
ଭୋଗରାଇ,୧୬ା୬(ପ୍ରଦୀପ ଦାସ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ କମର୍ଦ୍ଦା ଥାନା ଅଧୀନ ଆରୁହାବୃତ୍ତି ୨ (ଦହମୁଣ୍ଡା ) ଗ୍ରାମର ରବିବାର ବିଳମ୍ବିତ ରାତିରେ ଏକ ବୀଭତ୍ସ କାଣ୍ଡ ଘଟିଛି। ଉକ୍ତ ଗ୍ରାମର ପ୍ରଶାନ୍ତ ଜେନା ଓରଫ ପଲଟୁ ଜେନା (୪୪ ) ଘରୋଇ କଳହରୁ ଭାରସାମ୍ୟ ହରାଇ ସ୍ତ୍ରୀ ଦେୀରାଣୀ ଜେନା (୩୨) ବଡ଼ପୁଅ କାର୍ତ୍ତିକ( ୫ )କୁ ଏକ ଧାରୁଆ ଅସ୍ତ୍ରରେ ମୁଣ୍ଡ, ଗୋଡ଼ ଓ ହାତକୁ କାଟିବା ପରେ ସାନପୁଅ ଗଣେଶ (୨ )କୁ ଘର ସିମେଣ୍ଟ ଖୁଣ୍ଟକୁ ଠେଲିଦେଇ ଘରୁ ଫେରାର ହୋଇଯାଇଛନ୍ତି। ଘରେ ପଲଟୁଙ୍କ ମାତାପିତା ଥିବାବେଳେ ଏଭଳି ଅଭାବନୀୟ ଘଟଣା ପାଖ ପଡ଼ୋଶୀଙ୍କୁ ଚକିତ କରିଛି। ଘରେ ଚିତ୍କାର ଶୁଣି ପଡ଼ୋଶୀ ଛୁଟି ଆସିବା ସହିତ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପ୍ରଥେମେ କମର୍ଦ୍ଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ ବାଲେଶ୍ୱର ମୁଖ୍ୟ ଡାକ୍ତରଖାନାକୁ ଚିକିତ୍ସା ନିମନ୍ତେ ନିଆଯାଇଥିଲା। ସେଠାରେ ମହିଳା ଓ ୨ ଶିଶୁଙ୍କ ଅବସ୍ଥା ଉଦ୍ବେଗଜନକ ହେବାରୁ ସୋମବାର ସକାଳୁ କଟକ ବଡ଼ ଡାକ୍ତରଖାନାକୁ ପଠାଯାଇଛି। ଖବରଲେଖା ହେଲା ବେଳକୁ ସେଠାରେ ମା’ ଓ ବଡ଼ପୁଅର ଅବସ୍ଥା ସଙ୍କଟଜନକ ରହିଥିବାବେଳେ ସାନପୁଅର ଅବସ୍ଥା ସ୍ଥିତିଶୀଳ ରହିଥିବାର ସୂଚନା ମିଳିଛି। କମର୍ଦ୍ଦା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ପ୍ରାଥମିକ ତଦନ୍ତ ଜାରି ରଖିଛି।
ସୂଚନାନୁଯାୟୀ ଯୁବକ ବ୍ୟକ୍ତି ଜଣକ ପାଠୁଆ ହୋଇଥିବାବେଳେ ଜଣେ ଗରିବ କୃଷକ। ସେ କେବେ ନିଶାଗ୍ରସ୍ତ ନ ଥିବାବେଳେ ସ୍ତ୍ରୀଙ୍କ ଅଣ୍ଟା ଜନିତ ରୋଗରେ ବହୁ ଅର୍ଥ ମାଗିଯାଚି ଆଣି ୫ କୁଟୁମ୍ବ ପ୍ରତିପୋଷଣ କରିଥାନ୍ତି ବୋଲି ଗ୍ରାମବାସୀ କହିଛନ୍ତି l ଆର୍ଥିକ ସ୍ଥିତି ଅତ୍ୟନ୍ତ ଖରାଫ ଥିବାରୁ ଘରେ ସ୍ତ୍ରୀ ଓ ସ୍ବାମୀସହିତ କଳହ ଲାଗୁଥିବାର ପାଖ ପଡ଼ୋଶୀ କହିଛନ୍ତି। ପଲଟୁଙ୍କ ଏଭଳି କାଣ୍ଡକୁ ଗ୍ରାମବାସୀଙ୍କୁ ଆଶ୍ଚର୍ଯ୍ୟ କରିଥିବା ବେଳେ ପଲଟୁ ମୃତ କିମ୍ବା ଜୀବିତ ତାହା ସ୍ପଷ୍ଟ ଜଣାପଡ଼ିନାହିଁ l