ଗଞ୍ଜାମ,୨୨। ୫(ଅନାଥ ତରାଇ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ଖଣ୍ଡଦେଉଳି ଗ୍ରାମରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ସୂଚନା ଅନୁଯାୟୀ, ଏହି ଗ୍ରାମର ବାସିନ୍ଦା ପୂର୍ଣ୍ଣ ଚନ୍ଦ୍ର ସ୍ବାଇଁ ସୁଦୂର ସୁରତରେ ରହି କାମ କରୁଥିବା ସମୟରେ ହଠାତ୍ ଗୁରୁତର ଅସୁସ୍ଥ ହୋଇପଡ଼ିଥିଲେ। ଦୁର୍ଭାଗ୍ୟବଶତଃ ଚିକିତ୍ସାଧୀନ ଅବସ୍ଥାରେ ସେଠାରେ ତାଙ୍କର ଦେହାନ୍ତ ହୋଇଯାଇଛି। ଏହି ଦୁଃଖଦ ଖବର ପାଇବା ପରେ ସ୍ଥାନୀୟ ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ଗଭୀର ଶୋକ ପ୍ରକାଶ କରିବା ସହ ସିଧାସଳଖ ଖଣ୍ଡଦେଉଳି ଗ୍ରାମରେ ପହଞ୍ଚି ମୃତକଙ୍କ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସାକ୍ଷାତ କରିଛନ୍ତି। ଏହି ବିପତ୍ତି ସମୟରେ ପରିବାରକୁ ସାହାଯ୍ୟର ହାତ ବଢ଼ାଇ ବିଧାୟକ ନାୟକ ନିଜସ୍ବ ପାଣ୍ଠିରୁ ଆର୍ଥିକ ସହାୟତା ରାଶି ପ୍ରଦାନ କରିଛନ୍ତି। ଏହା ସହିତ ଆଗାମୀ ଦିନରେ ସରକାରୀ ନିୟମ ଅନୁଯାୟୀ ସମସ୍ତ ପ୍ରକାର ଆନୁଷଙ୍ଗିକ ସହାୟତା ଯୋଗାଇ ଦେବା ପାଇଁ ସେ ପ୍ରତିଶ୍ରୁତି ଦେଇଛନ୍ତି। ବିଧାୟକଙ୍କ ଏଭଳି ସହାନୁଭୂତିପୂର୍ଣ୍ଣ କାର୍ଯ୍ୟକୁ ସ୍ଥାନୀୟ ଅଞ୍ଚଳବାସୀ ଉଚ୍ଚ ପ୍ରଶଂସା କରିଛନ୍ତି।

