ଦିଗପହଣ୍ଡି,୧୯।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ଗାଁରୁ ଜଣେ ବିବାହିତା ମହିଳା ସୋମବାର ଫେରାର୍ ହୋଇଯାଇଥିବା ଅଭିଯୋଗ ହୋଇଛି।ଏନେଇ ତାଙ୍କ ସ୍ବାମୀ ଦିଗପହଣ୍ଡି ଥାନାରେ ଏତଲା ଦେଇଥିବା ଜଣାପଡିଛି। ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ପଞ୍ଚାୟତ ମଙ୍ଗରାଜପୁର ଗ୍ରାମର ମହିଳା ଜଣକ ଗତ ଏପ୍ରିଲ ୨୪ ତାରିଖରେ ଦୁବାଇରେ ଚାକିରି କରୁଥିବା ବାସୁଦେବପୁର ଗ୍ରାମର ଜଣେ ଯୁବକଙ୍କୁ କୌଳିକ ରୀତିନୀତି ଅନୁଯାୟୀ ବିବାହ କରିଥିଲେ। ସୋମବାର ପୂର୍ବାହ୍ନ ପ୍ରାୟ ୧୦ ଟାରେ ମହିଳା ଜଣକ ଗାଁର ଠାକୁରାଣୀ ପୋଖରୀକୁ ଗାଧୋଇବା ପାଇଁ ଯାଇଥିଲେ। ସେଠାର ରାସ୍ତାକଡ ଜମିରେ ତାଙ୍କ ପିନ୍ଧାଲୁଗାକୁ ଫୋପାଡି ଦେଇ ଫେରାର୍ ହୋଇଯାଇଥିବା ଏତଲାରେ ଉଲ୍ଲେଖ ରହିଛି। ମହିଳା ଜଣଙ୍କ ବିବାହ ପୂର୍ବରୁ କଟକ ଜିଲା ସାଲେପୁର ଅଞ୍ଚଳର ଜଣେ ଯୁବକଙ୍କୁ ଇନଷ୍ଟାଗ୍ରାମ ଜରିଆରେ ସମ୍ପର୍କ ରଖି ତାଙ୍କୁ ପ୍ରେମ କରୁଥିଲେ ବୋଲି ସ୍ବାମୀ ତାଙ୍କ ଏତଲାରେ ଉଲ୍ଲେଖ କରିବା ସହ ପୋଲିସ ନିକଟରେ ବୟାନ ଦେଇଛନ୍ତି।ଏନେଇ ମକଦ୍ଦମା ରୁଜୁ କରାଯାଇ ତଦନ୍ତ ଚାଲିଥିବା ପୋଲିସ କହିଛି।

