ଦିଗପହଣ୍ଡି, ୩୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପ୍ରଥମ ଢେପାଗୁଡ଼ା ଗ୍ରାମର ରଘୁ ମଲ୍ଲିକ (୬୩) ନାମକ ଜଣେ ବୃଦ୍ଧଙ୍କ ମୃତଦେହ କେନାଲ ପାଣିରୁ ଭାସମାନ ଅବସ୍ଥାରେ ଉଦ୍ଧାର କରାଯାଇଛି। ରଘୁ ଗଙ୍ଗାପୁର ଗାଁର ମିଟୁ ଗୌଡ଼ଙ୍କ ଘରେ ହଳିଆ ଭାବେ କାର୍ଯ୍ୟ କରୁଥିଲେ।
ଗତ ମଙ୍ଗଳବାର ସକାଳେ ସେ ମଇଁଷି ଚରାଇବା ପାଇଁ ଯାଇ ସନ୍ଧ୍ୟା ସୁଦ୍ଧା ଘରକୁ ଫେରି ନଥିଲେ। ମିଟୁ ଏବଂ କେତେକ ଗ୍ରାମବାସୀ ବହୁ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କର କୌଣସି ପତ୍ତା ମିଳିନଥିଲା। ବୁଧବାର ସକାଳେ କେନାଲ ପାଣିରେ ତାଙ୍କ ମୃତଦେହ ଭାସୁଥିବା ଦେଖି ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା। ଅଗ୍ନିଶମ ବାହିନୀ କେନାଲରୁ ତାଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରି ଆଡ଼ପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ ହେଁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଏହି ଘଟଣାରେ ମିଟୁ ଗୌଡ଼ ପାଟପୁର ଥାନାରେ ଏତଲା ଦେବା ପରେ ଆଇଆଇସି ଦୀପ୍ତି ରଞ୍ଜନ ବେହେରା ଅପମୃତ୍ୟୁ ମାମଲା ନଂ. ୧୯/୨୬ ରୁଜୁ କରିଛନ୍ତି। ଥାନା ଏସ.ଆଇ ଶ୍ରୀନିବାସ ଦାସ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ପଠାଇଥିଲେ। ବ୍ୟବଚ୍ଛେଦ ପରେ ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ବେଳେ ଗାଁ ଶ୍ମଶାନରେ ଶୋକାକୁଳ ପରିବେଶ ମଧ୍ୟରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ସନ୍ଧ୍ୟାରେ କେନାଲରେ ଗାଧୋଉଥିବା ବେଳେ ଅସାବଧାନତା ବଶତଃ ପାଣିରେ ବୁଡ଼ି ତାଙ୍କର ମୃତ୍ୟୁ ଘଟିଥିବା ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ତଦନ୍ତକାରୀ ଅଧିକାରୀ କହିଛନ୍ତି।

