଟ୍‌ ସମୟରେ ତାଙ୍କର ଆରାଧ୍ୟ ତଥା...

ଖୋଜିଲେ ଖୋଜିବେ

ଭାରତରେ ମାନବ ଅଧିକାର ଓ ନାଗରିକ ସ୍ବାଧୀନତା ଉପରେ ୟୁରୋପୀୟ ଦେଶ, କେତେକ ଅନ୍ତଃରାଷ୍ଟ୍ରୀୟ ସୂଚକାଙ୍କ ତଥା ଆମେରିକା ତୀକ୍ଷ୍‌ଣ ନଜର ରଖିଛନ୍ତି। ନିକଟରେ ୟୁନାଇଟେଡ୍‌...

ଏଇ ଭାରତରେ

ପୋଲିସ ଚାକିରିର ବ୍ୟବସ୍ଥା ଭିତରୁ ସମୟ ବାହାର କରି ଦିଲ୍ଲୀର କନ୍‌ଷ୍ଟେବଲ ଥାନ୍‌ ସିଂ ଗରିବ ପିଲାମାନଙ୍କୁ ମାଗଣାରେ ପଢାଉଛନ୍ତି। ପ୍ରଥମେ ସେ ଏଭଳି ୫...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri