ଅମର ହେବ ମଣିଷ

ଡ. ନରେନ୍ଦ୍ର ସେଠୀ

 

ମର୍ତ୍ତ୍ୟ ମଣ୍ଡଳେ ଦେହ ବହି, ଦେବତା ହୋଇଲେ ମରଇ। ଭାଗବତର ଏହି ମର୍ମସ୍ପର୍ଶୀ ବାଣୀର ଅର୍ଥ ହେଲା ଯିଏ ଜନ୍ମ ନେବ ତା’ର ମୃତ୍ୟୁ ନିଶ୍ଚିତ। ସେ ଦେବତା ହେଲେ ମଧ୍ୟ ଏହି ନିୟମରେ ବନ୍ଧା। ସତ କହିବାକୁ ଗଲେ ଆମେ କେହି ମରିବାକୁ ଚାହୁଁନା। ମୃତ୍ୟୁ ଚରମ ସତ୍ୟ ହେଲେ ମଧ୍ୟ ହିଂସା, ଦ୍ୱେଷ, ଈର୍ଷା ଓ ଲୋଭ ଭିତରେ ଘାଣ୍ଟି ହୋଇ ରହୁ। ତେବେ ଖୁସିର କଥା ଏହି କି ଯେ ମଣିଷର ଦୀର୍ଘଦିନ ପର୍ଯ୍ୟନ୍ତ ବଞ୍ଚିବାର ଏହି ଲାଳସାକୁ ପୂର୍ଣ୍ଣ କରିବାକୁ ବିଜ୍ଞାନ ଚେଷ୍ଟା କରୁଛି। ଏଠାରେ ସୂଚନାଯୋଗ୍ୟ ଯେ, ବିଂଶ ଶତାବ୍ଦୀର ଆରମ୍ଭରେ ମଣିଷର ହାରାହାରି ପରମାୟୁ ମାତ୍ର ୩୧ ବର୍ଷ ଥିଲା; ଯାହା ୧୯୫୦ ବେଳକୁ ୪୮ ଓ ୨୦୧୭ ବେଳକୁ ୭୨ ବର୍ଷରେ ପହଞ୍ଚିଲା। ଉନ୍ନତ ଚିକିତ୍ସା ପଦ୍ଧତି, ବୈଜ୍ଞାନିକ ଜ୍ଞାନ କୌଶଳ ଓ ଆର୍ଥିକ ଅଭିବୃଦ୍ଧି ଏଥିପାଇଁ କାରଣ। କିନ୍ତୁ ବିଜ୍ଞାନ ଏଇଠି ଅଟକି ଯାଇନି। ମଣିଷର ପରମାୟୁ ଆହୁରି ବଢ଼େଇ ଦୀର୍ଘଜୀବୀ କରିବା ପାଇଁ ବୈଜ୍ଞାନିକ ମାନେ ଅଣ୍ଟା ଭିଡ଼ିଛନ୍ତି। ସମୟ ସହିତ ବୟସ୍କ ହେବାର ବୈଜ୍ଞାନିକ କାରଣ ହେଲା ଶରୀର ଭିତରେ ଘଟୁଥିବା ଅନେକ ଜଟିଳ ଜୈବିକ ପରିବର୍ତ୍ତନ। ବୟସ ବଢ଼ିଲେ ଗୁଣସୂତ୍ର ଗୁଡ଼ିକ ଧୀରେ ଧୀରେ ଭାଙ୍ଗି ଅକାମୀ ହେଇପଡ଼ନ୍ତି ଓ ଅନେକ ପ୍ରୋଟିନଗୁଡ଼ିକ ଜରୁରୀ ଜୈବିକ ପ୍ରକ୍ରିୟାଗୁଡ଼ିକରେ ଭାଗ ନେଇପାରନ୍ତିନି। କୋଷଗୁଡ଼ିିକ ଅନବରତ କାର୍ଯ୍ୟ କରିବା ସମୟରେ ଅନେକ ବର୍ଜ୍ୟବସ୍ତୁ ତିଆରି ହୁଏ; ଯାହା ସେମିତି ଜମା ହୋଇ ରହେ ଓ ଶରୀରର ଶକ୍ତି ପ୍ରଦାନ କରିବା କ୍ଷମତା ହ୍ରାସ କରେ। ଏହାଛଡ଼ା ଖାଦ୍ୟ ପଦାର୍ଥର ହଜମ ଓ ଜାରଣ ସମୟରେ ନିର୍ଗତ ହେଉଥିବା ଅମ୍ଳଜାନ ଆୟନ ଅନେକ ଫ୍ରି ରାଡିକାଲ ବା ମୁକ୍ତ ମୂଳକମାନ ତିଆରି କରେ; ଯାହା ଶରୀରର ଅନେକ ସୁସ୍ଥ କୋଷଗୁଡ଼ିକୁ ନଷ୍ଟ କରିଥାଏ। ଏହାଛଡ଼ା ବୟସ୍କ ହେବାର ଅନେକ ଅଜଣା କାରଣ ଅଛି। ମଣିଷ ଶରୀର ଅନେକ କୋଷକୁ ନେଇ ଗଠିତ। କୋଷଗୁଡ଼ିକ ଏକରୁ ଦୁଇ, ୨ରୁ ଚାରି ହୋଇ ବିଭାଜନ ପ୍ରକ୍ରିୟାରେ ବଢ଼ିଥାନ୍ତି। ଆମ ଶରୀରର ଗୋଟିଏ କୋଷ ଏହିପରି ୫୦ ଥର ବିଭାଜନ ହେଲା ପରେ ମୃତ୍ୟୁବରଣ କରିଥାଏ ବୋଲି ପରୀକ୍ଷା କରି ଜଣାପଡ଼ିଛି। ତିରିଶ ବର୍ଷ ପରେ ମଣିଷ ଶରୀରର ଧୀରେ ଧୀରେ ଶିଥିଳତା ଆସେ ଓ ବାର୍ଦ୍ଧକ୍ୟ ଆଡ଼କୁ ପାଦ ପକାଏ । କିନ୍ତୁ ସବୁଠୁ ରୋଚକ କଥା ହେଲା ମଣିଷ ଶରୀରରେ କିଛି ଏମିତି କୋଷ ଅଛି, ଯାହା ମରେ ନାହିଁ। ଉଦାହରଣ ସ୍ବରୂପ କର୍କଟ ଆକ୍ରାନ୍ତ କୋଷଗୁଡ଼ିକ ମରିବାର ସବୁ ଗୁଣ ହରେଇ ବସିଥାନ୍ତି। ଷ୍ଟେମ ସେଲ ଓ ଜର୍ମ ସେଲର ମଧ୍ୟ ଏହି ଗୁଣ ଅଛି। ଯେହେତୁ ଗୁଣସୂତ୍ର ବା ଜିନ୍‌ ମଣିଷର ବାର୍ଦ୍ଧକ୍ୟ ପାଇଁ ମୋଟାମୋଟି ଦାୟୀ। ବୈଜ୍ଞାନିକମାନେ ଏବେ ଏପରି ଜିନ୍‌ର ସନ୍ଧାନରେ ଅଛନ୍ତି, ଯାହା ବୟସକୁ ଅଟକେଇ ପାରିବ।
ଆମେରିକାର ବକ ବୟସ ଗବେଷଣା କେନ୍ଦ୍ର ଓ ଚାଇନାର ନାଞ୍ଜିଙ୍ଗ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକମାନେ ମିଳିତ ଭାବରେ ଏପରି ଏକ ଜିନ୍‌ର ସନ୍ଧାନ କରିଛନ୍ତି, ଯାହା ମଣିଷର ପରମାୟୁ ୪୦୦ରୁ ୫୦୦ ବର୍ଷ ପର୍ଯ୍ୟନ୍ତ କରିପାରେ ବୋଲି ଏକ ଗବେଷଣା ପ୍ରବନ୍ଧରେ ପ୍ରକାଶ ପାଇଛି । ପ୍ରାରମ୍ଭିକ ଭାବରେ ଆମେରିକାର ନର୍ଥ ଓ୍ବେଷ୍ଟର୍ନ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକମାନେ ବୟସ ବୃଦ୍ଧି କରୁଥିବା ଗୁଣସୂତ୍ରକୁ ପୋକଙ୍କଠାରେ ଠାବ କରିସାରିଛନ୍ତି। ଗୁଗଲ, ଓରାକେଲ ଭଳି ବିଶ୍ୱର ଅନେକ ବଡ଼ ବଡ଼ ଘରୋଇ ସଂସ୍ଥା ହଜାର ହଜାର କୋଟି ଟଙ୍କା ଏବେ ଏପରି ଗବେଷଣାରେ ଲଗେଇ ସାରିଲେଣି। ଅମରତ୍ୱ ପାଇବା ପାଇଁ ଆହୁରି ଅନେକ ଉପାୟ ଗୁଡ଼ିକ ଭିତରେ ହେଲା ବୟସ୍କ କରୁଥିବା ଗୁଣସୂତ୍ରକୁ ବାହାର କରି ଅମର ଗୁଣସୂତ୍ରରେ ବଦଳେଇ ଦେବା। ଯୋଉଦିନ ବୈଜ୍ଞାନିକମାନେ ଏକ ଅମର ଗୁଣସୂତ୍ରର ସନ୍ଧାନ ପାଇଯିବେ ମଣିଷ ଅମରତ୍ୱ ପ୍ରାପ୍ତ ନ କଲେ ମଧ୍ୟ ୫୦୦ ବର୍ଷ ପର୍ଯ୍ୟନ୍ତ ବଞ୍ଚିପାରିବ। ଆଉ ଗୋଟେ ଉପାୟ ହେଲା କ୍ଲୋନିଂ। ଏହାଦ୍ୱାରା ମଣିଷର ପୁରୁଣା ଅଙ୍ଗ ପ୍ରତ୍ୟଙ୍ଗକୁ ନୂଆ ସମ୍ପୂର୍ଣ୍ଣ ମଣିଷର ଶରୀର ଦ୍ୱାରା ବଦଳେଇ ଦେବା। କ୍ଲୋନିଙ୍ଗର ସଫଳ ପ୍ରଦର୍ଶନ ବୈଜ୍ଞାନିକ ମେଣ୍ଢା ଓ ମୂଷା ପରି ପ୍ରାଣୀଙ୍କ ଦେହରେ କରି ସଫଳତା ପାଇଁ ସାରିଲେଣି । ସେହିପରି କ୍ରାୟୋଜେନିକ ବା ନିମ୍ନତାପିକି କୌଶଳ ଦ୍ୱାରା ମଣିଷର ଶରୀରକୁ ବର୍ଷ ବର୍ଷ ଧରି ସୁପ୍ତ ଅବସ୍ଥାରେ ସଂରକ୍ଷଣ କରି ରଖା ଯାଇପାରିବ ଓ ଦରକାର ପଡ଼ିଲେ ନିଦରୁ ଉଠିଲା ପରି ଚେଇଁ ନୂଆ ଜୀବନ ବିତେଇବ। ୟା ଭିତରେ ରୁଷିଆର ଜଣେ ଧନୀ ଶିଳ୍ପପତିଙ୍କ ଆର୍ଥିକ ଅନୁଦାନରେ ପ୍ରୋଜେକ୍ଟ- ୨୦୪୫ ନାମକ ଗବେଷଣା ଅନୁଯାୟୀ ମଣିଷର ମସ୍ତିଷ୍କକୁ ପ୍ରୋଗ୍ରାମିଂ କରି ଏକ କମ୍ପୁଟର ହାର୍ଡ ଡ୍ରାଇଭରେ ଭର୍ତ୍ତି କରିଦିଆଯିବ ଓ ମଣିଷ ଅମରତ୍ୱ ଲାଭ କରିବ। ଏହି ସଂସ୍ଥାର ଦାବି ଅନୁଯାୟୀ ଆଗାମୀ ୧୭ ବର୍ଷ ଭିତରେ ମଣିଷ ଏହି ସାଇବର ବ୍ରେନ ଉପାୟରେ ଅମରତ୍ୱ ଲାଭ କରିବାରେ ସଫଳ ହେବ। ତେବେ ଭାରତୀୟ ବିଜ୍ଞାନ ଏକାଡେମୀର ଏକ ଜର୍ନାଲରେ ପ୍ରକାଶିତ ଏକ କୌତୂହଳପୂର୍ଣ୍ଣ ଗାଣିତିକ ସମ୍ମୀକରଣ ଅନୁସାରେ ମଣିଷ ଭଳି ବହୁ କୋଷିୟ ପ୍ରାଣୀର କୋଷିକାର ମୃତ୍ୟୁ ଗତିକୁ ଅଟକେଇଲେ ଏକା ସମୟରେ କର୍କଟ ଆକ୍ରାନ୍ତ କୋଷିକାଗୁଡ଼ିକର ଅନିୟନ୍ତ୍ରିତ ବୃଦ୍ଧି ହେବ। ତେଣୁ ଏହି ଗାଣିତିକ ସମ୍ମୀକରଣ ଅନୁସାରେ ମଣିଷ ପାଇଁ ଅମରତ୍ୱ ଲାଭ କରିବା ଅସମ୍ଭବ।
ଆମ ଆଖ ପାଖରେ ଏମିତି ଅନେକ ଜୀବଜନ୍ତୁ ଅଛନ୍ତି ଯିଏ ପାଞ୍ଚ ହଜାର ବର୍ଷ ପର୍ଯ୍ୟନ୍ତ ବଞ୍ଚି ପାରୁଛି। ଉଦାହରଣ ସ୍ବରୂପ ଆମେରିକାରେ ମିଳୁଥିବା ବ୍ରିଷ୍ଟଲ ପାଇନ ଗଛ ୫୦୦୦ ପର୍ଯ୍ୟନ୍ତ ବଞ୍ଚି ପାରୁଛି। ସାଧରଣତଃ ବରଗଛ ହଜାରେ ବର୍ଷ ପର୍ଯ୍ୟନ୍ତ, ସମୁଦ୍ରି ଲବଷ୍ଟର ୧୪୦ ବର୍ଷ, ତିମି ମାଛ ୨୦୦ ବର୍ଷ, ବୃହତ୍ତାକାର କଇଁଛ ୨୫୬ ବର୍ଷ, ଗ୍ରୀନଲ୍ୟାଣ୍ଡ ସାର୍କ ୨୦୦ ବର୍ଷ ଓ ଆଇସଲ୍ୟାଣ୍ଡ ଶାମୁକା ୫୦୭ ବର୍ଷ ପର୍ଯ୍ୟନ୍ତ ବଞ୍ଚି ପାରୁଛି। ତେଣୁ ମଣିଷ ଯେ ଦିନେ ନିଜର ଜୀବନ ଧାରଣ ସମୟ ସୀମାକୁ ଇଚ୍ଛା ଅନୁସାରେ ବଢ଼େଇ ପାରିବ ଏହାର ଯଥେଷ୍ଟ ସମ୍ଭାବନା ଅଛି।
ବୈଜ୍ଞାନିକ, ଭାବା ପରମାଣୁ ଗବେଷଣା କେନ୍ଦ୍ର, ପରିବେଶ ନିରୀକ୍ଷଣ ପରୀକ୍ଷାଗାର, ଯାଦୁଗୁଡା, ପୂର୍ବ ସିଂଭୁମି, ଝାରଖଣ୍ଡ
ମୋ:୭୦୦୪୦୬୮୧୧୦


Enter your email to get our daily news in your inbox.

All Right Reserved By Dharitri.Com

ଦୁବାଇ ବନ୍ୟା ଓ ଜଳବାୟୁ

ଭୟଙ୍କର ମରୁଝଡ଼ ଓ ବନ୍ୟାର ପ୍ଲାବନରେ ସୌନ୍ଦର୍ଯ୍ୟମୟୀ ଦୁବାଇ ସହର ଏପ୍ରିଲ୧୬ରେ ନିମିଷକ ମଧ୍ୟରେ ଅନୁଭବ କଲା ଧ୍ବଂସର ତାଣ୍ଡବ। ନଭଶ୍ଚୁମ୍ବୀ ଅଟ୍ଟାଳିକା ଏବଂ ବିଳାସପୂର୍ଣ୍ଣ...

ଏକ ଦିବ୍ୟ ପ୍ରତିଶ୍ରୁତିର ସ୍ମାରକୀ

ଦିବ୍ୟଜନନୀ ଶ୍ରୀମା ୨୯ ମାର୍ଚ୍ଚ, ୧୯୧୪ରେ ତପୋଭୂମି ପଣ୍ଡିଚେରୀରେ ପ୍ରଥମେ ପଦାର୍ପଣ କରି ସେହିଦିନ ଅପରାହ୍ନ ପ୍ରାୟ ୩.୩୦ ମିନିଟ୍‌ ସମୟରେ ତାଙ୍କର ଆରାଧ୍ୟ ତଥା...

ଖୋଜିଲେ ଖୋଜିବେ

ଭାରତରେ ମାନବ ଅଧିକାର ଓ ନାଗରିକ ସ୍ବାଧୀନତା ଉପରେ ୟୁରୋପୀୟ ଦେଶ, କେତେକ ଅନ୍ତଃରାଷ୍ଟ୍ରୀୟ ସୂଚକାଙ୍କ ତଥା ଆମେରିକା ତୀକ୍ଷ୍‌ଣ ନଜର ରଖିଛନ୍ତି। ନିକଟରେ ୟୁନାଇଟେଡ୍‌...

ଏଇ ଭାରତରେ

ପୋଲିସ ଚାକିରିର ବ୍ୟବସ୍ଥା ଭିତରୁ ସମୟ ବାହାର କରି ଦିଲ୍ଲୀର କନ୍‌ଷ୍ଟେବଲ ଥାନ୍‌ ସିଂ ଗରିବ ପିଲାମାନଙ୍କୁ ମାଗଣାରେ ପଢାଉଛନ୍ତି। ପ୍ରଥମେ ସେ ଏଭଳି ୫...

ଏଇ ଭାରତରେ

ଗୁଆଗଛର ବ୍ୟବସାୟିକ ଦିଗକୁ ଭଲ ଭାବେ ଠାବ କରିଛନ୍ତି କର୍ନାଟକର ସୁରେଶ ଏସ୍‌.ଆର୍‌। ସେ ଓ ତାଙ୍କ ସ୍ତ୍ରୀ ମୈଥିଲି ମିଶି ଗୁଆଗଛରୁ ଏକ ପ୍ରକାର...

ବିଶେଷଣ ଭେଳିକି

ଧ୍ରୁବ ଚରଣ ଘିବେଲା ସତର ପରିଭାଷା ଯଦି ସମାଲୋଚନା, ତେବେ ମିଛର ପରିଭାଷା କ’ଣ ହୋଇପାରେ? ଯାହାଙ୍କ ଭାଷାରେ ସତ ହୁଏ ସମାଲୋଚନା, ସେଇମାନଙ୍କ ତୁଣ୍ଡରେ...

ଓଡ଼ିଆ ଜାତି ଓ ପୋଥି ପରମ୍ପରା

ଡ. ପ୍ରଫୁଲ୍ଲ କୁମାର ସାହୁ ଆମ ଦେଶରେ କାଗଜ ପ୍ରଚଳନ ପୂର୍ବରୁ ତାଳପତ୍ର ଥିଲା ଏକ ପ୍ରମୁଖ ଲିଖନ ସାମଗ୍ରୀ। ସେତେବେଳେ ଲୌହ ଲେଖନୀ ଦ୍ୱାରା...

ଜୀବନକୁ ପାଣିଛଡ଼ାଇ

ଚଳିତ ମାସ ୧୯ ତାରିଖରେ ଝାରସୁଗୁଡ଼ା ଜିଲା ଲଖନପୁର ଦେଇ ପ୍ରବାହିତ ମହାନଦୀରେ ଏକ ଡଙ୍ଗା ବୁଡ଼ିଯିବାରୁ ୮ ଜଣଙ୍କ ପ୍ରାଣହାନି ଘଟିଯାଇଛି। ଛତିଶଗଡ଼ ଅତର୍ଲିଆ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri