ନୂଆଦିଲ୍ଲୀ,୨୫ା୮: ୫ ଦିନିଆ ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥା କାର୍ଯ୍ୟକାରୀ କରିବାରେ ବିଳମ୍ବ, କାର୍ଯ୍ୟଦକ୍ଷତା ଭିତ୍ତିକ ପ୍ରୋତ୍ସାହନ (ପିଏଲ୍ଆଇ) ଯୋଜନାକୁ ନେଇ ମତଭେଦ, ପେନ୍ସନ ସମ୍ବନ୍ଧୀୟ ସମସ୍ୟା ଓ ଆହୁରି ଅନେକ ଦାବିକୁ ନେଇ ଆସନ୍ତା ସେପ୍ଟେମ୍ବର ୧୧ରେ ଦେଶବ୍ୟାପୀ ଧର୍ମଘଟ କରିବାକୁ ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିୟନସ୍ (ୟୁଏଫ୍ବିୟୁ) ଘୋଷଣା କରିଛି । ଯଦି ଧର୍ମଘଟ ହୁଏ ତେବେ କେତେକ ରାଜ୍ୟରେ କ୍ରମାଗତ ୪ ଦିନ ବ୍ୟାଙ୍କ ବନ୍ଦ ରହିବ ।
କାରଣ ୧୧ ତାରିଖ ଶୁକ୍ରବାର ପଡ଼ୁଥିବାବେଳେ ୧୨ ଓ ୧୩ ଛୁଟିଦିନ ରହିଛି । ୧୪ ତାରିଖ ଗଣେଶ ଚତୁର୍ଥୀ ଯୋଗୁ କେତେକ ରାଜ୍ୟରେ ବ୍ୟାଙ୍କ ଛୁଟି ରହିବ । ୯ଟି ବ୍ୟାଙ୍କ କର୍ମଚାରୀ ଓ ଅଫିସର ୟୁନିୟନକୁ ନେଇ ଗଠିତ ୟୁଏଫ୍ବିୟୁ ସେପ୍ଟେମ୍ବର ୨୮ରୁ ୩ ଦିନିଆ ଧର୍ମଘଟ ପାଇଁ ଚେତାବନୀ ଦେଇଛି। ଏଥିସହିତ ସେପ୍ଟେମ୍ବର ୩୦ରେ ଅର୍ଦ୍ଧବାର୍ଷିକ ପାଇଁ ବ୍ୟାଙ୍କ ବନ୍ଦ ରହିବ । ଏହା ସତ୍ତ୍ୱେ ଯଦି ଦାବି ପୂରଣ ନ ହୁଏ, ତେବେ ଅକ୍ଟୋବର ୨୬ରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧର୍ମଘଟ କରିବାକୁ ସଂଗଠନ ପକ୍ଷରୁ ଚେତାବନୀ ଦିଆଯାଇଛି ।

