ଛତ୍ରପୁର,୨ା୧୦(ଦିଲ୍ଲୀପ ସାମଲ): ବ୍ରହ୍ମପୁର ମହାତ୍ମା ଗାନ୍ଧୀ ଷ୍ଟାଡିୟମରେ ସେପ୍ଟେମ୍ବର ୨୯ରୁ ଅକ୍ଟୋବର ୨ ପର୍ଯ୍ୟନ୍ତ ଅନୁଷ୍ଠିତ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ବକ୍ସିଂ ଚାମ୍ପିଅନଶିପ୍ରେ ଛତ୍ରପୁର ଅନସ୍ଲୋ ସରକାରୀ ପିଏମ୍ ଶ୍ରୀ ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ରୀ ମିକି ବେହେରା ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ଅଣ୍ଡର-୧୭ ବାଳିକା ବର୍ଗର ୪୮-୫୦ କିଲୋଗ୍ରାମ ଓଜନ ବର୍ଗରେ ସେ ଏହି ସଫଳତା ହାସଲ କରିବା ସହ ଆଗାମୀ ଜାତୀୟସ୍ତରୀୟ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଛନ୍ତି।
ମିକି ଛତ୍ରପୁର ବ୍ଲକ ଅନ୍ତର୍ଗତ ନାଉଳି ଗ୍ରାମର ବୁଲୁ ବେହେରାଙ୍କ ଝିଅ। ତାଙ୍କ ଏହି ସଫଳତା ପାଇଁ ବିଇଓ ସୁଚିତ୍ରା ପାଣିଗ୍ରାହୀଙ୍କ ସମେତ ବିଦ୍ୟାଳୟର ଶିକ୍ଷୟିତ୍ରୀ- ଶିକ୍ଷକ, ସହପାଠୀ ଓ ଅଭିଭାବକମାନେ ଶୁଭେଚ୍ଛା ଜଣାଇଛନ୍ତି। ସୂଚନାଯୋଗ୍ୟ, ଚଳିତ ବର୍ଷ ଜାନୁଆରୀ ପହିଲାରୁ ଅନସ୍ଲୋ ଉଚ୍ଚ ବିଦ୍ୟାଳୟ ପରିସରରେ ବକ୍ସିଂ ପ୍ରଶିକ୍ଷଣ ଆରମ୍ଭ ହୋଇଛି।

