ନୂଆଦିଲ୍ଲୀ,୪।୯: କୃତ୍ରିମ ବୁଦ୍ଧିମତ୍ତା ବା ‘ଏଆଇ’ ଏବେ ଚାକିରିଆଙ୍କ ପାଇଁ କାଳ ହୋଇଛି । ବିଶ୍ୱସ୍ତରରେ ଏଆଇର ପ୍ରଚଳନ ବଢ଼ି ଚାଲିଥିବାବେଳେ ଅନ୍ୟପଟେ ବିଭିନ୍ନ କ୍ଷେତ୍ରରୁ ଲୋକେ ନିଯୁକ୍ତି ହରାଇବାରେ ଲାଗିଛନ୍ତି । ତେବେ ଅନ୍ୟାନ୍ୟ କ୍ଷେତ୍ର ତୁଳନାରେ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଛଟେଇ ସଂଖ୍ୟା ବଢ଼ିବାରେ ଲାଗିଛି। ୨୦୨୫ରେ ଆମାଜନ,ମେଟା, ଓରାକଲ ,ଜୋମାଟୋ ଏବଂ ଅନ୍ୟାନ୍ୟ ପ୍ରଯୁକ୍ତି ଓ ବୈଷୟିକ କମ୍ପାନୀଗୁଡ଼ିକରୁ ସର୍ବାଧିକ ଛଟେଇ କରାଯାଇଥିଲାବେଳେ ଚଳିତ ବର୍ଷ ମଧ୍ୟ ଏହି ଧାରା ଅବ୍ୟାହତ ରହିଛି। ଅନ୍ତର୍ଜାତୀୟ ଏଜେନ୍ସି ‘ଲେଅଫ୍ ଡଟ୍ ଏଫ୍ଓ୍ବାଇଆଇ’ ଅନୁଯାୟୀ ମାତ୍ର ୧୦ ଦିନ ମଧ୍ୟରେ ବିଭିନ୍ନ ଟେକ୍ କମ୍ପାନୀରୁ ୬,୩୦୦ରୁ ଅଧିକ ଲୋକଙ୍କୁ ଛଟେଇ କରାଯାଇଛି। ନିକଟରେ ଉବର କମ୍ପାନୀ ଏହାର କର୍ମଚାରୀ ସଂଖ୍ୟାରେ ୧୦% ହ୍ରାସ କରିଥିବାବେଳେ ପେ’ପାଲ ମଧ୍ୟ ବିଶ୍ୱସ୍ତରରେ ୧,୦୦୦ରୁ ଅଧିକ ଲୋକଙ୍କୁ ବିଦା କରିଛି। ଲେଅଫ୍ ଡଟ୍ ଏଫ୍ଓ୍ବାଇଆଇ ତଥ୍ୟ ଅନୁଯାୟୀ, ୨୦୨୬ରେ ପ୍ରାୟ ୧,୩୦,୦୦୦ କର୍ମଚାରୀଙ୍କୁ ଛଟେଇ କରାଯାଇଛି ଯେଉଁଥିରେ ଆମାଜନ, ମେଟା, ଓରାକଲ ଏବଂ ଅନ୍ୟାନ୍ୟ ଟେକ୍ କମ୍ପାନୀ କର୍ମଚାରୀଙ୍କ ସଂଖ୍ୟା ସର୍ବାଧିକ ରହିଛି। ଟେକ୍ କମ୍ପାନୀଗୁଡ଼ିକ ସେମାନଙ୍କ କାର୍ଯ୍ୟକ୍ଷମତାକୁ ସରଳ କରିବା ପାଇଁ ମାନବ ସମ୍ବଳ କ୍ଷେତ୍ରକୁ ପୁନର୍ଗଠନ କରିବା ସହ ଖର୍ଚ୍ଚକାଟ ଏବଂ ଏଆଇ ଓ ଅଟୋମେସନ ଦିଗକୁ ଅଧିକ ଗୁରୁତ୍ୱ ଦେଉଥିବାରୁ ଏଭଳି ସ୍ଥିତି ଦେଖାଯାଉଥିବା କୁହାଯାଉଛି। ବର୍ତ୍ତମାନ ଭାରତରେ ବେକାରି ସମସ୍ୟା ବଢ଼ି ଚାଲୁଥିବାବେଳେ ଟେକ୍ କମ୍ପାନୀଗୁଡିକର ଛଟେଇ ଯୁବବର୍ଗଙ୍କ ମଧ୍ୟରେ ନୈରାଶ୍ୟ ସୃଷ୍ଟି କରୁଥିବା କୁହାଯାଉଛି। ନିକଟରେ ପେ’ପାଲ କମ୍ପାନୀର ଭାରତୀୟ କର୍ମଚାରୀଙ୍କ ମଧ୍ୟରୁ ୪% ହ୍ରାସ କରାଯାଇଥିଲାବେଳେ ଚେନ୍ନାଇ,ବେଙ୍ଗାଲୁରୁ ଏବଂ ହାଇଦ୍ରାବାଦରେ ୨୨୦ ଜଣ ଚାକିରି ହରାଇଥିଲେ। ଟେକ୍ନୋଲୋଜି, ଇଞ୍ଜିନିୟରିଂ, ଅପରେଶନ୍ସ, ପେମେଣ୍ଟସ ଏବଂ ଫାଇନାନ୍ସ ସମେତ ଅନେକ କ୍ଷେତ୍ରରେ ନିଯୁକ୍ତି ଛଟେଇ ଏବେ ଚିନ୍ତାର କାରଣ ହୋଇଛି।

