ଶିକ୍ଷାରେ ବହୁ ଭାଷା

ଭାରତୀୟ ଶିକ୍ଷା, ଗବେଷଣା ଏବଂ ପ୍ରଶିକ୍ଷଣ ପରିଷଦ(ଏନ୍‌ସିଇଆର୍‌ଟି) ମାଧ୍ୟମିକ ସ୍ତରରେ ତିନୋଟି ଭାଷା ଶିକ୍ଷାକରିବା ଲାଗି ନିୟମ କଲାପରେ ଏହାକୁ ନେଇ କେତେକ ରାଜ୍ୟରେ ପ୍ରତିବାଦର ସ୍ବର ଉତ୍ତୋଳନ କରାଯାଉଛି। ସେମାନେ ଚାହୁଁଛନ୍ତି ଏ ସଂଖ୍ୟା ୨ ମଧ୍ୟରେ ଅର୍ଥାତ୍‌ ମାତୃଭାଷା ଓ ଇଂଲିଶରେ ସୀମିତ କରିବାକୁ। ତୃତୀୟ ଭାଷାର ମାନ୍ୟତା ପାଇଥିବା ହିନ୍ଦୀ କିମ୍ବା ସଂସ୍କୃତ ଶିକ୍ଷାକରିବା ଦାକ୍ଷିଣାତ୍ୟ ରାଜ୍ୟଗୁଡ଼ିକ ପାଇଁ ଗ୍ରହଣୀୟ ନୁହେଁ। ତେବେ ରାଜନୈତିକ ଦୃଷ୍ଟିକୋଣରୁ ଯାହା ହେଉନା କାହିଁକି ଗୋଟିଏ ବଦଳରେ ଦୁଇଟି ଏବଂ ଦୁଇଟି ବଦଳରେ ତତୋଽଧିକ ଭାଷା ଶିକ୍ଷା କରିବାର ଅନେକ ସୁପ୍ରଭାବ ଥିବା ମତ ଦେଇଛନ୍ତି ବୈଜ୍ଞାନିକମାନେ।
ତଦନୁଯାୟୀ ମାତୃଭାଷା ପରେ ଦ୍ୱିତୀୟ ଭାଷାଟିଏ ଶିକ୍ଷା କରିବା ମସ୍ତିଷ୍କରେ ସଂଯୋଜନା ବୃଦ୍ଧି କରିଥାଏ। ବିଶେଷକରି, ଶୈଶବରେ ଏହା ଅଧିକ ଫଳପ୍ରଦ ହୁଏ। ଫଳରେ ମସ୍ତିଷ୍କର ବିଭିନ୍ନ ଅଂଶ, ବିଶେଷକରି ସେରେବେଲମ ଏବଂ ବାମପାର୍ଶ୍ୱ ଫ୍ରଣ୍ଟାଲ କୋର୍‌ଟେକସ୍‌ ମଧ୍ୟରେ ଯୋଗାଯୋଗ ଅଧିକ ଶକ୍ତ ହୋଇଥାଏ। ଏହି ଅଧ୍ୟୟନ ପାଇଁ ଆମେରିକାର ନ୍ୟାଶନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ହେଲ୍‌ଥର କେତେଜଣ ବିଶେଷଜ୍ଞ ବ୍ୟବହାର କରିଥିଲେ ସାରା ମସ୍ତିଷ୍କର ଫଙ୍କସନାଲ ମାଗ୍ନେଟିକ୍‌ ରେଜୋନାନ୍ସ ଇମେଜିଂ(ଏଫ୍‌ଏମ୍‌ଆର୍‌ଆଇ) ପଦ୍ଧତି। ତହିଁରୁ ଜଣାପଡ଼ିଲା ଯେ, ବାଲ୍ୟକାଳରେ ଦ୍ୱିତୀୟ ଭାଷାଟିଏ ଶିକ୍ଷା କରିବାର ପ୍ରଭାବ ଅଧିକ। ଫଳରେ ମସ୍ତିଷ୍କରେ ଘଟୁଥିବା ସଂଯୋଜନା ବୃଦ୍ଧି ବୋଧଶକ୍ତିକୁ ଉନ୍ନତକରେ ଏବଂ ବୟସାଧିକ୍ୟ ଯୋଗୁ ଏହାର ହ୍ରାସ ପାଇବାକୁ ପ୍ରତିରୋଧକରେ।
ଅତୀତ ଗବେଷଣାରୁ ଜଣାପଡ଼ିଥିଲା ଯେ ଦ୍ୱିତୀୟ ଭାଷା ଶିକ୍ଷାର ମନଯୋଗିତା, ସ୍ବାସ୍ଥ୍ୟକର ବାର୍ଦ୍ଧକ୍ୟ ଏବଂ ଏପରିକି ମସ୍ତିଷ୍କରେ ହୋଇଥିବା କ୍ଷତରୁ ସୁସ୍ଥହେବା ଉପରେ ସକାରାମତ୍କ ପ୍ରଭାବ ରହିଛି। ପୁନଶ୍ଚ ମ୍ୟାକ୍‌ଗିଲ୍‌ ବିଶ୍ୱବିଦ୍ୟାଳୟର ମଣ୍ଟ୍ରିଲ ନ୍ୟୁରୋଲୋଜିକାଲ ଇନ୍‌ଷ୍ଟିଚ୍ୟୁଟ୍‌ ହସ୍ପିଟାଲ ତଥା ଅନ୍ୟ କେତେକ ଅନୁଷ୍ଠାନଠାରେ ବୋଧଶକ୍ତି ଉପରେ ଦ୍ୱିଭାଷୀ ହେବାର ଭୂମିକା ଉପରେ ହୋଇଥିବା ଅଧ୍ୟୟନରୁ ମସ୍ତିଷ୍କର ବିଭିନ୍ନ ଅଂଶ ମଧ୍ୟରେ ଏହା ଯୋଗାଯୋଗ ଦୃଢ଼ କରିବାର ଜଣାପଡ଼ିଛି। ଏହା ତାକୁ ଅଧିକ ସକ୍ରିୟକରେ।
ଏହି ଅଧ୍ୟୟନରେ ବୈଜ୍ଞାନିକମାନେ ୧୫୧ ସ୍ବେଚ୍ଛାସେବୀଙ୍କୁ ନେଇଥିଲେ ଯେଉଁମାନଙ୍କ ଫରାସୀ, ଇଂଲିଶ କିମ୍ବା ଉଭୟ ଭାଷା କହିପାରୁଥିଲେ। ସେମାନେ କେଉଁ ବୟସରେ ଦ୍ୱିତୀୟ ଭାଷାଟି ଶିକ୍ଷାକଲେ ତାହା ଲିପିବଦ୍ଧକରି ସେମାନଙ୍କୁ ବିଶ୍ରାମକାଳରେ ସମ୍ପୂର୍ଣ୍ଣ ମସ୍ତିଷ୍କର ସଂଯୋଜନା ଅଧ୍ୟୟନକରିବା ଲାଗି ‘ଏଫ୍‌ଏମ୍‌ଆର୍‌ଆଇ’ ଦ୍ୱାରା ସ୍କାନ୍‌ କରାଗଲା। ଜଣାପଡ଼ିଲା ଯେ ଦ୍ୱିଭାଷୀଙ୍କ ମସ୍ତିଷ୍କର ବିଭିନ୍ନ ଅଂଶ ମଧ୍ୟରେ ସଂଯୋଜନା ଏକଭାଷୀଙ୍କ ତୁଳନାରେ ଅଧିକ ଏବଂ ଶକ୍ତିଶାଳୀ। ଏହି ପ୍ରଭାବ ସେରେବେଲମ୍‌ ଏବଂ ବାମପାର୍ଶ୍ୱ ଫ୍ରଣ୍ଟାଲ କୋରଟେକସ୍‌ ମଧ୍ୟରେ ସର୍ବାଧିକ ଥିଲା।
ଏହି ଫଳାଫଳରୁ ସ୍ପଷ୍ଟହେଲା ଯେ, ମସ୍ତିଷ୍କର ଅଂଶଗୁଡ଼ିକ ଅଲଗା ଅଲଗା ଭାବେ କାମ କରନ୍ତିନାହିଁ। କିନ୍ତୁ ଭାଷାଟିଏ ବୁଝିବାକୁ ଏବଂ କହିବାକୁ ପରସ୍ପର ସହ ଆନ୍ତଃକ୍ରିୟା କରନ୍ତି। ଏହା ମଧ୍ୟ ପ୍ରଦର୍ଶନ କଲା ଯେ, ସମଗ୍ର ମସ୍ତିଷ୍କ ବୋଧଶକ୍ତିକୁ ସକ୍ରିୟ ହେବାରେ ସାହାଯ୍ୟକରେ। ପୁନଶ୍ଚ ଦ୍ୱିଭାଷୀ ହେବାକୁ ଆମେ କିପରି ଚିନ୍ତା କରିବା, ଅନ୍ୟ ସହ ଯୋଗାଯୋଗ କରିବା ଏବଂ ଆମ ଚତୁଃପାର୍ଶ୍ୱର ଦୁନିଆକୁ ଅନୁଭବ କରିବା, ତାହାକୁ ପ୍ରଭାବିତ କରେ ବୋଲି ଏଥିରୁ ଜଣାପଡ଼ିଲା।
ଉପରୋକ୍ତ ଗବେଷକ ଦଳର ଅନ୍ୟତମ ପ୍ରମୁଖ ସଦସ୍ୟ ଜେଅମ୍‌ଗ୍ରାସିଆ ଟାବୁଏନ୍‌କାଙ୍କ ମତରେ ଏହି ଗବେଷଣା ସୂଚିତ କରୁଛି ଯେ, ଶୈଶବାବସ୍ଥାରେ ଦ୍ୱିତୀୟ ଭାଷା ଶିକ୍ଷା ମସ୍ତିଷ୍କର କ୍ରିୟାକାରୀ ସଂଯୋଜନାର ସୁସଂଗଠନ ପାଇଁ ଅଧିକ ଫଳପ୍ରଦ। ବିଶେଷକରି, ଏହା ‘ସେରେବେଲମ୍‌’ ଏବଂ ବାମପାର୍ଶ୍ୱ ‘ଫ୍ରଣ୍ଟାଲ କୋର୍‌ଟେକସ୍‌’ ମଧ୍ୟରେ ସମ୍ପର୍କକୁ ଦୃଢ଼କରେ, ଯାହାକି ଧୀଶକ୍ତିର ଉତ୍ତୋଳନ ଲାଗି ଏକାନ୍ତ ଆବଶ୍ୟକ।
ଏବେ ଜାତୀୟ ଶିକ୍ଷାନୀତି ଗୁରୁତ୍ୱ ଦେଉଛି ବିଦ୍ୟାଳୟର ଛାତ୍ରୀଛାତ୍ରଙ୍କୁ ଭାଷା ଶିକ୍ଷା କରିବାକୁ, ଅର୍ଥାତ୍‌ ବହୁଭାଷୀ ହେବାକୁ। ଏପରି ହେବା ସେମାନଙ୍କ ପାଇଁ ଲାଭଜନକ ବୋଲି କହନ୍ତି ମ୍ୟାକ୍‌ଗ୍ରୀଲ୍‌ ବିଶ୍ୱବିଦ୍ୟାଳୟର ସ୍ନାୟୁବିଜ୍ଞାନୀମାନେ। ତାଙ୍କ ମତରେ ଏହା ସେମାନଙ୍କ ବୋଧଶକ୍ତିକୁ ଉଦ୍ଦୀପିତ କରେ ଏବଂ ବୁଦ୍ଧିମତ୍ତାର ବିକାଶ ଘଟାଏ। କାରଣ ଯେତେବେଳେ ଶିଶୁମାନେ ଏକ ନିର୍ଦ୍ଦିଷ୍ଟ ଭାଷାରେ କଥା କହିବାକୁ ଶିଖନ୍ତି ସେତେବେଳେ ତାଙ୍କ ସମ୍ବେଦନ ଅନୁଭୂତି ଏବଂ ତାହା ପ୍ରକାଶ କରିବାକୁ ବ୍ୟବହୃତ ଶବ୍ଦ ଓ ବାକ୍ୟ ମଧ୍ୟରେ ସମ୍ପର୍କଟିଏ ବିକଶିତ କରିବା ଶିଖନ୍ତି। ଭାଷା ଉପରେ ଦଖଲ ଲାଗି ଅନୁଭୂତି ଓ ଶବ୍ଦ ମଧ୍ୟରେ ସମନ୍ବୟ ପ୍ରତିଷ୍ଠା ପାଇଁ ମସ୍ତିଷ୍କର ଦକ୍ଷତାବୃଦ୍ଧି ଆବଶ୍ୟକ। ଏହା ବୁଦ୍ଧିମତ୍ତାକୁ ବିକଶିତକରେ।
ଏହି ଗବେଷକମାନେ ଆବିଷ୍କାର କରିଛନ୍ତି, ଶିଶୁମାନଙ୍କଠାରେ ଅଧିକ ଭାଷାଶିକ୍ଷା ଧ୍ୟାନ ଓ ବୁଦ୍ଧିମତ୍ତାକୁ ଗୋଟିଏ କିମ୍ବା ଦୁଇଟି ଭାଷା ଶିକ୍ଷା ତୁଳନାରେ ବେଶି ପ୍ରସାରିତ କରେ। କାରଣ, ବହୁଭାଷୀମାନେ ଅନୁଭୂତିକୁ ଶବ୍ଦମାନଙ୍କ ସହ ବିବିଧ ପ୍ରକାରେ ଯୋଡ଼ିଥାନ୍ତି। ସେହି ଅନୁସାରେ ସେମାନଙ୍କ ମସ୍ତିଷ୍କର ବିଭିନ୍ନ ଅଂଶକୁ ଅଧିକ ସକ୍ରିୟ ହେବାକୁ ପଡ଼େ।
ସେମାନେ ଏହାର ମଧ୍ୟ ଏକ ତୁଳନାତ୍ମକ ଅଧ୍ୟୟନ କରିଛନ୍ତି। ସେଥିରେ ସେମାନେ ସୂଚିତ କରିଛନ୍ତି, ମସ୍ତିଷ୍କ ଉପରେ ଏ ଦୁଇଟିର ପ୍ରଭାବ। ତଦନୁଯାୟୀ ତାହା ମଧ୍ୟରେ ପାର୍ଥକ୍ୟ ରହିଛି। ତେବେ ସେ ଉଭୟ ଏଥିରେ ଭାଷା ପ୍ରକ୍ରିୟାକରଣ ଏବଂ ବୋଧଶକ୍ତି ନିୟନ୍ତ୍ରଣ ସହ ସମ୍ପୃକ୍ତ ଗାଠନିକ ଏବଂ କ୍ରିୟାତ୍ମକ ପରିବର୍ତ୍ତନ ଆଣନ୍ତି।
ଗାଠନିକ ପରିବର୍ତ୍ତନ ମଧ୍ୟରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଲା ମସ୍ତିଷ୍କର ‘ଧୂସର ବସ୍ତୁ’ (ଗ୍ରେ ମ୍ୟାଟର)ର ସାନ୍ଧ୍ରତା। ଉଭୟ ଦ୍ୱିଭାଷା ଏବଂ ବହୁଭାଷୀ ହେବା ଏହା ବୃଦ୍ଧିକରେ। ସେହିପରି ଏହାର ବିଭିନ୍ନ ଅଂଶକୁ ଯୋଗକରୁଥିବା, ବିଶେଷକରି ଭାଷା ପ୍ରକ୍ରିୟାକରଣ ସହ ସମ୍ପୃକ୍ତ ‘ଧବଳ ବସ୍ତୁ’ (ହ୍ବାଇଟ୍‌ ମ୍ୟାଟର)ରେ ଏହା ପରିବର୍ତ୍ତନ ଆଣେ, ତେବେ ଏସବୁ ଅଧିକ ହୁଏ ଦ୍ୱିତୀୟ କ୍ଷେତ୍ରରେ।
ଉଭୟ ଦ୍ୱିଭାଷୀ ଏବଂ ବହୁଭାଷୀମାନେ ଏକଭାଷୀଙ୍କ ତୁଳନାରେ ଅଧିକ ଉନ୍ନତ ବୋଧଶକ୍ତି ପ୍ରଦର୍ଶନ କରିଥାନ୍ତି। ସେଥିପାଇଁ ବୟସ ବୃଦ୍ଧି ପରେ ମଧ୍ୟ ସେମାନଙ୍କର ଏସବୁ ବିଶେଷ ହ୍ରାସ ପାଏନାହିଁ। ଏ ସମସ୍ତ ପ୍ରଭାବ ଦ୍ୱିଭାଷୀଙ୍କ ଅପେକ୍ଷା ବହୁଭାଷୀଙ୍କ କ୍ଷେତ୍ରରେ ଅଧିକ।
ଏସବୁ କଥା ବିଚାରକୁ ନେଲେ ସିଦ୍ଧାନ୍ତରେ ଉପନୀତ ହେବାକୁ ପଡ଼େ ଯେ, ଶୈଶବକାଳରେ ପିଲାମାନଙ୍କୁ ପ୍ରଥମେ ଦୁଇଟି ଏବଂ ପରବର୍ତ୍ତୀ ସ୍ତରରେ ତିନୋଟି କିମ୍ବା ତତୋଽଧିକ ଭାଷା ଶିକ୍ଷାକରିବାକୁ ଦେବା ଉଚିତ।

ପ୍ର. ରମେଶ ଚନ୍ଦ୍ର ପରିଡ଼ା
ଖଣ୍ଡଗିରି ବିହାର, ଭୁବନେଶ୍ୱର
ମୋ: ୯୯୩୭୩୦୧୪୬୦


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ମୁଣ୍ଡ ନୁଆଁଇବେ

ଗାନ୍ଧୀ ଜୟନ୍ତୀର ସ୍ମୃତି ମନରେ ସତେଜ ଥିବାବେଳେ ଏବଂ ଶାନ୍ତିପୂର୍ଣ୍ଣ ସମାବେଶର ଅଧିକାର ପୁନର୍ୱାର ଚର୍ଚ୍ଚାକୁ ଆସିଛି। ଏହି ସମୟରେ ଆସନ୍ତୁ କିଛି ପ୍ରସଙ୍ଗ ଉପରେ ଦୃଷ୍ଟି…

ରାସ୍ତାକଡ଼ ଖାଦ୍ୟ କେତେ ସୁରକ୍ଷିତ

ଦହିବରା-ଆଳୁଦମ୍‌, ଘୁଗୁନି, ଚାଟ୍‌, ଗୁପ୍‌ଚୁପ୍‌, ମୁଢ଼ିମିକ୍ସ, ବରା-ପକୋଡ଼ିଠାରୁ ଆରମ୍ଭ କରି ବିଭିନ୍ନ ପାରମ୍ପରିକ ଖାଦ୍ୟ ସର୍ବଦା ରାସ୍ତାକଡ଼ରେ ସହଜରେ ମିଳେ। ଏପରି ଖାଦ୍ୟ ବହୁ କ୍ଷେତ୍ରରେ ଅପରିଷ୍କାର…

ବନ୍ୟପ୍ରାଣୀ ଚଲାପଥ ସଂଯୋଗୀକରଣ

ଦୁଇଟି ପ୍ରାକୃତିକ ଜଙ୍ଗଲ ପରିସଂସ୍ଥାକୁ ସଂଯୋଗ କରୁଥିବା ସଂକୀର୍ଣ୍ଣ ଅଣଓସାରିଆ ଜଙ୍ଗଲୀ ରାସ୍ତାକୁ କୁହାଯାଏ କରିଡର; ଚଲାପଥ ବା ବନ୍ୟପ୍ରାଣୀ ସଂଯୋଗୀ ପଥ। ଚଳିତବର୍ଷ ଅକ୍ଟୋବର ୨ରୁ…

ବଦଳିର ବାର୍ତ୍ତା

ଅତିରିକ୍ତ ସଚିବ ସ୍ତରରେ ୧୦ ଜଣ ଅଧିକାରୀଙ୍କ ଅଦଳବଦଳ ଏକ ସାଧାରଣ ପ୍ରଶାସନିକ କାର୍ଯ୍ୟ ହୋଇପାରେ। କିନ୍ତୁ ନିକଟରୁ ଦେଖିଲେ ଏହା କେନ୍ଦ୍ର ସରକାର କେଉଁ କ୍ଷେତ୍ରରେ…

ଏଇ ଭାରତରେ

ନିରବଚ୍ଛିନ୍ନ ପ୍ରୟାସ ଓ ଦୃଢ଼ ଇଚ୍ଛାଶକ୍ତି ଦ୍ୱାରା ସଫଳତା ମିଳେ, ଯାହା ପ୍ରମାଣ କରିଛନ୍ତି ରାଜସ୍ଥାନ ଏକାଲଖୋରି ଗାଁର ରାଣାରାମ ବିଷ୍ଣୋଇ । ଗଛ ପରିବେଶ ଓ…

ଗାନ୍ଧୀ ବିଚାରରେ ପରିବେଶ ସୁରକ୍ଷା

ମହାକାଳର ଅସୀମ ଗର୍ଭରେ ଇତିହାସର ଅନେକ ପୃଷ୍ଠା ରକ୍ତର କାଳିରେ ଲେଖାଯାଇଛି, ଅନେକ ବିପ୍ଳବ କେବଳ କ୍ଷମତା ଆଉ ସାମ୍ରାଜ୍ୟବାଦର ମୋହରେ ଧୂଳିସାତ ହୋଇଯାଇଛି। କିନ୍ତୁ ବିଂଶ…

ନିର୍ମୂଳୀ ଚେର

ଅନେକ ଦଶନ୍ଧି ଧରି ଦେଶରୁ ଗରିବ ହଟାଇବା ଲକ୍ଷ୍ୟରେ ଅନେକ ଦୃଷ୍ଟାନ୍ତମୂଳକ ଯୋଜନା ପ୍ରଣୟନ କରାଯାଇଛି। ଅର୍ଥଶାସ୍ତ୍ରବିତ୍‌ଙ୍କ ସୁକଳ୍ପିତ ପରାମର୍ଶ, ସଂଗଠନ ସଦସ୍ୟଙ୍କ ମତାମତ ଏବଂ ରାଜନୀତିଜ୍ଞଙ୍କ…

ମାନବାଧିକାର ଓ ନେତୃତ୍ୱରେ ତ୍ରୁଟି

ଦ୍ବିତୀୟ ବିଶ୍ୱଯୁଦ୍ଧ ପରବର୍ତ୍ତୀ ସମୟରେ ଗଠିତ ଅନ୍ତର୍ଜାତୀୟ ବ୍ୟବସ୍ଥା ଏବେ ବୈଧତା ସଙ୍କଟର ସମ୍ମୁଖୀନ ହେଉଛି। ମାନବାଧିକାର ରକ୍ଷା କରୁଥିବା ବ୍ୟବସ୍ଥା ମଧ୍ୟ ଏଥିରୁ ବାଦ୍‌ ପଡ଼ୁନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?