ମଣିଷ-ଈଶ୍ୱର

ଡ. ଛାୟାକାନ୍ତ ଷଡ଼ଙ୍ଗୀ

ଥରେ କୌଣସି ଏକ ଶୀତଦିନର ପୂର୍ବାହ୍ନରେ ଦଶ ବର୍ଷ ବୟସର ଜଣେ ଗରିବ ବାଳକ ଗୋଟିଏ ଜୋତା ଦୋକାନ ସାମନାରେ ଛିଡ଼ା ହୋଇ ଦୋକାନ ଭିତରେ ଶୋଭାପାଉଥିବା ଜୋତାକୁ ଏକ ଲୟରେ ଚାହିଁରହିଥାଏ। ମାତ୍ର ଜୋତା କିଣିବା ପାଇଁ ତା’ ନିକଟରେ ଅର୍ଥ ନ ଥାଏ। ଦୋକାନ ବାହାରେ ପ୍ରବଳ ଥଣ୍ଡାରେ ତା’ର ପାଦ ଦୁଇଟି କୋଲ ମାରି ଯାଉଥାଏ। ଏହି ସମୟରେ ସେଠି ପହଞ୍ଚତ୍ଲେ ଜଣେ ମହିଳା। ପିଲାଟିକୁ ଦେଖି ପଚାରିଲେ, ”ତୁ ଏଠି ଏକା ଛିଡ଼ା ହୋଇ ଭାବୁଛୁ କ’ଣ?“ ପିଲାଟି କହିଲା ”ମୁଁ ମନେ ମନେ ଈଶ୍ୱରଙ୍କୁ ଡାକୁଥିଲି ଓ ଏହି ଦୋକାନରୁ ମୋତେ ଜୋତା ହଳଟିଏ ଦେବାପାଇଁ ପ୍ରାର୍ଥନା କରୁଥିଲି।“ ପିଲାଟିର କଥା ଶୁଣି ମହିଳା ଜଣକ ହସିଲେ। ତା’ପରେ ତା’ର ହାତଧରି ତାକୁ ନେଇଗଲେ ଦୋକାନ ଭିତରକୁ ଓ ତାକୁ ଗୋଟିଏ ହଳ ନୁହେଁ, ଦୁଇ ହଳ ଜୋତା ପସନ୍ଦ କରିବାକୁ କହିଲେ। ପିଲାଟି ମହିଳାଙ୍କ ପ୍ରସ୍ତାବରେ କୁଣ୍ଠା ପ୍ରକାଶ କରନ୍ତେ ସେ ନିଜେ ତା’ ପାଇଁ ଦୁଇହଳ ଜୋତା ବାଛି ଦେଲେ। ଦୋକାନୀକୁ ଦେୟ ପ୍ରଦାନ କଲେ। ଗୋଟିଏ ହଳ ଜୋତା ତା’ ପାଦରେ ପିନ୍ଧାଇ ଦେଇ ଆଉ ହଳେ ଜୋତା ତା’ ହାତରେ ଧରାଇ ଦୋକାନ ବାହାରକୁ ଚାଲିଆସିଲେ। ମହିଳାଙ୍କ ଏପରି ଆଚରଣରେ ପିଲାଟି ଆଶ୍ଚର୍ଯ୍ୟ ହେଲା। ଦୋକାନ ବାହାରକୁ ଆସିବା ପରେ ପିଲାଟି ମହିଳାଙ୍କୁ ପଚାରିଲା ”ଆପଣ କ’ଣ ଈଶ୍ୱରଙ୍କ ପତ୍ନୀ ?“ ପିଲାଟି ମୁହଁରୁ ଏ କଥା ଶୁଣି ମହିଳା ଜଣକ ସେଠୁ ଅନ୍ତର୍ଦ୍ଧାନ ହୋଇଗଲେ, ମାତ୍ର ସେ ନିଜକୁ ନିଜେ ପଚାରୁଥିଲେ ‘ମୁଁ ନିଜେ କାହିଁକି ଈଶ୍ୱର ହୋଇପାରିବି ନାହିଁ।’ ଏଇଠି କାହାଣୀର ପରିସମାପ୍ତି।
ଉପରୋକ୍ତ କାହାଣୀରେ ଈଶ୍ୱର ଗରିବ ବାଳକକୁ ସାହାଯ୍ୟ କରିଛନ୍ତି ଜଣେ ମହିଳା ମାଧ୍ୟମରେ। ମାତ୍ର ବାଳକ ଭାଷାରେ ଈଶ୍ୱର ମହିଳା ନୁହନ୍ତି, ମହିଳା ଜଣକ ଈଶ୍ୱରଙ୍କ ପ୍ରତିନିଧି। ଅନ୍ୟ ଦିଗରେ ମହିଳାଙ୍କ ପ୍ରଶ୍ନ ହେଉଛି ସେ ନିଜେ କାହିଁକି ଈଶ୍ୱର ହେବେ ନାହିଁ। ଈଶ୍ୱର ପୁରୁଷ ହୁଅନ୍ତୁ ବା ମହିଳା ସେ ମଣିଷ ରୂପରେ ମଣିଷକୁ ସାହାଯ୍ୟ କରନ୍ତି। ଉଭୟ ପୁରୁଷ ଓ ମହିଳା ଭିତରେ ଥିବା ମଣିଷ ହିଁ ପ୍ରକୃତ ଦେବତା। ”ଦେବୋ ଦାନାତ୍‌“ (ନିରୁକ୍ତ) ଅର୍ଥାତ୍‌ ଯିଏ ଦିଅନ୍ତି ସେ ଦେବତା। ଈଶ୍ୱର ପୁରୁଷ ନୁହନ୍ତି କି ମହିଳା ନୁହନ୍ତି। ସେ ଲିଙ୍ଗର ଊର୍ଦ୍ଧ୍ୱରେ।
ମଦର ଟେରେସାଙ୍କ ଜୀବନରେ ଅନେକ ଘଟଣା ଘଟିଛି, ଯେଉଁଥିରେ ଈଶ୍ୱର ମଣିଷ ମଧ୍ୟ ଦେଇ ଆତ୍ମପ୍ରକାଶ କରିଛନ୍ତି। ଟେରେସାଙ୍କ ଆଶ୍ରମର ଅନ୍ତେବାସିନୀମାନଙ୍କ ପାଇଁ ଦାନଶୀଳ ବ୍ୟକ୍ତିମାନଙ୍କଠାରୁ ଶୀତବସ୍ତ୍ର ସଂଗ୍ରହ କରାଯାଏ। ଗୋଟିଏ ବର୍ଷ ନଭେମ୍ବର ମାସରେ ହଠାତ୍‌ ଶୀତ ମାଡ଼ି ଆସିଲା। ମାତ୍ର ସେତେବେଳକୁ ଆବଶ୍ୟକ ଶୀତବସ୍ତ୍ର ସଂଗୃହୀତ ହୋଇ ପାରି ନ ଥାଏ। ଟେରେସା କୌଣସି ଉପାୟ ନ ପାଇ ତକିଆଗୁଡ଼ିକୁ ଚିରି ସେଥିରୁ ତୁଳା ବାହାର କରି ପାଖରେ ଗଚ୍ଛିତ ଥିବା ରେଜେଇ ଖୋଳରେ ଭର୍ତ୍ତି କରିବା ପାଇଁ ଲାଗିପଡ଼ିଲେ। ଠିକ୍‌ ସେହି ସମୟରେ ଜଣେ ଭଦ୍ରବ୍ୟକ୍ତି ପହଞ୍ଚତ୍ ଟେରେସାଙ୍କୁ କହିଲେ, ”ମୁଁ କିଛିଦିନ ପାଇଁ ବିଦେଶ ଯିବି। ଫେରିବାକୁ ଡେରି ହେବ। ମୋ ଆସିବା ବେଳକୁ ରେଜେଇ କମ୍ବଳ ଆଦି ନଷ୍ଟ ହୋଇଯାଇଥିବ। ଏଣୁ ସେସବୁ ଆଶ୍ରମକୁ ଦେଇଦେବାକୁ ଚାହେଁ।“ ମଦର ସମ୍ମତି ଦେଲେ ଓ ସେ ଭଦ୍ରବ୍ୟକ୍ତି ସବୁ ଶୀତବସ୍ତ୍ର ଦାନ କଲେ। ଆଶ୍ରମର ସମସ୍ୟା ସମାଧାନ ହୋଇଗଲା। ଆଉ ଏକ ଦିନର ଘଟଣା। ସେଦିନ ଆଶ୍ରମର ଅନ୍ତେବାସିନୀମାନଙ୍କ ପାଇଁ ଖାଦ୍ୟ ସାମଗ୍ରୀ ନ ଥିଲା। ଟେରେସା ଚିନ୍ତିତ ଥା’ନ୍ତି କିପରି ସେମାନଙ୍କ କ୍ଷୁଧା ଦୂର କରିବେ। ହଠାତ୍‌ ଜଣେ ଭଦ୍ରବ୍ୟକ୍ତି ଆସି କହିଲେ, ”ମଦର, ମୁଁ ଦେଶାନ୍ତର ଯିବି। ଏଣୁ ଘରେ ମହଜୁଦ ଥିବା ଡାଲି ଚାଉଳ ଆଶ୍ରମକୁ ଦେଇଯିବି। ଆପଣଙ୍କ ସମ୍ମତି ଚାହୁଁଛି।“ ମଦର ସମ୍ମତି ଦେଲେ ଓ ସେ ଦେଇଥିବା ଚାଉଳ ଓ ଡାଲିରେ ରୋଷେଇ ହୋଇ ଅନ୍ତେବାସିନୀମାନଙ୍କ ରାତିଟି ଅତିବାହିତ ହେଲା। ମଦର ଟେରେସାଙ୍କ ଦୃଦ୍‌ବୋଧ ହେଲା ଈଶ୍ୱରଙ୍କ ପ୍ରତି ପୂର୍ଣ୍ଣ ସମର୍ପିତ ହୋଇଗଲେ ସେ ମଣିଷ ଭିତରେ ଆତ୍ସପ୍ରକାଶ କରି ଦୁଃଖୀ ମଣିଷକୁ ସାହାଯ୍ୟ କରନ୍ତି।
ସ୍ବାମୀ ବିବେକାନନ୍ଦ ବେଦାନ୍ତକୁ ଏକ ଭାବାତ୍ମକ ଦର୍ଶନ ଭାବରେ ବିଚାର ନ କରି ଏକ ପ୍ରାୟୋଗିକ ଦର୍ଶନ ଭାବରେ ଗ୍ରହଣ କରିଥିଲେ। ବେଦାନ୍ତ କହେ ପରମାତ୍ମା ସର୍ବଭୂତରେ ବିଦ୍ୟମାନ। ପୁନଶ୍ଚ ସେ ସର୍ବବ୍ୟାପୀ ହୋଇଥିବାରୁ ଆମେ ସମସ୍ତେ ତାଙ୍କରି ଭିତରେ ଏକ, ମାତ୍ର ସତ୍ତା ପ୍ରକଟନରେ ଭିନ୍ନ ଭିନ୍ନ। ଅଜ୍ଞତାବଶତଃ ଆମେ ନିଜକୁ ଅନ୍ୟଠାରୁ ଭିନ୍ନ ମନେକରୁ। ଯଦି ଆମେ ଭାବନ୍ତେ ଆମେ ସମସ୍ତେ ଅଭିନ୍ନ, ଅର୍ଥାତ୍‌ ମୁଁ ତୁମର ଅଂଶ ଓ ତୁମେ ମୋର ଅଂଶ, ତା’ହେଲେ ତୁମକୁ କ୍ଷତାକ୍ତ କଲେ ମୁଁ କ୍ଷତାକ୍ତ ହେବି ଓ ତୁମକୁ ସାହାଯ୍ୟ କଲେ ମୁଁ ନିଜକୁ ସାହାଯ୍ୟ କରିବି। ସେହି ନ୍ୟାୟରେ ପ୍ରତିବେଶୀର ମଙ୍ଗଳରେ ଆମର ମଙ୍ଗଳ ଓ ଆମର ମଙ୍ଗଳରେ ପ୍ରତିବେଶୀର ମଙ୍ଗଳ ନିହିତ। ଏହା ହେଉଛି ଅଦ୍ୱୈତ ବେଦାନ୍ତର ମୂଳ କଥା। ଏହାକୁ ଆଧାର କରି ସ୍ବାମୀ ବିବେକାନନ୍ଦ କହିଥିଲେ, ମାନବ ସେବା ହିଁ ମାଧବ ସେବା। ପ୍ରତ୍ୟେକ ମଣିଷ ଜଣେ ଜଣେ ଈଶ୍ୱର। ଆମେ ଅଦୃଶ୍ୟ, ସର୍ବତ୍ର ପରିବ୍ୟାପ୍ତ ଈଶ୍ୱରଙ୍କୁ ନ ଖୋଜି ମଣିଷ ଭିତରେ ଆତ୍ମପ୍ରକାଶ କରିଥିବା ଈଶ୍ୱରଙ୍କୁ ଖୋଜିଲେ, ତାଙ୍କୁ ସହଜରେ ଆବିଷ୍କାର କରିପାରିବା। ମଦର ଟେରେସାଙ୍କ ଜୀବନରେ ଉପରଲିଖିତ ଦୁଇଟି ଘଟଣାରେ ସେ ମଣିଷ ଭିତରେ ଈଶ୍ୱରଙ୍କୁ ଦେଖିଥିଲେ। ଏହି ମଣିଷମାନେ ହିଁ ପୃଥିବୀକୁ ସୁନ୍ଦର ଭାବରେ ଗଢ଼ି ତୋଳିବେ। ପ୍ରତ୍ୟେକ ମଣିଷ ଦିବ୍ୟ। ଏଣୁ ଅତିବଡ଼ୀ ଜଗନ୍ନାଥ ଦାସ କହିଥିଲେ, ”ମନୁଷ୍ୟ ଦେହେ ଦିବ୍ୟଜ୍ଞାନ, ଦେଖି ସନ୍ତୋଷ ଭଗବାନ।“ ମଣିଷମାନେ ଈଶ୍ୱରଙ୍କ ବ୍ୟବହାର ଉପଯୋଗୀ ହେବାପାଇଁ ନିଜକୁ ନିର୍ମାଣ କଲେ ପୃଥିବୀରେ ଧର୍ମ, ସତ୍ୟ ଓ ଶାନ୍ତି ପ୍ରତିଷ୍ଠିତ ହେବ। ଜାତି, ସମ୍ପ୍ରଦାୟ, ଧର୍ମ, ସାମାଜିକ ପ୍ରତିଷ୍ଠା ନିର୍ବିଶେଷରେ ଯେ କୌଣସି ମଣିଷ ଈଶ୍ୱର ପାଲଟିଯାଇ ପାରିବେ। ଅଦୃଶ୍ୟ ଈଶ୍ୱରଙ୍କ ଉପରେ ନିର୍ଭର ନ କରି ମଣିଷ ଈଶ୍ୱର ଉପରେ ଭରସା କରିବା ବେଶି ଯୁକ୍ତିଯୁକ୍ତ। ଏଣୁ ସ୍ବାମୀ ବିବେକାନନ୍ଦ ମଣିଷ ଭିତରେ ଥିବା ଈଶ୍ୱରଙ୍କ ଉପାସନା କରିବା ପାଇଁ ଆହ୍ବାନ ଦେଉଥିଲେ। ଥରେ ମେରି ହେଲିଙ୍କୁ ସେ ଚିଠିରେ ଲେଖିଥିଲେ, ”ନିଖିଳ ଆତ୍ମାର ସମଷ୍ଟିରୂପେ ଏକମାତ୍ର ଈଶ୍ୱର ବିଦ୍ୟମାନ ଅଛନ୍ତି ଓ ମୁଁ ସେହି ଈଶ୍ୱରଙ୍କ ଅସ୍ତିତ୍ୱରେ ବିଶ୍ୱାସ କରେ। ସେହି ଈଶ୍ୱରଙ୍କ ପୂଜା ପାଇଁ ମୁଁ ଥରକୁ ଥର ଜନ୍ମଗ୍ରହଣ କରିବାକୁ ଚାହେଁ ଓ ମୋର ଇଚ୍ଛା ନରନାରାୟଣ ଯେପରି ମୋର ସର୍ବାଧିକ ଉପାସ୍ୟ ଦେବତା ହୁଅନ୍ତୁ।“ ମାତ୍ର ମଣିଷ ଈଶ୍ୱରଙ୍କୁ ମଣିଷ ଭିତରେ ନ ଖୋଜି ମନ୍ଦିର, ମସ୍‌ଜିଦ ଓ ଗୀର୍ଜାରେ ଖୋଜୁଛି। ନିଜ ଆଖି ଆଗରେ ଚଳପ୍ରଚଳ ହେଉଥିବା ପରିଦୃଶ୍ୟମାନ ମଣିଷ-ଈଶ୍ୱରଙ୍କ ଉପରେ ବିଶ୍ୱାସ ନ କରି ଅଦୃଶ୍ୟ ଈଶ୍ୱରଙ୍କ ଉପରେ ନିର୍ଭର କରୁଛି। ଏହା ହିଁ ବିଡ଼ମ୍ବନା।
ମୋ:୯୪୩୭୩୨୯୨୬୩


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ନିରବଚ୍ଛିନ୍ନ ପ୍ରୟାସ ଓ ଦୃଢ଼ ଇଚ୍ଛାଶକ୍ତି ଦ୍ୱାରା ସଫଳତା ମିଳେ, ଯାହା ପ୍ରମାଣ କରିଛନ୍ତି ରାଜସ୍ଥାନ ଏକାଲଖୋରି ଗାଁର ରାଣାରାମ ବିଷ୍ଣୋଇ । ଗଛ ପରିବେଶ ଓ…

ଗାନ୍ଧୀ ବିଚାରରେ ପରିବେଶ ସୁରକ୍ଷା

ମହାକାଳର ଅସୀମ ଗର୍ଭରେ ଇତିହାସର ଅନେକ ପୃଷ୍ଠା ରକ୍ତର କାଳିରେ ଲେଖାଯାଇଛି, ଅନେକ ବିପ୍ଳବ କେବଳ କ୍ଷମତା ଆଉ ସାମ୍ରାଜ୍ୟବାଦର ମୋହରେ ଧୂଳିସାତ ହୋଇଯାଇଛି। କିନ୍ତୁ ବିଂଶ…

ନିର୍ମୂଳୀ ଚେର

ଅନେକ ଦଶନ୍ଧି ଧରି ଦେଶରୁ ଗରିବ ହଟାଇବା ଲକ୍ଷ୍ୟରେ ଅନେକ ଦୃଷ୍ଟାନ୍ତମୂଳକ ଯୋଜନା ପ୍ରଣୟନ କରାଯାଇଛି। ଅର୍ଥଶାସ୍ତ୍ରବିତ୍‌ଙ୍କ ସୁକଳ୍ପିତ ପରାମର୍ଶ, ସଂଗଠନ ସଦସ୍ୟଙ୍କ ମତାମତ ଏବଂ ରାଜନୀତିଜ୍ଞଙ୍କ…

ମାନବାଧିକାର ଓ ନେତୃତ୍ୱରେ ତ୍ରୁଟି

ଦ୍ବିତୀୟ ବିଶ୍ୱଯୁଦ୍ଧ ପରବର୍ତ୍ତୀ ସମୟରେ ଗଠିତ ଅନ୍ତର୍ଜାତୀୟ ବ୍ୟବସ୍ଥା ଏବେ ବୈଧତା ସଙ୍କଟର ସମ୍ମୁଖୀନ ହେଉଛି। ମାନବାଧିକାର ରକ୍ଷା କରୁଥିବା ବ୍ୟବସ୍ଥା ମଧ୍ୟ ଏଥିରୁ ବାଦ୍‌ ପଡ଼ୁନାହିଁ।…

ଆସ, ଗଢ଼ିବା ବିଦ୍ୟାଳୟ

କିଛି ଦିନ ତଳେ ଜଣେ ବନ୍ଧୁ କଥା ପ୍ରସଙ୍ଗରେ କହିଲେ, ସନ୍ତାନସନ୍ତତିଙ୍କ ପାଠପଢ଼ାକୁ ନେଇ ପରୀକ୍ଷା ନିରୀକ୍ଷା କରିହେବ ନାହିଁ। ସ୍ବାଧୀନତା ପରେ ପାଖାପାଖି ପଚାଶ ବର୍ଷ…

ଆକାଶର ତାରା

ବାପଛେଉଣ୍ଡ ପିଲାଟି ଯେତେବେଳେ ମା’କୁ ବାପା କାହାନ୍ତି ବୋଲି ପଚାରେ, ମା’ତାକୁ ଅନେକ କଥା କହି ବୁଝାଇଦିଅନ୍ତି। ଆଜି ଆସିବେ, କାଲି ଆସିବେ, ଅମୁକ ଜାଗାକୁ ଯାଇଛନ୍ତି…

ସୁଶ୍ରୁତଙ୍କ ଶଲ୍ୟଚିକିତ୍ସା

ଭାରତର ପ୍ରାୟ ପ୍ରତ୍ୟେକ ପାରିବାରିକ ସମାବେଶରେ କେହି ନା କେହି ଦାବି କରନ୍ତି ଯେ ପ୍ରାଚୀନ ଭାରତୀୟଙ୍କ ପାଖରେ ପ୍ଲାଷ୍ଟିକ୍‌ ସର୍ଜରି, ଟେଷ୍ଟଟ୍ୟୁବ୍‌ ବେବି ଏବଂ ବିମାନ…

ସନ୍ତାନ ବତ୍ସଳତା

ଅମୃତ କାଳରେ ଅସହାୟତାର ଦୌଡ଼ ଜୀବନର ଦୌଡ଼ରେ ସମସ୍ତଙ୍କ ପାଖରେ ସମାନ ସୁଯୋଗ ନ ଥାଏ। କାହା ପାଖରେ ଦାମୀ ଜୋତା ଥାଏ, କାହା ପାଖରେ ଆଧୁନିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?