Posted inଫୁରସତ

ଅନନ୍ୟ ଅନୁଭୂତି: ଶ୍ରୀଅରବିନ୍ଦ ଆଶ୍ରମ

ପଣ୍ଡିଚେରୀ ଯାହା ଏବେ ପୁଡୁଚେରୀ ଭାବେ ପରିଚିତ। ଏଠାରେ ରହିଛି ଶ୍ରୀଅରବିନ୍ଦଙ୍କ ଆଶ୍ରମ, ଯାହାକି ଏକ ପବିତ୍ର ଆଧ୍ୟାତ୍ମିକସ୍ଥଳୀ। ଶ୍ରୀମା ଓ ଶ୍ରୀଅରବିନ୍ଦଙ୍କୁ ଏଠାରେ ଆରାଧନା କରାଯାଇଥାଏ। ପ୍ରତିବର୍ଷ ବହୁ ସଂଖ୍ୟାରେ ପର୍ଯ୍ୟଟକ ଏଠାକୁ ବୁଲି ଆସନ୍ତି। ମୁଁ ମଧ୍ୟ ୨/୩ ଥର ଚେଷ୍ଟା କରିଥିଲି ଏହି ଆଶ୍ରମକୁ ବୁଲିଯିବା ପାଇଁ, କିନ୍ତୁ କାର୍ଯ୍ୟବ୍ୟସ୍ତତା ଯୋଗୁ ଯାଇପାରି ନଥିଲି। ସେତେବେଳେ ମୁଁ ଅବିବାହିତା ଥିଲି ଓ ଚାକିରି କରୁଥିଲି। ୨୦୧୭ ଫେବୃୟାରୀରେ ମୋତେ ପୁଣିଥରେ ସୁଯୋଗ ଆସିଲା, ଏଥର କିନ୍ତୁ ନିଷ୍ପତ୍ତି ନେଲି ଚାକିରି ଛାଡ଼ିବାକୁ ହେଲେ ହେବ ପଛେ, ମୁଁ ଶ୍ରୀମାଙ୍କ ସାନ୍ନିଧ୍ୟ ନିମନ୍ତେ ପଣ୍ଡିଚେରୀ ନିଶ୍ଚୟ ଯିବି। କାରଣ ଶ୍ରୀମାଙ୍କ ଜନ୍ମଦିନ ଫେବୃୟାରୀ ୨୧ ତାରିଖରେ ପଡ଼େ। କେବଳ ସେହିଦିନ ହିଁ ଶ୍ରୀମାଙ୍କ କୋଠରି ଭକ୍ତଙ୍କ ଦର୍ଶନ ନିମନ୍ତେ ଖୋଲାରୁହେ। ତେଣୁ ବହୁତ ଉତ୍ସାହିତ ଥିଲି, ଭାଗ୍ୟବଶତଃ ଅଫିସ୍‌ରୁ ବି ଛୁଟି ମିଳିଗଲା। ବାପା ବୋଉ ଓ ନନା (ଭାଇ)ଙ୍କର କିଛି କାମ ଥିବାରୁ ସେମାନେ ଯାଇପାରିଲେ ନାହିଁ। ମୋତେ ଏକା ଯିବାକୁ ପଡ଼ିଲା। ନନା ଫେବୃୟାରୀ ୧୪ ତାରିଖ ମଙ୍ଗଳବାର ଦିନ ଭୁବନେଶ୍ୱର-ପୁଡୁଚେରୀ ସୁପରଫାଷ୍ଟ ଟ୍ରେନ୍‌ର ଟିକେଟ୍‌ କାଟି ମୋତେ ଟ୍ରେନ୍‌ରେ ବସାଇଦେଲେ। ଟ୍ରେନ୍‌ରେ ଥିବା ଯାତ୍ରୀମାନଙ୍କ ମଧ୍ୟରୁ ଅଧିକାଂଶ ଥିଲେ ଓଡ଼ିଆ, ତେଣୁ ମୋତେ ବେଶି ଡର ଲାଗିଲା ନାହିଁ। ଶ୍ରୀମାଙ୍କ କଥା ଭାବିବା ଆଉ ସାଙ୍ଗରେ ନେଇଥିବା କିଛି ବହିକୁ ପଢ଼ିବାରେ ସମୟ କେମିତି ଅତିବାହିତ ହୋଇଗଲା ଜଣାପଡ଼ିଲା ନାହିଁ। ବୁଧବାର ମଧ୍ୟାହ୍ନ ସମୟରେ ଟ୍ରେନ୍‌ ପଣ୍ଡିଚେରୀରେ ଲାଗିଲା। ସେଠାରେ ରହୁଥିବା ମୋ ଭାଉଜ ଆସିଥିଲେ ମୋତେ ନେବାକୁ। ଭାଉଜଙ୍କ ଘରେ ଫ୍ରେଶ୍‌ ହୋଇ ଆଶ୍ରମ ଆଡେ ବୁଲି ବାହାରିଲି। ଆଶ୍ରମର ପ୍ରବେଶଦ୍ୱାରରେ ଥିବା ଜୋତା ଷ୍ଟାଣ୍ଡରୁ ଜଣାପଡୁଥିଲା ଆଶ୍ରମ ଭିତରେ ବହୁତ ଭିଡ଼ ହୋଇଥିବ। କିନ୍ତୁ ଭିତରକୁ ଯିବାମାତ୍ରେ ଏ କ’ଣ, ଭିଡ଼ ଆଦୌ ନଥିଲା। ସମସ୍ତେ ଧ୍ୟାନମଗ୍ନ ଥିଲେ ନିଜ ନିଜ ସ୍ଥାନରେ। ସମ୍ପୂର୍ଣ୍ଣ ପରିବେଶ ଶାନ୍ତ ଥିଲା। ଲାଗୁଥିଲା ସତେଯେମିତି ଛୁଞ୍ଚତ୍ଟିଏ ପଡ଼ିଲେ ବି ଶବ୍ଦ ଶୁଣାଯିବ। ଆଶ୍ରମ ପରିସର ଏବଂ ଆଶ୍ରମ ନିକଟରେ ଯାହା ଯାହା ଦେଖିଥିଲି ତାହା ନିମ୍ନରେ ଉଲ୍ଲେଖ କରୁଛି…

ଆଶ୍ରମ ପରିସର: ଆଶ୍ରମକୁ ପ୍ରବେଶ କରିବା ମାତ୍ରେ ଏକ ସୁନ୍ଦର ଫୁଲ ବଗିଚା ପଡ଼େ। ମଣିଷର ମନ ଫୁଲଠାରୁ କୋମଳ ବୋଲି ଏ ଗଛ ହିଁ ଦେଇଥାଏ ପ୍ରଥମବାର୍ତ୍ତା। ତା’ପରେ ପରିଚୟ ହୁଏ ହଜାର ହଜାର ଆଶ୍ରମ ଅନ୍ତେବାସୀଙ୍କ ସହ। ଲାଗେ ସତେଯେମିତି ସେମାନେ ଆମକୁ ସ୍ବାଗତ କରୁଛନ୍ତି। ତା’ସହ ଆଶ୍ରମ ପରିସରରେ ଦେଖିବାକୁ ମିଳେ ଶ୍ରୀମା ଶ୍ରୀଅରବିନ୍ଦଙ୍କ ପାଇଁ ଉଦ୍ଦିଷ୍ଟ କୋଠରି, ସମାଧିପୀଠ, ବିଦ୍ୟାଧ୍ୟୟନ ପାଇଁ ଉଦ୍ଦିଷ୍ଟ ବିଦ୍ୟାଳୟ, ରୋଗୀ ନିରାକରଣ କେନ୍ଦ୍ର, ବୟନଶିଳ୍ପର ଆଧାର ସୂତାମିଲ୍‌, ପେପର୍‌ ମିଲ୍‌, ବାଟିକ୍‌ ଡିପାର୍ଟମେଣ୍ଟ, ଆୟୁର୍ବେଦିକ ଔଷଧ କେନ୍ଦ୍ର, ପରଫ୍ୟୁମ୍‌ ତଥା ଡାଇନିଂ ପ୍ରସ୍ତୁତିର ବିଭାଗ ଭଳି ପ୍ରାୟ ୮୦ଟି ସୁଶୃଙ୍ଖଳିତ ବିଭାଗ। ଆଉ ତାହା ସହିତ ଅନୁବନ୍ଧିତ ହୋଇ ରହିଛି ଫାର୍ମ, ଗାର୍ଡେନ୍‌, ଗେଷ୍ଟହାଉସ୍‌, ସ୍ବାସ୍ଥ୍ୟ ଓ ଇଞ୍ଜିନିୟରିଂ ପରି ଗୁରୁତ୍ୱପୂର୍ଣ୍ଣ ବିଭାଗ। କେବଳ ସେତିକି ନୁହେଁ, ଦୂରରୁ ଆସୁଥିବା ପର୍ଯ୍ୟଟକଙ୍କ ସହଯୋଗ ନିମନ୍ତେ ଏଠାରେ ରହିଛି ଆଶ୍ରମର ବ୍ୟୁରୋ ସେଣ୍ଟର।

ଶ୍ରୀ ସ୍ମୃତି: ଏହା ହେଉଛି ଶ୍ରୀମା ଓ ଶ୍ରୀଅରବିନ୍ଦଙ୍କ ସଂଗ୍ରହାଳୟ। ଏଠାରେ ଶ୍ରୀମା ଶ୍ରୀଅରବିନ୍ଦ ବ୍ୟବହାର କରିଥିବା ଜିନିଷ ଯଥା: ପୋଷାକ, ଡାଏରୀ, ପେନ୍‌, ଜୋତା, ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ, ଏପରିକି ଶ୍ରୀମାଙ୍କୁ ଉପହାର ସ୍ବରୂପ ମିଳିଥିବା ଅନେକ ଜିନିଷ ଇତ୍ୟାଦିକୁ ଆଗନ୍ତୁକ ଦେଖିପାରିବେ। ସେହିପରି ଶ୍ରୀମା ଶ୍ରୀଅରବିନ୍ଦଙ୍କ ଛୋଟରୁ ବଡ଼ ହେବା ବେଳର ବହୁ ଫଟୋ ମଧ୍ୟ ଏଠାରେ ରହିଛି। ଏହା ଦେଖିବା ନିମନ୍ତେ ସକାଳ ୯ଟାରୁ ୧୧ଟା ଯାଏ ଖୋଲାରୁହେ।

ପଣ୍ଡିଚେରୀ ସଂଗ୍ରହାଳୟ: ଆଶ୍ରମ ନିକଟରେ ରହିଛି ଏହି ସଂଗ୍ରହାଳୟଟି। ଏଠାରେ ବହୁ ପୁରୁଣା ଅସ୍ତ୍ରଶସ୍ତ୍ର, ମୁଦ୍ରା, ମୂର୍ତ୍ତି, ବିଭିନ୍ନ ଦେଶର ପ୍ରଚଳିତ ମୁଦ୍ରା ତଥା ଡୁପ୍ଲେକ୍ସ ନାମକ ଜଣେ ରାଜାଙ୍କ ଅମଳର ସୋଫା ଓ ନିତ୍ୟ ବ୍ୟବହୃତ ଜିନିଷ ଆଦିକୁ ଏଠାରେ ସଂଗୃହୀତ କରି ରଖାଯାଇଛି।

ପଣ୍ଡିଚେରୀ ସମୁଦ୍ର: ଆଶ୍ରମ ପାଖରେ ରହିଛି ଏହି ସମୁଦ୍ର। ସନ୍ଧ୍ୟା ୫ଟାରୁ ସକାଳ ୭ଟା ଯାଏ ସମୁଦ୍ରପାଖ ଅଞ୍ଚଳରେ ଗାଡ଼ି ଚଳାଚଳକୁ ପ୍ରାୟତଃ ବନ୍ଦ କରିଦିଆଯାଏ। କାରଣ ଥଣ୍ଡାପବନ ସହ ସୂର୍ଯ୍ୟାସ୍ତ ଓ ସୂର୍ଯ୍ୟୋଦୟର ଅପୂର୍ବ ଶୋଭାକୁ ଉପଭୋଗ କରିବାକୁ ଏଠାରେ ସନ୍ଧ୍ୟାଠାରୁ ସକାଳ ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କର ବେଶ୍‌ ଭିଡ଼ ଜମିଥାଏ।

ଫ୍ରେଞ୍ଚ କଲୋନୀ: ଆଶ୍ରମ ନିକଟରୁ ସମୁଦ୍ର ପର୍ଯ୍ୟନ୍ତ ଏହି କଲୋନୀଟି ବିସ୍ତାର। ଏହି କଲୋନୀରେ ରହିଛି ପ୍ରାୟ ୪୦୦ ପକ୍କାଘର, ଯାହା କେବଳ ଧଳା ଓ ଧୂସର ରଙ୍ଗରେ ରଙ୍ଗାୟିତ।

ରାଜ ନିବାସ (ଗଭର୍ନର୍ସ ପ୍ୟାଲେସ୍‌): ବର୍ତ୍ତମାନ ଏହା ପୁଡୁଚେରୀ ଲ୍ୟୁଟ୍‌ନାଣ୍ଟ ଗଭର୍ନରଙ୍କ ସରକାରୀ ନିବାସ ରୂପେ ବ୍ୟବହୃତ ହେଉଛି। ଭାରତ ଓ ଫ୍ରେଞ୍ଚ ଉଭୟ ଶୈଳୀର ବାସ୍ତୁକଳା ମିଶ୍ରଣରେ ଏହା ନିର୍ମାଣ ହୋଇଛି। ଜାନୁୟାରୀ ୨୬ରେ ଏହା ପର୍ଯ୍ୟଟକଙ୍କ ପାଇଁ ଖୋଲାଯାଏ।

ଅନ୍ୟାନ୍ୟ ଆକର୍ଷଣ: ଆଶ୍ରମ ପାଖରେ ରହିଛି ଗଣେଶ ମନ୍ଦିର। ଶ୍ରୀଗଣେଶଙ୍କୁ ଏଠାରେ ସମସ୍ତେ ପ୍ରତ୍ୟକ୍ଷ ଦେବତା ଭାବେ ବିଶ୍ୱାସ କରିଥାନ୍ତି। ସେହିପରି ପଣ୍ଡିଚେରୀଠାରୁ ପ୍ରାୟ ୧୦ କି.ମି. ଦୂରରେ ରହିଛି ଅରୋଭିଲ୍‌। ଏହା ହେଉଛି ସ୍ଥାନୀୟ ଏକ ପବିତ୍ର ତୀର୍ଥସ୍ଥଳୀ।

ଜାଣିବା କଥା
ଏହି ଆଶ୍ରମ ଆଗନ୍ତୁକଙ୍କ ଦର୍ଶନ ନିମନ୍ତେ ସକାଳ ୮ଟାରୁ ମଧ୍ୟାହ୍ନ ୧୨ଟା ଏବଂ ପୁନର୍ବାର ଅପରାହ୍ନ ୨ଟାରୁ ସନ୍ଧ୍ୟା ୬ଟା ଯାଏ ଖୋଲା ରହିଥାଏ। ଏଠାକୁ ପ୍ରବେଶ ନିମନ୍ତେ ଆଗନ୍ତୁଙ୍କଠାରୁ କୌଣସି ଶୁଳ୍କ ନିଆଯାଏ ନାହିଁ ସତ ହେଲେ ୩ ବର୍ଷରୁ କମ୍‌ ବୟସର ଶିଶୁ ଆଶ୍ରମକୁ ପ୍ରବେଶ କରିପାରିବେ ନାହିଁ। ଉକ୍ତ ଆଶ୍ରମରେ ଫଟୋ ଉଠାଇବା ପାଇଁ କାହାରିକୁ ଅନୁମତି ନ ଥାଏ। ଏଠାରେ ଶାନ୍ତି, ଶୃଙ୍ଖଳା, ନୀରବତା ଓ ସ୍ବଚ୍ଛତା ପ୍ରତି ଯଥେଷ୍ଟ ଗୁରୁତ୍ୱ ଦିଆଯାଇଥାଏ। ତେଣୁ ପର୍ଯ୍ୟଟକଙ୍କୁ ଏଠାରେ କୋଳାହଳ ନ କରି ନୀରବତା ରକ୍ଷା କରିବାକୁ ପଡ଼ିଥାଏ। ତା’ଛଡ଼ା ଆଶ୍ରମ ମଧ୍ୟକୁ ପ୍ରବେଶ କରିବା ପୂର୍ବରୁ ସମସ୍ତଙ୍କୁ ସେମାନଙ୍କର ମୋବାଇଲ୍‌ ଫୋନ୍‌ ସୁଇଚ୍‌ ଅଫ୍‌ ଅବା ସାଇଲେଣ୍ଟ ମୋଡ୍‌ରେ ରଖିବାକୁ ହୋଇଥାଏ। ଏଠାରେ ଧ୍ୟାନ ଓ ଯୋଗ ସମ୍ପର୍କିତ ଅନେକ ପୁସ୍ତକ (ଉଭୟ ଭାରତୀୟ ଓ ବିଦେଶୀ ଲେଖକଙ୍କ ଦ୍ୱାରା ଲିଖିତ) ମଧ୍ୟ ଉପଲବ୍ଧ ଅଛି। ପର୍ଯ୍ୟଟକ ଚାହିଁଲେ ସୁଲଭ ମୂଲ୍ୟରେ ଏହି ପୁସ୍ତକକୁ ଏଠାରୁ କିଣିପାରିବେ।

ତେବେ ଏମିତି ସବୁ ବୁଲିବା ଭିତରେ ସପ୍ତାହେ କେମିତି ବିତିଗଲା ଜଣା ପଡ଼ିଲାନି। ଆଶ୍ରମ, ଶ୍ରୀମାଙ୍କ କକ୍ଷ ଏବଂ ସନ୍ଧ୍ୟାରେ ସମୁଦ୍ରତଟର ଦୃଶ୍ୟକୁ ଛାଡ଼ି ଆସିବାକୁ ଇଚ୍ଛା ନ ଥିଲେ ମଧ୍ୟ ମୋତେ ମୋ ଗନ୍ତବ୍ୟସ୍ଥଳ ଭୁବନେଶ୍ୱରକୁ ପ୍ରତ୍ୟାବର୍ତ୍ତନ କରିବାକୁ ପଡ଼ିଲା।

-ସ୍ନିଗ୍ଧା ତ୍ରିପାଠୀ, ପୁଣେ, ମହାରାଷ୍ଟ୍ର

 


Enter your email to get our daily news in your inbox.

All Right Reserved By Dharitri.Com

Viral Video: ନିଷ୍ପାପ ଶିଶୁ ସହ ଏମିତି ଖୁସି ମଜା କରୁଛି ମାଙ୍କଡ଼, ଭିଡିଓ ଦେଖିଲେ…

ସୋସିଆଲ ମିଡିଆରେ ପ୍ରାୟତଃ ପଶୁ ଏବଂ ମଣିଷଙ୍କ ଭିଡିଓ ଦେଖିବାକୁ ମିଳିଥାଏ। ଏଥିରୁ କିଛି ଭିଡିଓ ଭୟଙ୍କର ହୋଇଥିବାବେଳେ ଆଉ କିଛି ଭିଡିଓ ଖୁସି ଆଣି ଦେଇଥାଏ।…

ବୈଜ୍ଞାନିକଙ୍କ ଆକଳନଠାରୁ ଦ୍ରୁତଗତିରେ ସଙ୍କୁଚିତ ହେଉଛି ବୁଧ

କେପ୍‌ କାନାଭେରାଲ,୧୨ା୯: ଆମ ସୌରମଣ୍ଡଳର ସବୁଠାରୁ ଛୋଟ ଏବଂ ସୂର୍ଯ୍ୟର ସବୁଠାରୁ ନିକଟତର ଗ୍ରହ ‘ବୁଧ’କୁ ନେଇ ଏକ ଚମକପ୍ରଦ ତଥ୍ୟ ସାମ୍ନାକୁ ଆସିଛି। ବୈଜ୍ଞାନିକମାନଙ୍କ ଆକଳନ…

ଫିଟିଲା ‘ଡାର୍କ ଏନର୍ଜି’ର ଗୁମର! ଚମକାଇଲା ବୈଜ୍ଞାନିକଙ୍କ ତଥ୍ୟ; ବିଶ୍ୱରେ ଚହଳ!

ନୂଆଦିଲ୍ଲୀ,୧୧।୯: ବ୍ରହ୍ମାଣ୍ଡର କ୍ରମାଗତ ଦ୍ରୁତ ପ୍ରସାରଣର କାରଣ ବୋଲି ଧରାଯାଉଥିବା ‘ଡାର୍କ ଏନର୍ଜି’ (Dark Energy) ଏବେ ପ୍ରଶ୍ନବାଚୀ ଘେରରେ। ଏକ ନୂତନ ଗବେଷଣାରେ ୧,୭୦୦ରୁ ଅଧିକ…

ମହାକାଶରେ ବଡ଼ ହଲଚଲ! ବୁଧ ଗ୍ରହରେ ବିରାଟ ଫାଟ, ବୈଜ୍ଞାନିକ ଦେଲେ ଚେତାବନୀ…

ନୂଆଦିଲ୍‌ଲୀ,୧୧।୯: ବୁଧ ଯେତିକି ସଙ୍କୁଚିତ ହୋଇଛି, ଏହାର ପୃଷ୍ଠଭାଗରେ ସେତିକି ଫାଟ ସୃଷ୍ଟି ହୋଇଛି। ଆରବ ବର୍ଷ ଧରି ହୋଇଥିବା ଧକ୍କା କାରଣରୁ ସୃଷ୍ଟି ହୋଇଥିବା ଗର୍ତ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?