କେନ୍ଦୁଝର,୯ା୧୧(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଟାଉନ ଥାନା ଅନ୍ତର୍ଗତ ଆଟୋପୁରଠାରେ ସୋମବାର ଏକ ଆମ ବସ୍ ଧକ୍କାରେ ୩ଜଣ ମହିଳା ଗୁରୁତର ହୋଇଛନ୍ତି। ଗୁରୁତର ମହିଳାମାନେ ହେଲେ ସ୍ଥାନୀୟ ଅଞ୍ଚଳର ମାନସୀ ରଣା, ସୁଲୋଚନା ବେହେରା ଓ ମଞ୍ଜୁଲତା ନାଏକ। ସୁଲୋଚନାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡିଛି। ସମସ୍ତଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଦୁର୍ଘଟଣା ପରେ କିଛି ସମୟ ପାଇଁ ସେଠାରେ ଉତ୍ତେଜନା ଦେଖାଦେଇଥିଲା।
ପ୍ରକାଶ ଯେ, ୩ ଜଣ ମହିଳା ଏକ ସ୍କୁଟିରେ ପୁରୁଣା ସହରରୁ କେନ୍ଦୁଝର ସହର ଅଭିମୁଖେ ଆସୁଥିଲେ। ପୁରୁଣାସହର ଅଭିମୁଖେ ଯାଉଥିବା ଆମ ବସ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ସ୍କୁଟିରେ ଯାଉଥିବା ୩ ମହିଳା ଛିଟିକି ପଡିଥିଲେ। ଲୋକେ ସମସ୍ତଙ୍କୁ ଉଦ୍ଧାର କରି ଡାକ୍ତରଖାନାକୁ ପଠାଇ ବସ୍କୁ ଅଟକ ରଖିଥିଲେ। ଦୁର୍ଘଟଣା ପରେ ଅଣଓସାରିଆ ରାସ୍ତାରେ ଆମ ବସ୍ ଚଳାଚଳ ବନ୍ଦ କରିବାକୁ ଦାବି କରାଯାଇଛି।
ପୋଲିସ ପହଞ୍ଚି ବସ୍ ଡ୍ରାଇଭରଙ୍କୁ ଅଟକ ରଖି ତଦନ୍ତ କରୁଛି। ଏ ନେଇ ଟାଉନ ଥାନା ଅଧିକାରୀ କହିଛନ୍ତି, ୩ ଜଣ ମହିଳା ଯାଉଥିବା ବେଳେ ବସ୍ ଧକ୍କାରେ ଆହତ ହୋଇ ଚିକିତ୍ସାଧୀନ ଅଛନ୍ତି ା ଅଧିକ ତଦନ୍ତ ଜାରି ରହିଛି।

